ARTICLE AD BOX
ଭୁବନେଶ୍ୱର: ରାଜ୍ୟରେ ଶିଳ୍ପ ନିବେଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଇଡ୍କୋ ପକ୍ଷରୁ ୩୭ଟି ପ୍ରକଳ୍ପକୁ ଜମି ଦେବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଇଡ୍କୋର ଜମି ବଣ୍ଟନ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଇଡ୍କୋ ଅଧ୍ୟକ୍ଷ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା।
ଅନୁମୋଦିତ ୩୭ଟି ପ୍ରସ୍ତାବ ମଧ୍ୟରେ ୨୪ଟି ବୃହତ ଶିଳ୍ପ ପ୍ରକଳ୍ପ ଓ ୧୩ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ପ୍ରକଳ୍ପ ରହିଛି। ଜମି ବଣ୍ଟନ ପ୍ରକ୍ରିୟା ଆଗକୁ ବଢ଼ିବା ଦ୍ୱାରା ପ୍ରକଳ୍ପଗୁଡ଼ିକର କ୍ଷେତ୍ରସ୍ତରୀୟ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବା ସମ୍ଭାବନା ରହିଛି। ଏହା ଦ୍ୱାରା ନୂଆ ପୁଞ୍ଜିନିବେଶ ସହ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ ବଢ଼ିବା ଆଶା କରାଯାଉଛି।
ପ୍ରକଳ୍ପଗୁଡ଼ିକର କେବଳ ଜମି ଅନୁମୋଦନରେ ସୀମିତ ନରହି ସେଗୁଡ଼ିକର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ଉପରେ ଇଡ୍କୋ ଗୁରୁତ୍ୱ ଦେଉଛି। ଖୋର୍ଦ୍ଧା, କଟକ ଓ କଳିଙ୍ଗନଗର ସମେତ ବିଭିନ୍ନ ଶିଳ୍ପାଞ୍ଚଳରେ ନିୟମିତ କ୍ଷେତ୍ର ପରିଦର୍ଶନ କରାଯାଇ ପ୍ରକଳ୍ପର ଅଗ୍ରଗତି ଓ ଭିତ୍ତିଭୂମିର ସ୍ଥିତି ସମୀକ୍ଷା କରାଯାଉଛି।
ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ଇଡ୍କୋ ସିଜିଏମଙ୍କ ଘରେ ପଶିଲା ଭିଜିଲାନ୍ସ
ଜମି ଉନ୍ନୟନ, ସମତଳୀକରଣ, ବିଦ୍ୟୁତ ଓ ଜଳ ଯୋଗାଣ, ସଡ଼କ, ଯୋଗାଯୋଗ ଏବଂ ମାଲ ପରିବହନ ବ୍ୟବସ୍ଥା ଭଳି ଆବଶ୍ୟକ ଭିତ୍ତିଭୂମି ଉପରେ ମଧ୍ୟ ନଜର ରଖାଯାଉଛି। ଶିଳ୍ପାଞ୍ଚଳରେ କର୍ମଚାରୀ, ବିଶେଷକରି ମହିଳା କର୍ମଚାରୀଙ୍କ ପାଇଁ ଆବଶ୍ୟକ ଓ ସୁରକ୍ଷିତ ସୁବିଧା ସୁନିଶ୍ଚିତ କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

2 weeks ago
9


