ARTICLE AD BOX
ନୂଆଦିଲ୍ଲୀ: ସୋନମ୍ ୱାଙ୍ଗଚୁକ୍ଙ୍କ ଅନଶନ ବର୍ତ୍ତମାନ ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ସୋନମ୍ ଏହାପୂର୍ବରୁ ଲଦାଖକୁ ରାଜ୍ୟ ମାନ୍ୟତା ଦାବିରେ ମଧ୍ୟ ଅନଶନରେ ବସିଥିଲେ। ସୋନମ୍ଙ୍କ ପରିବାର ପାଇଁ ଅନଶନ କିଛି ନୂଆ କଥା ନୁହେଁ। ଅଶୀ ଦଶନ୍ଧିରେ ୱାଙ୍ଗଚୁକ୍ଙ୍କ ବାପା ସୋନମ୍ ୱାଙ୍ଗୟାଲ ଲଦାଖକୁ ଅନୁସୂଚିତ ଜନଜାତି ମାନ୍ୟତା ପ୍ରଦାନ କରିବା ଦାବିରେ ଅନଶନ କରିଥିଲେ। ସେହି ସମୟରେ ଲେହ ଗସ୍ତରେ ଥିବା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ଭେଟିଥିଲେ। ୧୯୮୯ ମସିହାରେ ଏକ ସାମ୍ବିଧାନିକ ଆଦେଶ ଆନୁଷ୍ଠାନିକ ଭାବରେ ଆଠଟି ଲଦାଖୀ ଆଦିବାସୀ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସ୍ଟି) ଭାବରେ ମାନ୍ୟତା ଦେଇଥିଲା। ୱାଙ୍ଗୟାଲ ଲଦାଖ ଲୋକଙ୍କ ପାଇଁ ନୂଆ ନଥିଲେ। ୧୯୬୫ରେ ମାତ୍ର ୨୩ ବର୍ଷ ବୟସରେ ଏଭରେଷ୍ଟ ଶିଖରରେ ପହଞ୍ଚିବାରେ ସେ ସର୍ବ କନିଷ୍ଠ ବ୍ୟକ୍ତି ଥିଲେ।
୧୯୨୩ ମସିହାରେ ଏକ ଗରିବ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିବା ୱାଙ୍ଗୟାଲ ଲଦାଖର ଜଣେ ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ୱ ହୋଇ ଉଠିଥିଲେ। ଜମ୍ମୁ - କାଶ୍ମୀରର ବିଧାନ ପରିଷଦ ଓ ପରେ ବିଧାୟକ ଓ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ୧୯୮୦ ଦଶକରେ ଲଦାଖକୁ ଅନୁସୂଚିତ ଜନଜାତିର ମାନ୍ୟତା ପାଇଁ ଚାଲିଥିବା ଅଭିଯାନରେ ସକ୍ରିୟ ଥିଲେ। ୧୯୮୪ ମସିହାରେ ୱାଙ୍ଗୟାଲ ଅନୁସୂଚିତ ଜନଜାତିର ମାନ୍ୟତା ଦାବିକୁ ଆଗକୁ ବଢ଼ାଇବା ପାଇଁ ଅନଶନ କରିଥିଲେ। ଏହି ଘଟଣା ୧୯୮୪ ମସିହାରେ ଲେହ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଲଦାଖର ଏସ୍ଟି ଆନ୍ଦୋଳନର ଏକ ଅଧ୍ୟୟନରେ ୱାଙ୍ଗୟାଲଙ୍କ ଅନଶନ ଓ ୧୯୮୪ର ହସ୍ତକ୍ଷେପ ସମ୍ପର୍କରେ ରେକର୍ଡ କରାଯାଇଛି। ତେବେ ଅନଶନ ଶେଷ ହୋଇଥିଲେ ମଧ୍ୟ ପ୍ରତିଶ୍ରୁତି ତୁରନ୍ତ ପୂରଣ ହୋଇନଥିଲା କି ସଂଘର୍ଷ ଶେଷ ହୋଇନଥିଲା। ପାଞ୍ଚ ବର୍ଷ ପରେ ଲଦାଖର ଦାବିକୁ ସାମ୍ବିଧାନିକ ମାନ୍ୟତା ମିଳିଥିଲା ଓ ରାଜ୍ୟର ଆଠଟି ସମ୍ପ୍ରଦାୟ ବାଲ୍ଟି, ବେଡା, ବୋଟ୍/ବୋଟୋ, ବ୍ରୋକପା, ଚାଙ୍ଗପା, ଗରା, ମୋନ୍ ଓ ପୁରିଗ୍ପାକୁ ଆନୁଷ୍ଠାନିକ ଭାବରେ ଅନୁସୂଚିତ ଜନଜାତି ଭାବରେ ମାନ୍ୟତା ମିଳିଥିଲା। ସୋନମ ୱାଙ୍ଗୟାଲଙ୍କ ଅନଶନର ଚାରି ଦଶନ୍ଧିରୁ ଅଧିକ ସମୟ ପରେ ତାଙ୍କ ପୁଅ ସୋନମ ୱାଙ୍ଗଚୁକ୍ ଅନଶନକୁ ଦାବି ପୂରଣର ମାଧ୍ୟମ କରିଛନ୍ତି।

2 weeks ago
8


