Education: ଜର୍ଜରିତ ଅବସ୍ଥାରେ ନନ୍ଦିନୀଗୁଡ଼ା ବିଦ୍ୟାଳୟ ଓ ଛାତ୍ରାବାସ

2 weeks ago 7
ARTICLE AD BOX

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା):ଆଦିବାସୀ ଛାତ୍ରଛାତ୍ରୀଙ୍କ ଉନ୍ନତ ଶିକ୍ଷା ଓ ସୁରକ୍ଷିତ ରହଣି ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ମୁଦୁଲିଗୁଡ଼ା ନିକଟରେ ନିର୍ମିତ ନନ୍ଦିନୀଗୁଡ଼ା ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସର ଅବ୍ୟବସ୍ଥା ଏବେ ସରକାରୀ ଯୋଜନାର ବାସ୍ତବ ଚିତ୍ରକୁ ପଦାରେ ପକାଇଛି। ପ୍ରାୟ ୫ ବର୍ଷ ହେଲା ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ଏଯାଏଁ ବିଦ୍ୟାଳୟଟି କାର୍ଯ୍ୟକାରୀ ହୋଇପାରିନାହିଁ। ଫଳରେ କୋଟି କୋଟି ଟଙ୍କାର ସରକାରୀ ଅର୍ଥ ବ୍ୟୟ ହୋଇଥିଲେ ମଧ୍ୟ ଏହାର ଲାଭ ଛାତ୍ରଛାତ୍ରୀଙ୍କୁ ମିଳୁନାହିଁ।

ଅନ୍ୟପକ୍ଷରେ ପୁରୁଣା ଛାତ୍ରାବାସରେ ପ୍ରାୟ ୪୦ ଜଣ ଛାତ୍ରୀ ମାତ୍ର ୩ଟି ଛୋଟ କୋଠରୀରେ ରହୁଥିବା ଅଭିଯୋଗ ହୋଇଛି। ଗୋଟିଏ ଖଟରେ ୩ ଜଣ ଲେଖାଏଁ ରହିବାକୁ ବାଧ୍ୟ ହେଉଥିବା ବେଳେ ବର୍ଷା ହେଲେ ଛାତରୁ ପାଣି ଗଳୁଛି। ଶୌଚାଳୟରେ କବାଟ ନଥିବା ସହ ଝରକା ଓ କବାଟଗୁଡ଼ିକ ମଧ୍ୟ ଜର୍ଜରିତ ହୋଇପଡ଼ିଛି। 

China research: ଚୀନରେ ଜାଲିଆତି ବିରୋଧରେ ବିଶାଳ ସାମରିକ-ଶିକ୍ଷାଗତ କାର୍ଯ୍ୟାନୁଷ୍ଠାନ

ସେହିପରି ୧୦୦ ଶଯ୍ୟା ବିଶିଷ୍ଟ ନୂତନ ଛାତ୍ରାବାସରେ ମଧ୍ୟ ଛାତରୁ ପାଣି ଗଳୁଥିବା ବେଳେ କଠୋରୀଗୁଡିର ଅବସ୍ଥା ଶୋଚନୀୟ ହୋଇପଡିଛି। ଏହାକୁ ନେଇ ଆହୁରି ଗୁରୁତର ପ୍ରଶ୍ନ ଉଠିଛି ୪୦ ଲକ୍ଷ ଟଙ୍କାର ପାଚେରି ନିର୍ମାଣକୁ ନେଇ। ଗୋଟିଏ ପ୍ରକଳ୍ପରେ ଅଲଗା ଅଲଗା କେସ୍ ରେକର୍ଡ କରି ପ୍ରତି କେସ୍‌ରେ ୧୦ ଲକ୍ଷ ଟଙ୍କା ଲେଖାଏଁ ବିଲ୍ କରାଯାଇଥିବା ଅଭିଯୋଗ ହୋଇଛି। ଏପରି କାର୍ଯ୍ୟରେ ଟେଣ୍ଡର ପ୍ରକ୍ରିୟା ପାଳନ ହୋଇଛି କି ନାହିଁ, ତାହାକୁ ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି।

ଏଭଳି ପରିସ୍ଥିତିରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରତିବର୍ଷ ମରାମତି ଓ ରକ୍ଷଣାବେକ୍ଷଣ ନାମରେ ଖର୍ଚ୍ଚ କରୁଥିବା ଅର୍ଥର ସଠିକ୍ ବ୍ୟବହାର ହେଉଛି କି ନାହିଁ, ତାହାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଉଛି। ଛାତ୍ରଛାତ୍ରୀଙ୍କ ମୌଳିକ ସୁବିଧା ଏପରି ଅବହେଳିତ ଅବସ୍ଥାରେ ଥିବାରୁ ଘଟଣାର ନିରପେକ୍ଷ ତଦନ୍ତ ସହ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଭିଭାବକମାନେ ଦାବି କରିଛନ୍ତି। 

ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ସରକାରୀ ଅର୍ଥର ସଠିକ୍ ବିନିଯୋଗ ଓ ଅର୍ଥ ଲୁଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ପଦକ୍ଷେପ ନେବାକୁ ଅଭିଭାବକ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ଏନେଇ ମାଲକାନଗିରି ସମାଜ ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀଙ୍କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ ଅବଗତ ଥିବା ସହ ବିଦ୍ୟାଳୟ ଓ ଛାତ୍ରାବାସ ବିଭାଗକୁ ହସ୍ତାନ୍ତର ହୋଇନଥିବା କହିଥିଲେ। ଚଳିତ ମାସ ସୁଦ୍ଧା ଏହା ହସ୍ତାନ୍ତର ହେବ ବୋଲି ସେ ପ୍ରକାଶ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.