Dcp Meena's job: ମୀନାଙ୍କ ଚାକିରିରେ ପୂର୍ଣ୍ଣଚ୍ଛେଦ: ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି

55 minutes ago 2
ARTICLE AD BOX

ଭୁବନେଶ୍ୱର: ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ତାଙ୍କ ଇସ୍ତଫାକୁ ମଞ୍ଜୁର କରିଥିବା ନେଇ ବିଜ୍ଞପ୍ତି ପ୍ରକାଶ ହୋଇଛି। ରାଷ୍ଟ୍ରପତି ଶ୍ରୀ ମୀନାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଏହା ଚଳିତ ସେପ୍ଟେମ୍ବର ୧୧ ତାରିଖରୁ କାର୍ଯ୍ୟକାରୀ ହୋଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି। ଫଳରେ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଶ୍ରୀ ମୀନାଙ୍କ ୧୩ ବର୍ଷର ସର୍ବଭାରତୀୟ ପୁଲିସ ସେବା କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ଶ୍ରୀ ମୀନା ୨୦୨୫ ମସିହା ଫେବ୍ରୁଆରି ୨୮ ତାରିଖରେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଥିଲେ। ଡିସିପି ଭାବେ ଏକ ବର୍ଷ ୫ ମାସ ଧରି କାର୍ଯ୍ୟ କରିବା ପରେ ଗତ ଜୁଲାଇ ମାସରେ ବ୍ୟକ୍ତିଗତ କାରଣ ଦର୍ଶାଇ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ। ପାଖାପାଖି ମାସେ କାଳ ଧରି ତାଙ୍କ ଫାଇଲ୍‌ ଆଗକୁ ନ ବଢ଼ିବାରୁ ଅନେକ 

ଦିଗକୁ ନେଇ ଚର୍ଚ୍ଚା ହୋଇଥିଲା। ରାଜ୍ୟ ସରକାର ତାଙ୍କୁ ବୁଝାଇବାକୁ ଉଦ୍ୟମ କରୁଛନ୍ତି ଏବଂ ଶ୍ରୀ ମୀନା ଇସ୍ତଫା ଆବେଦନ ପ୍ରତ୍ୟାହାର କରିପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ସେଭଳି କିଛି ହେଲା ନାହିଁ। ଗତ ଅଗଷ୍ଟ ୨୭ ତାରିଖରେ ରାଜ୍ୟ ସରକାର ଇସ୍ତଫାପତ୍ର ଗ୍ରହଣ କରି ଏନ୍‌ଓସି ପାଇଁ ଗୃହ ମନ୍ତ୍ରଣାଳୟକୁ ଫାଇଲ ପଠାଇଥିଲେ।

ରାଜସ୍ଥାନ ସିକର ଜିଲ୍ଲାର ମୂଳ ବାସିନ୍ଦା ଶ୍ରୀ ମୀନା ଛାତ୍ର ଜୀବନରେ ଅତ୍ୟନ୍ତ ମେଧାବୀ ଥିଲେ। ଆଇଆଇଟି କାନପୁରରୁ ସେ ଏରୋସ୍ପେସ୍‌ ଇଞ୍ଜିନିୟରିଂରେ ବିଟେକ୍‌ ଓ ଏମ୍‌ଟେକ୍ କରିଛନ୍ତି। ପରେ ସେ ୟୁପିଏସ୍‌ସି ସିଭିଲ ସର୍ଭିସ୍‌ ପରୀକ୍ଷାରେ ସଫଳ ହୋଇ ୨୦୧୩ ବ୍ୟାଚ୍‌ର ଆଇପିଏସ ଅଧିକାରୀ ହୋଇଥିଲେ। ପ୍ରଶିକ୍ଷଣ ପରେ ପ୍ରଥମେ କଳାହାଣ୍ଡି ଏସ୍‌ଡିପିଓ ଭାବେ ନିଯୁକ୍ତି ପାଇଥିଲେ। ପରେ ସେ ମାଲକାନଗିରି, ଅନୁଗୁଳ, ଗଞ୍ଜାମ ଆଦି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ଏସ୍‌ପି ଦାୟିତ୍ୱ ତୁଲାଇଥିଲେ। ମାଲକାନଗିରି ଭଳି ମାଓବାଦୀ ପ୍ରଭାବିତ ଜିଲ୍ଲାରେ ନକ୍ସଲ ବିରୋଧୀ ଅପରେସନ୍‌ ଓ ଆଭ୍ୟନ୍ତରୀଣ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ତାଙ୍କର ବେଶ୍ ଅଭିଜ୍ଞତା ରହିଛି। ପରେ ସେ କଟକ ଡିସିପି ଏବଂ ୨୦୨୫ ଫେବ୍ରୁଆରି ୨୮ରେ ଭୁବନେଶ୍ୱର ଡିସିପି ଦାୟିତ୍ୱ ନେଇଥିଲେ। 

ମାତ୍ର ୩୭ ବର୍ଷ ବୟସରେ ଏବଂ ଆଗକୁ ଡିଆଇଜି ପାହ୍ୟାକୁ ପଦୋନ୍ନତିର ସମ୍ଭାବନା ଥିବା ସମୟରେ ସେ କାହିଁକି ଆଇପିଏସ୍‌ ଭଳି ଲୋଭନୀୟ ଚାକିରି ଛାଡ଼ିଲେ ତାହା ଏବେ ବି ଅସ୍ପଷ୍ଟ। ଅତ୍ୟଧିକ କାମ ଚାପ, ରାଜନୈତିକ ହସ୍ତକ୍ଷେପ କିମ୍ବା କୌଣସି ନିର୍ଦ୍ଦିଷ୍ଟ ଘଟଣା ହିଁ ତାଙ୍କ ଇସ୍ତଫାର କାରଣ ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ଶ୍ରୀ ମୀନା ନିଜେ ଏହାକୁ ଖଣ୍ଡନ କରି କହିଥିଲେ ଯେ ତାଙ୍କ ନିଷ୍ପତ୍ତିରେ କୌଣସି ବାହ୍ୟ କିମ୍ବା ରାଜନୈତିକ ଚାପ ନାହିଁ। ପରିବାର ଓ ବନ୍ଧୁମାନଙ୍କ ସହ ଆଲୋଚନା ପରେ ସେ ଏହି ନିଷ୍ପତ୍ତି ନେଇଥିବା କହିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.