Rath Yatra: ବିଭିନ୍ନ ଯାତ୍ରାରେ ଶ୍ରୀଜଗନ୍ନାଥଙ୍କର ଭିନ୍ନ ଭିନ୍ନ ନାମ କାହିଁକି?

2 weeks ago 10
ARTICLE AD BOX

ଶ୍ରୀଜଗନ୍ନାଥଙ୍କ ତିନି ପ୍ରମୁଖ ଯାତ୍ରା- ଦୋଳଯାତ୍ରା, ଚନ୍ଦନଯାତ୍ରା ଓ ଶ୍ରୀଗୁଣ୍ଡିଚାଯାତ୍ରାକୁ ନେଇ ଗୋଟିଏ ଲୋକପ୍ରିୟ ଶ୍ଳୋକ ପ୍ରଚଳିତ। ତାହା ହେଉଛି-

ଦୋଳେ ଚ ଦୋଳଗୋବିନ୍ଦଂ
ଚାପେ ଚ ମଧୁସୂଦନମ୍‌।
ରଥେ ତୁ ବାମନଂ ଦୃଷ୍ଟ୍ଵା
ପୁନର୍ଜନ୍ମ ନ ବିଦ୍ୟତେ।।

ଏହାର ଅର୍ଥ, ଦୋଳବେଦୀରେ ଦୋଳଗୋବିନ୍ଦରୂପୀ ଶ୍ରୀଜଗନ୍ନାଥ, ଚନ୍ଦନଯାତ୍ରାର ଚାପରେ ମଧୁସୂଦନରୂପୀ ଶ୍ରୀଜଗନ୍ନାଥ ଏବଂ ରଥରେ ବାମନରୂପୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏନାହିଁ। ଅର୍ଥାତ୍‌ ଏ ସଂସାର-ଚକ୍ରରୁ ମୁକ୍ତି ମିଳିଯାଏ।

ଏ ପ୍ରସଙ୍ଗରେ ମନକୁ ପ୍ରଶ୍ନ ଆସେ, ବିଭିନ୍ନ ଯାତ୍ରାରେ ଶ୍ରୀଜଗନ୍ନାଥଙ୍କର ଏପରି ଭିନ୍ନ ଭିନ୍ନ ନାମ କାହିଁକି? ଏହାର ଉତ୍ସ କ’ଣ? ଏହାର କିଛି ଶାସ୍ତ୍ରୀୟ ଭିତ୍ତି ଅଛି କି?

ଏ ବାବଦରେ ଅନୁଧ୍ୟାନରୁ ଜଣାଯାଏ, ମହର୍ଷି ବ୍ୟାସଦେବକୃତ ସଂସ୍କୃତ ‘ମହାଭାରତ’ର ‘ଅନୁଶାସନ ପର୍ବ’ ହିଁ ଏହାର ମୂଳ ଉତ୍ସ। ତାହାର ନବାଧିକ ଶତତମ (୧୦୯) ଅଧ୍ୟାୟରେ ଯୁଧିଷ୍ଠିର ଭୀଷ୍ମଙ୍କୁ ପଚାରିଛନ୍ତି- ପିତାମହ! ସମସ୍ତ ଉପବାସ ମଧ୍ୟରେ ଯାହା ସବୁଠୁ ଶ୍ରେଷ୍ଠ ଓ ମହାନ ଫଳଦାୟକ, ଏବଂ ଯେଉଁ ବିଷୟରେ ଲୋକଙ୍କ ମନରେ କୌଣସି ସଂଶୟ ନାହିଁ- ତାହା ମୋତେ କହନ୍ତୁ! ତାହାର ଉତ୍ତରରେ ପିତାମହ ଭୀଷ୍ମ ପ୍ରତ୍ୟେକ ମାସର ଦ୍ଵାଦଶୀ ତିଥିରେ ଉପବାସ ଏବଂ ଭଗବାନ ବିଷ୍ଣୁଙ୍କ ପୂଜାର ବିଶେଷ ମାହାତ୍ମ୍ୟ ସଂପର୍କରେ ତାଙ୍କୁ କହିଛନ୍ତି। ତାହା ନିଜେ ସ୍ୱୟଂଭୂ ବିଷ୍ଣୁ କହିଛନ୍ତି ଏବଂ ତାହାର ପାଳନ କଲେ ପୁରୁଷ ପରମ ସୁଖୀ ହୋଇଥାଏ ବୋଲି ମଧ୍ୟ ସେ ସୂଚିତ କରିଛନ୍ତି।

ସେହି ପ୍ରସଙ୍ଗରେ ଭଗବାନ ବିଷ୍ଣୁଙ୍କର ବାରମାସର ବାରଟି ଭିନ୍ନ ଭିନ୍ନ ନାମର ଉଲ୍ଲେଖ କରାଯାଇଛି। ସେହି ନାମଗୁଡ଼ିକ ହେଉଛି- ୧. ମାର୍ଗଶିର ମାସରେ ‘କେଶବ’, ୨. ପୌଷ ମାସରେ ‘ନାରାୟଣ’, ୩. ମାଘ ମାସରେ ‘ମାଧବ’, ୪. ଫାଲଗୁନ ମାସରେ ‘ଗୋବିନ୍ଦ’, ୫. ଚୈତ୍ର ମାସରେ ‘ବିଷ୍ଣୁ’, ୬. ବୈଶାଖ ମାସରେ ‘ମଧୁସୂଦନ’, ୭. ଜ୍ୟେଷ୍ଠ ମାସରେ ‘ତ୍ରିବିକ୍ରମ’, ୮. ଆଷାଢ଼ ମାସରେ ‘ବାମନ’, ୯. ଶ୍ରାବଣ ମାସରେ ‘ଶ୍ରୀଧର’, ୧୦. ଭାଦ୍ରବ ମାସରେ ‘ହୃଷିକେଶ’ ଓ ୧୧. ଆଶ୍ୱିନ ମାସରେ ‘ପଦ୍ମନାଭ’ ଓ ୧୨. କାର୍ତ୍ତିିକ ମାସରେ ‘ଦାମୋଦର’।

Rath Yatra: ରଥଯାତ୍ରା ପାଇଁ ଟ୍ରାଫିକ୍‌ ବ୍ୟବସ୍ଥା

ଏଣୁ ଫାଲଗୁନ ମାସରେ ଦୋଳଯାତ୍ରା ହେଉଥିବାରୁ, ସେଥିରେ ଶ୍ରୀଜଗନ୍ନାଥ ଦୋଳଗୋବିନ୍ଦ ରୂପେ, ଚନ୍ଦନଯାତ୍ରା ବୈଶାଖ ମାସରେ ହେଉଥିବାରୁ ସେଥିରେ ସେ ମଧୁସୂଦନ ରୂପେ ଏବଂ ରଥଯାତ୍ରା ଆଷାଢ଼ ମାସରେ ହେଉଥିବାରୁ ସେଥିରେ ସେ ବାମନ ରୂପେ ଅଭିହିତ ହୋଇଥାଆନ୍ତି। ଏହି ଦୃଷ୍ଟିରୁ ରଥରେ ବାମନଙ୍କୁ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏନାହିଁ ବୋଲି ବିଶ୍ୱାସ ରହିଆସିଛି।

ଏ ସଂପର୍କରେ ଜଣାଯାଏ ଯେ ପରବର୍ତ୍ତୀ କାଳରେ ଭଗବାନ ବିଷ୍ଣୁଙ୍କ ସଂପର୍କିତ ସ୍ଥାନୀୟ ଉତ୍ସବଗୁଡ଼ିକରେ ଏହାକୁ ଆଧାର ରୂପେ ଗ୍ରହଣ କରାଯାଇଛି। ବିଭିନ୍ନ ମାସର ଉତ୍ସବରେ ସଂପୃକ୍ତ ଦେବତାଙ୍କର ଭିନ୍ନ ଭିନ୍ନ ନାମକୁ ଉତ୍ସବ ସହ ଯୋଡ଼ା ଯାଇଛି। ସେହି ଅନୁସାରେ ରଥଯାତ୍ରାରେ ଶ୍ରୀଜଗନ୍ନାଥଙ୍କର ‘ବାମନ’ ନାମ ଆସିଛି।

ତେବେ ପଞ୍ଚମ ଶତାବ୍ଦୀର ‘ନାରଦ ପଞ୍ଚରାତ୍ର’ରେ ଏହାର ଉଲ୍ଲେଖ ଦେଖାଯାଏ। ତାହାର ଦ୍ଵିତୀୟ ରାତ୍ର, ୧୪-୧୫ ଶ୍ଳୋକରେ ‘‘ରଥସ୍ଥଂ ବାମନଂଶ୍ଚୈବ ନିର୍ବାଣଂ ଦୃଷ୍ଟିମାତ୍ରତଃ’’ ବୋଲି କୁହାଯାଇଛି। ଏହାର ଅର୍ଥ- ରଥରେ ବାମନଙ୍କର ଦର୍ଶନ ମାତ୍ରେ ନିର୍ବାଣ ବା ମୁକ୍ତି ମିଳିଥାଏ। ଏଥିରୁ ପଞ୍ଚମ ଶତାବ୍ଦୀ ବେଳକୁ ରଥ ସହିତ ବାମନ ବିଷ୍ଣୁଙ୍କର ସଂପର୍କ ସ୍ଥାପିତ ହୋଇସାରିଥିବା ଜଣାଯାଏ। ସେହିପରି ଆଉ ଗୋଟିଏ ଶ୍ଳୋକ ମଧ୍ୟ ଅଛି- ‘‘ମଧୁସୂଦନୋ ବୈଶାଖେ ଜ୍ୟେଷ୍ଠେ ତ୍ରିବିକ୍ରମ ପତିଃ / ଆଷାଢ଼େ ବାମନାଧୀଶଃ ଶ୍ରାବଣେ ଶ୍ରୀଧର ସ୍ମୃତଃ’’। କିନ୍ତୁ ଏହାର ଉତ୍ସ ସଂପର୍କରେ କୌଣସି ସୂଚନା ମିଳେନାହିଁ।

କିନ୍ତୁ ଶ୍ରୀଜଗନ୍ନାଥଙ୍କ ଦ୍ଵାଦଶ ଯାତ୍ରା ପ୍ରସଙ୍ଗରେ ‘ନୀଳାଦ୍ରି ମହୋଦୟ’ ପରି ଆଉ ଯେଉଁ ଗ୍ରନ୍ଥକୁ ଗୁରୁତ୍ଵ ଦିଆଯାଏ, ତାହା ହେଉଛି ‘ବାମଦେବ ସଂହିତା’। ଏହାର ଷୋଡ଼ଶ ଅଧ୍ୟାୟ, ୨୮ ଶ୍ଳୋକରେ କୁହାଯାଇଛି- ରଥରେ ବିରାଜମାନ କରିଥିବା ସମୟରେ ବାମନରୂପୀ ଜଗନ୍ନାଥଙ୍କୁ, ସଂକର୍ଷଣ ରୂପୀ ବଳଭଦ୍ରଙ୍କୁ ଓ ଭଦ୍ରଦାୟିନୀ ସୁଭଦ୍ରା ଦେବୀଙ୍କୁ ଯେଉଁମାନେ ସବାନ୍ଧବ ଦର୍ଶନ କରନ୍ତି, ସେମାନେ ନିଶ୍ଚିତ ଭାବରେ ବୈକୁଣ୍ଠ ପ୍ରାପ୍ତ ହୁଅନ୍ତି।

-ଅସିତ ମହାନ୍ତି

Read Entire Article
LEFT SIDEBAR AD

Hidden in mobile, Best for skyscrapers.