ARTICLE AD BOX
କଟକ: ରାଜ୍ୟର ସମସ୍ତ ସ୍କୁଲ, କଲେଜ,ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବ୍ୟାପକ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ପ୍ରସଂଗରେ କଣ ପଦକ୍ଷେପ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ସେ ନେଇ ଅବଗତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାରା ରାଜ୍ୟରେ ଏହି ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ତିନି ସପ୍ତାହ ଭିତରେ ସତ୍ୟପାଠ ଦାଖଲ କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସକେ ସବିର ଅଲ୍ଲୀ ଓ ଅନ୍ୟମାନଙ୍କ ତରଫରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଅକ୍ଟୋବର ୧୫କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ମାନସିକ ଚାପ କମାଇବା, ଭାବନାତ୍ମକ ଶକ୍ତି ବଢ଼ାଇବା ଓ ମାନସିକ ସ୍ୱାସ୍ଥ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପ ପ୍ରସଂଗକୁ ନେଇ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଛି। ନିକଟର କେତେକ ରିପୋର୍ଟରୁ ଛାତ୍ରଛାତ୍ରୀ ଓ ସମାଜର ଅନ୍ୟାନ୍ୟ ବର୍ଗଙ୍କ ମାନସିକ ସୁସ୍ଥତାକୁ ନେଇ ଚିନ୍ତା ବଢ଼ାଉଥିବା ଭଳି କେତେକ ଘଟଣା ସମ୍ମୁଖକୁ ଆସିଛି। ସରକାର ଏହି ବିଷୟରେ କୌଣସି ପ୍ରକାରର ଉଦାସୀନ ମନୋଭାବ ଦେଖାଇ ପାରିବେ ନାହିଁ। ସରକାରଙ୍କୁ ଏହି ଦିଗରେ ତୁରନ୍ତ ଧ୍ୟାନ ଦେବାକୁ ଓ ପଦକ୍ଷେପ ନେବାକୁ ହେବ। ସବୁ ଶିକ୍ଷାନୁଷ୍ଠାନରେ ବ୍ୟାପକ ମାନସିକ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ କରାଯିବା ଉଚିତ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅଫରାଜ ସୁହେଲ ମାମଲା ପରିଚାଳନା କରୁଛନ୍ତି।
Accident: ୨୨ ଚକିଆ ଟ୍ରକ୍ ଦୁର୍ଘଟଣା: ଫସିଥିବା ଚାଳକ ଓ ହେଲ୍ପରଙ୍କୁ ଉଦ୍ଧାର କଲା ପୁଲିସ

32 minutes ago
1


