ARTICLE AD BOX
ଆମ ଅଜାଣତରେ କିଛି ଖାଦ୍ୟରେ ଲୁକ୍କାୟିତ ହୋଇ ରହିଥିବା ବିଷ ଆମ ପେଟ ଭିତରକୁ ଚାଲିଯାଇ ଅନେକ ସମସ୍ୟା ସୃଷ୍ଟି କରୁଛି। ଏ ସବୁକୁ ଅଣଦେଖା ନ କରି ସତର୍କତା ଅବଲମ୍ବନ କଲେ ଶରୀରକୁ ବିଷଠାରୁ ଦୂରେଇ ରଖିପାରିବା।
ସବୁଜ ଦିଶୁଥିବା ଆଳୁରୁ ବିପଦ
ସୋଲାନାଇନ୍ ଓ ଚାକୋନାଇନ୍ ନାମକ ଦୁଇଟି ବିଷାକ୍ତ ପଦାର୍ଥ (ଗ୍ଲାଇକୋ ଆଲକାଲଏଡ୍)ର ପ୍ରଭାବରୁ ଆଳୁ ସବୁଜ ରଙ୍ଗ ଧାରଣ କରିଥାଏ। ପୁନଶ୍ଚ ଆଳୁ ଆଖିରୁ ଗଜା ଧରିଲେ ଏ ଦୁଇଟି ବିଷାକ୍ତ ପଦାର୍ଥର ପରିମାଣକୁ ବଢ଼ାଇଦିଏ। ଆଳୁ ଗଛ ମୂଳରୁ ମାଟି ଧସିଲେ ଅନେକ ଆଳୁ ସୂର୍ଯ୍ୟାଲୋକ ପ୍ରଭାବରେ ବିଷାକ୍ତ ହୋଇ ସୋଲାନାଇନ୍ ଓ ଚାକୋନାଇନ୍ ମାତ୍ରା ବୃଦ୍ଧି କରିଦିଏ। ପୁଣି ଆଳୁକୁ ଜଲଦି ଅମଳ କରିଦେଲେ ଗ୍ଲାଇକୋ ଆଲକାଲଏଡ୍ର ପରିମାଣ ଅତୁଟ ରହେ। ପ୍ରକାଶ ଥାଉକି ବିଲରେ ଆଳୁ ଗଛକୁ ଫଙ୍ଗସ୍, କୀଟପତଙ୍ଗ ଇତ୍ୟାଦିଙ୍କ ଦାଉରୁ ରକ୍ଷା କରିବାକୁ ପ୍ରକୃତି ଏହାର ପତ୍ର, ଫୁଲ, କାଣ୍ଡ ଓ ଟିଉବର୍ରେ ଏ ରାସାୟନିକ ବିଷାକ୍ତ ପଦାର୍ଥ ସୃଷ୍ଟି କରିଥାଏ। ଅନେକ ସମୟ ଧରି ଆଳୁକୁ କାଟି ରଖିବା ଦ୍ବାରା ଗ୍ଲାଇକୋ ଆଲକାଲଏଡ୍ ବିଷକୁ ବୃଦ୍ଧି କରିଥାଏ। କୃଷିବିଜ୍ଞାନୀଙ୍କ ମତରେ କିଲେ ଆଳୁରେ ଏ ବିଷର ମାତ୍ରା ୧୦ରୁ ୧୦୦ ଏମ୍ଜି ରହିଲେ ମଣିଷ ଶରୀର ସୁରକ୍ଷିତ ଓ ବିପଦମୁକ୍ତ ରହିପାରିବ। କିନ୍ତୁ ଏହି ମାତ୍ରା ୨୦୦ ଏମ୍ଜି ବା ଉର୍ଦ୍ଧ୍ବ ରହିଲେ ଶରୀର ବିପଦ ବଳୟ ଭିତରକୁ ଚାଲିଆସେ। ଆଳୁ ଚୋପା ପୂରାପୂରି ଛଡ଼ାହେଲେ ବି ଅତିବେଶୀରେ ୩୦% ବିଷାକ୍ତ ଅଂଶ ବାହାର କରାଯାଇପାରେ। ଆଳୁର ମାଂସଳ ଅଂଶ ଭିତରେ ଏ ବିଷାକ୍ତ ଦ୍ରବ୍ୟ ଖେଳେଇ ହୋଇଥାଏ। ଯେତେ ଅଧିକ ସମୟ ସିଝାଇଲେ ବା ଭାଜିଲେ ବି ଆଳୁର ବିଷାକ୍ତ ଦୋଷ କଟି ନ ଥାଏ। ଆମ ପେଟ ଭିତରକୁ ୨୫୦ ଏମ୍ଜିରୁ ୧୫୦୦ ଏମ୍ଜି ପରିମାଣର ସୋଲାନାଇନ୍ ବା ଚାକୋନାଇନ୍ ଚାଲିଗଲେ ୮ରୁ ୧୦ ଘଣ୍ଟା ମଧ୍ୟରେ ବାନ୍ତି, ପତଳା ଝାଡ଼ା, ପେଟ ବଥା, ଜ୍ବର ହୁଏ। ଏହାଠାରୁ ଅଧିକ ରହିଲେ ପ୍ରଚଣ୍ଡ ମୁଣ୍ଡବ୍ୟଥା/ମୁଣ୍ଡ ଚକର କାଟିବା, ପଲ୍ସରେଟ୍ କମିବା, ନିଃଶ୍ବାସରେ କଷ୍ଟ, ରକ୍ତଚାପ ନିମ୍ନଗାମୀ ହେବା ଲକ୍ଷଣ ଦେଖାଦିଏ। ଏଣୁ ସବୁଜ ରଙ୍ଗ ଧାରଣ କରିଥିବା, ଆଖିରୁ ଗଜେଇ ଥିବା ଆଳୁ ବ୍ୟବହାର ନ କରିବା ସଙ୍ଗେ ସଙ୍ଗେ ସଦ୍ୟ ଅମଳ ହୋଇଥିବା ଆଳୁକୁ ଆଲୋକଠାରୁ ଦୂରରେ ରଖିବା ଉଚିତ।
Greater Rourkela: ବୃହତ୍ ରାଉରକେଲା ପାଇଁ ଆଶା ଫିଟିଲା; ଆଉଟର୍ ରିଂ ରୋଡ୍ ପାଇଁ ୩ଟି ନକ୍ସା ପ୍ରସ୍ତୁତ
ପିତା ଲାଗୁଥିବା କାକୁଡ଼ି ଦେହକୁ ଅହିତ
ସୁଆଦିଆ ତଥା ଜଳୀୟ ଅଂଶ ଭରା କାକୁଡ଼ିରେ ବେଳେବେଳେ କୁକର୍ ବିଟାସିନ୍ ନାମକ ବିଷାକ୍ତ ପଦାର୍ଥ ସୃଷ୍ଟି ହୋଇ ତାକୁ ପିତା କରିଦିଏ। ବେଶି ପରିମାଣରେ ପିତା କାକୁଡ଼ି ଖାଇଲେ ପେଟବ୍ୟଥା, ବାନ୍ତି ହେବା ସଙ୍ଗେ ସଙ୍ଗେ ଅଧିକ ପରିସ୍ରା ହୁଏ। ରୋଗୀର ଡିହାଇଡ୍ରେସନ୍ ହେଲା ଭଳି ପରିସ୍ଥିତି ଉପୁଜେ। ଏପରିକି ନିମ୍ନ ରକ୍ତଚାପ ପରିଲକ୍ଷିତ ହୁଏ। ଅସନ୍ତୁଳିତ ଜଳବାୟୁ, ଗଛ ମୂଳକୁ ସ୍ବଳ୍ପ ପାଣି, କ୍ରସ୍ ପଲିନେସନ୍ (ଅନ୍ୟ ଜଙ୍ଗଲୀ ପ୍ରଜାତିର ପରାଗ ରେଣୁରୁ ସୃଷ୍ଟ, ଯାହା ପିତାଯୁକ୍ତ)। କୁକର୍ ବିଟାସିନ୍ କାକୁଡ଼ିକୁ ବିଷାକ୍ତ କରିବାରେ ସାହାଯ୍ୟ କରେ। ଫଳଟି ହୃଷ୍ଟପୃଷ୍ଟ ନ ହୋଇ ସରୁଆ ହୋଇ ବଢ଼େ। ପିତା ଗନ୍ଧ ବାରି ହୋଇପଡ଼େ। ତେବେ କାକୁଡ଼ିର ମୁଣ୍ଡି ଅଂଶକୁ କାଟି କିଛି ସମୟ ଘଷି ଏଥିରୁ ପିତାଯୁକ୍ତ ଦ୍ରବଣ (ଧଳା ଫେଣ)କୁ ବାହାର କରି ଦିଆଯାଇପାରେ। ପ୍ରାୟତଃ ବୁଢ଼ା କାକୁଡ଼ିରେ ଏ ବିଷାକ୍ତ ପଦାର୍ଥ ମାତ୍ରା ଅଧିକ ଥିବାରୁ ସଦ୍ୟ ତୋଳା କାକୁଡ଼ିକୁ ଖିଆଯିବା ସୁରକ୍ଷିତ।
Horoscope 2026 August 04: ଜାଣନ୍ତୁ ଆଜିର ରାଶିଫଳ...
ମାତ୍ରାଧିକ ତୁଳସୀ ସେବନ ଭଲ ନୁହେଁ
ତୁଳସୀପତ୍ରରେ ସ୍ବଳ୍ପ ପରିମାଣର ମର୍କ୍ୟୁରି ଥିବାରୁ ଏହାକୁ ଚୋବାଇବା ଦ୍ବାରା ମୁଖଗହ୍ବରର ଆଲକାଲାଇନ୍ ସହିତ ପ୍ରତିକ୍ରିୟା ଦ୍ବାରା ଦାନ୍ତସମୂହ ପ୍ରଭାବିତ ହୁଅନ୍ତି। ଦାନ୍ତକୁ ସୁରକ୍ଷା ଦେଉଥିବା ଏନାମେଲ ପ୍ରଲେପ ନଷ୍ଟ ହେବାକୁ ଲାଗେ। ଅତିବେଶୀରେ ୨/୩ଟି ତୁଳସୀପତ୍ର ପ୍ରତ୍ୟହ ଖିଆଯାଇପାରେ। ନ ଚୋବାଇ ପାଣି ସହିତ ପେଟ ଭିତରକୁ ଛାଡ଼ି ଦିଆଯାଇପାରେ। ଅତ୍ୟଧିକ ତୁଳସୀ ସେବନ ଦ୍ବାରା ଡାଇବେଟିସ୍ ରୋଗୀଙ୍କର ସୁଗାର ଲେବଲ୍ କମିଯାଏ। ରକ୍ତକୁ ପତଳା କରିବାରେ ସାହାଯ୍ୟ କରୁଥିବାରୁ ରକ୍ତ ପତଳା ପାଇଁ ଔଷଧ ଖାଉଥିବା ବ୍ୟକ୍ତି ତୁଳସୀ ଖାଇବା ଅନୁଚିତ। ସର୍ଜିକାଲ୍ ଅପରେସନ୍ ହେବାର ୧୫ ଦିନ ଆଗରୁ ତୁଳସୀ ବର୍ଜନ କରିବା ଉଚିତ, କାରଣ ରକ୍ତସ୍ରାବ ସହଜରେ ବନ୍ଦ ହେବ।
-ସୁଦର୍ଶନ ସାହୁ
ପ୍ଲାଣ୍ଟ ଫିଜିଓଲୋଜିଷ୍ଟ, ଭୁବନେଶ୍ବର
ମୋ: ୮୮୯୫୨୯୫୧୬୫

1 hour ago
1


