Murasu: ଦୁର୍ବଳ ହେଲା ‘ମୁରାସୁ’

1 hour ago 1
ARTICLE AD BOX

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହୋଇଥିବା ଭୀଷଣ ବାତ୍ୟା ‘ମୁରାସୁ’ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ସୋମବାର ବିଳମ୍ବିତ ରାତିରେ ସ୍ଥଳଭାଗକୁ ପ୍ରବେଶ କରିଥିବା ‘ମୁରାସୁ’ ସମ୍ପୂର୍ଣ୍ଣ ସ୍ଥଳ ଭାଗରେ ପ୍ରବେଶ କରିବାକୁ ପ୍ରାୟ ୬ ଘଣ୍ଟା ସମୟ ନେଇଥିଲା। ମଙ୍ଗଳବାର ଭୋର ବେଳକୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଅପରାହ୍ଣ ସୁଦ୍ଧା ବାତ୍ୟା ଏବଂ ମଧ୍ୟରାତି ସୁଦ୍ଧା ଆହୁରି ଦୁର୍ବଳ ହୋଇ ଏକ ଗଭୀର ଅବପାତରେ ପରିଣତ ହୋଇଛି। ତେଲେଙ୍ଗାନାମୁହାଁ ହୋଇଥିବା ଗଭୀର ଅବପାତ ନିକଟରେ ଏବେ ଘଣ୍ଟାପ୍ରତି ପବନର ବେଗ ୫୫ରୁ ୬୫ କିମି ଓ ଝଟକା ପବନର ବେଗ ୭୫ କିମି ରହିଛି।

‘ମୁରାସୁ’ ପ୍ରଭାବରେ ଓଡ଼ିଶାର କୌଣସି ଜିଲ୍ଲା ପ୍ରଭାବିତ ହୋଇନାହିଁ। ବରଂ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୨ ମିମି ବର୍ଷା ହୋଇଛି। ପୁରୀରେ ସର୍ବାଧିକ ୧୨ ମିମି ବର୍ଷା ହୋଇଥିବା ବେଳେ ମାଲକାନଗିରି, କୋରାପୁଟ, ଗଞ୍ଜାମ ଜିଲ୍ଲାରେ ୧୦ ମିମି କିମ୍ବା ତା’ଠାରୁ କମ୍ ବର୍ଷା ହୋଇଛି। ବୁଧବାର ସକାଳ ସୁଦ୍ଧା କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୬୦ କିମି ବେଗରେ ପବନ ହେବାର ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପରବର୍ତ୍ତୀ ୨୪ ଘଣ୍ଟାରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି। ଏହାପରଠାରୁ ପାଗରେ ପରିବର୍ତ୍ତନ ଆସିବା ସହ ଓଡ଼ିଶାରେ ଶୀତ ଆରମ୍ଭ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.