ARTICLE AD BOX
ପାରଳାଖେମୁଣ୍ଡି: ପାରିବାରିକ କଳହର ଦୁଃଖଦ ଅନ୍ତ ଘଟିଥିଲା। ସଦ୍ୟ ଅସ୍ତ୍ରୋପଚାର କରି ଚିକିତ୍ସାଳୟରୁ ଘରକୁ ଫେରିଥିବା ପତ୍ନୀଙ୍କୁ ପତି ବାରମ୍ବାର ଲାତମାରି ହତ୍ୟା କରିଥିଲେ। ଏହି ମାମଲାର ବିଚାର କରି ଆଜି ଗଜପତିଜିଲ୍ଲା ଅତିରିକ୍ତ ଜିଲ୍ଲା ଓ ସେସନ୍ସ କୋର୍ଟ ଅଭିଯୁକ୍ତ ପତିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି।
ମାମଲାର ଶୁଣାଣି ପ୍ରାୟ ତିନି ବର୍ଷ ଧରି ଚାଲିଥିଲା। ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ ହର ପ୍ରସାଦ ପଟ୍ଟନାୟକ ଆଜି ମାମଲାର ରାୟ ପ୍ରକାଶ କରିଛନ୍ତି। ନିଜ ରାୟରେ ଅଭିଯୁକ୍ତ, ଗାରାବନ୍ଧ ଥାନା ଅନ୍ତର୍ଗତ ଅମରସିଂ ଗ୍ରାମର ଗୁରୁନାଥ ଶବର (୪୩)ଙ୍କୁ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୩୦୪ (ଭାଗ-୨)ରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷର ସଶ୍ରମ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦାୟରେ ଆହୁରି ଦୁଇ ମାସର ସଶ୍ରମ କାରାଦଣ୍ଡ ଭୋଗ କରିବାକୁ ପଡ଼ିବ ବୋଲି ସ୍ପଷ୍ଟ କରିଛନ୍ତି।
୧୫୦ଟି କଲ୍ର ଉତ୍ତର ନ ଦେବାରୁ ପତ୍ନୀହତ୍ୟା
ମାମଲାର ବିବରଣୀ ଅନୁସାରେ, ୨୦୨୩ ନଭେମ୍ବର ୨୮ ତାରିଖରେ ଘଟିଥିବା ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସେଦିନ ଅପରାହ୍ନରେ ତୁସିନ୍ଦା ଶବରଙ୍କ ଝିଅ ପ୍ରିୟଙ୍କା ଶବର ବାପଘରକୁ ଆସି ମାଆଙ୍କୁ ନପାଇ ଅପେକ୍ଷା କରିଥିଲେ। ସନ୍ଧ୍ୟା ପ୍ରାୟ ୬.୩୦ଟା ବେଳେ “ମତେ ବଞ୍ଚାଅ, ବଞ୍ଚାଅ” ବୋଲି ଚିତ୍କାର ଶୁଣି ସେ ଏବଂ ତାଙ୍କ ମାଉସୀ ଗୁରୁବାରୀ ଜାନୀ ଘରର କବାଟ ଖୋଲି ତୁସିନ୍ଦାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ମୃତ୍ୟୁ ପୂର୍ବରୁ ତୁସିନ୍ଦା କହିଥିଲେ ଯେ, ତାଙ୍କ ସ୍ୱାମୀ ଗୁରୁନାଥ ଶବର ଅସ୍ତ୍ରୋପଚାର ହୋଇଥିବା ପେଟକୁ ବାରମ୍ବାର ଲାତ ଓ ଗୋଇଠା ମାରିଥିଲେ।
କଟକ: ପତ୍ନୀହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ଗୁଣୁପୁରୁର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
୨୯ ତାରିଖ ପୂର୍ବାହ୍ଣରେ ତାଙ୍କୁ ଅଟୋରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଉଥିବା ବେଳେ ରାସ୍ତାରେ ତାଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଝିଅ ପ୍ରିୟଙ୍କା ଶବର ଗାରାବନ୍ଧ ଥାନାରେ ବାପାଙ୍କ ବିରୋଧରେ ଏତଲା ଦେଇଥିଲେ। ଏହି ଏତଲା ଆଧାରରେ ଥାନା ମାମଲା ନଂ–୮୯/୨୦୨୩ ରୁଜୁ ହୋଇଥିଲା। ସବ୍-ଇନ୍ସପେକ୍ଟର ଚନ୍ଦ୍ରକାନ୍ତ ପ୍ରଧାନ ଓ ଲୋକନାଥ ବେହେରା ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିଥିଲେ। ଶୁଣାଣି ସମୟରେ ୨୨ ଜଣ ସାକ୍ଷୀଙ୍କ ବୟାନ ଏବଂ ୨୬ଗୋଟି ଦସ୍ତାବିଜ ଅଦାଲତରେ ଉପସ୍ଥାପନ କରାଯାଇଥିଲା। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ବିଚାରକୁ ନେଇ ଅଦାଲତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସରୋଜ କୁମାର ରଥ ସଫଳତାର ସହ ମାମଲା ପରିଚାଳନା କରିଥିବା ବେଳେ ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ।

4 days ago
1


