ARTICLE AD BOX
ଭୁବନେଶ୍ୱର: ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ପରିବେଶ ପ୍ରଦୂଷଣର ମନିଟରିଂ ହେବ। କେଉଁ ସଂସ୍ଥା କେତେ ପ୍ରଦୂଷଣ କରୁଛନ୍ତି, କଟକଣା ମାନୁଛନ୍ତି କି ନାହିଁ, ଜଳ ଓ ବାୟୁ ପ୍ରଦୂଷଣ ରୋକିବା ଦିଗରେ କିଭଳି ପଦକ୍ଷେପ ନେଉଛନ୍ତି ତାହାର ଡ୍ରୋନ୍ ବେସ୍ଡ ଏବଂ ଏଆଇ(କୃତ୍ରିମ ବୁଦ୍ଧିମତା) ଚାଟ୍ବାଟ୍ ମାଧ୍ୟମରେ ମନିଟରିଂ କରାଯିବ। ଏଥିପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି)ର ୪୩ତମ ପ୍ରତିଷ୍ଠା ଦିବସରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏହି ମନିଟରିଂ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ କାର୍ଯ୍ୟକ୍ରମରେ କଟକ, କୋରାପୁଟ, ଝାରସୁଗୁଡ଼ା ଓ ସମ୍ବଲପୁରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ଭବନ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଲେ, ୪୩ ବର୍ଷ ଧରି ବୋର୍ଡ ପରିବେଶ ସୁରକ୍ଷା ପ୍ରତି ନିଜର ଦାୟିତ୍ୱ ନିଷ୍ଠା ଓ ସ୍ୱଚ୍ଛତାର ସହ ନିର୍ବାହ କରୁଛି। ପ୍ରମୁଖ ସହର ଓ ଶିଳ୍ପାଞ୍ଚଳରେ ବାୟୁ ଗୁଣବତ୍ତା ନିରୀକ୍ଷଣ, ନଦୀ ଓ ଜଳାଶୟର ଜଳ ପରୀକ୍ଷା, ଶିଳ୍ପ ବର୍ଜ୍ୟଜଳ ଉପରେ ନଜର ଏବଂ ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁର ସୁପରିଚାଳନା ଦିଗରେ ବୋର୍ଡ କାର୍ଯ୍ୟ କରୁଛି। ଡିଜିଟାଲ୍ ବ୍ୟବସ୍ଥା ଦ୍ୱାରା ଅନୁମତି ପ୍ରକ୍ରିୟା ଅଧିକ ସହଜ, ଦ୍ରୁତ ଓ ସ୍ୱଚ୍ଛ ହୋଇଛି। ବୋର୍ଡର ଇଞ୍ଜିନିୟର, ବୈଜ୍ଞାନିକ, ପ୍ରଶାସନିକ ଅଧିକାରୀ ଓ କ୍ଷେତ୍ର କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଦ୍ବାରା ଏହା ସଫଳ ହୋଇଛି। ପ୍ରଦୂଷଣ ରୋକିବାକୁ ସଚେତନତା ସୃଷ୍ଟି କରିବା ସହ ନିଜ ଦୈନନ୍ଦିନ ଜୀବନରେ ପରିବେଶ ଅନୁକୂଳ ଅଭ୍ୟାସ ଆପଣାଇବା ଆବଶ୍ୟକ ବୋଲି ସେ କହିଥିଲେ।
Prevent pollution: ପ୍ରଦୂଷଣ ରୋକିବ ଡଷ୍ଟ କଲେକ୍ଟର: ପରୀକ୍ଷାମୂଳକ ଭାବେ ଲିଙ୍ଗରାଜ ଓ ପଟିଆ ଅଞ୍ଚଳରେ ଲାଗିଲା
ସମାରୋହରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ କେ. ମୁରୁଗେସନ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ମନୋଜ ଭି. ନାୟାର ଓ ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ପରିବେଶ ସଚେତନତା ସମ୍ପର୍କିତ ‘ମାଇକ୍ରୋ ଓ ନାନୋ ପ୍ଲାଷ୍ଟିକ୍ ସମ୍ବନ୍ଧୀୟ ପତ୍ରିକା, ଉତ୍କୃଷ୍ଟ କାର୍ଯ୍ୟପନ୍ଥା ପୁସ୍ତିକା, ଜଳ ପ୍ରଦୂଷଣ ଉପରେ ଆଧାରିତ ହାସ୍ୟରସାତ୍ମକ ଚିତ୍ରକଥା ବହି ଓ ଅଂଶୀଦାରଙ୍କ ପାଇଁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ମାର୍ଗଦର୍ଶିକା ପ୍ରକାଶ ପାଇଥିଲା। ଏଥିସହ ଫ୍ଲାଏଆସ୍ ମ୍ୟାନେଜମେଣ୍ଟ ସମ୍ପର୍କରେ ଏସ୍ପିସିବି ଓ ଗୋଠପାଟଣାସ୍ଥିତ ନାଲ୍କୋ ରିସର୍ଚ୍ଚ ଓ ଟେକ୍ନୋଲୋଜି ସେଣ୍ଟର(ଏନ୍ଆର୍ଟିସି) ମଧ୍ୟରେ ବୁଝାମଣାପତ୍ର ହୋଇଛି। ପ୍ରଦୂଷଣ ନିୟନ୍ତ୍ରଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିଳ୍ପାନୁଷ୍ଠାନ, ଖଣି ଓ ସ୍ୱାସ୍ଥ୍ୟସେବା ବର୍ଗରେ ‘ପରିବେଶ ପ୍ରଶଂସା ପତ୍ର’ ପ୍ରଦାନ କରାଯାଇଥିଲା। ଶିଳ୍ପ ଜନବସତି ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ‘ପରିବେଶ ଉତ୍କର୍ଷ ପୁରସ୍କାର’ ଦିଆଯାଇଥିଲା।

20 minutes ago
1


