Question: ଆଶାର ଗବାକ୍ଷ: ପ୍ରଶ୍ନ କରିବାର ସାହସ

45 minutes ago 1
ARTICLE AD BOX

ଗୌରଚନ୍ଦ୍ର ତ୍ରିପାଠୀ

“ମୋତେ କାହାକୁ ଦେବ?’’ କଠୋପନିଷଦରେ ବାଳକ ନଚିକେତା ପିତାଙ୍କ ଧାର୍ମିକ ଯଜ୍ଞର ଯଥାର୍ଥକୁ ନେଇ ପ୍ରଶ୍ନ କରିବାର ସାହସ କରିଥିଲେ। ଅସହିଷ୍ଣୁ ହୋଇ ପିତା ବାଜଶ୍ରବସ କହିଥିଲେ, “ଯମକୁ”। ଜିଜ୍ଞାସା ନଚିକେତାଙ୍କୁ ମୃତ୍ୟୁର ଦେବତା ଯମରାଜଙ୍କ ନିକଟକୁ ନେଇଯାଇଥିଲା, ଯେଉଁଠାରେ ସେ ମାନବ ଅସ୍ତିତ୍ୱର ସବୁଠାରୁ ଗୂଢ଼ ରହସ୍ୟର ସନ୍ଧାନ କରିଥିଲେ। ନଚିକେତା ବିରୋଧ କରିବା ପାଇଁ ନୁହେଁ, ସତ୍ୟକୁ ଜାଣିବା ପାଇଁ ପ୍ରଶ୍ନ କରିଥିଲେ। ଜ୍ଞାନର ଯାତ୍ରା ଏକ ଅସହଜ ପ୍ରଶ୍ନରୁ ହିଁ ଆରମ୍ଭ ହୋଇଥାଏ।
ଭାରତର ପରମ୍ପରା ସହ ପ୍ରଶ୍ନ କରିବାର ପ୍ରବୃତ୍ତି ଗଭୀର ଭାବେ ଜଡ଼ିତ। ଋଗ୍‌ବେଦର ‘ନାସଦୀୟ ସୂକ୍ତ’ ସୃଷ୍ଟିର ଉତ୍ପତ୍ତିକୁ ନେଇ ପ୍ରଶ୍ନ କରେ। ଏପରିକି ପରମ ସତ୍ୟକୁ ଜାଣିବାର ଇଚ୍ଛାର ଉକ୍ତି- ‘ଅଥାତୋ ବ୍ରହ୍ମ ଜିଜ୍ଞାସା’ରୁ ହିଁ ଆମର ବ୍ରହ୍ମସୂତ୍ରର ଆରମ୍ଭ। ଏହି ଜିଜ୍ଞାସାର ଧାରା ଆମ ପୋଥିପୁରାଣରେ ମଧ୍ୟ ପ୍ରବାହିତ। ମହାଭାରତରେ ଦ୍ରୌପଦୀ ରାଜସଭାରେ ନିଜକୁ ବାଜି ଲଗାଯିବାର ବୈଧତା ଉପରେ ପ୍ରଶ୍ନ ଉଠାଇଥିଲେ, କୁରୁକ୍ଷେତ୍ରରେ ଅର୍ଜୁନ ଯୁଦ୍ଧର ନୈତିକତା ଉପରେ ପ୍ରଶ୍ନ କରିଥିଲେ। ସେହିପରି ସୁଦୂର ଗ୍ରୀସରେ ସକ୍ରେଟିସ ପ୍ରଚଳିତ ବିଶ୍ୱାସକୁ ଏବଂ ଗାଲିଲିଓ ବ୍ରହ୍ମାଣ୍ଡ ବିଷୟକ ପ୍ରତିଷ୍ଠିତ ଧାରଣାକୁ ପ୍ରଶ୍ନ କରିଥିଲେ। ଏହାର ବାର୍ତ୍ତା ସ୍ପଷ୍ଟ- ସଭ୍ୟତାର ମହାନତା ପ୍ରଶ୍ନର ସମ୍ମୁଖୀନ ହେବାର ସାହସରେ ନିହିତ ଥାଏ।
ପ୍ରଶ୍ନର ପରିସୀମା କେବଳ ଜ୍ଞାନର ସନ୍ଧାନରେ ସୀମିତ ରହିନାହିଁ, ସାମାଜିକ ପରିବର୍ତ୍ତନର ମୂଳରେ ମଧ୍ୟ ରହିଛି। ଜଣେ ବିଧବାକୁ କାହିଁକି ଚିତାନଳରେ ପ୍ରାଣ ଦେବାକୁ ବାଧ୍ୟ କରାଯିବ? କାହିଁକି ସରକାରୀ ଅନୁଷ୍ଠାନ ଗୋପନୀୟତାର ପରଦା ଆଢ଼ୁଆଳରେ କାମ କରିବ? କାହିଁକି ମହିଳା ଏଭଳି ପ୍ରଥାର ଶରବ୍ୟ ହେବେ ଯାହା ତାଙ୍କ ମର୍ଯ୍ୟାଦାକୁ କ୍ଷୁଣ୍ଣ କରେ? ଏହିସବୁ ପ୍ରଶ୍ନ ହିଁ ସତୀଦାହ ପ୍ରଥା ଉଚ୍ଛେଦ, ସୂଚନା ଅଧିକାର ଓ ସମାନତାର ଆଇନ ପାଇଁ ପ୍ରେରଣା ପାଲଟିଲା।
ସାମାଜିକ ସଂସ୍କାର ପରି ଗଣତନ୍ତ୍ରର ସୁସ୍ଥତା ମଧ୍ୟ ପ୍ରଶ୍ନ କରିବାର ଅଧିକାର ଉପରେ ନିର୍ଭର କରେ। ସରକାରଙ୍କ କୌଣସି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ ସରକାର ଦୁର୍ବଳ ହୋଇଯାଆନ୍ତି ନାହିଁ। ନଚିକେତାଙ୍କ ପ୍ରଶ୍ନ ତାଙ୍କୁ ଯମଙ୍କ ଦ୍ୱାରରେ ପହଞ୍ଚାଇଥିଲା; ଆଜି ମଧ୍ୟ ପ୍ରଶ୍ନ କରିବାର ଧୃଷ୍ଟତା ପାଇଁ ଅନେକଙ୍କୁ ଯମ ଦଣ୍ଡ ମିଳୁଛି। ମାଲ୍‌ଟା ଦେଶର ଡାଫନେ କାରୁଆନା ଗାଲିଜିଆ, ରୁଷିଆର ଆନ୍ନା ପୋଲିଟକୋଭସ୍କାୟା, ଆମ ଭାରତରେ ଗୌରୀ ଲଙ୍କେଶ, ଶୁଜାତ ବୁଖାରୀ ଓ ଓଡ଼ିଶାର ତରୁଣ କୁମାର ଆଚାର୍ଯ୍ୟଙ୍କ ହତ୍ୟା ସାମ୍ବାଦିକଙ୍କ ସୁରକ୍ଷା ଓ ମୁକ୍ତ ଅଭିବ୍ୟକ୍ତି ଉପରେ ଗଭୀର ପ୍ରଶ୍ନ ଉଠାଏ। ଅନ୍ୟପଟେ, ଭାରତରେ ବିରୋଧୀ ଦଳଙ୍କୁ ଦୁର୍ବଳ କରିବା ପାଇଁ ପ୍ରଲୋଭନ, ଚାପ, ତଦନ୍ତର ଭୟ ଓ ଦଳୀୟ ବିଭାଜନ ପରି ବିଭିନ୍ନ ଅଭିଯୋଗ ଗଣତନ୍ତ୍ରର ସ୍ୱାସ୍ଥ୍ୟକୁ ନେଇ ଆଲୋଡ଼ନ ସୃଷ୍ଟି କରିଛି। ଅପରପକ୍ଷରେ ଗଣମାଧ୍ୟମର ବୃହଦାଂଶ ଶାସକଦଳ ପ୍ରତି ଅତ୍ୟଧିକ ଅନୁକୂଳ ହେବାର ସମାଲୋଚନାର ବଶବର୍ତ୍ତୀ ହେବାସହ ‘ଗୋଦି ମିଡିଆ’ର ଦୁର୍ନାମ ପାଇଛି। ପ୍ରଶ୍ନ ଉଠିଛି ବିରୋଧୀଙ୍କ ସ୍ବର ଯଦି ନିରବ ହୋଇଯାଏ, ଶାସକଙ୍କୁ ଠିକ୍‌ ମାର୍ଗରେ ରଖିବ କିଏ?
ତଥାପି, ଦମନ ଓ ଚାପ ସତ୍ତ୍ୱେ ପ୍ରଶ୍ନ କରିବାର ସାହସ ବଞ୍ଚି ରହିଛି। ନଭେମ୍ବର ୧ର ଦିଲ୍ଲୀ ସମାବେଶରେ ରାହୁଳ ଗାନ୍ଧୀ ଉଠାଇଥିବା ପ୍ରଶ୍ନ- ୨୦୨୪ରେ ଭୋଟ ଦେଇଥିବା ୧୩.୫ କୋଟି ଭୋଟରଙ୍କ ନାମ ଯଦି ଏବେ ତାଲିକାରୁ ହଟିଛି, ତେବେ ସେମାନେ ସେତେବେଳେ ଯୋଗ୍ୟ ଥିଲେ କି? ଯଦି ଥିଲେ, ଏବେ ନାମ ହଟାଇବାର ଆଧାର କ’ଣ? ଆଉ ଯଦି ଅଯୋଗ୍ୟ ଥିଲେ, ସେମାନଙ୍କ ଭୋଟରେ ହୋଇଥିବା ନିର୍ବାଚନର ବୈଧତା କ’ଣ? ଏହି ପ୍ରଶ୍ନ ନଚିକେତାଙ୍କ ଜିଜ୍ଞାସାର ଆଧୁନିକ ପ୍ରତିଧ୍ୱନି। ଠିକ୍‌ ସେହିପରି, ୟୁରୋପର ବିଭିନ୍ନ ଦେଶରେ ଜେନ-ଜି ପିଢ଼ି ଦୁର୍ନୀତି ଓ ଅବ୍ୟବସ୍ଥା ବିରୋଧରେ ରାସ୍ତାକୁ ଓହ୍ଲାଇଛି। ଉଭୟ କ୍ଷେତ୍ରରେ ପ୍ରଶ୍ନ ହେଉଛି- ବିଫଳ ଶାସନକୁ ଆଉ କେତେଦିନ ସହିବା?
ଯୁକ୍ତିଯୁକ୍ତ ପ୍ରଶ୍ନ ଦ୍ୱାରା ଭୁଲ୍‌ ପଦାକୁ ଆସେ, ଶାସନ ବ୍ୟବସ୍ଥାରେ ସୁଧାର ଆସେ ଓ ଜନଆସ୍ଥା ସୁଦୃଢ଼ ହୁଏ। ଯେଉଁଠି ପ୍ରଶ୍ନକୁ ସ୍ୱାଗତ କରାଯାଏ, ସେଠାରେ ଉତ୍ତରଦାୟିତ୍ବ ବୃଦ୍ଧି ପାଏ ଏବଂ ଯେଉଁଠି ପ୍ରଶ୍ନକୁ ଦମନ କରାଯାଏ, ସେଠାରେ ଅନ୍ୟାୟ ‘ସ୍ୱାଭାବିକତା’ର ମୁଖା ପିନ୍ଧିବା ଆରମ୍ଭ କରେ।
ଏହାର ବିପରୀତ ଚିତ୍ର ଦେଖାଯାଏ, ଯେତେବେଳେ ପ୍ରଶ୍ନ ଅଲୋଡ଼ା ହୋଇଯାଏ। ପିଲାଟିଏ ଯେବେ ‘କାହିଁକି?’ ବୋଲି ପ୍ରଶ୍ନ ପଚାରେ, ଆମେ ଅନେକ ସମୟରେ ତାକୁ ଚୁପ୍ କରାଇଦେଉ। ଯେତେବେଳେ ଜଣେ ଶିଶୁକୁ ଗୁରୁଜନଙ୍କୁ ପ୍ରଶ୍ନ ନକରିବାକୁ କୁହାଯାଏ, ଛାତ୍ର ଶିକ୍ଷକଙ୍କୁ ପ୍ରଶ୍ନ କରିବାକୁ ଭୟ କରେ, କର୍ମଚାରୀ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଚ୍ୟାଲେଞ୍ଜ କରିବାକୁ ସଙ୍କୋଚ କରନ୍ତି, କିମ୍ବା କ୍ଷମତାସୀନ ବ୍ୟବସ୍ଥାକୁ ପ୍ରଶ୍ନ କରିବା ଯୋଗୁଁ ଜଣେ ନାଗରିକଙ୍କୁ ଦେଶଦ୍ରୋହୀ ବୋଲି ଆଖ୍ୟା ଦିଆଯାଏ, ସେତେବେଳେ ଆଜ୍ଞାବହତା ସଦ୍‌ଗୁଣ ନୁହେଁ, ନିୟନ୍ତ୍ରଣର ମାଧ୍ୟମ ପାଲଟିଯାଏ। ଯେଉଁ ସମାଜ ଜିଜ୍ଞାସା ବା ଅନୁସନ୍ଧାନକୁ ନିରୁତ୍ସାହିତ କରେ, ସେଠାରେ କ୍ଷମତା ଦାୟିତ୍ୱବୋଧ ଓ ଉତ୍ତରଦାୟିତ୍ବରୁ ନିବୃତ୍ତ ହେବାର ଆଶଙ୍କା ସୃଷ୍ଟି ହୁଏ।
 ତେଣୁ ‘ପ୍ରଶ୍ନ’ ସଂଘର୍ଷ ନୁହେଁ, ସଂସ୍କାରର ପ୍ରଥମ ପାହାଚ। ନଚିକେତାଙ୍କ ମହାନତା ବିରୋଧ କରିବାରେ ନଥିଲା, ସତ୍ୟ ଜାଣିବାର ଜିଜ୍ଞାସାରେ ଥିଲା। ନିଷ୍ଠାପର ଜିଜ୍ଞାସାକୁ ସ୍ୱାଗତ କରୁଥିବା ସମାଜ ହିଁ ଉନ୍ନତ ଆସନ୍ତାକାଲିର ଆଶାକୁ ଜୀବିତ ରଖେ। ଯେତେବେଳେ ପ୍ରଶ୍ନ କରିବାର ସାହସକୁ ଶୁଣିବାର ଧୈର୍ଯ୍ୟ ଏବଂ କାର୍ଯ୍ୟ କରିବାର ଦାୟିତ୍ୱବୋଧର ଆଶ୍ବାସନା ମିଳେ, ସେତେବେଳେ ପ୍ରଶ୍ନ ସଂଘର୍ଷର ମାଧ୍ୟମ ନହୋଇ ପରିବର୍ତ୍ତନର ଭିତ୍ତିଭୂମି ପାଲଟିଯାଏ। ସତ୍ୟର ସ୍ବରକୁ ଶୃଙ୍ଖଳମୁକ୍ତ କରାଯାଉ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୦୪୨୫୨୭

Read Entire Article
LEFT SIDEBAR AD

Hidden in mobile, Best for skyscrapers.