‘Arnab’ and ‘Murasu’: ‘ଅର୍ଣ୍ଣବ’ ଓ ‘ମୁରାସୁ’ ଚାଲିଗଲା, ବଦଳିଗଲା ଠିକଣା!

1 hour ago 1
ARTICLE AD BOX

କନ୍ଧମାଳ ରାଇକିଆରୁ ଅନୁଜ ଦାସଙ୍କ ରିପୋର୍ଟ 
‘‘ବ୍ୟସ୍ତ ହୁଅନା, ସବୁ ଠିକ୍ ହୋଇଯିବ। ଆମେ ପୁଣି ଆମ ଘରକୁ ଫେରିଯିବା। ଅଗଣାରେ ବସି ଖେଳିବା।’’ କନ୍ଧମାଳ ଜିଲ୍ଲା ରାଇକିଆର ଗୁନ୍ଧାଣୀ ବାତ୍ୟା ଆଶ୍ରୟସ୍ଥଳୀରେ କୁନି ନାତିକୁ ଏମିତି କହି ବୁଝାଉଛନ୍ତି ଜେଜେମା’। ନାତି ମନରେ ଭରସା ଭରିବାକୁ ତାଙ୍କର ଏହି ପ୍ରୟାସ। ହେଲେ ଏହି ଆଶ୍ୱାସନା ପଛରେ ଲୁଚି ରହିଛି ଛାତିଫଟା ଯନ୍ତ୍ରଣା। କାରଣ ଜେଜେମା’ ଜାଣନ୍ତି, ଯେଉଁ ଘରକୁ ଫେରିବାର ସ୍ୱପ୍ନ ନାତିକୁ ଦେଖାଉଛନ୍ତି, ସେ ଘର ଆଉ ଅକ୍ଷତ ନାହିଁ। ଯେଉଁ ଅଗଣାରେ ଦିନେ ନାତିର ହସ ଖେଳୁଥିଲା, ତାହା ଆଜି ଭୂସ୍ଖଳନର ମାଟି ତଳେ।
ନିଜ ଲୁହକୁ ନିଜେ ପିଇ ନାତିକୁ ମିଛ ଆଶ୍ୱାସନା ଦେଉଛନ୍ତି ଜେଜେମା’। ହୁଏତ ନାତିର ଶୈଶବ ଉପରେ ବିପର୍ଯ୍ୟୟର କଳାବାଦଲ ଘୋଟି ନଯାଉ, ସେଥିପାଇଁ ତାଙ୍କର ଏହି ଉଦ୍ୟମ। ବାତ୍ୟା ଚାଲିଯାଇଛି, ହେଲେ ଏହାର ପ୍ରଭାବରେ ଉଜୁଡ଼ିଯାଇଥିବା ଜୀବନ ଏବେ ବି ସଜାଡ଼ି ହୋଇପାରିନାହିଁ।

ଅର୍ଣ୍ଣବର ପ୍ରକୋପ ଓ ମୁରାସୁର ଆଶଙ୍କା ଅନେକଙ୍କୁ ଭିଟାମାଟିରୁ ବିସ୍ଥାପିତ କରିଛି। କେଉଁଠି ଘର ଭିତରେ ଆଣ୍ଠୁଏ କାଦୁଅ ଜମିଛି ତ ଆଉ କେଉଁଠି ମାଟି ଘର ମାଟିରେ ମିଶିଯାଇଛି। ଭୂସ୍ଖଳନରେ ଅନେକ ଗାଁର ଚିତ୍ର ବଦଳିଯାଇଛି। ଯେଉଁ ଘର ଦିନେ ପରିବାରର ଆଶ୍ରା ଥିଲା, ଆଜି ତାହା ଧ୍ୱଂସସ୍ତୂପ। ଘର ଭାଙ୍ଗିଛି, ଗାଁ ଉଜୁଡ଼ିଛି। ହଜିଯାଇଛି ଲୋକଙ୍କ ଠିକଣା। ରାଇକିଆର ବିଭିନ୍ନ ସ୍ଥାନରେ ସରକାରୀ ବିଦ୍ୟାଳୟଗୁଡ଼ିକୁ ଅସ୍ଥାୟୀ ଆଶ୍ରୟସ୍ଥଳୀ କରିଛି ପ୍ରଶାସନ। ହେଲେ ଏହି ଆଶ୍ରୟସ୍ଥଳୀ କେତେଦିନ ରହିବ, ତାହା କାହାକୁ ଜଣାନାହିଁ। ଏଠାରୁ ବାହାରିବା ପରେ କେଉଁଠି ରହିବେ, ସେହି ଚିନ୍ତା ଘାରିଛି ବିପନ୍ନ ପରିବାରଙ୍କୁ। ଘରକୁ ଫେରିବାକୁ ଇଚ୍ଛା ଅଛି, ହେଲେ ଫେରିବା ପାଇଁ ଘର ନାହିଁ।

‘‘ବାବୁ, ଆମେ ଆଉ କୁଆଡ଼େ ଯିବୁ? ଘର ଭାଙ୍ଗିଯାଇଛି। ଗାଁ ଯାକ ଖାଲି ମାଟି ହିଁ ମାଟି। ଆମେ କେଉଁଠି ରହିବୁ? ଆମ ଠିକଣା ହଜିଯାଇଛି ବାବୁ। ଆମ ଦୁଃଖ ବୁଝିଦିଅ।’’ ଜଣେ ବିପନ୍ନଙ୍କ ଏହି କୋହଭରା ଗୁହାରିରେ ଝଲସି ଉଠୁଛି ହଜାର ହଜାର ଲୋକଙ୍କ ଅସହାୟତା। ଆଶ୍ରୟସ୍ଥଳୀରେ ମୁଣ୍ଡ ଗୁଞ୍ଜିବାକୁ ଜାଗା ମିଳିଛି ସତ, ହେଲେ ନିଜର ଏକ ସ୍ଥାୟୀ ଠିକଣାକୁ ଫେରିବାର ଭରସା ଏବେ ସେମାନଙ୍କ ପାଇଁ ସବୁଠୁ ବଡ଼ ପ୍ରଶ୍ନ।

ଭିଟାମାଟି ହରାଇ ଆଶ୍ରୟସ୍ଥଳୀରେ ହଜାର ହଜାର ଲୋକ
କାହା ପାଇଁ ବିଦ୍ୟାଳୟ ତ ଆଉ କାହା ପାଇଁ ମା’ଗୃହ ପାଲଟିଛି ନୂଆ ଠିକଣା

ବିପର୍ଯ୍ୟୟର ଏହି ଛବି ଭିତରେ ଆଉ ଏକ ସମ୍ବେଦନଶୀଳ ଦିଗ ହେଉଛି ଗର୍ଭବତୀ ମହିଳାଙ୍କ ସୁରକ୍ଷା। ବାତ୍ୟାର ପ୍ରବଳ ପବନ ଓ ଭୂସ୍ଖଳନର ଭୟ ମଧ୍ୟରେ ସେମାନଙ୍କ ଚିନ୍ତା ବଢ଼ିଯାଇଥିଲା। ଏଭଳି ସମୟରେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିତିକୁ ଗୁରୁତ୍ୱ ଦେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଆଶ୍ରୟ ବ୍ୟବସ୍ଥା କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀ ବଦଳରେ ସେମାନଙ୍କ ପାଇଁ ସୁରକ୍ଷିତ ଆଶ୍ରୟ ପାଲଟିଛି ମା’ ଗୃହ। କନ୍ଧମାଳ ଜିଲ୍ଲାର ୧୧ଟି ମା’ ଗୃହରେ ଶହେରୁ ଅଧିକ ଗର୍ଭବତୀ ଆଶ୍ରୟ ନେଇଛନ୍ତି। ସେମାନଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାଉନସେଲିଂ ସହ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା କରାଯାଇଛି। ବିପର୍ଯ୍ୟୟ ଯୋଗୁଁ ମାନସିକ ସ୍ତରରେ ଭାଙ୍ଗିପଡ଼ିଥିବା ମହିଳାଙ୍କୁ ଆଶ୍ୱସ୍ତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

କୁମ୍ଭାରଖାଡ଼ିର ଲିମିତା ପ୍ରଧାନ ଓ ଅନୀତା ପ୍ରଧାନ ଏବେ ରାଇକିଆ ମା’ ଗୃହରେ ରହୁଛନ୍ତି। ଗାଁର ପରିସ୍ଥିତି ଖରାପ ଥିବାରୁ ଏଠାରେ ରହି ନିଜର ଯତ୍ନ ନେଇପାରୁଥିବା କହିଛନ୍ତି ଉଭୟ। ଘରଠାରୁ ଦୂରରେ ରହିବାର ଯନ୍ତ୍ରଣା ଥିଲେ ମଧ୍ୟ ନିଜ ସହ ଗର୍ଭସ୍ଥ ଶିଶୁର ସୁରକ୍ଷା ନେଇ ଏଠାରେ ସେମାନେ ଆଶ୍ୱସ୍ତ। ବିପର୍ଯ୍ୟୟ ସମୟରେ ଏହି ମା’ ଗୃହ ହିଁ ସେମାନଙ୍କ ପାଇଁ ପାଲଟିଛି ନୂଆ ଠିକଣା। ଏପଟେ ଆଶ୍ରୟସ୍ଥଳୀ ପାଲଟିଥିବା ବିଦ୍ୟାଳୟଗୁଡ଼ିକରେ ପିଲାଙ୍କ ପାଠପଢ଼ା ବି ବାଧାପ୍ରାପ୍ତ ହୋଇଛି। ଯେଉଁ ବିଦ୍ୟାଳୟରେ ଦିନେ ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ଦେଖୁଥିଲେ ପିଲାମାନେ, ସେହି ବିଦ୍ୟାଳୟ ଆଜି ବିପନ୍ନ ପରିବାରଙ୍କ ଆଶ୍ରୟସ୍ଥଳୀ। ଭୂସ୍ଖଳନ ପ୍ରଭାବିତ ଗାଁର ପିଲାମାନେ ଘର ହରାଇବା ସହ ପାଠପଢ଼ାରୁ ମଧ୍ୟ ଦୂରେଇ ରହିଛନ୍ତି। ବହି ଖାତା ଧରିବା ବୟସରେ ସେମାନଙ୍କୁ ସାମ୍ନା କରିବାକୁ ପଡ଼ୁଛି ବାସହୀନ ହେବାର ବାସ୍ତବତା।

ରାଇକିଆର ୨୪ଟି ବାତ୍ୟା ଆଶ୍ରୟସ୍ଥଳୀରେ ମୋଟ ୨୯୯୫ ଜଣ ଆଶ୍ରୟ ନେଇଛନ୍ତି। ଏହି ସଂଖ୍ୟା ପଛରେ ରହିଛି ଅସଂଖ୍ୟ ପରିବାରର ଅନିଶ୍ଚିତ ଭବିଷ୍ୟତ, ହଜିଯାଇଥିବା ଘର ଓ ଅଧାରେ ଅଟକିଥିବା ସ୍ୱପ୍ନ। ବାତ୍ୟା ଓ ଭୂସ୍ଖଳନର ପ୍ରକୋପ ଥମିଯିବା ପରେ ଧୀରେ ଧୀରେ ସ୍ୱାଭାବିକ ହେବ ଜୀବନଯାତ୍ରା। ହେଲେ ଯେଉଁମାନଙ୍କ ଘର ମାଟିରେ ମିଶିଯାଇଛି, ସେମାନଙ୍କ ପାଇଁ ସ୍ୱାଭାବିକ ଜୀବନକୁ ଫେରିବା ଏତେ ସହଜ ନୁହେଁ। ଆଶ୍ରୟସ୍ଥଳୀରୁ ନିଜ ଘରକୁ ଫେରିବାର ଅପେକ୍ଷା ଯେତିକି, ସେତିକି ଚିନ୍ତା ଆଗାମୀ ଦିନର ଜୀବନ ଜୀଇଁବାକୁ ନେଇ। କାରଣ ବାତ୍ୟା କେବଳ ଘର ଭାଙ୍ଗିନି, ହଜାର ହଜାର ଲୋକଙ୍କ ଠିକଣା ବଦଳାଇଦେଇଛି। ଏବେ ସେମାନଙ୍କ ଅପେକ୍ଷା, କେବେ ଫେରିବ ନିଜ ଭିଟାମାଟି, କେବେ ପୁଣି ହସି ଉଠିବ ନିଜ ଅଗଣା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.