The dream of victory: ଘୁଞ୍ଚି ଘୁଞ୍ଚି ଯାଉଛି ବିଜୟ ସ୍ବପ୍ନ: ପୁଣି ପଏଣ୍ଟ ବାଣ୍ଟିଲା ଓଡ଼ିଶା, ଝାଡ଼ଖଣ୍ଡ ବିପକ୍ଷ ମ୍ୟାଚ୍‌ ଡ୍ର’

1 hour ago 1
ARTICLE AD BOX

ଭୁବନେଶ୍ବର: ଚଳିତ ରଣଜୀ ଟ୍ରଫି ଋତୁରେ ଓଡ଼ିଶାର ବିଜୟ ଆଶା ପଦ୍ମ ଘୁଞ୍ଚିଲା ଭଳି ଘୁଞ୍ଚି ଘୁଞ୍ଚି ଯାଉଛି। ପ୍ରଥମ ଦୁଇ ମ୍ୟାଚ୍‌ରେ ଶୋଚନୀୟ ପରାଜୟ ବରଣ କରିଥିବା ଶୁଭ୍ରାଂଶୁ ସେନାପତିଙ୍କ ସେନା ସର୍ଭିସେ‌ସ୍‌ ବିପକ୍ଷ ତୃତୀୟ ମ୍ୟାଚ୍‌ରେ ଭାଗ୍ୟ ବଳରେ ଡ୍ର’ ପାଇଥିଲା। ଘୂର୍ଣ୍ଣିଝଡ଼ ‘ଅର୍ଣ୍ଣବ’ ଜନିତ ବର୍ଷା କାରଣରୁ ଏହି ଡ୍ର’ ମ୍ୟାଚ୍‌ରୁ ୧ ପଏଣ୍ଟ ଅର୍ଜନ କରି ନେଇଥିଲା। ଏବେ ଝାଡ଼ଖଣ୍ଡ ବିପକ୍ଷ ଚତୁର୍ଥ ମୁକାବିଲାରେ ମଧ୍ୟ ସମଦଶା ଭୋଗିଛି।

University: ୧୪ଟି ବିଶ୍ୱବିଦ୍ୟାଳୟରେ ୧୧୩ରୁ ୧୦୫ ଲାଇବ୍ରେରି କର୍ମଚାରୀ ପଦ ଖାଲି

‘ମୁରାସୁ’ ବାତ୍ୟା ପ୍ରଭାବରେ ହୋଇଥିବା ଅପ୍ରତ୍ୟାଶିତ ବର୍ଷା ଓ ‌କୋହଲା ପାଗ ଭିତରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଝାଡ଼ଖଣ୍ଡକୁ ୪୦୦ରୁ ଅଧିକ ରନ୍‌ କରିବାର ସୁଯୋଗ ଦେବା ପରେ ଚତୁର୍ଥ ତଥା ଶେଷ ଦିନର ଖେଳ ଶେଷ ସୁଦ୍ଧା ୭ ୱିକେଟ୍‌ ବିନିମୟରେ ୨୮୦ ରନ୍‌ କରିଛି। ଦୁଇ ଦଳର ପ୍ରଥମ ପାଳି ନିର୍ଦ୍ଧାରିତ ସମୟ ଭିତରେ ଶେଷ ହୋଇ ନପାରିବା ଏବଂ ଦ୍ବିତୀୟ ପାଳି ଆରମ୍ଭ ହେବାର ଅବକାଶ ନଥିବାରୁ ମ୍ୟାଚ୍‌ ବିନା ହାର୍‌ ଜିତ୍‌ରେ ଶେଷ ହୋଇଛି। ତା’ ସହିତ ଉଭୟ ଦଳ ସମାନ ପଏଣ୍ଟ୍‌ ବାଣ୍ଟିଛନ୍ତି। ଝାଡ଼ଖଣ୍ଡ ଲଗାତାର ଚତୁର୍ଥ ଡ୍ର’ ହାସଲ କରିଥିଲେ ମଧ୍ୟ କେରଳ ବିପକ୍ଷ ମ୍ୟାଚ୍‌ରେ ପ୍ରଥମ ପାଳି ଅଗ୍ରଣୀ ଲାଭ କରିଥିବାରୁ ୪ ମ୍ୟାଚ୍‌ରୁ ୬ ପଏଣ୍ଟ୍‌ ପାଇଛି।

ଅନ୍ୟପକ୍ଷରେ ଓଡ଼ିଶା ମାତ୍ର ୨ ପଏଣ୍ଟ୍‌ ପାଇ ୮ ଦଳିଆ ଏଲିଟ୍‌ ଗ୍ରୁପ୍‌-ସି’ର ସବାଶେଷ ସ୍ଥାନରେ ଅପରିବର୍ତ୍ତିତ ରହିଛି। ଓଡ଼ିଶା ଗତବର୍ଷ କିଟ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ନାଗାଲାଣ୍ଡକୁ ହରାଇଥିଲା। ଏଥର କିନ୍ତୁ ଦୁଇଟି ଯାକ ମ୍ୟାଚ୍‌ ଡ୍ର’ କରିଛି। ତା’ ସହିତ ବିନା ବିଜୟରେ ଭୁବନେଶ୍ବର ପର୍ଯ୍ୟାୟ ଶେଷ କରିଛି। ଏହା ପରେ ପଞ୍ଚମ ରାଉଣ୍ଡ ମ୍ୟାଚ୍‌ରେ ରାଜ୍ୟ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ବାରବାଟୀରେ ଭେଟିବ। ଏହି ମ୍ୟାଚ୍‌ ୨୦୨୭ ଜାନୁଆରି ୧୭ରୁ ଆରମ୍ଭ ହେବ। ଏଥିଲାଗି ଆଉ ପାଖାପାଖି ଅଢ଼େଇ ମାସର ସମୟ ବାକି ଥିବାରୁ ନିଜ ଦୋଷ, ଦୁର୍ବଳତା ସୁଧାରିବାର ସୁଯୋଗ ଅବଶ୍ୟ ପ୍ରଭଞ୍ଜନ ମଲ୍ଲିକଙ୍କ ପ୍ରଶିକ୍ଷଣରେ ଖେଳୁଥିବା ଓଡ଼ିଶା ପାଖରେ ରହିବ। 

ଚାରି ଦିନର ଖେଳରେ ମାତ୍ର ୨୩୦.୧ ଓଭର ଖେଳ ସମ୍ଭବ ହୋଇଥିବା ଝାଡ଼ଖଣ୍ଡ-ଓଡ଼ିଶା ମ୍ୟାଚ୍‌ରେ ଘରୋଇ ଓଡ଼ିଶା ଗୁରୁବାର ପୂର୍ବ ଦିନର ‌ଅସମାପ୍ତ ସ୍କୋର୍‌ ୨୩/୦ରୁ ଖେଳ ଆରମ୍ଭ କରି ସାରା ଦିନରେ ୭ ୱିକେଟ୍‌ ହରାଇ ଆଉ ୨୫୭ ରନ୍‌ ଯୋଡ଼ିଥିଲା। ଦିନର ପ୍ରଥମ ୱିକେଟ୍‌ ଭାବେ ଓପନର୍‌ ଗୌରବ ଚୌଧୁରୀ ବ୍ୟକ୍ତିଗତ ସ୍କୋର୍‌ରେ ଆଉ ମାତ୍ର ୮ ରନ୍‌ ଯୋଡ଼ି ଝାଡ଼ଖଣ୍ଡର ବାମହାତୀ ପାରମ୍ପରିକ ବୋଲର ମନିଷୀଙ୍କ ଦ୍ବାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ପରେ ବଲ୍‌ରେ ସନ୍ଦୀପ ପଟ୍ଟନାୟକ ଖାତା ଖୋଲି ପାରି ନଥିଲେ। ସେହିଭଳି ଅଧିନାୟକ ଶୁଭ୍ରାଂଶୁ ୧୨ ରନ୍‌ ଆଗକୁ ବଢ଼ି ପାରି ନଥିଲେ। ଫଳରେ ଘରୋଇ ଦଳ ୫୯/୩ରେ ସଂଘର୍ଷ କରିଥିଲା। ଏହା ଭିତରେ ବଡ଼ୋଦରାରୁ ଆମଦାନି ହୋଇଥବା ପେସାଦାର ନିନାଦ ରାଥଭା ପୁଣି ଥରେ ନିରାଶ କରି ୨୧ ରନ୍‌ରେ ଆଉଟ୍‌ ହୋଇଥିଲେ।

ସାଥୀ ଖେଳାଳିଙ୍କ ୱିକେଟ୍‌ ପତନ ଧାରାରେ ପ୍ରଭାବିତ ହୋଇଥିବା ଅନ୍ୟତମ ଓପନର୍‌ ସ୍ବସ୍ତିକ ସାମଲ ୪୭ତମ ଓଭରରେ ଏକାଗ୍ରତା ହରାଇ ବସିଥିଲେ। ପ୍ରତ୍ୟୁଷ ସିଂହଙ୍କ ଦ୍ବାରା ୮୦ ରନ୍‌ରେ ବୋଲ୍‌ଡ ହୋଇ ୨୦ ରନ୍‌ ପାଇଁ ସେ ଶତକରୁ ବଞ୍ଚିତ ହୋଇଥିଲା। ୨୦୩ ରନ୍‌ରେ ଅଧା ଦଳ ହରାଇବା ପରେ ୱିକେଟ୍‌ ରକ୍ଷକ ରାଜେଶ ଧୂପର ବ୍ୟକ୍ତିଗତ ୨୪ ରନ୍‌ରେ ଥିଲା ବେଳେ ଆହତ ହୋଇ ପଡ଼ିଆ ଛାଡ଼ିଥି‌ଲେ। ପରବର୍ତ୍ତୀ ବ୍ୟାଟର୍‌ ରାଜେଶ ମହାନ୍ତି ଶୂନରେ ପ୍ୟାଭିଲିୟନ ଫେରିବା ପରେ ମାତ୍ର ଗୋଟିଏ ବଲ୍‌ ପରେ ଧୂପର ପୁଣି ଥରେ ପିଚ୍‌କୁ ଓହ୍ଲାଇଥିଲେ। ଅନିଲ ପରିଡ଼ାଙ୍କ ସହ ଷଷ୍ଠ ୱିକେଟ୍‌ରେ ୪୬ ଏବଂ ଲଲିତ ଯାଦବଙ୍କ ସହ ଅବିଭାଜିତ ସପ୍ତମ ୱିକେଟ୍‌ରେ ୩୧ ରନ୍‌ ଯୋଡ଼ି ଝାଡ଼ଖଣ୍ଡକୁ ପ୍ରଥମ ପାଳି ଅଗ୍ରଣୀ ଲାଭରୁ ରୋକିଥିଲେ। ଅନିଲ ମାରାଥନ ପାଳି ଖେଳି ୧୫୧ ବଲ୍‌ରୁ ୮ ଚୌକା ଏବଂ ଗୋଟିଏ ଛକା ବଳରେ ୫୭ ରନ୍‌ରେ ଆଉଟ୍‌ ହୋଇଥିଲେ। ଏହା ମଧ୍ୟ ଥିଲା ଚଳିତ ଋତୁରେ ତାଙ୍କ ପ୍ରଥମ ଅର୍ଦ୍ଧଶତକ। ଗୁରୁବାର ଖେଳ ବନ୍ଦ ବେଳକୁ ଧୂପର ୩୯ ଓ ଲଳିତ ୨୫ ରନ୍‌ରେ ଅପରାଜିତ ରହିଥିଲେ। ଶତକୀୟ ପାଳି ଖେଳିଥିବା ଝାଡ଼ଖଣ୍ଡର ଆଦିତ୍ୟ ସିଂହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର: ଝାଡ଼ଖଣ୍ଡ ପ୍ରଥମ ପାଳି-୪୩୩/୮ (ଘୋଷଣା)। ଓଡ଼ିଶା ପ୍ରଥମ ପାଳି ୮୮ ଓଭରରେ-୨୮୦/୭ (ସ୍ବସ୍ତିକ ସାମଲ ୮୦, ଅନିଲ ପରିଡ଼ା ୫୭, ରାଜେଶ ଧୂପର ୩୯*, ଲଳିତ ଯାଦବ ୨୫*, ନିନାଦ ରାଥଭା ୨୧, ପ୍ରତ୍ୟୁଷ ସିଂହ ୩/୫୮, ମନିଷୀ ୩/୭୭)।

Read Entire Article
LEFT SIDEBAR AD

Hidden in mobile, Best for skyscrapers.