A Politician’s Tongue: ସରସ ରସ: ନେତାଙ୍କ ଜିଭ

59 minutes ago 2
ARTICLE AD BOX

ସୁଭାଷ ପଟ୍ଟନାୟକ

ମୁଖ ଉଚ୍ଚାରିତ ଶବ୍ଦ ଅସ୍ତ୍ରଠାରୁ ଅଧିକ ପରାକ୍ରମଶାଳୀ ଓ ଔଷଧ ଠାରୁ କ୍ଷିପ୍ର ଉପଶମକାରୀ। ଏହାର ପ୍ରୟୋଗ ଅନାରୋଗ୍ୟ କ୍ଷତ ସୃଷ୍ଟି କରିପାରେ ତ ଦୁରାରୋଗ୍ୟ କ୍ଷତର ମଧ୍ୟ ଭରଣା କରିଦେଇ ପାରେ। କାହାରିକୁ ମାନସିକ ଆଘାତ ଦେବା, ଅପମାନିତ କରିବା ଓ ବିନମ୍ର କରିଦେବାର କ୍ଷମତା ଥାଏ ମୁଖନିଃସୃତ ଭାଷାର। ତେଣୁ ଶବ୍ଦଟିଏ ଉଚ୍ଚାରଣ କରିବା ପୂର୍ବରୁ ଅଟକିରହି ତାକୁ ପରୀକ୍ଷା କରିନେବା ବିଧେୟ। ଭାଷାର ଉଚିତ ପ୍ରୟୋଗ ମନୁଷ୍ୟ ଜୀବନରେ ଏକ ମୌଳିକ ଭୂମିକା ଗ୍ରହଣ କରିଥାଏ। କେବଳ ଯୋଗାଯୋଗର ମାଧ୍ୟମ ଭାବରେ ନୁହେଁ ବରଂ ବ୍ୟକ୍ତିର ଚରିତ୍ର, ମନୋଭାବ ଓ ଆଚରଣର ପ୍ରତିଫଳନ ଭାବରେ ମୌଖିକ ଭାଷାର ଗୁରୁତ୍ୱ ସର୍ବାଧିକ। ଭଦ୍ର ଓ ସକାରାତ୍ମକ ବକ୍ତବ୍ୟ ସାମାଜିକ ସଂପର୍କକୁ ସୁଦୃଢ଼ କରିବା ସହିତ ଶତ୍ରୁକୁ ମଧ୍ୟ ବଶୀଭୂତ କରିପାରେ। ସୁସ୍ଥ ବୃତ୍ତିଗତ ପରିବେଶ ସୃଷ୍ଟି ପାଇଁ ମୌଖିକ ଭାଷା ପ୍ରୟୋଗରେ ଶାଳୀନତା ଅପରିହାର୍ଯ୍ୟ। ପ୍ରତ୍ୟେକ ସାମାଜିକ ଓ ବୃତ୍ତିଗତ ସଂପର୍କର ଉଭୟ ପାର୍ଶ୍ବରେ ଥିବା ବ୍ୟକ୍ତି ପରସ୍ପର ପ୍ରତି କିପରି ଭାଷା ପ୍ରୟୋଗ କରିବେ ତା’ର ଏକ ଅଲିଖିତ ନିୟମ ରହିଛି। 
ଅପଶବ୍ଦର ପ୍ରୟୋଗକୁ ଶାସ୍ତ୍ରରେ ‘ବାଣୀ ହିଂସା’ର ଆଖ୍ୟା ଦିଆଯାଇଛି। ଋଗ୍‌ବେଦରେ ମଧ୍ୟ ଉଲ୍ଲେଖ ଅଛି, ‘ନ ଦୁରୁକ୍ତାୟ ସ୍ପୃହୟେତ୍’। ଅପଶବ୍ଦର ପ୍ରୟୋଗ ସ୍ପୃହଣୀୟ ନୁହେଁ। ଏହି ପରିପ୍ରେକ୍ଷୀରେ ଦେଶର ସର୍ବୋଚ୍ଚ ଆସନାସୀନ ବ୍ୟକ୍ତି ତଥା ରାଜନୀତି କରୁଥିବା ସମସ୍ତ ନେତା ପରସ୍ପର ପ୍ରତି କିପରି ଭାଷା ପ୍ରୟୋଗ କରିବେ ତା’ର ମଧ୍ୟ ଏକ ଶିଷ୍ଟତାନୁଗତ ବିଧି ରହିବା ଉଚିତ। ମାତ୍ର ଦେଖାଯାଉଛି ଯେ, ନେତାମାନେ ଭାଷା ପ୍ରୟୋଗର ଲକ୍ଷ୍ମଣରେଖା ପାର ହୋଇଗଲେଣି। ପଦମର୍ଯ୍ୟାଦା ଭୁଲି ପରସ୍ପର ପ୍ରତି ଅଶାଳୀନ ଭାଷାର ପ୍ରୟୋଗ ଓ ବ୍ୟକ୍ତିଗତ ଆକ୍ଷେପ ଏବେ ଆଉ ଅଶିଷ୍ଟ ହୋଇ ରହିନାହିଁ। ରାଜନୈତିକ ପ୍ରତିପକ୍ଷ ପ୍ରତି ଅଶୋଭନୀୟ ମନ୍ତବ୍ୟ ଦେବା ଏ ଦେଶରେ ନୂଆ କଥା ନହେଲେ ମଧ୍ୟ ଅରୁଚିକର ଭାଷାର ପ୍ରୟୋଗ ଆରମ୍ଭ ହେଲା ୨୦୦୪ର ଲୋକସଭା ନିର୍ବାଚନ କାଳରେ, ଯେତେବେଳେ ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏକ ଜନସଭାରେ ପ୍ରତିପକ୍ଷ ଜାତୀୟ ରାଜନୈତିକ ଦଳର ରାଷ୍ଟ୍ରୀୟ ସଭାନେତ୍ରୀଙ୍କୁ ‘ଜର୍ସି ଗାଈ’ ଓ ତାଙ୍କ ପୁତ୍ରଙ୍କୁ ‘ହାଇବ୍ରିଡ ବାଛୁରୀ’ ସମ୍ବୋଧନ କଲେ। ଏହାର ଜବାବ ତାଙ୍କୁ ମିଳିଲା ୨୦୦୭ରେ। ସଂପୃକ୍ତ ଜାତୀୟ ଦଳର ସଭାନେତ୍ରୀ ଉକ୍ତ ମୁଖ୍ୟମନ୍ତ୍ରୀଙ୍କୁ ସର୍ବସମକ୍ଷରେ ‘ମୌତ କା ସୌଦାଗର’ ଓ ‘ଖୁନ କା ଦଲାଲ’ କହି ଉତ୍ତର ଫେରାଇଲେ। ଏହା ପରଠାରୁ ଅପଶବ୍ଦ ପ୍ରୟୋଗର ଧାରା ସୀମାତିରିକ୍ତ ହୋଇଛି। ଶାସକ ଦଳ ବିରୋଧୀ ପକ୍ଷଙ୍କୁ ‘କଂଗ୍ରେସ କି ବିଧବା’, ‘ମୁଜରା କରେଗା’, ‘କଂଗ୍ରେସ କି ସେହଜାଦା’, ‘ଦିଦି ଓ ଦିଦି’, ‘ପପ୍ପୁ’, ‘ସଦ୍ଦାମ ହୁସେନ’ ଏବଂ ‘ପଚାଶ କୋଟିର ଗାର୍ଲଫ୍ରେଣ୍ଡ’ ଇତ୍ୟାଦି ବ୍ୟକ୍ତିଗତ ଅପଶବ୍ଦର ପ୍ରୟୋଗ କଲାବେଳେ ବିରୋଧୀମାନେ ଶାସକ ଦଳର ମୁଖିଆଙ୍କୁ ‘ନୀଚ୍ ଆଦମୀ’, ‘ଚୌକିଦାର ଚୋର’, ‘ଚାୟଵାଲା’, ‘ହିଟଲର’ ଓ ‘ରାବଣ’ ଆଦି ଅଶାଳୀନ ଶବ୍ଦ ପ୍ରୟୋଗ କରୁଛନ୍ତି। ନିକଟରେ ବିରୋଧୀ ଦଳର ସଭାପତି ପ୍ରଧାନମନ୍ତ୍ରୀଙ୍କୁ ‘ଉସକା ବାପ୍ ଭି ଜାୟେଗା’ କହିଥିଲେ। ମନେ ଥିବ, ପ୍ରଧାନମନ୍ତ୍ରୀ ମଧ୍ୟ କିଛି ବର୍ଷ ପୂର୍ବେ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ତାଚ୍ଛଲ୍ୟ କରି ‘ଇଏ ରେନକୋଟ୍ ପିନ୍ଧି କିପରି ଗାଧୋଇବାକୁ ହୁଏ, ସେ ସୂତ୍ର ଜାଣନ୍ତି’ କହି ଆକ୍ଷେପ କରିଥିଲେ।
ରାଜନୀତିରେ ଥିବା ନେତାମାନଙ୍କ କ୍ଷେତ୍ରରେ ଭାଷା ପ୍ରୟୋଗର ଅନେକ ଗୁରୁତ୍ୱ ରହିଛି। ଜଣେ ବ୍ୟକ୍ତିର ଚରିତ୍ର, ଶିକ୍ଷାଦୀକ୍ଷା, ମନୋଭାବ ଓ ଆଚରଣର ପ୍ରତିଫଳନ ତା’ର କଥିତ ଭାଷାରେ ହିଁ ହୋଇଥାଏ। ତେଣୁ ଭାଷା ବ୍ୟବହାରରେ ସଂଯମ ନେତାମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ଭଲ, ଭଦ୍ର ଓ ସକାରାତ୍ମକ କଥାଭାଷା ସାମାଜିକ ସଂପର୍କକୁ ସୁଦୃଢ଼ କରି ଜନତାଙ୍କ ସହିତ ସେମାନଙ୍କର ସୁସମନ୍ୱୟ ରକ୍ଷା କରିଥାଏ। ଜଣେ ନେତାର ପଛରେ ଥାଆନ୍ତି ଏକ ବିଶାଳକାୟ ଜନତା। ନେତାର ଆଚରଣ ଓ ଉଚ୍ଚାରଣ ସେମାନଙ୍କୁ ପ୍ରଭାବିତ କରିଥାଏ। ବ୍ୟକ୍ତିଗତ ମୂଲ୍ୟବୋଧ ଓ ଚରିତ୍ର ଜନତାଙ୍କ ନିକଟରେ ନେତାର ଭାଷା ମାଧ୍ୟମରେ ବ୍ୟାଖ୍ୟାନ ହୋଇଥାଏ। ତେଣୁ ନେତାର ଯୋଗ୍ୟତାକୁ ଜନତା ତଉଲିବା ସମୟରେ ତା’ର ଆଚରଣ ଓ ଉଚ୍ଚାରଣକୁ ମଧ୍ୟ ବିଚାରକୁ ନେଇଥାନ୍ତି। ସୁନ୍ଦର ବାକ୍ୟଟିଏ ହୃଦୟକୁ ଜିଣି ନେଇପାରେ ଓ ଶତ୍ରୁକୁ ମିତ୍ର କରିଦେଇ ପାରେ। ବିପରୀତ କ୍ଷେତ୍ରରେ ଫଳ ବିପରୀତ ହେବା ସ୍ବାଭାବିକ। ଦ୍ରୌପଦୀ ଯଦି ଦୁର୍ଯ୍ୟୋଧନଙ୍କ ପ୍ରତି ‘ଅନ୍ଧର ପୁତ୍ର ଅନ୍ଧ’ ଆକ୍ଷେପ କରି ନଥାନ୍ତେ ମହାଭାରତ ଯୁଦ୍ଧ ହୋଇ ନଥାନ୍ତା। 
ରାଜନୀତିରେ କେହି କାହାରି ଶତ୍ରୁ ନୁହନ୍ତି। ଶାସକ ହୁଅନ୍ତୁ କି ବିରୋଧୀ ଦଳ ହୁଅନ୍ତୁ, ସମସ୍ତେ ଜନତାଙ୍କ ପାଇଁ ହିଁ କାର୍ଯ୍ୟ କରୁଛନ୍ତି। ଆଜି ଅପର ପକ୍ଷକୁ ଅପଶବ୍ଦ କହୁଥିବା ନେତା କାଲି ସେହି ବିପକ୍ଷ ଦଳରେ ଯୋଗ ଦେଇପାରନ୍ତି। ତେଣୁ ଶତ୍ରୁତା ମନଭରି କଲେ ମଧ୍ୟ କିଛି ରାସ୍ତା ରଖିଥିବା ଉଚିତ, ଯେମିତି ମିତ୍ର ହୋଇଯିବା ପରେ ଲଜ୍ଜିତ ହେବାକୁ ନପଡ଼େ। ଆଉ ସେ ରାସ୍ତା ହେଉଛି ଜିଭରେ ଲଗାମ। ନେତାମାନେ କିନ୍ତୁ ଭାବନ୍ତି ବିରୋଧୀଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କଲେ ଦଳର ମୁଖିଆ ଓ ସମର୍ଥକ ଉତ୍ସାହିତ ହେବେ। କଥାଟି ଠିକ୍ ହୋଇପାରେ, ମାତ୍ର ସାଧାରଣ ଜନତା ଖୁସି ହେବେ ତ? ସଂସଦ ମଧ୍ୟରେ ଯେଉଁ ଶବ୍ଦକୁ ଅସାମ୍ବିଧାନିକ କହି ନେତାମାନେ ପ୍ରତ୍ୟାଖ୍ୟାନ କରିଦିଅନ୍ତି ସଂସଦ ବାହାରେ ତାହା ସାମ୍ବିଧାନିକ ହେବ କେମିତି? ଅବଶ୍ୟ କିଛି ନେତା ଚାହାନ୍ତି ତାଙ୍କପ୍ରତି ଅପଶବ୍ଦ ପ୍ରୟୋଗ ହେଉ, ଯାହାକୁ ଆଧାର କରି ସେମାନେ ଭୋଟରଙ୍କ ଅନୁକମ୍ପା ପାଇପାରିବେ। ତେଣୁ ଏ ବ୍ୟାଧିର କେବଳ ଗୋଟିଏ ଆରୋଗ୍ୟ ଉପଚାର ହେଉଛି ଜନଅଦାଲତ ଓ ନାଗରିକ ସମାଜର ସକ୍ରିୟତା। 
ଦିନେ ଘୃଣା ପ୍ରେମକୁ କହିଲା, ସମସ୍ତେ ତୁମକୁ ଚାହିଁଲେ କ’ଣ ହେବ, ପୃଥିବୀ ତ ମୋ ଅକ୍ତିଆରରେ। ତୁମେ ଯୁଆଡ଼େ ଯାଅ ମତେ ହିଁ ପାଇବ। ତୁମର ଆବାହନ ପାଇଁ ଶହେ ଶବ୍ଦର ଆବଶ୍ୟକ ମାତ୍ର ମୁଁ ଗୋଟିଏ ଅପଶବ୍ଦର ପ୍ରୟୋଗ ମାତ୍ରେ ପହଞ୍ଚିଯାଏ। ପ୍ରେମ ଉତ୍ତର ଦେଲା, ପରିଶେଷରେ ମୁଁ ହିଁ ତ ସତ୍ୟ! ଘୃଣା ହସିହସି କହିଲା, ସେ ସତ୍ୟ ମଧ୍ୟରେ ମୁଁ ପରା ରହିଛି ଈର୍ଷା, ଘୃଣା ଓ ଅପଶବ୍ଦ ରୂପରେ! ଏ ଲେଖାଟି ପଢ଼ି ଉଭୟ ପକ୍ଷର ନେତାମାନେ ପରସ୍ପରକୁ କହୁଥିବେ: “ଗଲତୀୟାଁ ସେ ଜୁଦା ତୁ ଭି ନହିଁ, ହମ ଭି ନହିଁ / ଦୋନୋ ଇନସାନ ହୈ, ଖୁଦା ତୁ ଭି ନହିଁ ମୈଁ ଭି ନହିଁ / ତୁ ମୁଝେ ଔର ମୈ ତୁଝେ ଇଲଜାମ୍ ଦେତେ ହୈଁ ମଗର / ଅପନେ ଅନ୍ଦର ଝାକତା ତୁ ଭି ନହିଁ, ମୈଁ ଭି ନହିଁ”। 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୩୩୭୬୪୮୬୩୮

Read Entire Article
LEFT SIDEBAR AD

Hidden in mobile, Best for skyscrapers.