ARTICLE AD BOX
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ପ୍ରସଙ୍ଗରେ ବୁଧବାର ସଂସଦର ଉଭୟ ଗୃହର କାର୍ଯ୍ୟ ସୁରୁଖୁରୁରେ ଚାଲି ପାରିନଥିଲା। ରାଜ୍ୟସଭାରେ ସିପିଏମ୍ ସାଂସଦ ଜନ୍ ବ୍ରିଟାସ୍ ପୂର୍ବତନ ଜେଏନଏସୟୁ ସଭାପତି ଆଇଶି ଘୋଷଙ୍କ ବିରୋଧରେ ଦିଲ୍ଲୀ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି। ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଗଣତନ୍ତ୍ର ବିପଦରେ ଥିବା ଅଭିଯୋଗ କରି ସରକାରଙ୍କଠାରୁ ଉତ୍ତରଦାୟିତ୍ୱ ଦାବି କରିଛନ୍ତି। ଅନ୍ୟପକ୍ଷରେ ପ୍ରତିବାଦକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱାଭାବିକ ପ୍ରକ୍ରିୟା ବୋଲି ଜେପି ନଡ୍ଡା କହିଛନ୍ତି। ରାଜ୍ୟସଭା ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା। ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଗୃହରେ ଉପସ୍ଥିତ ରହିବାକୁ ବିରୋଧୀ ଦାବି କରିଥିଲେ। ରାଜ୍ୟସଭା ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା।
ଆହୁରି ପଢ଼ନ୍ତୁ: ପିଓକେରେ ଆନ୍ଦୋଳନକାରୀଙ୍କୁ ‘ଭାରତ ଭଳି ଶତ୍ରୁ’ କହିଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ, ସୁରକ୍ଷା ବାହିନୀ ଗୁଳିରେ ୧୪ ମୃତ
ଲୋକସଭାରେ ପ୍ରଶ୍ନପତ୍ର ଲିକ୍ ସମ୍ପର୍କିତ ସାର୍ବଜନୀନ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ସଂଶୋଧନ ବିଲ୍, ୨୦୨୬ ଉପରେ ଆଲୋଚନା ଦ୍ୱିତୀୟ ଦିନ ପାଇଁ ଚାଲିଥିଲା। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଶ୍ନପତ୍ର ଲିକ୍ ଉପରେ କହିଥିଲେ। ରାହୁଲ ଗାନ୍ଧୀ ଗୃହମନ୍ତ୍ରୀ ଅମିତ ଶାହ ଛାତ୍ରମାନଙ୍କ ଉପରେ ପେଲେଟ୍ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ ବୋଳି କହିବା ପରେ ଏନଡିଏ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। କିରେନ ରିଜୁଜୁ ରାହୁଲ ଗାନ୍ଧୀଙ୍କଠାରୁ କ୍ଷମା ଓ ପ୍ରମାଣ ମାଗିଥିଲେ। ଏହି ପ୍ରସଙ୍ଗରେ ପ୍ରବଳ ହୋହଲ୍ଲା ଭିତରେ ସଂସଦକୁ ଅପରାହ୍ଣ ୨ଟା ୩୦ ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା।
ଗତକାଲି ମଙ୍ଗଳବାର ବିଲ୍ ଉପରେ ନଅ ଘଣ୍ଟା ଧରି ଆଲୋଚନା ହୋଇଥିଲା। ପ୍ରଥମ ଦିନରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଓ ବିଜେପି ସାଂସଦ ବଂଶୁରୀ ସ୍ୱରାଜ ସରକାରଙ୍କ ପକ୍ଷରୁ ଉପସ୍ଥାପନ କରିଥିଲେ। ବିତର୍କରେ ବିରୋଧୀ ଦଳ ପକ୍ଷରୁ ଗୌରବ ଗୋଗୋଇ, ପ୍ରିୟଙ୍କା ଗାନ୍ଧୀ ଓ ଅଖିଳେଶ ଯାଦବ କହି ଥିଲେ।
ଅନ୍ୟପକ୍ଷରେ ଆଜି ସକାଳେ ସମାଜବାଦୀ ପାର୍ଟିର ସାଂସଦମାନେ ସଂସଦ ବାହାରେ ଦାନ ବାକ୍ସ ଧରି ପ୍ରତିବାଦ କରାଯାଇଥିଲା ଓ ରାମ ମନ୍ଦିର ଦାନ ଚୋରିକୁ ନେଇ ବିଜେପିକୁ ସମାଲୋଚନା କରିଥିଲେ। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ଯେଉଁ ସରକାର ଦାନ ବାକ୍ସକୁ ସୁରକ୍ଷା ଦେଇପାରିବ ନାହିଁ, ସେ ଯୁବପିଢ଼ିଙ୍କ ଭବିଷ୍ୟତକୁ ସୁରକ୍ଷିତ କରିପାରିବ ନାହିଁ। ସଂସଦରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ବିରୋଧରେ ଦେଇଥିବା ତାଙ୍କ ବୟାନକୁ ସମର୍ଥନ କରିଥିଲେ। ସେ କହିଥିଲେ, ମୁଁ କେବଳ ସତ୍ୟ କହିଛି, ଏବଂ ଯଦି ମୋତେ ସତ୍ୟ କହିବା ପାଇଁ ଦଣ୍ଡ ଦିଆଯାଏ, ତଥାପି ମୁଁ ସତ୍ୟ କହି ଚାଲିବି। ପ୍ରିୟଙ୍କା ଗତକାଲି ସଂସଦରେ ଅଭିଯୋଗ କରିଥିଲେ ଯେ, ବିଲକିସ୍ ବାନୋ ଦୁଷ୍କର୍ମ ଦୋଷୀଙ୍କ ମୁକ୍ତି ଉପରେ ପ୍ରହଲ୍ଲାଦ ଜୋଶୀ ଖୁସି ପ୍ରକାଶ କରିଥିଲେ। କଂଗ୍ରେସ ସାଂସଦ କେସି ବେଣୁଗୋପାଳ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ସମ୍ପର୍କରେ ପ୍ରିୟଙ୍କା ଗାନ୍ଧୀଙ୍କ ବୟାନକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ଏହା କାହା ଉପରେ ବ୍ୟକ୍ତିଗତ ଆକ୍ରମଣ ନୁହେଁ। କଂଗ୍ରେସ କେବଳ ଛାତ୍ର ଓ ସେମାନଙ୍କ ଅଭିଭାବକଙ୍କ ସ୍ୱାର୍ଥ ପାଇଁ ଏକ ପ୍ରସଙ୍ଗ ଉଠାଉଛି। ପୂର୍ଣ୍ଣିଆର ସ୍ୱାଧୀନ ସାଂସଦ ପପ୍ପୁ ଯାଦବ ପଚାରିଥିଲେ, କାହିଁକି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଅଧ୍ୟକ୍ଷଙ୍କୁ ହଟାଯାଇନାହିଁ? ୨୦୧୮ରେ ଏନ୍ଟିଏ ପ୍ରତଷ୍ଠା କରାଯାଇଥିଲା। ଏହାର ଅଧ୍ୟକ୍ଷ ମଧ୍ୟପ୍ରଦେଶ ଶିକ୍ଷା ବିଭାଗରେ ଉଚ୍ଚ ପଦବୀରେ ଥିବା ବ୍ୟକ୍ତିଙ୍କୁ ଅଣାଯାଇଥିଲା। ସେ କ’ଣ ଦୁନିଆରେ ଏକମାତ୍ର ଅଧିକାରୀ ଅଛନ୍ତି। ପପ୍ପୁ ଯାଦବ କହିଛନ୍ତି ଯେ, ଛଅରୁ ଆଠ କୋଟି ଫର୍ମ ପୂରଣ କରାଯାଏ। ଏହି ଟଙ୍କା ଏନ୍ଟିଏକୁ କାହିଁକି ଦିଆଯାଏ? ଏଥିପାଇଁ କିଏ ଦାୟୀ? କିଏ ତଦନ୍ତ କରିବ?
ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶରେ ଦୀର୍ଘ ପ୍ରତିବାଦ ପାଇଁ କୃଷକଙ୍କ ପ୍ରସ୍ତୁତି
ଅଧିକ ଦେଖନ୍ତୁ:

5 days ago
4


