ARTICLE AD BOX
ବସନ୍ତ ମହାରଣା
ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ଜୁଲାଇରେ ଆବଶ୍ୟକ ପରିମାଣର ବର୍ଷା ହୋଇ ନଥିଲେ ହେଁ, ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ରହୁଛି। ସମୁଦ୍ରରେ ବଡ଼ ଜୁଆର ସୃଷ୍ଟି ହେଉଥିବା ବେଳେ ଜିଲ୍ଲାର ଉପକୂଳବର୍ତ୍ତୀ ଗାଁଗୁଡ଼ିକରେ କୂଳ ଲଙ୍ଘିବାରେ ଲାଗିଛି। ପୂର୍ବରୁ ଗଞ୍ଜାମ ବ୍ଲକ୍ର ପୁରୁଣାପୋଡ଼ମପେଟା ସମୁଦ୍ର ଜୁଆର ମାଡ଼ରେ ଧ୍ବଂସ ହୋଇସାରିଥିବା ବେଳେ ଏବେ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ପ୍ରତି ବଡ଼ ବିପଦ ସୃଷ୍ଟି ହୋଇଛି। ଆର୍ଯ୍ୟପଲ୍ଲୀ ଗାଁଠାରୁ ପ୍ରାୟ ୫୦ ମିଟର ଦୂରରେ ସମୁଦ୍ର ରହିଛି। କେଉଁ ସମୟରେ ସମୁଦ୍ର ମାଡ଼ି ଆସିବ ଏହାକୁ ନେଇ ଗାଁରେ ଭୟର ବାତାବରଣ। ସମୁଦ୍ର କୂଳ ଖାଇବା ସମସ୍ୟା ନେଇ ବହୁବର୍ଷ ହେଲା ପ୍ରଶାସନକୁ ଅବଗତ କରାଯାଉଛି। ଅଥଚ ଶକ୍ତ ଗାର୍ଡୱାଲ୍ ନିର୍ମାଣ କରିବା ଦିଗରେ ଅବହେଳା କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଛତ୍ରପୁର ବ୍ଲକ୍ର ଆର୍ଯ୍ୟପଲ୍ଲୀ ପଞ୍ଚାୟତ ତିନିଟି ଗାଁକୁ ନେଇ ଗଠିତ। ଏହି ପଞ୍ଚାୟତ ଅଧୀନରେ ବଡ଼ଆର୍ଯ୍ୟପଲ୍ଲୀ, ସାନଆର୍ଯ୍ୟପଲ୍ଲୀ ଓ କେ.ଆର୍ଯ୍ୟପଲ୍ଲୀ ରହିଛି। ପଞ୍ଚାୟତର ଜନସଂଖ୍ୟା ପ୍ରାୟ ୧୭ହଜାର। ୯୯ ପ୍ରତିଶତ ଲୋକ ମାଛ ଧରି ଜୀବନଜୀବିକା ନିର୍ବାହ କରିଥା’ନ୍ତି। ସମୁଦ୍ର ଅଶାନ୍ତ ରହିଲେ ମତ୍ସ୍ୟଜୀବୀଙ୍କୁ ମାଛ ଧରିବାକୁ ଯିବା ପାଇଁ ବାରଣ କରାଯାଉଥିବାରୁ ସେମାନଙ୍କ ଜୀବନଜୀବିକା ପ୍ରଭାବିତ ହେଉଛି।
Flood In Bhadrak: ବନ୍ୟା ପରେ ଭଙ୍ଗା ଘରେ ଆଶ୍ରୟ ଖୋଜୁଛି ଅସହାୟ ମଣିଷ
ଗ୍ରାମବାସୀଙ୍କ କହିବାନୁସାରେ, ୧୨/୧୪ ବର୍ଷ ପୂର୍ବରୁ ସମୁଦ୍ର ପ୍ରାୟ ଦୁଇ କିଲୋମିଟର ଦୂରରେ ରହୁଥିଲା। ହେଲେ ଗତ କିଛିବର୍ଷ ହେଲା ଧୀରେ ଧୀରେ ସମୁଦ୍ର ଜନବସତି ଆଡ଼କୁ ମାଡ଼ି ଆସୁଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି। ରାତିରେ ଶୋଇଥିବା ସମୟରେ ଭୟ ଲାଗୁଛି। କେଉଁ ସମୟରେ ଘର ଭିତରକୁ ପାଣି ମାଡ଼ି ଆସିବ ତାକୁ ନେଇ ସମସ୍ତେ ଚିନ୍ତାରେ ରହିଛନ୍ତି। ସମୁଦ୍ର କୂଳ ଖାଇବା ଧାରା ଜାରି ରହିଲେ ଆଉ କିଛି ବର୍ଷ ମଧ୍ୟରେ ପଞ୍ଚାୟତର ତିନି ଗାଁ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଆର୍ଯ୍ୟପଲ୍ଲୀ ଗାଁକୁ ବଞ୍ଚାଇବା ପାଇଁ ତୁରନ୍ତ ଗାର୍ଡୱାଲ୍ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରୁଛନ୍ତି। ବିଗତ ଦିନରେ ଗ୍ରାମର ଶେଷ ଭାଗରେ ଥିବା କୋଠଘର ଓ ମନ୍ଦିର ଆଦି ସମୁଦ୍ର ଗର୍ଭରେ ପଶିଯାଇଛି। ଗତ କିଛିଦିନ ତଳେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ସ୍ଥାୟୀ ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ବୈଷୟିକ ବିଶ୍ଳେଷଣ କରି ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଡିପିଆର୍ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଗତ ଜାନୁଆରିରେ ଚେନ୍ନାଇସ୍ଥିତ ଜାତୀୟ ସମୁଦ୍ର ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ପକ୍ଷରୁ ଆର୍ଯ୍ୟପଲ୍ଲୀ ବେଳାଭୂମି କ୍ଷୟ ଉପରେ ବିଶ୍ଳେଷଣ କରାଯାଇଥିଲା। ତଥାପି କୌଣସି ସୁଫଳ ମିଳି ନଥିବା ଅଭିଯୋଗ ହୋଇଛି। ଗାର୍ଡୱାଲ କାର୍ଯ୍ୟ ଶୀଘ୍ର ନିର୍ମାଣ କରିବାକୁ ଗ୍ରାମବାସୀ ‘ସମ୍ବାଦ’ ସହ ଆଲୋଚନା ବେଳେ ଦାବି ରଖିଛନ୍ତି। ଜଳସେଚନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ବିଭାଗ ପକ୍ଷରୁ ଡ୍ରାଫ୍ଟ ଡିପିଆର୍ ଦାଖଲ ହୋଇଛି। ଆସନ୍ତା ୧୦ ତାରିଖରେ ଚୂଡ଼ାନ୍ତ ଡିପିଆର୍ ଦାଖଲ ହେବ। ଦୁଇରୁ ତିନିମାସ ଭିତରେ ଟେଣ୍ଡର୍ ବାହାରିବ।
Greater Rourkela: ବୃହତ୍ ରାଉରକେଲା ପାଇଁ ଆଶା ଫିଟିଲା; ଆଉଟର୍ ରିଂ ରୋଡ୍ ପାଇଁ ୩ଟି ନକ୍ସା ପ୍ରସ୍ତୁତ

1 month ago
10


