ARTICLE AD BOX
ନୂଆଦିଲ୍ଲୀ: ବିସିଆଇ (ବାର୍ କାଉନ୍ସିଲ୍ ଅଫ ଇଣ୍ଡିଆ) ଅଧ୍ୟକ୍ଷ ମନନ କୁମାର ମିଶ୍ରଙ୍କ ୫ ବର୍ଷିଆ କାର୍ଯ୍ୟକାଳକୁ ନେଇ ସୁପ୍ରିମକୋର୍ଟ ବୁଧବାର ପ୍ରଶ୍ନ ଉଠାଇଛନ୍ତି। ଅଦାଲତ କହିଛନ୍ତି ଯେ ସେ ବର୍ତ୍ତମାନର ପଦରେ ରହିବାକୁ ୨୦୩୦ ପର୍ଯ୍ୟନ୍ତ ଚାଲିଥିବା ନିୟମିତ କାର୍ଯ୍ୟକାଳ ବୋଲି ବିଚାର କରାଯାଇପାରିବ ନାହିଁ। ଏଥିସହ କୋର୍ଟ ବାର୍ କାଉନସିଲ୍ର ପୁନର୍ଗଠନ ନହେବା ପର୍ଯ୍ୟନ୍ତ କାଉନସିଲ୍ର ପ୍ରମୁଖ ନୀତିଗତ ନିଷ୍ପତ୍ତିରେ ଆଟର୍ଣ୍ଣି ଜେନେରାଲ୍ ଏବଂ ସଲିସିଟର୍ ଜେନେରାଲଙ୍କୁ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ମିଶ୍ରଙ୍କ ବର୍ତ୍ତମାନର ପଦବି ଏକ ଅସ୍ଥାୟୀ ବ୍ୟବସ୍ଥା ଭାବେ ଦେଖାଯାଉଛି। ନୂଆ ବିସିଆଇ ଗଠନ ହୋଇ ଏହାର ନୂଆ ପଦାଧିକାରୀ ନିର୍ବାଚିତ ହେବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ରହିବ। ଖଣ୍ଡପୀଠ କହିଛନ୍ତି, ନୂଆ ଭାବେ ଗଠିତ ରାଜ୍ୟ ବାର୍ କାଉନସିଲ୍ଗୁଡ଼ିକ ସେମାନଙ୍କର ସହ-ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବେ ଏବଂ ବିସିଆଇ ପାଇଁ ନୂଆ ପ୍ରତିନିଧି ନିର୍ବାଚନ କରିବେ। ରାଜ୍ୟ ବାର୍ କାଉନସିଲ୍ଗୁଡ଼ିକ ସୁପ୍ରିମକୋର୍ଟଙ୍କ ନିକଟରେ ଅନୁପାଳନ ରିପୋର୍ଟ ଦାଖଲ କରିବେ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେ ବିସିଆଇ ପୁନର୍ଗଠିତ ହେବା ପର୍ଯ୍ୟନ୍ତ ସମସ୍ତ ପ୍ରମୁଖ ନୀତିଗତ ନିଷ୍ପତ୍ତିରେ ଦେଶର ଶୀର୍ଷ ଆଇନ ଅଧିକାରୀମାନଙ୍କୁ ସାମିଲ କରାଯିବ।
ଉଲ୍ଲେଖଯୋଗ୍ୟ ରାଜ୍ୟ ବାର୍ କାଉନସିଲ୍ଗୁଡ଼ିକର ନିର୍ବାଚନ ସମ୍ପର୍କିତ ଏକ ଶୁଣାଣି ସମୟରେ ଏହି ପ୍ରସଙ୍ଗ ଉଠିଥିଲା। ଏଥିସହ ମନନ କୁମାର ମିଶ୍ର ବିସିଆଇ ଅଧ୍ୟକ୍ଷ ଭାବେ ରହିବା ଏବଂ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ କାର୍ଯ୍ୟକାଳକୁ ୫ ବର୍ଷ କରାଯାଇଥିବା ଦାବି କରୁଥିବା ବିଜ୍ଞପ୍ତିକୁ ମଧ୍ୟ ଚ୍ୟାଲେଞ୍ଜ କରାଯାଇଥିଲା। ଖଣ୍ଡପୀଠ କହିଛନ୍ତି, ‘ ବିସିଆଇର ପୁନର୍ଗଠନ ନହେବା ପର୍ଯ୍ୟନ୍ତ ବର୍ତ୍ତମାନର ବିସିଆଇ ପଦାଧିକାରୀମାନେ ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରିପାରିବେ। କିନ୍ତୁ ଏଜି ଏବଂ ଏସ୍ଜିଙ୍କ ସହଭାଗିତା ବିନା କୌଣସି ନୀତିଗତ ନିଷ୍ପତ୍ତି ନିଆଯାଇପାରିବ ନାହିଁ।
ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମାଧବୀ ଦିୱାନ୍ ଅଦାଲତଙ୍କୁ କହିଥିଲେ ଯେ ମନନ କୁମାର ମିଶ୍ର ୨ ମାର୍ଚ୍ଚ ୨୦୨୫ରେ ସର୍ବସମ୍ମତିକ୍ରମେ ବିସିଆଇ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ୧୭ ଏପ୍ରିଲ୍ ୨୦୨୫ରୁ ୧୬ ଏପ୍ରିଲ୍ ୨୦୩୦ ପର୍ଯ୍ୟନ୍ତ ବୋଲି ଉଲ୍ଲେଖ କରାଯାଇଥିଲା। ସେ ୯ ଜାନୁଆରି ୨୦୨୫ର ଏକ ପ୍ରସ୍ତାବର ଉଲ୍ଲେଖ କରିଥିଲେ, ଯେଉଁଥିରେ ବିସିଆଇର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ପ୍ରୟାସ କରାଯାଇଥିଲା। କିନ୍ତୁ ବିସିଆଇ ନିୟମର ରୁଲ୍ ୧୨(୨)ରେ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବାକୁ ବ୍ୟବସ୍ଥା ରହିଛି।

2 weeks ago
8


