Digital India: ଡିଜିଟାଲ୍ ଇଣ୍ଡିଆରୁ ବହୁଦୂରରେ ମୟୂରଭଞ୍ଜ: ୭୨୧ ଗାଁରେ ନାହିଁ ମୋବାଇଲ୍ ନେଟ୍‌ୱର୍କ

1 hour ago 2
ARTICLE AD BOX

ବଟକୃଷ୍ଣ ବିହାରୀ 

ବାରିପଦା: ହାତରେ ସ୍ମାର୍ଟଫୋନ୍ ଅଛି କିନ୍ତୁ କାମରେ ଲାଗୁନି। ନେଟ୍‌ୱର୍କ ନଥିବାରୁ ଆବଶ୍ୟକ ପଡ଼ିଲେ ଲୋକଙ୍କୁ ମୋବାଇଲ୍‌ ଧରି ଗଛ ଓ ପାହାଡ଼ ଚଢ଼ିବାକୁ ପଡୁଛି। ଅନ୍‌ଲାଇନ୍‌ରେ କୌଣସି ଗୁରୁତ୍ବପୂର୍ଣ୍ଣ କାମ କରିବା ସମ୍ଭବ ହେଉନାହିଁ। ଦେଶ ଡିଜିଟାଲ୍‌ମୁହାଁ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ଅନେକ ଗାଁରେ ଏଭଳି ବିଡ଼ମ୍ବନା ଦେଖିବାକୁ ମିଳିଛି। ଜିଲ୍ଲାର ୭୨୧ଟି ଗାଁରେ ମୋବାଇଲ୍ ନେଟ୍‌ୱର୍କ ନାହିଁ। ପ୍ରାୟ ୪୦୧ଟି ଗାଁରେ ଦୁର୍ବଳ ନେଟ୍‌ୱର୍କ ଯୋଗୁ ଇଣ୍ଟର୍‌ନେଟ୍ ସେବା ଠିକ୍‌ଭାବେ ମିଳୁନାହିଁ। ୨୫୧ଟି ଗାଁରେ ଆଦୌ ନେଟ୍‌ୱର୍କ ନାହିଁ। ନେଟ୍‌ୱର୍କ ରହୁନଥିବାରୁ ଶିକ୍ଷା, ସ୍ବାସ୍ଥ୍ୟ, ବ୍ୟାଙ୍କ ସେବା ଓ ସରକାରୀ ଯୋଜନାର ସୁବିଧା ପାଇବା ପାଇଁ ଲୋକଙ୍କୁ ନାନା ସମସ୍ୟାର ସାମନା କରିବାକୁ ପଡୁଛି।  ଜିଲ୍ଲାର ଗ୍ରାମାଞ୍ଚଳରେ ଡିଜିଟାଲ୍ ଇଣ୍ଡିଆର ସ୍ବପ୍ନ ଏବେ ବି ଅଧୁରା କହିଲେ ଭୁଲ୍‌ ହେବନାହିଁ।

Demand: ସୀମନ୍ତ ଭଇଁସାବେଡା ଗାଁର ମୌଳିକ ସମସ୍ୟାକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ମୟୂରଭଞ୍ଜ ଜିଲ୍ଲାରେ ୪୦୪ଟି ପଞ୍ଚାୟତରେ ୪,୦୦୬ଟି ଗାଁ ରହିଛି। ବର୍ତ୍ତମାନ ପାଠପଢ଼ାଠାରୁ ଆରମ୍ଭକରି ଚିକିତ୍ସା, ଅର୍ଥ କାରବାର ଓ ସରକାରୀ ସେବା ପାଇବା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ନିହାତି ଆବଶ୍ୟକ। ହେଲେ ନେଟ୍‌ୱର୍କ ଅଭାବରୁ ଏହି ସବୁ ସେବା ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ସହଜ ହୋଇପାରୁନାହିଁ। ବିଶେଷକରି ସରକାରୀ ଯୋଜନାରେ ଆବେଦନ, ହିତାଧିକାରୀଙ୍କ ଯାଞ୍ଚ ଓ ଅନ୍ୟାନ୍ୟ ଅନ୍‌ଲାଇନ୍ କାର୍ଯ୍ୟ ସମୟରେ ମୋବାଇଲ୍‌କୁ ଆସିବାକୁ ଥିବା ଓଟିପି ଠିକ୍ ସମୟରେ ମିଳୁନାହିଁ। ଫଳରେ ଅନେକ ଜରୁରି କାମ ଅଧାରେ ଅଟକି ରହୁଛି। ନେଟ୍‌ୱର୍କ ପାଇବା ପାଇଁ ଲୋକଙ୍କୁ ଘରଠାରୁ ଦୂରକୁ ଯିବାକୁ ପଡୁଥିବାରୁ ଅର୍ଥ ଓ ସମୟ ନଷ୍ଟ ହେଉଛି। ଆଉ ଲୋକଙ୍କୁ ଗଛ, ପାହାଡ଼ ଚଢ଼ିବାକୁ ପଡୁଛି ବୋଲି କହିଛନ୍ତି ମାସା ଆର୍ମି ସଂଗଠନ ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି।

ଆବଶ୍ୟକ ସମୟରେ ଗଛ, ପାହାଡ଼ ଚଢ଼ୁଛନ୍ତି

Volunteers: ଗଞାମ ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ଏକାଠି ହେଲେ ଗୁଣପୁରିଆ

ଜିଲ୍ଲାର ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳରେ ଏହି ସମସ୍ୟା ଅଧିକ ଗମ୍ଭୀର। କେତେକ ସ୍ଥାନରେ ମୋବାଇଲ୍ ଟାୱାର ଥିଲେ ମଧ୍ୟ ଇଣ୍ଟର୍‌ନେଟ୍ ଠିକ୍‌ଭାବେ କାମ କରୁନାହିଁ। କପ୍ତିପଦା, ଠାକୁରମୁଣ୍ଡା, ବାଙ୍ଗିରିପୋଷି, ବିଶୋଇ, ଯଶିପୁର, ତିରିଂ ବ୍ଲକ୍‌ର ଅଧିକାଂଶ ଗାଁରେ ନେଟ୍‌ୱର୍କ ନାହିଁ। ଏହାବ୍ୟତୀତ ଅନ୍ୟ ବ୍ଲକ୍‌ର ଏକାଧିକ ଗାଁରେ ମଧ୍ୟ ସମାନ ସ୍ଥିତି। କେବଳ ଦୁର୍ବଳ ନେଟ୍‌ୱର୍କ ନୁହେଁ, ଅନେକ ଗାଁରେ ମୋବାଇଲ୍ ଟାୱାର ନଥିବା ମଧ୍ୟ ଏକ ବଡ଼ ସମସ୍ୟା। ଯାହା ଲୋକଙ୍କ ଦୈନନ୍ଦିନ କାର୍ଯ୍ୟକୁ ପ୍ରଭାବିତ କରୁଛି। ଅନ୍‌ଲାଇନ୍ ଶିକ୍ଷା, ପରୀକ୍ଷା ଫର୍ମପୂରଣ, ଶିକ୍ଷା ସମ୍ପର୍କିତ ତଥ୍ୟ ସଂଗ୍ରହରେ ସମସ୍ୟା ସହ ଆମ୍ବୁଲାନ୍‌ସ, ଦମକଳ ସହାୟତା ଯୋଗାଡ଼ କରିବା କଷ୍ଟକର ହେଉଛି। ଯୋଗାଯୋଗ ଅଭାବରୁ ଚାଷବାସ ଓ ବ୍ୟବସାୟ ମଧ୍ୟ ପ୍ରଭାବିତ ହେଉଛି। ଡିଜିଟାଲ୍ ଇଣ୍ଡିଆର ଲକ୍ଷ୍ୟପୂରଣ ପାଇଁ ପ୍ରତିଗାଁରେ ନିରବଚ୍ଛିନ୍ନ ମୋବାଇଲ୍ ନେଟ୍‌ୱର୍କ ଓ ଗୁଣାତ୍ମକ ଇଣ୍ଟର୍‌ନେଟ୍ ସେବା ସୁନିଶ୍ଚିତ କରିବା ଆବଶ୍ୟକ। ଏନେଇ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.