ARTICLE AD BOX
ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି (ସୁରେଶ ନାଇଡୁ): ଇନ୍ଦ୍ରାବତୀ ଜଳଭଣ୍ଡାରରେ ବଢୁଛି ଜଳସ୍ତର। ବିପଦ ସଂକେତ ନିକଟତର ହେବା ପରେ ଗେଟ୍ ଖୋଲିବାକୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଛି ଡ୍ୟାମ୍ କର୍ତ୍ତୃପକ୍ଷ। ଇନ୍ଦ୍ରାବତୀ ଜଳଭଣ୍ଡାରରେ ଗେଟ୍ ଖୋଲିବା ନେଇ ଗୁରୁବାର ଦିନ ମକ୍ ଡ୍ରିଲ୍ କରାଯାଇଛି।
ଇନ୍ଦ୍ରାବତୀ-କୋଲାବ ବେସିନ୍ର ମୁଖ୍ୟ ଯନ୍ତ୍ରୀ ବେଦାମ୍ବର ବେହେରା ଖାତିଗୁଡା ଗସ୍ତ କରି ଜଳଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆସନ୍ତା ଦୁଇ ଦିନ ମଧ୍ୟରେ ଜଳସ୍ତର ୬୪୦.୫ ମିଟର ଛୁଇଁଲେ ଗେଟ୍ ଖୋଲାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ଇଂ. ସୁଶାନ୍ତ ପଟ୍ଟନାୟକ କହିଛନ୍ତି। ଇନ୍ଦ୍ରାବତୀର ଦୁଇଟି ଓ ମୁରାନର ଗୋଟିଏ ଗେଟ୍ ଖୋଲାଯିବ ବୋଲି ଇଂ ପଟ୍ଟନାୟକ କହିଛନ୍ତି।
ଜଳଭଣ୍ଡାରର ୭ଟି ଗେଟ୍ ମଧ୍ୟରୁ କେବଳ ଗୋଟିଏ ୪ ନମ୍ବର ଗେଟ୍କୁ ପ୍ରାୟ ୪୦ ମିନିଟ୍ ପାଇଁ ଟ୍ରାଏଲ୍ ରନ୍ରେ ଖୋଲାଯାଇଥିଲା। ୭ଟି ଗେଟକୁ ଟ୍ରାଲରନ୍ କରିବା ପରେ ୪ନଂଗେଟକୁ ୨ମିଟର ଉଚ୍ଚତାରେ ଖୋଲାଯାଇଥିଲା। ବର୍ତ୍ତମାନ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୪୦ ମିଟରରେ ପହଞ୍ଚିଛି। ବିପଦସଂକୁଳ ୬୪୨ରହିଥିବା ବେଳେ ଜଳସ୍ତର ୬୪୦.୫ ମିଟର ଛୁଇଁଲେ ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡ ରେ ୨୭୮.୮୦ କ୍ୟୁମେକ୍ସ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡ ରେ ୧୯୩.୯୪ କ୍ୟୁମେକ୍ସ ଜଳ ନିଷ୍କାସିତ ହେଉଛି।
ଅନ୍ୟପଟେ ମୁଖୀଗୁଡାସ୍ଥିତ ୬୦୦ ମେଗାୱାଟ୍ ଘଣ୍ଟା କ୍ଷମତାର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ବର୍ତ୍ତମାନ ୫୫୬ ମେଗାୱାଟ୍ ଘଣ୍ଟା ବିଦ୍ୟୁତ୍ ଉତ୍ପାଦନ ହେଉଛି। ଏଥିପୂର୍ବରୁ ଅଗଷ୍ଟ ୩୧ରେ ନଦୀ ତଳମୁଣ୍ଡ ଅଞ୍ଚଳବାସୀଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ନଦୀଗର୍ଭକୁ ନଯିବା ଏବଂ ଗୃହପାଳିତ ପଶୁଙ୍କୁ ନଛାଡିବା ପାଇଁ ସତର୍କ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଏ ନେଇ ଅବଗତ କରାଯାଇଛି। ତାଙ୍କ ଜରିଆରେ କୋରାପୁଟ, ମାଲାକାନଗିରୀ, ଜଗଦଲପୁର, ଦନ୍ତେୱାଡା ଆଦି ଜିଲ୍ଲାର ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଛି। ତେବେ ଉପରମୁଣ୍ଡରେ ଯଦି ବର୍ଷା ହେବା ସହ ଜଳଭଣ୍ଡାରର ଜଳଧାରଣା କ୍ଷମତା ବଢ଼ିଲେ ଗେଟ୍ ଖୋଲାଯିବ। ତେବେ ନବୀର ପାଣି ଆସିଲେ ସେଭଳି କିଛି ହେବ ନାର୍ହି, ପୂର୍ବ ପ୍ରସ୍ତୁତି ନିଆଯାଇଛି। ସେଭଳି କିଛି ଉପୁଜିଲେ କୋଷାଗୁମୁଡା ବ୍ଲକର ଘାଟବାସୁଲିର ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସହକାରୀ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ନେଲସନ୍ ତାଡିଙ୍ଗି, ନିର୍ବାହୀ ଯନ୍ତ୍ରୀ ଇଂ ନିରୋଜ କୁମାର ଲୋହାର, ମୁରାନ୍ ଡ୍ୟାମର ନିର୍ବାହୀ ଯନ୍ତ୍ରୀ, ଇଂ.ତିଳୋତ୍ତମା ମାଝୀ, ପୋଡାଗଡ ଡ୍ୟାମର ଏସଡିଓ କମଲ ବେହେରା ଓଅନ୍ୟ ସବୁ ଏସଡିଓମାନେ ଉପସ୍ଥିତ ରହିଥିଲେ।

2 weeks ago
7


