The Call of Time: ସନାତନର ସ୍ବଗତୋକ୍ତି: ସମୟର ଡାକ

1 hour ago 1
ARTICLE AD BOX

ଦାଶ ବେନହୁର

‘ସମୟ’ ଅଶରୀରୀ। କିନ୍ତୁ ସେ ଡାକେ।
‘ସମୟ’ର ପ୍ରତିଶବ୍ଦ ଭାବରେ ‘କାଳ’ ବା ‘ବେଳ’କୁ ବ୍ୟବହାର କରାଯାଏ। ଏହାର ବ୍ୟାପକତା ଆଧାରରେ ‘ମହାକାଳ’ ଭଳି ଶବ୍ଦର ପ୍ରୟୋଗ ବି ଦେଖିବାକୁ ମିଳେ। କେହି କେହି ଈଶ୍ବରଙ୍କୁ ‘ମହାକାଳ’ ଭାବେ ଅର୍ଚ୍ଚନା କରନ୍ତି। ସେ ଅନନ୍ତ, ଅନବଚ୍ଛିନ୍ନ, ସର୍ବବ୍ୟାପୀ। ସେ ନିଜେ ସମୟ। ସେ କାଳ, ମହାକାଳ।
ହେଲେ ଅଦୃଶ୍ୟମାନ ଏ ବିଚାରଟି କେବେ ଏବଂ କେଉଁ ଆଧାରରେ ମାନବ ସମାଜକୁ କବଳିତ କଲା ତାହା କହିବା କଷ୍ଟ। ଯାହାର ସ୍ବରୂପ ନାହିଁ, ଆରମ୍ଭ କି ଶେଷ ନାହିଁ ତାକୁ ଦଣ୍ଡ, ଘଡ଼ି, ପ୍ରହର, ଲିତା, ବିଲିତାରେ ମାପିବା ଆରମ୍ଭ କଲା କିଏ? ବର୍ଷ, ମାସ, ଦିନ, ସପ୍ତାହରୁ ଘଣ୍ଟା, ମିନିଟ୍, ସେକେଣ୍ଡ୍ ଯାଏ ଯେଉଁ ପରିଗଣନା ତା’ର ପରିକଳ୍ପନା ହେଲା କେମିତି? ମହାକବି ଭବଭୂତି ‘ମାଳତୀମାଧବ’ ନାଟକରେ ବ୍ୟକ୍ତ କରିଛନ୍ତି- ‘‘କାଳୋ ହ୍ୟୟଂ ନିରବଧିର୍ବିପୁଳା ଚ ପୃଥ୍ବୀ।’’ ସମୟ ଅନନ୍ତ ଏବଂ ଏ ପୃଥିବୀ ବିଶାଳ। ଏବେ କିନ୍ତୁ ଅ‌ାମେ ପୃଥିବୀର ପରିସୀମାରୁ ଆରମ୍ଭ କରି ତା’ର ଦୈର୍ଘ୍ୟ, ପ୍ରସ୍ଥ, ଆକାର ଆଦିର ଟିକିନିଖି ବିବରଣୀ ପାଇସାରିଲେଣି। ହେଲେ ସମୟ କଥାଟି ବିଚିତ୍ର। ଆରମ୍ଭ ଜଣାନାହିଁ କି ତା’ର ଶେଷ ଜଣାନାହିଁ। କିନ୍ତୁ ଆମେ ସଭିଏଁ ସମୟକୁ ଜୀବନର ମାପକାଠି କରି ଧରିଛୁ। ତାକୁ ନିୟନ୍ତ୍ରଣ କରିବାର ଚେଷ୍ଟା କରୁଛୁ।
ଅନ୍ବୟ ଦିଗରୁ ‘ସମ୍-ଇ’କୁ ମିଶାଇ ‘ସମୟ’ ଶବ୍ଦର ସୃଷ୍ଟି ଅର୍ଥାତ୍ ଯାହା ଗମନ କରେ। ଏ ଗମନ ଅବିଶ୍ରାନ୍ତ। ସେଥିପାଇଁ କୁହାଯାଇଛି- ‘‘ସମୟ ଓ ଜୁଆର କାହାକୁ ଅପେକ୍ଷା କରେନା।’’ ସମୟକୁ ଆଧାର କରି ଯେଉଁ ବିଦ୍ୟା ଉପରେ ମଣିଷ ପାରଙ୍ଗମତା ହାସଲ କରିଛି ତା’ର ନାମ ଜ୍ୟୋତିଷବିଦ୍ୟା। ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର ଆଦି ମହାପିଣ୍ଡଗୁଡ଼ିକର ଆଧାରରେ କେଉଁ କାଳୁ ମାନବ ଜାତି ସମୟକୁ ମାପି ଚାଲିଛି। ପରାଗ, ଗ୍ରହଣ, ଅମାବାସ୍ୟା, ପୂର୍ଣ୍ଣିମା, ସଂକ୍ରାନ୍ତି, ସୂ‌ର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ। କେବଳ ସେତିକି ନୁହେଁ, ଜଳବାୟୁର ପରିବର୍ତ୍ତନ ବି ସମୟର ଏକ କୁଞ୍ଚିକାଠି। ଖରା, ବର୍ଷା, ଶରତ, ହେମନ୍ତ, ଶିଶିର, ବସନ୍ତ ହୋଇ ଛଅ ଋତୁ। ପୃଥିବୀରେ କେଉଁଠି ଶୀତ ଆଉ ଶୀତ ତ କେଉଁଠି କେବଳ ଖରା ଆଉ ଖରା। ଅନେକ ସ୍ଥାନରେ ‘ସ୍ପ୍ରିଙ୍ଗ୍’ ବା ‘ବସନ୍ତ’ ଓ ‘ଅଟମ୍ନ’ ବା ‘ଶରତ’। ଶୀତର ନଁାଟି ‘ଫଲ୍’। ପାଶ୍ଚାତ୍ୟ ଜଗତରେ ପାଠପଢ଼ା ପାଇଁ ସମୟକୁ ଦୁଇଭାଗ କରାଯାଇଛି। ସମର୍ ଓ ଫଲ୍। ଖରା ଆଉ ଶୀତ। କାରଣ ସେଠାରେ ବର୍ଷାର ଠିକଣା ନାହିଁ।
ଅନେକଙ୍କ ପାଇଁ ଋତୁ ହିଁ ସମୟର ମାପକାଠି। ସମୟ କେମିତି ପଚାରିଲେ, ଜଳବାୟୁ କେମିତି? ଆଜି ବର୍ଷା ହେବ କି ଖରା ହେବ? ପ୍ରକୃତି ବି ସମୟକୁ ବାଣ୍ଟେ। ଧାନ ଅମଳ ସମୟ, ଆମ୍ବ ବଉଳିବା ବେଳ। ସମୟକୁ ନେଇ ନାନା କଥା।
‘ମତେ ସମୟ ନାହିଁ’ କହୁଥିବା ଲୋକ ପ୍ରକୃତରେ କ’ଣ କହୁଥାଏ? ସମୟ ତ ସର୍ବବ୍ୟାପୀ, ତା’ର ସେ କଥାଟି ନାହିଁ ବୋଲି କହିବାର ଅର୍ଥ କ’ଣ? ଚାର୍ଲସ ଡବ୍ଲ୍ୟୁ ଏଲିଅଟ୍ କହିଛନ୍ତି, ‘‘ତୁମେ ଯଦି ଗୋଟେ ଖରାପ କାମରେ ପଶିଛ ତେବେ ତୁମର ସମୟ ବୋଲି କିଛି ନାହିଁ।’’ ଅନ୍ୟପକ୍ଷରେ ଉତ୍ତମ କର୍ମରେ ଲିପ୍ତ ମଣିଷଟି ଉଇଲିଅମ୍ ଗ୍ଲାଡ୍‌ଷ୍ଟୋନ୍‌ଙ୍କ ଭାଷାରେ କହେ, ‘‘ସମୟ ଆମ ସପକ୍ଷରେ ଅଛି।’’ ଆଉ ଏକ ବିଚାର କରି ଭଲଟାୟାର କହିଛନ୍ତି- ‘‘ପ୍ରତ୍ୟେକ ମଣିଷ, ସେ ବଞ୍ଚୁଥିବା ସମୟରୁ ସୃଷ୍ଟ; ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଆପଣା ସମୟରୁ ବା ସମୟର ବିଚାରଧାରାରୁ ବାହାରିଯାଇ ଉପରକୁ ଉଠିପାରନ୍ତି।’’
ସମୟ ନିରବଧି। ଅଥଚ ତାହାକୁ ନିଜ ଅକ୍ତିଆରରେ ରଖିବା ପାଇଁ ପୃଥିବୀ ପୃଷ୍ଠରେ ଅବିରତ ପ୍ରଚେଷ୍ଟା। ଭିନ୍ନ ଭିନ୍ନ ଇଞ୍ଚପଟା ତିଆରି କରି ସମୟକୁ ଗଡ଼ଗଡ଼ କରିବାର ମନୋଭାବ ଅନେକଙ୍କ ପାଖରେ ଅଛି। ସେଇ ଅନୁସାରେ ଅବ୍ଦ ଗଣନା। ଶକାବ୍ଦ, ବିକ୍ରମାବ୍ଦ, ଖ୍ରୀଷ୍ଟାବ୍ଦ। ରାଜଶାସନର ଆଧାର ଅନୁସାରେ ବର୍ଷର ହିସାବ। ଆମ ଓଡ଼ିଶାରେ ଗଜପତି ରାଜାଙ୍କ ଶାସନକୁ ଅଙ୍କ ଭେଦରେ ବିଚାର କରାଯାଇ ସାଲ ଗଣନା ହୁଏ। ସେଇ ଅନୁସାରେ ପଞ୍ଜିକା। ଗ୍ରିଗୋରିଆନ୍ ପଞ୍ଜିକା, ହିଜ୍‌ରି ପଞ୍ଜିକା, ହିବ୍ରୁ ପଞ୍ଜିକା, ଚୈନିକ ପଞ୍ଜିକା, ବୌଦ୍ଧ ପଞ୍ଜିକା, ଜାପାନୀ ପଞ୍ଜିକା, ଇଥିଓପୀୟ ପଞ୍ଜିକା ଆଦି କେତେ କ’ଣର ବିଚାରରେ ସମୟକୁ ବିଚାର କରାଯାଇଛି।
ସମକାଳରେ ସବୁଆଡ଼େ, ସବୁଠାରୁ ଅଧିକ ଗ୍ରହଣୀୟ ପାଲଟିଥିବା ପଞ୍ଜିକା ହେଉଛି ଗ୍ରିଗୋରିଆନ୍ କ୍ୟାଲେଣ୍ଡର୍ ବା ଖ୍ରୀଷ୍ଟାବ୍ଦ ପଞ୍ଜିକା। ଏଥିରେ ସମୟ ମାପ ପାଇଁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମକୁ ମୂଳବିନ୍ଦୁ ଭାବେ ଗ୍ରହଣ କରାଯାଇଛି। ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ପାଇଁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମବର୍ଷ ହିଁ ଆଧାର। ଜନ୍ମ ପରର ସମୟ ହେଉଛି ଖ୍ରୀଷ୍ଟାବ୍ଦ ଓ ଜନ୍ମ ପୂର୍ବର କାଳ ହେଉଛି ଖ୍ରୀଷ୍ଟପୂର୍ବ। ଏ ବିଚାର ସାରା ପୃଥିବୀରେ ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ଲୋକପ୍ରିୟ ହୋଇ ନ ଥିଲା। ମୁସଲମାନ ଧର୍ମରେ ଗୃହୀତ ଯେଉଁ ହିଜରାବ୍ଦ ତାହା ୬୨୨ ଖ୍ରୀଷ୍ଟାବ୍ଦରୁ ଆରମ୍ଭ। ଖ୍ରୀଷ୍ଟାବ୍ଦକୁ କାଳେ କିଏ ଧର୍ମ ଆଧାରିତ କରି କହିବ ସେଥିପାଇଁ ପାଶ୍ଚାତ୍ୟ ବିଦ୍ବାନ୍‌ମାନେ ସି.ଇ. (କମନ୍ ଏରା) ବା ସାଧାରଣ ଅବ୍ଦ ଏବଂ ସାଧାରଣ ଅବ୍ଦରୁ ଇସଲାମୀୟ ଜିହରାବ୍ଦର ଆରମ୍ଭ କାରଣ ସେଇବର୍ଷ ପ୍ରଫେଟ୍ ମହମ୍ମଦ ମକ୍କାରୁ ମଦିନା ବାସାନ୍ତରିତ ବା (ହିଜ୍‌ରା) କରିଥିଲେ।
ଏତେସବୁ ଆଲୋଚନାର ପୃଷ୍ଠପଟ ଗୋଟିଏ। ତାହା ହେଲା, ସମୟ ଅଦୃଶ୍ୟ, ଅଣାକାର, ଅନନ୍ତ, ସର୍ବବ୍ୟାପୀ, ନିରବଧି, ଅଣାୟତ୍ତ ଏବଂ ଅପ୍ରତିହତ।
ଏସବୁ ସତ୍ତ୍ବେ ମୂଲ୍ୟବାନ୍‌ କଥାଟି ହେଲା ସମୟ ଡାକଦିଏ। ତା’ର ଶରୀର ନାଇଁ କିନ୍ତୁ ସେ ‌ଗମନ କରେ। ପାଟି ନାହିଁ, ଜିଭ ନାହିଁ ଅଥଚ ସେ କହେ, ଡାକଦିଏ। କ’ଣ ସେ ଡାକ? ଯିଏ ସେ ଡାକକୁ ବୁଝିପାରିଲା ସେ ତିଷ୍ଠେ ନଚେତ୍ କେଉଁଆଡ଼େ ନିଶ୍ଚିହ୍ନ ହୋଇଯାଏ। ଅପରପକ୍ଷରେ ସମୟକୁ ଓ ତା’ର ଡାକକୁ ନିୟନ୍ତ୍ରଣ କରିବା ପାଇଁ କେଉଁ ପ୍ରାଚୀନ କାଳରୁ ଅନେକ ଚେଷ୍ଟା ମଧ୍ୟ କରାଯାଇଛି। ବୈଜ୍ଞାନିକ, ଉଦ୍ଭାବକ ଓ ଶାସକମାନେ ସମୟକୁ ଧରିବାକୁ ଚେଷ୍ଟା କରିଛନ୍ତି। ଖ୍ରୀଷ୍ଟପୂର୍ବ ଦେଢ଼ହଜାର ବର୍ଷ ତଳେ ଇଜିପ୍‌ସିଆନମାନେ ଛାଇକୁ ଓ ପାଣିକୁ ଉପାଦାନ କରି ଦିନକୁ ଚବିଶ ଭାଗ କଲେ। ବେବିଲୋନିଆନ୍‌ମାନେ ସେ ଚବିଶ ଭାଗର ପ୍ରତି ଏକ ଏକ ଭାଗକୁ କଲେ ଷାଠିଏ ଭାଗ। ସେଇଥିରୁ ଆସିଲା ଘଣ୍ଟା ଓ ମିନିଟ୍। କଳ ତିଆରି ହେଲା ଅନେକ ପରେ। ମଝିରେ ସପ୍ତଦଶ ଶତାବ୍ଦୀରେ ଦୋଳକକୁ ସମୟ ଧରିବା ଲାଗି ବ୍ୟବହାର କରାଗଲା। ଅଷ୍ଟାଦଶ ଶତାବ୍ଦୀରେ ବିଲାତୀୟ ଜନ୍ ହାରିସନ୍ ମେରାଇନ୍ କ୍ରୋନୋମିଟର ତିଆରି କରି ଘଡ଼ିକୁ ପ୍ରଥମ ସ୍ବରୂପ ଦେଲେ। ଏବେ ଆମ ସମସ୍ତଙ୍କ ହାତରେ, କାନ୍ଥରେ ଘଡ଼ିମା‌େନ ସମୟର ନିୟାମକ ସାଜିଛନ୍ତି।
ସମୟର ମାପ ଏକ ମାନବିକ ପରିକଳ୍ପନା। ମଣିଷ ଛଡ଼ା ଅନ୍ୟ କୌଣସି ମାନବେତର ଜୀବଜନ୍ତୁ ସମୟକୁ ମାପନ୍ତି ନାହିଁ। ସେମାନେ ସମୟ ସହିତ ଚାଲନ୍ତି। ତା’ର ଡାକ ଶୁଣନ୍ତି। ମଣିଷ ଏକମାତ୍ର ପ୍ରାଣୀ ଯେ ସମୟକୁ କେବଳ ମାପେ ନାହିଁ ତାହାକୁ ନିୟନ୍ତ୍ରଣ କରିବାର ଚେଷ୍ଟା ମଧ୍ୟ କରେ।
ଦୁଇଟି ଗୁରୁତ୍ବପୂର୍ଣ୍ଣ କଥା। ଗୋଟିଏ ହେଲା ସମୟକୁ ମାପିବା ଓ ସେ ମାପ ମାଧ୍ୟମରେ ତାକୁ ଧରିବା। ଅନ୍ୟଟି ହେଲା ସମୟକୁ ବୁଝିବା।
ପ୍ରତ୍ୟେକ ମାନବେତର ପ୍ରାଣୀ ସମୟକୁ ବୁଝନ୍ତି। ସେମାନଙ୍କର ଅବବୋଧ କେବଳ ସୂର୍ଯ୍ୟ, ଚନ୍ଦ୍ରଙ୍କୁ ଧରି ଯେ ବିଚାରିତ ହୁଏ ସେ କଥା ନୁହେଁ, ପୃଥିବୀର ପ୍ରତିଟି ଉପାଦାନରେ ସେମାନେ ସମୟର ଉପସ୍ଥିତିକୁ ଅନୁଭବ କରନ୍ତି। ଭୂମିକମ୍ପ, ବାତ୍ୟା, ବନ୍ୟା, ସୁସମୟ, ଦୁଃସମୟର ଡାକକୁ ସେମାନେ ଅଧିକ ଜାଣିପାରନ୍ତି।
ବର୍ଷା କୁଆଡ଼େ ଥାଏ ଅଥଚ ଝଡ଼ିପୋକ ସେ କଥା ଜାଣିପାରେ। ବୃକ୍ଷଲତା ବି। କାମିନୀ ଗଛ ନିଜ ଦେହରେ ଫୁଲ ଫୁଟାଇ କ‌େହ ଆଗକୁ ବର୍ଷା ଆସୁଛି। କାଶତଣ୍ଡୀ କହେ ଏଠି ବାଲିର ଉପସ୍ଥିତି ଅଧିକ। ବାଉଁଶ ନିଜ ଦେହରେ ଫୁଲ ଫୁଟାଇ କହେ ଭବିଷ୍ୟତ ପ୍ରତି ସଜାଗ ହୁଅ, ଦୁର୍ଭିକ୍ଷ ଆସୁଛି। ପଶୁ, ପକ୍ଷୀ, କୀଟ, ପତଙ୍ଗ ଏମାନେ ସମୟକୁ ଯେମିତି ବୁଝନ୍ତି ସେଥିରୁ କାଣିଚାଏ ସୁଦ୍ଧା ବୋଧଶକ୍ତି ମଣିଷର ନାହିଁ। ତା’ର କାରଣ ସେମାନେ କାଳର ଡାକ ନା ଶୁଣିପାରନ୍ତି, ନା ବୁଝିବାକୁ ଚେଷ୍ଟା କରନ୍ତି।
ମାନବେତର ପ୍ରାଣୀ ଓ ସକଳ ଉଦ୍ଭିଦ, ଭୂତାଣୁ, ପ୍ରେତାଣୁ, ବୀଜାଣୁ, ଜୀବାଣୁ ଏ ସମସ୍ତେ ପ୍ରକୃତି ସହ ରହନ୍ତି। ସମୟର ଡାକ ଶୁଣନ୍ତି। ସେଥିପାଇଁ ସେମାନେ ସମସ୍ତେ ପ୍ରାକୃତିକ। ମଣିଷ କିନ୍ତୁ ସମୟକୁ ବାନ୍ଧିବାକୁ ଚେଷ୍ଟା କରେ, ସମୟର ଡାକକୁ ଅଣଦେଖା କରେ। ସେଥିପାଇଁ ସେ ଅଧିକରୁ ଅଧିକ ଅପ୍ରାକୃତିକ। ଖାସ୍ ସେ ସକାଶେ କେବଳ ମଣିଷ ହିଁ ପ୍ରକୃତିକୁ ଖିନ୍‌ଭିନ୍ କରେ। ବଳାତ୍କାର କରେ। ତା’ ଜଠରରେ ଯନ୍ତ୍ରଶିଶୁ ପୂରାଇ ଦିଏ, କୃତ୍ରିମ ବୁଦ୍ଧିକୁ ପ୍ରାଧାନ୍ୟ ଦେଇ ଅବାଟରେ ଯାଏ। ଏ ପ୍ରକ୍ରିୟା ଆଜିର ନୁହେଁ। ସଭ୍ୟତା ଆରମ୍ଭରୁ ମଣିଷ ସମୟର ତଥା ପ୍ରକୃତିର ଡାକ ଶୁଣିବାକୁ ନାରାଜ।
ଏ ସାରା ବ୍ରହ୍ମାଣ୍ଡର ପରିରୂପ ପ୍ରକୃତି। ପ୍ରକୃତି ହିଁ ଆମକୁ ତାହାର ଭିନ୍ନ ଭିନ୍ନ ଉପାଦାନ ମାଧ୍ୟମରେ ସମୟର କଥା କହେ। ସେଥିପାଇଁ ସମୟର ଡାକ ହିଁ ଆମ ସମସ୍ତ ପ୍ରାଣୀଜଗତ ପାଇଁ ପ୍ରକୃତିର ଡାକ।
‘ପ୍ରକୃତି’ ବିଭିନ୍ନ କାରଣରୁ ଆଜି ଅକାଳ ଦ୍ବାରା କବଳିତ। ସବୁଆଡ଼େ ସମୟର ଡାକ, ପ୍ରକୃତିର ଚିତ୍କାର ଅଥଚ ଆମ ଭିତରେ ପ୍ରକୃତିକୁ ନ ଶୁଣିବାର ପ୍ରବଣତା ଏତେ ଅଧିକ ଯେ ଆମର ଏ ନୀଳରଙ୍ଗୀ ଗ୍ରହଟି ସଂପ୍ରତି ଘୋର ବିପଦରେ।
ପରିକଳ୍ପନା-ନକ୍‌ସା ତିଆରି କରି ଯେତେଯେତେ ପ୍ରକାରରେ ସମୟକୁ ଧରିବା ଲାଗି ଚେଷ୍ଟାକଲେ ମଧ୍ୟ ତା’ ଡାକ ନ ଶୁଣିଲେ ସର୍ବନାଶ ଅନିବାର୍ଯ୍ୟ। ଆସନ୍ତୁ ମିଳିମିଶି ସମୟକୁ ଶୁଣିବା ଏବଂ ତାକୁ ବୁଝିବା ଲାଗି ଚେଷ୍ଟା କରିବା।
(ମତାମତ ଲେଖକଙ୍କ ନିଜସ୍ବ)
[email protected]

Read Entire Article
LEFT SIDEBAR AD

Hidden in mobile, Best for skyscrapers.