Industry: ଶିଳ୍ପ ପାଇଁ, ପୁଣି ଶିଳ୍ପର ଝରକା

40 minutes ago 1
ARTICLE AD BOX

ସରୋଜ କୁମାର ସାମଲ

ଆକାଶ, ପାଣି ଓ ପବନରେ ବନ୍ଧା ଆମ ଭୂପୃଷ୍ଠର, ‘ଗ୍ରେଗୋରିଆନ କ୍ୟାଲେଣ୍ଡର’ରେ ଦିନ, ମାସ, ବର୍ଷକୁ ମାପଦଣ୍ଡ କରି ଗତି ଓ ପ୍ରଗତିର ଅନୁଭବ ପାଇବାକୁ ହେଲେ ବୋଧ ଛଡ଼ା ଦରକାର ଦେଖିବା, ଶୁଣିବା ଓ ଅଙ୍ଗେ ନିଭେଇବା; ଏବଂ ଅନ୍ୟମାନଙ୍କୁ ତାହା ବୁଝାଇବାକୁ ହେଲେ ଦରକାର ହୁଏ ବଖାଣିବା। ଗୋଟିଏ ରାଷ୍ଟ୍ରର ପ୍ରଗତିକୁ ବଖାଣିବାର ଏକ ରୂପ ହେଉଛି ଘୋଷଣା; ଯହିଁରେ ଗଣମାନଙ୍କୁ ସେହିମାନଙ୍କ ଦ୍ବାରା ନିର୍ବାଚିତ ଜଣମାନେ ପ୍ରଭାବିତ କରିବାର ଉଦ୍ୟମ କରନ୍ତି। ତେଣୁ, ପୁଞ୍ଜି ନିବେଶ ଓ ଶିଳ୍ପ ପ୍ରତିଷ୍ଠା ପାଇଁ ଘରୋଇ ଉଦ୍ୟୋଗ ସହିତ ବୁଝାମଣା ବା ଏମ.ଓ.ୟୁ.ର ଅନେକ ଘୋଷଣା ଶୁଣିବାକୁ ମିଳେ। ତାହାର ପ୍ରଦର୍ଶନ ଓ ପ୍ରଚାର ପାଇଁ ମହୋତ୍ସବର ଆୟୋଜନ କରାଯାଏ। ରାଜନୈତିକ ସ୍ବାର୍ଥ ଦୃଷ୍ଟିରୁ ପ୍ରତ୍ୟେକ ଶାସକ ଗୋଷ୍ଠୀ ପାଇଁ ଏହା ଏକ ବାଂଛିତ ଆଚରଣ ମଧ୍ୟ। କିନ୍ତୁ ଏହି ଘୋଷଣାର ପରବର୍ତ୍ତୀ ବାସ୍ତବତା କ’ଣ? 
୨୦୦୨ ମସିହାରୁ ଆମ ରାଜ୍ୟରେ ଘରୋଇ ଉଦ୍ୟୋଗମାନଙ୍କ ସହିତ ବୁଝାମଣା ସ୍ବାକ୍ଷର ଏବଂ ଶିଳ୍ପପତିଙ୍କ ଦୁଆରେ ସରକାର ପହଞ୍ଚିବାର କାର୍ଯ୍ୟକ୍ରମ ଅବିରତ ଚାଲିଛି। ମୁମ୍ବାଇରେ ସଦ୍ୟ ସମାହିତ ଇଣ୍ଡିଆ କେମ୍-୨୦୨୬ରେ ପ୍ରାୟ ୫୪ ହଜାର କୋଟି ଟଙ୍କାର ନିବେଶ ପାଇଁ ଆମ ରାଜ୍ୟ ଘରୋଇ କଂପାନିମାନଙ୍କ ସହିତ ନଅଟି ବୁଝାମଣା ପତ୍ର ସ୍ବାକ୍ଷର କରିଛି। ଏହିସବୁ ଶିଳ୍ପରେ ପ୍ରାୟ କୋଡ଼ିଏ ହଜାର ନିଯୁକ୍ତିର ସୁଯୋଗ ହୋଇପାରିବ ବୋଲି କୁହାଯାଉଛି। ଏସିଡ୍‌ଭିତ୍ତିକ ମୌଳିକ ରାସାୟନିକ ପଦାର୍ଥ, କଷ୍ଟିକ ସୋଡ଼ା, ସାର, ପେଟ୍ରୋକେମିକାଲ୍‌ସ, ଫାର୍ମାସିଉଟିକାଲ, କୃଷି ଉପଯୋଗୀ ରାସାୟନିକ ସାମଗ୍ରୀ, ବସ୍ତ୍ର ରଙ୍ଗ ଓ ରଞ୍ଜକ, ସାବୁନ ତଥା ଅନ୍ୟ ଶୋଧକ, ସିନ୍ଥେଟିକ ଫାଇବର, ପ୍ରସାଧନ ସାମଗ୍ରୀ ପ୍ରଭୃତିର ବଜାର ବର୍ତ୍ତମାନ ବିଶାଳ। ଏହିସବୁ ଶିଳ୍ପ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବେଶ୍ ସହାୟକ ହେବେ। ପ୍ରଶ୍ନ ହେଉଛି, ସାମଗ୍ରିକ ଭାବରେ ଶିଳ୍ପାୟନ ପାଇଁ ଆମେ କେତେ ପ୍ରସ୍ତୁତ?
ଘରୋଇ ଉଦ୍ୟୋଗରେ ମୂଳତଃ ଦାୟିତ୍ବ ନିବେଶକାରୀଙ୍କର ଏବଂ ସରକାରଙ୍କ ଭୂମିକା ହେଉଛି, ପ୍ରକ୍ରିୟାକୁ ଆଇନାନୁମୋଦିତ ରାସ୍ତାରେ ସ୍ବଚ୍ଛନ୍ଦ କରିବା। କାର୍ଯ୍ୟକ୍ଷମ ହେବା ପରେ ଏହି ପ୍ରତିଷ୍ଠାନଗୁଡ଼ିକୁ ରାଜ୍ୟ ସ୍ବାର୍ଥ ଅଭିମୁଖୀ କରିବା ପାଇଁ ସକାରାତ୍ମକ ଭାବରେ ନିୟନ୍ତ୍ରଣାଧୀନ ରଖିବା। ସରକାରୀ ନୀତି ଓ ପ୍ରଣୀତ ବିଧାନ ସିନ‌ା ଘରୋଇ, ସରକାରୀ ଓ ଯୁଗ୍ମ ଉଦ୍ୟୋଗ ତଥା ଉଦ୍ୟମିତାର ରାସ୍ତା ତିଆରି କରନ୍ତି, କିନ୍ତୁ ବିଭିନ୍ନ ସ୍ତରର ବ୍ୟୁରୋକ୍ରାସି ହିଁ ପ୍ରତିଷ୍ଠା ପ୍ରକ୍ରିୟାର ଅସଲ ସଂଚାଳନ କରନ୍ତି। କିନ୍ତୁ, ଅମଲାତନ୍ତ୍ର ସମନ୍ବିତ କାର୍ଯ୍ୟାନ୍ବୟନ ଅପେକ୍ଷା ବିଭକ୍ତୀକରଣରେ ଅଧିକ ବିଶ୍ବାସ କରେ। ନିଜର ପାଠକୀୟ ଚେତନୋଦ୍ଦୀପକ ବହି ‘ନେକ୍ସସ’ରେ ଦାର୍ଶନିକ ଐତିହାସିକ ୟୋଭାଲ ନୋଆ ହାରାରି ଏକ ଚମତ୍କାର ଶ୍ବେଷ ମାଧ୍ୟମରେ ଡ୍ରୟର, ବ୍ୟୁରୋକ୍ରାସିର ଆତ୍ମା ବୋଲି କହିଛନ୍ତି। ଏହା ନିଜର ପରିଧିକୁ ଡ୍ରୟରମାନଙ୍କ ମଧ୍ୟରେ ବାଣ୍ଟେ। କେଉଁଠି ପୁଣି ତାହା ବନ୍ଦ ଆଲମିରାର ଥାକ ତ କେଉଁଠି ସେଲ୍‌ଫ, କେଉଁଠି ବାସ୍କେଟ ଆଉ କମ୍ପ୍ୟୁଟରର ହାର୍ଡଡିସ୍କ। ଦସ୍ତାବିଜର ଧର୍ମ କିନ୍ତୁ ଗୋଟିଏ। ସିଏ ଯେଉଁ ଖୋପର, ସୂତ୍ର କେବଳ ସେଇଠିକାର। ଫଳତଃ, ସଂକୀର୍ଣ୍ଣ ଭାବନାଗ୍ରସ୍ତ ବ୍ୟୁ‌େରାକ୍ରାଟମାନେ ପଦକ୍ଷେପର ଆନ୍ତଃ-ବିଭାଗୀୟ ଏବଂ ସାମଗ୍ରିକ ପ୍ରଭାବକୁ ନିଜ ଚଷମାର ଲେନ୍‌ସରେ ହିଁ ବିଚାର କରନ୍ତି। ଉଦାହରଣତଃ ଜଙ୍ଗଲ ଓ ପରିବେଶ ବିଭାଗର ଆଭିମୁଖ୍ୟକୁ ହେୟ ମଣନ୍ତି ରାଜସ୍ବ ବିଭାଗ, କେଉଁଠି ପାଣି ପାଇଁ ଜଳ ସଂପଦ ଓ କୃଷି ଭିତରେ ଅମେଳ; ଏମିତି କେତେ କ’ଣ! କିନ୍ତୁ ଶିଳ୍ପ ପାଇଁ ଆପଣା ଆପଣା କ୍ଷେତ୍ରରେ ବିଭାଗୀୟ ସମ୍ମତି ଓ ସ୍ବୀକୃତିର ଆବଶ୍ୟକତା ରହିଛି। ସରକାରଙ୍କ ଦାୟିତ୍ବ ହେଉଛି, ଏହିସବୁ ବିଧିଗତ ସ୍ବୀକୃତି ଓ ସମ୍ମତିକୁ ଆଇନସିଦ୍ଧ ରାସ୍ତାରେ ସହଜ ଲଭ୍ୟ କରିବା। ସେଥିପାଇଁ ଓଡ଼ିଶା ଇଣ୍ଡଷ୍ଟ୍ରିୟାଲ ଫ୍ୟାସିଲିଟେସନ ଆକ୍ଟ-୨୦୦୪ ପ୍ରଣୀତ ହୋଇଛି।

ନିବେଶକାରୀଙ୍କ ସହିତ ନିବିଡ଼ ବନ୍ଧୁତ୍ବ ମଧ୍ୟ ବ୍ୟବସ୍ଥା ପାଇଁ ନିଶ୍ଚେ ବିପଜ୍ଜନକ। କିନ୍ତୁ ଶିଳ୍ପର ବନ୍ଧୁ ହେବାକୁ ହେବ। ସରକାରୀ ଅଧିକାରୀ ଓ ନିବେଶକାରୀ କିମ୍ବା ତାଙ୍କ ସଂସ୍ଥା ମିଳିତ ଭାବରେ ସ୍ବଚ୍ଛ ଓ ସକାରାତ୍ମକ ଆଭିମୁଖ୍ୟ ସହିତ କାମ କରିବା ଉଚିତ। ଉତ୍ପାଦନରେ ନିୟୋଜିତ ପ୍ରତିଷ୍ଠାନଗୁଡ଼ିକର ସତର୍କ ନିରୀକ୍ଷଣ ଅବଶ୍ୟମ୍ଭାବୀ। ଅପରପକ୍ଷରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଫ୍ୟାକ୍ଟ୍ରି ଓ ବଏଲର, ଶକ୍ତି ଏବଂ ଶ୍ରମ ବିଭାଗର କ୍ଷେତ୍ର ପ୍ରତିଷ୍ଠାନ ପ୍ରଭୃତି ଦ୍ବାରା ସମକାଳୀନ ଓ ସମନ୍ବିତ ପରିଦର୍ଶନ ତଥା ନିରୀକ୍ଷଣ ହେଲେ, ଅଭିସନ୍ଧିମୂଳକ ହରକତର ସମ୍ଭାବନା ହ୍ରାସ ପାଇବ।

ଆଇନ ସିନା ଢାଞ୍ଚା ତିଆରି କରେ, ପ୍ରବର୍ତ୍ତନ ପାଇଁ ଅଧିକାରୀସ୍ତରୀୟ ଚେତନା, ବିସ୍ତାରିତ ଦୃଷ୍ଟି, ଜ୍ଞାନ ଏବଂ ବିଶେଷତଃ ଅନୁଶୀଳନାତ୍ମକ ବିଚାର ଭଙ୍ଗୀର ଆବଶ୍ୟକତା ଥାଏ। ପ୍ରକଳ୍ପ ପ୍ରସ୍ତାବକଙ୍କୁ ନିର୍ଦ୍ଧାରିତ ସାଧାରଣ ଦରଖାସ୍ତ ଫର୍ମ (କମନ ଆପ୍ଲିକେସନ ଫର୍ମ)ରେ ମଞ୍ଜୁରିଦାତା ବିଭାଗମାନଙ୍କ ସଂପର୍କିତ ତଥ୍ୟ ଉଲ୍ଲେଖ କରିବାକୁ ପଡୁଛି। ମୁଖ୍ୟତଃ ଏସବୁ ସ୍ବ-ପ୍ରମାଣନ ସାପେକ୍ଷ। ରାଜ୍ୟ ସରକାରଙ୍କ ଦ୍ବାରା ଅଧିଷ୍ଠିତ ‘ଗୋ-ସୁଇଫ୍‌ଟ ପୋର୍ଟାଲ’ରେ ଏହି ଦରଖାସ୍ତ ଦରଜ କରାଯାଉଛି। ପ୍ରାଥମିକ ଅନୁଧ୍ୟାନ ଓ ନୀତିଗତ ନିକାଶ ପାଇଁ ପ୍ରାୟ ୧୫ଟି ବିଭାଗର କର୍ତ୍ତୃପକ୍ଷ ଏଥିସହିତ ସଂଯୁକ୍ତ ଅଛନ୍ତି। ପ୍ରକଳ୍ପର ନିବେଶ ରାଶି ଅନୁସାରେ ମଧ୍ୟମ, ବୃହତ୍ ଓ ଅତିବୃହତ୍ (ମେଗା) ଶିଳ୍ପ ପାଇଁ ମଞ୍ଜୁରିମୂଳକ ନିକାଶର ଦ୍ବାର ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ତ୍ବାଧୀନ ‘ଏସ.ଏଲ.ଏସ.ଡବ୍ଲୁ.ସି.ଏ.’ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟରତ ‘ଏଚ.ଏଲ.ସି.ଏ.’ ସ୍ତରରେ ରହିଛି। ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ଶିଳ୍ପ ଭୂମିଷ୍ଠ ହେବାର ପ୍ରକ୍ରିୟା ଆରମ୍ଭ ହୁଏ। ୨୦୦୪ ଆଇନର ଧାରା ୩-୧(କ)ରେ ‘ଏଚ.ଏଲ.ସି.ଏ.’ ର ବିଭିନ୍ନ ବୈଷୟିକ ବିଭାଗକୁ ନିର୍ଦ୍ଦେଶ ଦେବାର କ୍ଷମତା ରହିଛି। ସେହିଭଳି ଧାରା ୪(୫) ଅନୁଯାୟୀ ‘ଏସ.ଏଲ.ଏସ.ଡବ୍ଲୁ.ସି.ଏ.’ ମଧ୍ୟ କ୍ଷମତାପ୍ରାପ୍ତ। କିନ୍ତୁ ବାସ୍ତବିକ ଦୁର୍ଦ୍ଦଶା ହେଉଛି, ଗୋଟିଏ ଝରକା ଏହା ପରଠାରୁ ବହୁ ଝରକାକୁ ପରିବର୍ତ୍ତିତ ହୁଏ। ମୋ ଚାକିରି ଜୀବନର ଗୋଟିଏ ଚଟୁଳ ଉପାଖ୍ୟାନ ପ୍ରସଙ୍ଗ କ୍ରମେ ଉଲ୍ଲେଖ କରୁଛି। ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରୁଥିବା ତତ୍‌କାଳୀନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ତରୀୟ ଅଧିକାରୀଙ୍କୁ ଜଣେ ନିବେଶକାରୀଙ୍କ ପ୍ରଶ୍ନ, ‘‘ସାର୍, ସିଙ୍ଗଲ ୱିଣ୍ଡୋର କିଛି ଚିହ୍ନ ଆମେ ଦେଖିବାକୁ ପାଉନାହୁଁ।’’ ହାଲକା ଗପରେ ରୁଚି ରଖିଥିବା ଉପସ୍ଥିତ ଆଉ ଜଣେ ବରିଷ୍ଠ ଆଇଏଏସ ଅଧିକାରୀଙ୍କ ଚଟାପଟ ଉତ୍ତର ଥିଲା, ସିଙ୍ଗଲ ୱିଣ୍ଡୋ ବି ଆଉ ଗୋଟିଏ ୱିଣ୍ଡୋ।
ଫ୍ୟାସିଲିଟେସନ ଆକ୍ଟ ଓ ରୁଲ ଅନୁଯାୟୀ, ବିଭାଗୀୟ ଅନୁମୋଦନର ଦରଖାସ୍ତ, ସଂପୃକ୍ତ ସବ୍‌-ପୋର୍ଟାଲରେ ଉପସ୍ଥାପିତ ହେବାର ସାତ ଦିନ ମଧ୍ୟରେ ଆପତ୍ତି କିମ୍ବା ଅତିରିକ୍ତ ତଥ୍ୟର ଆବଶ୍ୟକତା ଅଛି। ମଞ୍ଜୁରିର ନିକାଶ ବି ଗୋଟିଏ ସେବା ଓ ସେଥିପାଇଁ ଧାର୍ଯ୍ୟ ନିର୍ଘଣ୍ଟ, ଓଡ଼ିଶା ଲୋକସେବା ଅଧିକାର ଆଇନର ଅନୁକ୍ରମରେ ବ୍ୟବସ୍ଥିତ ହୋଇଛି। ୨୦୦୪ ଆଇନର ଧାରା ୧୧(୪)ରେ ସଂପୃକ୍ତ ଅଧିକାରୀମାନଙ୍କ ଉପରେ ନିର୍ଘଣ୍ଟର ଦାୟ ନ୍ୟସ୍ତ କରାଯାଇଛି। କିନ୍ତୁ, ଏ‌ମ.ଓ.ୟୁ. ଯେଭଳି ପ୍ରବର୍ତ୍ତନ ବିହୀନ ବିଳାସୀ ଇଚ୍ଛାର ଗୋଟିଏ ଦସ୍ତାବିଜ, ଏହି ଆଇନର ଭାଗ୍ୟ ମଧ୍ୟ ‌େସହିଭଳି। ୨୦୧୫ ଅଧିନିୟମରେ ଯେଉଁ ଅର୍ଥଦଣ୍ଡ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି, ତାହା କେବଳ ଆଇନର ପୃଷ୍ଠା ମଣ୍ଡନ ପାଇଁ। କେତେ ଥର ଆପତ୍ତି କରାଯିବ ତାହା ତା ୨୧.୧୦.୨୦୧୭ର ନିର୍ଦ୍ଦେଶିକାରେ ଧାର୍ଯ୍ୟ ନାହିଁ। ପୁଣି ବୈଷୟିକ ବିବିଧତା ହେଉଛି ତା’ର ଢାଲ। ଉତ୍ତରଦାୟିତ୍ବରୁ ଖସିବା ପାଇଁ ଢେର ଫାଙ୍କ। ନିର୍ଦ୍ଦିଷ୍ଟ ସମୟସୀମା ପରେ ସ୍ବବିବେଚିତ ଅନୁମୋଦନ, ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଆଦୌ ଫଳପ୍ରଦ ନୁହେଁ। ଏଥିପାଇଁ ସଚିବ ଓ ବିଭାଗୀୟ ମୁଖ୍ୟମାନଙ୍କୁ ସମୟାନୁବର୍ତ୍ତୀ ନିକାଶ ପାଇଁ ଅନୁଶାସନର ପନ୍ଥା ଗ୍ରହଣ କରିବାକୁ ପଡ଼ିବ। 
ନିବେଶକାରୀଙ୍କ ସହିତ ନିବିଡ଼ ବନ୍ଧୁତ୍ବ ମଧ୍ୟ ବ୍ୟବସ୍ଥା ପାଇଁ ନିଶ୍ଚେ ବିପଜ୍ଜନକ। କିନ୍ତୁ ଶିଳ୍ପର ବନ୍ଧୁ ହେବାକୁ ହେବ। ସରକାରୀ ଅଧିକାରୀ ଓ ନିବେଶକାରୀ କିମ୍ବା ତାଙ୍କ ସଂସ୍ଥା ମିଳିତ ଭାବରେ ସ୍ବଚ୍ଛ ଓ ସକାରାତ୍ମକ ଆଭିମୁଖ୍ୟ ସହିତ କାମ କରିବା ଉଚିତ। ଉତ୍ପାଦନରେ ନିୟୋଜିତ ପ୍ରତିଷ୍ଠାନଗୁଡ଼ିକର ସତର୍କ ନିରୀକ୍ଷଣ ଅବଶ୍ୟମ୍ଭାବୀ। ଅପରପକ୍ଷରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଫ୍ୟାକ୍ଟ୍ରି ଓ ବଏଲର, ଶକ୍ତି ଏବଂ ଶ୍ରମ ବିଭାଗର କ୍ଷେତ୍ର ପ୍ରତିଷ୍ଠାନ ପ୍ରଭୃତି ଦ୍ବାରା ସମକାଳୀନ ଓ ସମନ୍ବିତ ପରିଦର୍ଶନ ତଥା ନିରୀକ୍ଷଣ ହେଲେ, ଅଭିସନ୍ଧିମୂଳକ ହରକତର ସମ୍ଭାବନା ହ୍ରାସ ପାଇବ।
ସରକାର ‌ଶିଳ୍ପ ପାଇଁ ଅାତୁର ହୋଇ ଶିଳ୍ପପତିଙ୍କ ପ୍ରତି ଅନ୍ଧ ହେଲେ ସମସ୍ୟା ବଢ଼ିବ। ସେମାନଙ୍କର ଅତୀତ, ଇତିହାସ ଓ ଅସଲ ଚେହେରାକୁ ଦେଖିବାକୁ ପଡ଼ିବ। ତୁଣ୍ଡ ନରେନ୍ଦ୍ର ଥାଇ ପିଠି ଅରକ୍ଷିତ ଥିଲେ ଚଳିବ ନାହିଁ। ଉଦ୍ଦେଶ୍ୟର ଠିକ୍ ବ୍ୟବଚ୍ଛେଦ କରିବାକୁ ହେବ। ପ୍ରକଳ୍ପଗୁଡ଼ିକର ଯେଉଁ ପ୍ରାରମ୍ଭିକ ବିଶ୍ଳେଷଣାତ୍ମକ ମୂଲ୍ୟାୟନ ‘ଇପିକଲ’ କରୁଛି, ସେଥିପାଇଁ ଠିକ୍ ମାନକମାନଙ୍କର ଅବଲମ୍ବନ ଆବଶ୍ୟକ। ସମନ୍ବିତ ପ୍ରକଳ୍ପ ନଁାରେ ବିଭିନ୍ନ ଧାତୁଭିତ୍ତିକ ଶିଳ୍ପ ରିଏଲ ଇଷ୍ଟେଟ ଭଳି ଯେଉଁ ଜମି ଅଧିଗ୍ରହଣ କରୁଛନ୍ତି, ସେଥିପ୍ରତି ଯତ୍ନବାନ ହେବାକୁ ହେବ। ପ୍ରାରମ୍ଭିକ ଦରଖାସ୍ତରେ ପ୍ରକଳ୍ପ ପ୍ରସ୍ତାବକ ପ୍ରଦାନ କରୁଥିବା ତଥ୍ୟରେ ବିଭ୍ରାନ୍ତି ଥିଲେ, ତାହା କଥିତ ଆଇନର ଧାରା ୧୦(୪) ଅନୁଯାୟୀ ଦାୟର ମଧ୍ୟ ଆମନ୍ତ୍ରଣ କରିପାରିବ। ଏହା ଚଞ୍ଚକତାପୂର୍ଣ୍ଣ ହୋଇଥିଲେ, କେବଳ ବୁଝାମଣା ପତ୍ର ବାତିଲ କାହିଁକି ସେମାନଙ୍କ ଉପରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ମଧ୍ୟ କରାଯାଇ ପାରିବ। ଗୁରୁତ୍ବପୂର୍ଣ୍ଣ ହେଉଛି ପ୍ରତିଷ୍ଠାନର ମାଲିକ ଓ ପରିଚାଳନା କର୍ତ୍ତୃପକ୍ଷ ‘କର୍ପୋରେଟ ଭେଲ’ର ଆଢୁଆଳରେ ଲୁଚିପାରିବେ ନାହିଁ। 
ସ୍ଥାନୀୟ ନିଯୁକ୍ତି ମାପିବାକୁ କିଛି ମାପଦଣ୍ଡ ନାହିଁ। ଟାଟାକୁ ଛାଡ଼ିଦେଲେ ଅନ୍ୟ କୌଣସି ପ୍ରତିଷ୍ଠାନରେ ଶୃଙ୍ଖଳିତ ମାନବ ସମ୍ବଳ ପରିଚାଳନାର ଢାଞ୍ଚା ନାହିଁ। ଓଡ଼ିଆଙ୍କୁ ଆଦର ନାହିଁ। ସେଥିପାଇଁ କୈଫୟତ ହେଉଛି ଉଦ୍ୟମିତା ଓ ମେଧାର ଅଭାବ, ଯାହା ସଂପୂର୍ଣ୍ଣ ନିରାଧାର। ଏମ.ଜେ. ଆକବର ନିଜର ବହୁ ପୁରୁଣା ଏକ କ୍ଷୁଦ୍ର ପ୍ରବନ୍ଧରେ ତତ୍‌କାଳୀନ ବିବିସିର ଏକ ଧାରାବାହିକର ଉଲ୍ଲେଖ କରି ଅବତାରଣା କରିଛନ୍ତି କିଭଳି ଇଂଲିଶ ଜାଣି ନ ଥିବା ଚରିତ୍ର ମ୍ୟାନୁଏଲ ପିତଳ ହାତ ଓ ସୁନା ହୃଦୟ ନେଇ କାମ କରି ନିଜ କାମ କରୁଥିବା ପ୍ରତିଷ୍ଠାନର ମଝି ବିନ୍ଦୁ ପାଲଟିଥିଲା। ଆମ ରାଜ୍ୟରେ ଯୁବକ ଆଜି ସମ୍ବଳ ହୋଇସାରିଛି। ହୃଦୟ ସହିତ ହାତ ମଧ୍ୟ ସୁନା ହୋଇସାରିଲାଣି। ପ୍ରକୃତିର ବିଭବ ମଧ୍ୟ ଭରପୂର। ଶିଳ୍ପ ଆସିବ ହିଁ ଆସିବ। ସିଙ୍ଗଲ ୱିଣ୍ଡୋର କାର୍ଯ୍ୟକାରିତା ପାଇଁ ଦରକାର ଶାସକଙ୍କ ନିର୍ମଳ ନିଷ୍ଠା, ଅଧିକାରୀଙ୍କ ଦ୍ବାରା ଅକପଟ ନିୟମସିଦ୍ଧ ସମୟାନୁବର୍ତ୍ତୀ କାର୍ଯ୍ୟାନ୍ବୟନ। ନଚେତ ବୁଝାମଣା ପତ୍ର ‘ମଲ୍‌ଟିପ୍ଲ ୱିଣ୍ଡୋ’ର ଧାର ଧାର ଛାଇ ଆଲୁଅରେ ବିଖଣ୍ଡିତ ଦିଶିବ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୨୨୬୬୪୪

Read Entire Article
LEFT SIDEBAR AD

Hidden in mobile, Best for skyscrapers.