Environment: ପରିବେଶ ପାଇଁ ସମର୍ପିତ ସାରା ଗଁାର ମହିଳା: ସ୍ବଚ୍ଛତା, ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟୁଛନ୍ତି

1 hour ago 2
ARTICLE AD BOX

ଅନୁଗୋଳ(ପତିତପାବନ ସାହୁ ): ପ୍ରତି ମାସ ଶେଷ ରବିବାର ଦିନ ଏକାଠି ହେଉଛନ୍ତି ଗାଁର ପ୍ରତ୍ୟେକ ଘରର ମହିଳାମାନେ। ସମସ୍ତଙ୍କ ହାତରେ କୋଡ଼ି, କୋଦାଳ ଓ ଝାଡ଼ୁ। ଆରମ୍ଭ ହେଉଛି ଗାଁ ସଫେଇ। ରାସ୍ତାରୁ ପଡ଼ିଆ ପର୍ଯ୍ୟନ୍ତ ସବୁ କିଛି ସଫା କରୁଛନ୍ତି। ‘ସ୍ବଚ୍ଛତା ରକ୍ଷା, ପରିବେଶ ସୁରକ୍ଷା’ ବାର୍ତ୍ତା ନେଇ ଏମିତି ଏକ ଅଭିଯାନ ଆରମ୍ଭ କରିଛନ୍ତି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍‌ ରାଉତାଳ ଗାଁର ମହିଳା। ଶତାଧିକ ମହିଳା ଏକ ସମିତି ଗଠନ କରି ଗାଁ ପରିବେଶକୁ ସ୍ବଚ୍ଛ ରଖିବା ସହ ପଲିଥିନ୍‌ ବ୍ୟବହାର କମାଇବା ଏବଂ ବୃକ୍ଷରୋପଣ ଭଳି କାମ ହାତକୁ ନେଇଛନ୍ତି।

AFC Champions League 2: ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍‌-୨: ଇଷ୍ଟ ବେଙ୍ଗଲକୁ ଐତିହାସିକ ପଏଣ୍ଟ୍‌

ବଅଁରପାଳ ବ୍ଲକ୍‌ ବଡ଼ହିଂସର ପଞ୍ଚାୟତର ରାଉତାଳ ଗାଁ। ପାହାଡ଼ ତଳେ ଥିବାରୁ ଏହି ଗାଁଟି ସବୁବେଳେ ଅପରିଷ୍କାର ହେଉଥିଲା। ଗାଁମୁଣ୍ଡରେ ଅଳିଆ, ଆବର୍ଜନା ଗଦା ହେବା ସହ ପଲିଥିନ୍‌, ପାଣି ବୋତଲ, ଫାଷ୍ଟଫୁଡ୍‌ ଜରି ଆଦି ଜମାହୋଇ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିଲା। ଗାଁର ପ୍ରବେଶ ପଥରେ ଏମିତି ଅଳିଆ ଦେଖି କିଛି ମହିଳା ଏହାକୁ ସଫା କରିବାକୁ ବାହାରିଥିଲେ। ପରେ ସେମାନଙ୍କ ସହ ଅନ୍ୟ ମହିଳାମାନେ ଯୋଡ଼ିହେଲେ। ଏବେ ଏହା ଏକ ଆନ୍ଦୋଳନରେ ପରିଣତ ହୋଇଛି। ଗାଁରେ ୧୬୦ଟି ପରିବାର ରହୁଥିବା ବେଳେ ପ୍ରତି ପରିବାରରୁ ଜଣେ ଜଣେ ମହିଳାଙ୍କୁ ନେଇ ଗଠନ କରାଯାଇଛି ରାଉତାଳ ମହିଳା ସମିତି।  ଏହି ସମିତି ପକ୍ଷରୁ ପ୍ରତି ମାସର ଶେଷ ରବିବାର ଦିନ ସଫେଇ କାର୍ଯ୍ୟ କରାଯାଉଛି। ପ୍ରଥମେ ଗାଁ ଦାଣ୍ଡକୁ ସଂପୂର୍ଣ୍ଣ ପରିଷ୍କାର ପରେ ଅନ୍ୟ ଯେକୌଣସି ଗୋଟିଏ ସ୍ଥାନକୁ ସଫା କରୁଛନ୍ତି। କେଉଁଦିନ ନଳକୂପ ପିଣ୍ଡି ତ କେଉଁଦିନ ଗାଁ ପଡ଼ିଆ। ଏମିତି ବିଭିନ୍ନ ପାଳିରେ ‌ପୋଖରୀ, ପଡ଼ିଆ, ଡ୍ରେନ୍‌, ବିଦ୍ୟାଳୟ ଆଦି ସଫା କରୁଛନ୍ତି। ମହିଳାଙ୍କ ଏମିତି କାର୍ଯ୍ୟ ଦେଖି ଗାଁର ଯୁବଗୋଷ୍ଠୀ ମଧ୍ୟ ସହାୟତା କରିବାକୁ ଆଗକୁ ଆସିଲେଣି।

Horoscope 2026 September 18: ଜାଣନ୍ତୁ ଆଜିର ରାଶିଫଳ...

ମହିଳାମାନେ କେବଳ ସ୍ବଚ୍ଛତା ପାଇଁ ଶପଥ ନେଇ ନାହାନ୍ତି, ବରଂ ପରିବେଶ ସୁରକ୍ଷାକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି। ଏଥିପାଇଁ ଗାଁରେ ଥିବା ଏକ ଖାଲି ପଡ଼ିଆରେ ୫୦ଟି ବରଗଛ ଲଗାଇଛନ୍ତି। ଆଗକୁ ଅଧିକ ବୃକ୍ଷରୋପଣ କରିବା ସହ ଗାଁକୁ ସବୁଜବଳୟ ଭିତରେ ରଖିବାକୁ ଲକ୍ଷ୍ୟ ରଖିଛନ୍ତି। ଏପଟେ ପଲିଥିନ୍‌ ବିରୋଧରେ ଜନସଚେତନତା ସୃଷ୍ଟି କରାଯାଉଛି। ନିଜେ ବ୍ୟାଗ୍‌ ବ୍ୟବହାର କରିବା ସହ ଦୋକାନଗୁଡ଼ିକରେ ପଲିଥିନ୍‌ ବ୍ୟବହାର କମ୍‌ କରିବାକୁ ବୁଝାଉଛନ୍ତି। ସମିତିର ବରିଷ୍ଠ ସଦସ୍ୟା ଶାନ୍ତିଲତା ସାହୁଙ୍କ କହିବାନୁଯାୟୀ, ବର୍ଷକ ତଳେ ଗାଁ ପରିବେଶ ଦେଖି ମହିଳାମାନେ ଏହାକୁ ସଫା କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ଏଥିରେ ଗାଁର ସମସ୍ତ ମହିଳା ଯୋଡ଼ି ହେବା ପରେ ସଫେଇ କାର୍ଯ୍ୟ ବ୍ୟାପକ ହୋଇଛି। ମହିଳା ସମିତି ସଭାପତି ସୁନୀତା ବିଶ୍ବାଳ କହିଛନ୍ତି, ସଫେଇ କାର୍ଯ୍ୟ ସହ ଏବେ ବୃକ୍ଷରୋପଣ କରୁଛୁ। ଗାଁକୁ ସ୍ବଚ୍ଛ, ସବୁଜ କରି ଏକ ଆଦର୍ଶ ଗାଁରେ ପରିଣତ କରିବାକୁ ମହିଳାମାନେ ନିଷ୍ପତ୍ତି ନେଇଛନ୍ତି। ଆଗକୁ ଗାଁରେ ପଲିଥିନ୍‌ ବ୍ୟବହାର ବନ୍ଦ କରିବାକୁ ଉଦ୍ୟମ କରିବା ସହ ପରିବେଶ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବୁ। ରାଉତାଳ ଗାଁର ଏହି ମହିଳାମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏହି ମହିଳା ପରିବେଶ ଯୋଦ୍ଧାମାନଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.