ARTICLE AD BOX
ତିରୁଅନନ୍ତପୁରମ୍: କେରଳରେ ମୁସଲିମ୍ ଧର୍ମଗୁରୁ କାନ୍ଥାପୁରମ୍ ଏପି ଅବୁବକର ମୁସଲିୟାରଙ୍କ ଏକ ମହିଳାବିରୋଧୀ ମନ୍ତବ୍ୟକୁ କେନ୍ଦ୍ର କରି ଚାଲିଥିବା ବିବାଦ ଗୁରୁବାର ଆହୁରି ବଢ଼ିଛି। କେରଳ ମୁଖ୍ୟମନ୍ତ୍ରୀ ଭିଡି ସତୀଶନ୍ ଏହି ମନ୍ତବ୍ୟକୁ ସମାଲୋଚନା କରିବା ପରେ କାନ୍ଥାପୁରମ୍ଙ୍କ ନେତୃତ୍ବାଧୀନ ମୁସଲିମ୍ ଗୋଷ୍ଠୀର ପଣ୍ଡିତମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ପ୍ରତିକ୍ରିୟା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏହି ବିବାଦର ଆରମ୍ଭ ରବିବାର କୋଚିରେ ଅନୁଷ୍ଠିତ ଏକ ଇସଲାମୀ ସମ୍ମିଳନୀରୁ ହୋଇଥିଲା। ସେଠାରେ କାନ୍ଥାପୁରମ୍ କହିଥିଲେ ଯେ ମହିଳାମାନଙ୍କୁ ସାର୍ବଜନୀନ ମଞ୍ଚକୁ ଆଣିବା ଫଳରେ ‘ବଡ଼ ଧ୍ବଂସ’ ଘଟିପାରେ। ଇସଲାମରେ ଏଥିପାଇଁ ପରଦା ବ୍ୟବସ୍ଥା ରହିଛି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ସତୀଶନ୍ ଏହି ମନ୍ତବ୍ୟକୁ ସମାଲୋଚନା କରି ଏହା ମହିଳାଙ୍କ ଇତିହାସ ଓ ଆଧୁନିକ ସମାଜର ମୂଲ୍ୟବୋଧର ବିରୋଧୀ ବୋଲି କହିଥିଲେ। ଇସଲାମୀ ଇତିହାସର ଉଦାହରଣ ଦେଇ ସେ ପ୍ରଫେଟ୍ ମହମ୍ମଦଙ୍କ ପ୍ରଥମା ପତ୍ନୀ ଖଦିଜାଙ୍କୁ ଜଣେ ପ୍ରମୁଖ ବ୍ୟବସାୟୀ ଏବଂ ଅନ୍ୟ ପତ୍ନୀ ଆଇଶାଙ୍କୁ ଯୁଦ୍ଧରେ ଭାଗ ନେଇଥିବା ବ୍ୟକ୍ତି ଭାବେ ଉଲ୍ଲେଖ କରିଥିଲେ। ୨୧ଶ ଶତାବ୍ଦୀରେ ମହିଳାଙ୍କୁ ଘର ଭିତରେ ସୀମିତ ରଖିବା ଭଳି ଦୃଷ୍ଟିକୋଣ ଗ୍ରହଣୀୟ ନୁହେଁ ବୋଲି ସେ କହିଥିଲେ।
ଏହାପରେ ବୁଧବାର ରାତିରେ କାନ୍ଥାପୁରମ୍ଙ୍କ ଗୋଷ୍ଠୀର ଏକ ପ୍ରତିନିଧି ଦଳ ସତୀଶନ୍ଙ୍କୁ ଭେଟିଥିଲା। ଧର୍ମୀୟ ଇତିହାସ, ବିଶେଷକରି ଖାଦିଜା ଓ ଆଇଶାଙ୍କ ଉଦାହରଣକୁ ମୁଖ୍ୟମନ୍ତ୍ରୀ ଭୁଲ୍ ଭାବେ ବ୍ୟାଖ୍ୟା କରିଥିବା ନେଇ ସେମାନେ ଆପତ୍ତି ଜଣାଇଥିଲେ। ତେବେ ଆଲୋଚନା ସମୟରେ ସତୀଶନ୍ ନିଜ ପୂର୍ବ ମନ୍ତବ୍ୟରେ ଅଟଳ ରହିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କିଛି କୁହାଯାଇନାହିଁ।
Kerala: ଜୟପୁରରେ ୫୨ ପ୍ରତିଯୋଗୀଙ୍କୁ ପଛରେ ପକାଇ କେରଳର ୧୯ ବର୍ଷୀୟା କୈଜିଆଙ୍କ ମୁକୁଟ ବିଜୟ
ସମସ୍ଥା କେରଳ ଜମିୟାତୁଲ ଉଲେମାର ସଭାପତି ଜିଫ୍ରି ମୁଥୁକୋୟା ଥଙ୍ଗଲ୍ କହିଛନ୍ତି ଯେ, ଧର୍ମୀୟ ବିଷୟରେ କହୁଥିବା ଧର୍ମପଣ୍ଡିତଙ୍କୁ ହେୟଜ୍ଞାନ କରିବା ଉଚିତ ନୁହେଁ। ସମସ୍ଥାର ଅନ୍ୟ ନେତା ନାସର ଫୈଜି କୁଦାଥାଇ କାନ୍ଥାପୁରମ୍ଙ୍କ ମନ୍ତବ୍ୟକୁ ସମର୍ଥନ କରି କହିଛନ୍ତି ଯେ ତାଙ୍କ କଥାର ଭୁଲ୍ ଅର୍ଥ କରାଯାଇଛି। ମହିଳାଙ୍କୁ ଘରେ ବନ୍ଦ ରଖିବାକୁ ନୁହେଁ, ବରଂ ସେମାନଙ୍କ ସୁରକ୍ଷା ଓ ଧର୍ମୀୟ ନିୟମ ପାଳନ ଉପରେ କାନ୍ଥାପୁରମ୍ ଜୋର ଦେଇଥିଲେ ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗରେ ସୁନ୍ନି ଷ୍ଟୁଡେଣ୍ଟସ୍ ଫେଡେରେସନ୍ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛି। ସିପିଆଇ(ଏମ୍) ସାଧାରଣ ସମ୍ପାଦକ ଏମ୍ଏ ବେବି କାନ୍ଥାପୁରମ୍ଙ୍କ ମନ୍ତବ୍ୟକୁ ଲିଙ୍ଗ ସମାନତା ପ୍ରତି ଅନିଚ୍ଛାର ପ୍ରତିଫଳନ ବୋଲି କହିଛନ୍ତି। ବିଜେପି କେରଳ ସଭାପତି ରାଜୀବ ଚନ୍ଦ୍ରଶେଖର ମଧ୍ୟ ଏହି ପ୍ରସଙ୍ଗରେ କଂଗ୍ରେସ ନେତୃତ୍ବାଧୀନ ସରକାର ଓ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍କୁ ସମାଲୋଚନା କରିଛନ୍ତି।

2 weeks ago
8


