ARTICLE AD BOX
ନୂଆଦିଲ୍ଲୀ: ଇଥାନଲ ମିଶା ଇ୨୦ ପେଟ୍ରୋଲ୍ ପକାଇଲେ ଗାଡ଼ି ଖରାପ ହେଉଥିବା ନେଇ ବ୍ୟାପକ ଚର୍ଚ୍ଚା ହେଉଥିବାରୁ କିଛି ଗ୍ରାହକ ୧୦୦-ଅକ୍ଟେନ୍ ପ୍ରିମିୟମ୍ ପେଟ୍ରୋଲ ପକାଇବାକୁ ଆଗ୍ରହ ଦେଖାଇଛନ୍ତି। ସାଧାରଣ ପେଟ୍ରୋଲ୍ଠାରୁ ତାହାର ଦାମ୍ ଅଧିକ ହୋଇଥିଲେ ମଧ୍ୟ ଗାଡ଼ିର ସୁରକ୍ଷା ପାଇଁ ଗ୍ରାହକମାନେ ସେହି ପକାଇବା ଆରମ୍ଭ କରିଛନ୍ତି। ସେଥିପାଇଁ ଜୁଲାଇ ମାସରେ ଏହାର ବିକ୍ରିରେ ଦୁଇ ଗୁଣା ବୃଦ୍ଧି ଘଟିଛି। କିନ୍ତୁ ଚିନ୍ତାର ବିଷୟ ହେଉଛି ସେହି ପ୍ରିମିୟମ ପେଟ୍ରୋଲ୍ ସବୁ ପେଟ୍ରୋଲ ପମ୍ପ୍ରେ ମିଳୁନାହିଁ। ମେଟ୍ରୋ ସହର ଏବଂ ଦେଶର କିଛି ପ୍ରମୁଖ ସହରର ହାତଗଣତି ପେଟ୍ରୋଲ ପମ୍ପ୍ରେ ତାହା ମିଳୁଛି। ୧୦୦-ଅକ୍ଟେନ୍ ପେଟ୍ରୋଲ୍ରେ ଇଥାନଲ ମିଶିନାହିଁ। ତେବେ ଇଥାନଲ ମିଶିଥିବା ପ୍ରିମିୟମ୍ ପେଟ୍ରୋଲ ଦର ସାଧାରଣ ପେଟ୍ରୋଲଠାରୁ ୧୦-୧୫ ଟଙ୍କା ଅଧିକ ଦରରେ ମଧ୍ୟ ବିକ୍ରି ହେଉଛି। ଏହା ୧୦୦-ଅକ୍ଟେନ୍ ପେଟ୍ରୋଲ୍ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଦେଶରେ ଏକ ଲକ୍ଷରୁ ଅଧିକ ପେଟ୍ରୋଲ୍ ପମ୍ପ ରହିଛି। ସେଥିରୁ ମାତ୍ର ୧ ପ୍ରତିଶତ ପମ୍ପରେ ପ୍ରିମିୟମ୍ ପେଟ୍ରୋଲ ବିକ୍ରି ହେଉଛି। ତାହାକୁ ୧୦୦-ଅକ୍ଟେନ୍ ପେଟ୍ରୋଲ୍ ମଧ୍ୟ କୁହାଯାଉଛି। ଇଣ୍ଡିଆନ ଅଏଲ୍ ତରଫରୁ ଏକ୍ସପି୧୦୦, ଭାରତ ପେଟ୍ରୋଲିୟମ ସ୍ପିଡ୍୧୦୦ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ପାୱାର୧୦୦ ନାମରେ ଏହି ପେଟ୍ରୋଲ୍ ବିକ୍ରି କରୁଛନ୍ତି। ସୁପରକାର୍, ବିଳାସପୂର୍ଣ୍ଣ ଦାମୀ କାର୍, ସେଡାନ୍ ଓ ସୁପରବାଇକ୍ ଆଦିର ଇଞ୍ଜିନକୁ ନଜରରେ ରଖି ଏହି ପେଟ୍ରୋଲ୍ ପ୍ରସ୍ତୁତ କରାଯାଇଛି। ଦେଶର ମୋଟ୍ ପେଟ୍ରୋଲ ବିକ୍ରିରେ ପ୍ରିମିୟମ୍ ପେଟ୍ରୋଲ୍ର ଭାଗ ୦.୧ ପ୍ରତିଶତ ରହିଛି। ସାଧାରଣ ପେଟ୍ରୋଲଠାରୁ ଏହାର ଦାମ୍ ଅଧିକ ରହୁଥିବାରୁ ଗ୍ରାହକମାନେ ତାହା ପକାଇବା ପୂର୍ବରୁ ଦୁଇ ଥର ଚିନ୍ତା କରିଥାନ୍ତି।
ହ୍ରାସ ପାଇଲା ସୁନାର ଚାହିଦା ଓ ଆମଦାନି
ପେଟ୍ରୋଲ୍ ବିକ୍ରି ସହ ଜଡ଼ିତ ସୂତ୍ରରୁ ଜଣାପଡ଼ିଛି ଯେ ଜୁଲାଇ ମାସରେ ଇ୨୦କୁ ନେଇ ବିବାଦ ବଢ଼ିବା ପରେ ପ୍ରିମିୟମ୍ ପେଟ୍ରୋଲର ଚାହିଦା ବଢ଼ିଛି। ସର୍ବଭାରତୀୟ ସ୍ତରରେ ସାଧାରଣ ପେଟ୍ରୋଲ ତୁଳନାରେ ପ୍ରିମିୟମ ପେଟ୍ରୋଲ ଦର ୫୭ ପ୍ରତିଶତ ଅଧିକ ରହିଛି। ଦିଲ୍ଲୀରେ ଇ୨୦ ପେଟ୍ରୋଲ ଦର ଲିଟରକୁ ୧୦୨.୧୨ ଟଙ୍କା ଥିବା ବେଳେ ପ୍ରିମିୟମ୍ ପେଟ୍ରୋଲ୍ ଲିଟର ୧୬୦ ଟଙ୍କା ରହିଛି। ଇଥାନଲ ମିଶିଥିବା ପ୍ରିମିୟମ୍ ପେଟ୍ରୋଲ୍ ଦାମ୍ ଲିଟରକୁ ୧୧୧ ଟଙ୍କାରେ ବିକ୍ରି ହେଉଛି। ଇ୨୦ ପ୍ରିମିୟମ୍ ପେଟ୍ରୋଲ୍କୁ ଏକ୍ସପି୯୫, ସ୍ପିଡ୍୯୭ ଓ ପାୱାର୯୫ ନାମରେ ବିକ୍ରି କରାଯାଉଛି।
ଗ୍ରାହକ ଖୋଜୁଛନ୍ତି ‘୧୦୦-ଅକ୍ଟେନ୍ ପେଟ୍ରୋଲ୍
୧୦୦-ଅକ୍ଟେନ୍ ପେଟ୍ରୋଲ୍ ବିକ୍ରିରେ ହୋଇଥିବା ବୃଦ୍ଧି ସମ୍ପର୍କରେ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଏହା ଏକ ସାମୟିକ ଧାରା। ସୁପରବାଇକ୍ ଓ ସୁପରକାର୍ ପାଇଁ ପ୍ରସ୍ତୁତ ଏହି ପେଟ୍ରୋଲ୍କୁ କିଛି ସାଧାରଣ ଗ୍ରାହକ ପକାଇବା ଆରମ୍ଭ କରିଛନ୍ତି। ଏହାର ଦାମ୍ ଯଥେଷ୍ଟ ଅଧିକ ରହୁଥିବାରୁ ବିକ୍ରିର ଏହି ଧାରା ଅଧିକ ଦିନ ବଜାୟ ରହିବ ନାହିଁ। ତେବେ ସଂସଦରେ ସରକାର ସ୍ପଷ୍ଟ କରିଛନ୍ତି ଯେ ଇଥାନଲ ମିଶି ନଥିବା ପେଟ୍ରୋଲ୍ ବିକ୍ରି ବନ୍ଦ କରିବା କୌଣସି ଯୋଜନା ନାହିଁ। ଇ୧୦ କିମ୍ବା ବିଶୁଦ୍ଧ ପେଟ୍ରୋଲ ବିକ୍ରି କରିବାକୁ ମଧ୍ୟ ସରକାର ଚାହୁନାହାନ୍ତି। ତେଣୁ ଇ୨୦ ପେଟ୍ରୋଲ୍ର ବିକ୍ରି ହିଁ ଜାରି ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

5 days ago
4


