ARTICLE AD BOX
ରାୟଗଡ଼ା: ସାହିତ୍ୟକୁ ଛାଡ଼ି କୌଣସି ଭାଷା ବଞ୍ଚିପାରିବ ନାହିଁ। ଭାଷାର ସମୃଦ୍ଧି ନ ହେଲେ ଏ ଜାତି ବଳିଷ୍ଠ ହୋଇପାରିବ ନାହିଁ। ଗଣମାଧ୍ୟମ କ୍ଷଣ ସ୍ଥାୟୀ, କିନ୍ତୁ ସାହିତ୍ୟ ଦୀର୍ଘ ସ୍ଥାୟୀ। ଆଜି ଅନେକ ଲେଖା ମଞ୍ଚ ପାଇଁ ଲେଖା ହେଉଛି, ସମାଜ ପାଇଁ ନୁହେଁ। ଯାହା ଭାଷା, ସାହିତ୍ୟର ସୁରକ୍ଷା ପାଇଁ ଶୁଭଙ୍କର ନୁହେଁ। ‘ସମ୍ବାଦ’ର ରାୟଗଡ଼ା ସାହିତ୍ୟ ସମାରୋହରେ ଯୋଗ ଦେଇ ଏଭଳି ମତପ୍ରକାଶ କରିଛନ୍ତି ଅତିଥିଗଣ।
Neglect: ୪ ମାସରେ ୩ ଜୁଆଙ୍ଗ ଶିଶୁ ମୃତ, କାରଣ ଖୋଜି ପାରୁନି ପ୍ରଶାସନ
‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକଙ୍କ ସଭାପତିତ୍ବରେ ରାୟଗଡ଼ା ‘ମିଟ୍ସ’ କଲେଜରେ ଆୟୋଜିତ ଏହି ସମାରୋହରେ ବିଶିଷ୍ଟ ଅତିଥି ଭାବେ ଶିକ୍ଷାବିତ ଡ.ଦୁଷ୍ମନ୍ତ କୁମାର ମହାନ୍ତି ଯୋଗ ଦେଇ କହିଲେ, ଜୀବନରେ ଉତଥାନ ପତନ ନଥିଲେ ସାହିତ୍ୟ ସୃଷ୍ଟି ହୋଇନଥାନ୍ତା। ସମାଜକୁ ଆଗକୁ ବଢ଼ିବା ପାଇଁ ହେଲେ ଆମ ଭାଷା ସମୃଦ୍ଧ ହେବା ନିହାତି ଆବଶ୍ୟକ। ସମ୍ମାନିତ ଅତିଥି ପ୍ରାଧ୍ୟାପିକା ତଥା ସୁଲେଖିକା ଡ. ପ୍ରୀତିଧାରା ସାମଲ କହିଲେ, ଯିଏ ମଣିଷକୁ ଭଲ ପାଏ ସିଏ ସାହିତ୍ୟକୁ ଭଲ ପାଏ। ଏବେ ଭାଷା ସହ ସଂସ୍କୃତିର ଯେଭଳି ଅବକ୍ଷୟ ହେଉଛି ତାହା ଜାରି ରହିଲେ ଆସନ୍ତା ୨୦ ବର୍ଷ ପରେ ଆମ ଭାଷା ଓ ସଂସ୍କୃତି ମରିଯାଇଥିବ। ‘ପଞ୍ଚବଟି’ ପତ୍ରିକାର ସଂପାଦକ ସୁଶାନ୍ତ କୁମାର ନାୟକ କହିଥିଲେ, ସାହିତ୍ୟ ବିନା ସମ୍ବାଦପତ୍ରର ଅସ୍ତିତ୍ବ ନାହିଁ। ସମାଜ ଗଠନରେ ସମ୍ବାଦପତ୍ରର ଭୂମିକା ରହିଥିବାରୁ ସାହିତ୍ୟକୁ ଆୟୁଧ କରି କାମ କଲେ ଭାଷା ଅଧିକ ସମୃଦ୍ଧ ହୋଇପାରିବ। ‘ମିଟ୍ସ’ ଗ୍ରୁପ୍ର ଅଧ୍ୟକ୍ଷ ବାଳକୃଷ୍ଣ ପଣ୍ଡା କହିଲେ, ମଣିଷ ଜୀବନରେ ଆଗକୁ ବଢ଼ିବାକୁ ହେଲେ ସାହିତ୍ୟର ଆବଶ୍ୟକତା ରହିଛି। ରାୟଗଡ଼ା ଜିଲ୍ଲାରେ ବହୁ ସାହିତ୍ୟ ସାଧକ ଅଛନ୍ତି। ଏହି ଅବସରରେ ଏଠାରେ ସାହିତ୍ୟର ପୃଷ୍ଠଭୂମି ଗଠନ କରିବା ପାଇଁ ‘ସମ୍ବାଦ’ ସମ୍ପାଦକଙ୍କୁ ଶ୍ରୀ ପଣ୍ଡା ନିବେଦନ କରିଥିଲେ।
Congress: ଭଦ୍ରକଜିଲ୍ଲା କଂଗ୍ରେସ କମିଟିରେ ୫୧ କର୍ମକର୍ତ୍ତା, ୨୫ କାର୍ଯ୍ୟକାରିଣୀ କମିଟିକୁ ମନୋନୀତ
‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ବାର୍ତ୍ତା ସଂପାଦକ ଭବାନୀ ଶଙ୍କର ତ୍ରିପାଠୀ ସ୍ବାଗତ ଅଭିଭାଷଣରେ କହିଲେ, ସାହିତ୍ୟିକମାନେ ମଞ୍ଚରେ ବସିବା କିମ୍ବା ପୁରସ୍କାର ପାଇବା ପାଇଁ ଲେଖିଲେ ସମାଜ ତିଷ୍ଠି ପାରିବ ନାହିଁ। ବିବେକ-ସାହିତ୍ୟ ମଧ୍ୟରେ ଦୂରତା ଯେତେ ବଢ଼ିବ ସମାଜ ସେତିକି ଦୂରେଇ ଯିବ ବୋଲି ଦର୍ଶାଇ ଶ୍ରୀ ତ୍ରିପାଠୀ ଗଠନମୂଳକ ସାହିତ୍ୟ ସଂରଚନା ଉପରେ ଗୁରୁତ୍ବାରୋପ କରିଥିଲେ। ସଭାପତିତ୍ବ ଅଭିଭାଷଣରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ କହିଥିଲେ ଯେ ସୀମାନ୍ତରେ ଆମ ଭାଷାର ପ୍ରାଧାନ୍ୟ କମିବାରେ ଲାଗିଛି। କଟକ, ଭୁବନେଶ୍ବରରେ ବସି ଭାଷା କଥା ଚିନ୍ତା କଲେ ହେବନି। ଉପାନ୍ତ ଅଞ୍ଚଳରେ ଭାଷାର ସ୍ଥିତି ଜାଣିବା ପାଇଁ ରାୟଗଡ଼ା ଜିଲ୍ଲାରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହାକୁ ଅନ୍ତରରୁ ବୁଝିବାକୁ ପଡ଼ିବ ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରକାଶ କରି ମାତୃଭାଷାକୁ ଆହୁରି ରୁଦ୍ଧିମନ୍ତ ଓ ବହୁଳ ବ୍ୟବହାର କରିବାକୁ ଆହ୍ବାନ ଦେଇଥିଲେ। ‘ସମ୍ବାଦ’ ଜୟପୁର ସଂସ୍କରଣ ମୁଖ୍ୟ ନବୀନ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରାୟଗଡ଼ା ଜିଲ୍ଲା ପ୍ରତିନିଧି କେ.ଶିବପ୍ରସାଦ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ।

1 week ago
6


