ARTICLE AD BOX
ନୂଆଦିଲ୍ଲୀ: ହାଇକୋର୍ଟ କିମ୍ବା ଜିଲ୍ଲା ଅଦାଲତରେ ମାମଲା ଫଇସଲା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବା ସପକ୍ଷରେ ନାହାନ୍ତି ସୁପ୍ରିମ୍କୋର୍ଟ। ହାଇକୋର୍ଟଗୁଡ଼ିକରେ ମାମଲାର ବୋଝ ଓ ପ୍ରତ୍ୟେକ ବିଚାରପତିଙ୍କ ଦୈନନ୍ଦିନ ତାଲିକାକୁ ବିଚାରକୁ ନେଇ ଏଭଳି ନିର୍ଦ୍ଦେଶ ଦେବା ସମ୍ଭବ ନୁହେଁ ବୋଲି ଶୁକ୍ରବାର ସୁପ୍ରିମ୍କୋର୍ଟ କହିଛନ୍ତି।
ବିଚାରପତି ବିଭି ନାଗରତ୍ନା ଓ ଏଜି ମସିହଙ୍କ ଖଣ୍ଡପୀଠ ଏକ ବୈବାହିକ ବିବାଦ ସମ୍ପର୍କିତ ମାମଲାର ଶୁଣାଣି ବେଳେ ଏହି ମତ ଦେଇଛନ୍ତି। ଆବେଦନକାରୀ ତାଙ୍କ ପାସ୍ପୋର୍ଟ ଫେରାଇବା ସହ ହାଇକୋର୍ଟରେ ଚାଲିଥିବା ମାମଲାର ଶୀଘ୍ର ଶୁଣାଣି ପାଇଁ ସୁପ୍ରିମ୍କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ତାଙ୍କ ଓକିଲ ହାଇକୋର୍ଟଙ୍କୁ ଚାରି ସପ୍ତାହ ମଧ୍ୟରେ ମାମଲା ଫଇସଲା କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ। ତେବେ ବିଚାରପତି ନାଗରତ୍ନା ଏଭଳି ସମୟସୀମା ଧାର୍ଯ୍ୟ କରିବାକୁ ମନା କରିଦେଇଥିଲେ। ବିଚାରପତି ନାଗରତ୍ନା କହିଥିଲେ ଯେ ଜିଲ୍ଲା ବିଚାରପତିମାନଙ୍କୁ ମଧ୍ୟ ମାମଲା ଫଇସଲା ପାଇଁ ନିର୍ଦ୍ଦିଷ୍ଟ ତାରିଖ ଦେବାକୁ ସୁପ୍ରିମ୍କୋର୍ଟ ପସନ୍ଦ କରନ୍ତି ନାହିଁ।
ଏହି ମାମଲାରେ ଆବେଦନକାରୀଙ୍କ ବୈବାହିକ ବିବାଦରୁ ଏକାଧିକ ଆଇନଗତ ପ୍ରକ୍ରିୟା ଚାଲିଥିବା ଓ ତାଙ୍କ ବିରୋଧରେ ଲୁକ୍ଆଉଟ୍ ସର୍କୁଲାର ଜାରି ହୋଇଥିବା କୋର୍ଟଙ୍କୁ ଜଣାଯାଇଥିଲା। ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ଗିରଫ ହୋଇଥିବା ଏବଂ ପାସ୍ପୋର୍ଟ ଜବତ ହୋଇଥିବା ତାଙ୍କ ଓକିଲ କହିଥିଲେ। ହାଇକୋର୍ଟ ମାମଲାର ଶୁଣାଣି ବାରମ୍ବାର ଘୁଞ୍ଚାଇ ଶେଷରେ ଫେବ୍ରୁଆରି ୨୦୨୭କୁ ଧାର୍ଯ୍ୟ କରିଥିଲେ। ତେବେ ସୁପ୍ରିମ୍କୋର୍ଟ ମାମଲାର ଶୀଘ୍ର ଶୁଣାଣି ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟରେ ଆବେଦନ କରିବାର ସ୍ୱାଧୀନତା ଦେଇଛନ୍ତି। ଏଭଳି ଆବେଦନ ହେଲେ ମାମଲାର ପରିସ୍ଥିତି ଓ ଆବେଦନକାରୀ ଅନ୍ତରୀଣ ରିଲିଫ୍ ଚାହୁଥିବା କଥା ବିଚାରକୁ ନେଇ ହାଇକୋର୍ଟ ଶୁଣାଣି ଆଗୁଆ କରିବାକୁ ବିଚାର କରିବେ ବୋଲି ଖଣ୍ଡପୀଠ କହିଛନ୍ତି।
ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ର ୪ ପାଇଲଟ୍ଙ୍କ ସହ ୮ କ୍ରୁ ସଦସ୍ୟ ନିଲମ୍ବିତ

25 minutes ago
2


