Education: ‘ସୁପର-୩୦’ ମଡେଲ୍‌ ପାଇଁ ଗଜପତି ଜିଲ୍ଲାକୁ ଜାତୀୟ ପୁରସ୍କାର

2 weeks ago 9
ARTICLE AD BOX

ପାରଳାଖେମୁଣ୍ଡି: ଶିକ୍ଷାରେ ପଛୁଆପଣର ଟ୍ୟାଗ୍‌କୁ ପଛରେ ପକାଇ ନୂଆ ପରିଚୟ ଗଢ଼ିଛି ଗଜପତିଜିଲ୍ଲା। ଶିକ୍ଷା ପ୍ରଶାସନରେ ନବାଚାର ଓ ଉତ୍ତମ ପ୍ରୟୋଗ ପାଇଁ ଜିଲ୍ଲାର ‘ପ୍ରୟାସ@ସୁପର-୩୦’ କାର୍ଯ୍ୟକ୍ରମକୁ ମିଳିଛି ଜାତୀୟ ସ୍ବୀକୃତି। ଏହି ଅଭିନବ ଶୈକ୍ଷିକ ପଦକ୍ଷେପ ପାଇଁ ଗଜପତି ଜିଲ୍ଲାକୁ ଜାତୀୟ ପୁରସ୍କାର ସହ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି।

ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଜୁକେସନାଲ୍‌ ପ୍ଲାନିଂ ଆଣ୍ଡ ଆଡମିନିଷ୍ଟ୍ରେସନ୍‌ (NIEPA)ରେ ଅନୁଷ୍ଠିତ ଦୁଇଦିନିଆ ଜାତୀୟ ସମ୍ମିଳନୀରେ ଗଜପତି ଜିଲ୍ଲା ଶିକ୍ଷାଧିକାରୀ ଡ. ମାୟାଧର ସାହୁ ବୁଧବାର ଏହି ପୁରସ୍କାର ଗ୍ରହଣ କରିଛନ୍ତି। ପ୍ରଫେସର ଜେ.ଏସ୍‌. ରାଜପୁତ, ପୂର୍ବତନ ନିର୍ଦ୍ଦେଶକ, NCERT ଏବଂ NIEPAର କୁଳପତିଙ୍କ ସମେତ ବିଶିଷ୍ଟ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। 

WhatsApp Image 2026-09-03 at 20.32.36 (1)

‘ପ୍ରୟାସ@ସୁପର-୩୦’ ମାଧ୍ୟମରେ ଜିଲ୍ଲାର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଦୁର୍ବଳ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ରିମେଡିଆଲ୍‌ ଶିକ୍ଷା ସହ ଅତିରିକ୍ତ ଶୈକ୍ଷିକ କାର୍ଯ୍ୟକ୍ରମ ଚାଲୁଛି। ଏହାର ସୁଫଳ ଭାବେ ଗଜପତି ଲଗାତାର ଦୁଇ ବର୍ଷ ଧରି ମାଟ୍ରିକ୍‌ ପରୀକ୍ଷା ଫଳରେ ରାଜ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛି। ପ୍ରଥମେ ଏହି ପଦକ୍ଷେପ ରାଜ୍ୟସ୍ତରରେ ମନୋନୀତ ହୋଇଥିଲା। ପରେ NIEPA ପ୍ୟାନେଲ୍‌ ଡିଇଓଙ୍କ ସାକ୍ଷାତକାର ନେବା ସହ କେନ୍ଦ୍ରୀୟ ଅନୁଷ୍ଠାନର ଏକ ଟିମ୍‌ ଗଜପତି ଆସି କ୍ଷେତ୍ରସ୍ତରରେ ଏହାର ସଫଳତା ଯାଞ୍ଚ କରିଥିଲେ। ଏହା ପରେ ଜାତୀୟ ପୁରସ୍କାର ପାଇଁ ଗଜପତିକୁ ଚୟନ କରାଯାଇଥିଲା।

ଗଜପତିର ଏହି ସଫଳତା ଶିକ୍ଷା ବ୍ୟବସ୍ଥାରେ ଏକ ନୂଆ ମଡେଲ୍‌ ସୃଷ୍ଟି କରିଥିବା ବେଳେ ଜିଲ୍ଲାର ଶିକ୍ଷକ, ଛାତ୍ରଛାତ୍ରୀ ଓ ଶିକ୍ଷା ବିଭାଗ ପାଇଁ ଏହା ଏକ ବଡ଼ ଗୌରବର ମୁହୂର୍ତ୍ତ ପାଲଟିଛି। ଏହି ସଫଳତା ପାଇଁ ଡିଇଓ ଡ. ମାୟାଧର ସାହୁଙ୍କୁ ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ନୂଆ ଦିଗ ଦେବାରେ ଏହି ଜାତୀୟ ସମ୍ମାନ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ବୋଲି ମତ ପ୍ରକାଶ ପାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.