ARTICLE AD BOX
ଏଦୁନିଆର ବହୁ ବିଚିତ୍ର ସ୍ଥାନ ଭିତରୁ ଗୋଟିଏ ହେଉଛି ଆଫ୍ରିକାର ତାଞ୍ଜାନିଆରେ ଥିବା ଏକ ହ୍ରଦ। ତା’ର ନାଁ ନେଟ୍ରନ୍ ହ୍ରଦ। ଲାଲ୍ ପାଣି ଏବଂ ଆଉ ଏକ ବିଚିତ୍ର ପ୍ରକ୍ରିୟା ପାଇଁ ଏ ହ୍ରଦକୁ ‘ପଥର ଶ୍ମଶାନ’ ବୋଲି କୁହାଯାଏ। ଚମତ୍କାର ଦିଶୁଥିଲେ ବି ଏ ହ୍ରଦ ବଡ଼ ଭୟଙ୍କର। ଏଥିରେ ପଶିଲେ ଜୀବ ପଥର ହୋଇଯାଏ! ୨୦୧୩ ମସିହାରେ ବ୍ରିଟିସ୍ ଫଟୋଗ୍ରାଫର୍ ନିକ୍ ବ୍ରାଣ୍ଟ୍ ଏହି ହ୍ରଦ ପାଣିରେ ପଶି ପଥର ହୋଇଯାଇଥିବା କେତେକ ପକ୍ଷୀ ଓ ବାଦୁଡ଼ିଙ୍କ ଫଟୋ ଉଠାଇଥିଲେ। ସେ ସବୁ ଫଟୋ ଯୋଗୁଁ ନେଟ୍ରନ୍ ହ୍ରଦ ବିଶ୍ବପ୍ରସିଦ୍ଧ ହୋଇଗଲା।
ଏହି ହ୍ରଦ ପାଣିରେ ବହଳିଆ ସୋଡିୟମ୍ କାର୍ବୋନେଟ୍ ଓ ସୋଡିୟମ୍ ବାଇକାର୍ବୋନେଟ୍ ଥିବାରୁ ଏହା ରଙ୍ଗ ଲାଲ୍ ଦିଶୁଛି। ତା’ ଛଡ଼ା ଏ ହ୍ରଦର ପାଣି ଅତି ଲୁଣିଆ; ପିଏଚ୍ ସ୍ତର ପ୍ରାୟ ୧୦.୫। ଏଭଳି ପାଣିରେ ଜୀବ ବଞ୍ଚିବା ସମ୍ଭବ ନୁହେଁ। ସେଥିରେ ପଶିଲେ ଜୀବଜନ୍ତୁମାନେ ପଥର ହୋଇଯାନ୍ତି ବୋଲି ପ୍ରଚଳିତ ବିଶ୍ବାସ ରହିଥିଲେ ହେଁ ଅସଲରେ ତାହା ହୋଇ ନଥାଏ। ହ୍ରଦରେ ପଶି ମରିଯିବା ପରେ ପାଣିରେ ଥିବା କ୍ଷାର ଓ ଖଣିଜ ଲବଣ ସେ ମଲା ଜୀବଜନ୍ତୁଙ୍କ ଦେହରେ ଲାଗି ଜମିଯାଏ। ଫଳରେ ସେମାନେ ପଥର ମୂର୍ତ୍ତି ଭଳି ଦିଶନ୍ତି। ବୈଜ୍ଞାନିକମାନେ ଏହାକୁ କ୍ୟାଲ୍ସିଫିକେସନ୍ ବୋଲି କହନ୍ତି।
ଗରମ ପାଗରେ ଏ ହ୍ରଦର ପାଣି ତାତି ୬୦ ଡିଗ୍ରି ସେଲ୍ସିୟସ୍ ହୋଇଯାଏ। ଖାରିଆ ଓ ଗରମ ହୋଇଥିବାରୁ ଏହି ହ୍ରଦ ପାଣିରେ ପଶୁଥିବା ଜୀବଜନ୍ତୁ ମରିଯାଆନ୍ତି। ନେଟ୍ରନ୍ ହ୍ରଦ କିନ୍ତୁ ଗୋଲାପୀ ଏରାପକ୍ଷୀର କୌଣସି କ୍ଷତି କରିପାରେ ନାହିଁ। ଗୋଲାପୀ ଏରାପକ୍ଷୀମାନଙ୍କ ଅଣ୍ଡାଦାନ ଓ ଛୁଆ ଲାଳନପାଳନ ପାଇଁ ନେଟ୍ରନ୍ ହ୍ରଦ ବେଶ୍ ଅନୁକୂଳ। ଏହାର ଅଗଭୀର ଏବଂ ଲୁଣାପାଣିରେ ଅସଂଖ୍ୟ ଗୋଲାପୀ ଏରାପକ୍ଷୀ ନିରାପଦରେ ଅଣ୍ଡାଦିଅନ୍ତି। ଗୋଲାପୀ ଏରାମାନେ ଏ ହ୍ରଦର ପ୍ରତିକୂଳ ପରିବେଶରେ ନିଜକୁ ଖାପଖୁଆଇ ସହଜରେ ଚଳିପାରନ୍ତି।

1 hour ago
1


