ARTICLE AD BOX
ନେପାଳ: ନେପାଳର ନୁୱାକୋଟ ଜିଲ୍ଲା ବେତ୍ରାବତୀ ଅଞ୍ଚଳରେ ଉଦ୍ଧାର ଅଭିଯାନ ସମୟରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ତ୍ରିଶୂଳୀ ନଦୀରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନର ପ୍ରାୟ ୧୧ ଦିନ ପରେ ମାଟି ଓ ଧ୍ୱଂସାବଶେଷ ତଳୁ ଜଣେ ମହିଳାଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ମହିଳା ହେଉଛନ୍ତି ବିଦୁର ମ୍ୟୁନିସିପାଲିଟି-୧୦ର ଚନ୍ଦିକା ଶ୍ରେଷ୍ଠ। ତାଙ୍କ ବୟସ ପ୍ରାୟ ୫୫ରୁ ୫୬ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଚନ୍ଦିକା ଶ୍ରେଷ୍ଠ ଆନନ୍ଦଙ୍କ ଘର ଭିତରେ ମାଟି ଓ ଧ୍ବଂସାବଶେଷ ତଳେ ଫସି ରହିଥିଲେ। ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଘରର ଏକ ଅଂଶ ମାଟି ତଳେ ପୋତି ହୋଇଯାଇଥିଲା।
ମାଟି ତଳୁ ଶୁଭିଥିଲା ମହିଳାଙ୍କ ସ୍ୱର
ପୁଲିସକୁ ଅଧା ପୋତି ହୋଇଥିବା ଘର ଭିତରୁ ମଣିଷର ସ୍ୱର ଶୁଣାଯାଉଥିବା ଖବର ମିଳିଥିଲା। ଏହାପରେ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମାଟି ଓ ଧ୍ୱଂସାବଶେଷ ହଟାଇବା ଆରମ୍ଭ କରିଥିଲେ। ଦୀର୍ଘ ସମୟର ଉଦ୍ଧାର କାର୍ଯ୍ୟ ପରେ ଚନ୍ଦିକାଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା। ତାଙ୍କୁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏତେ ଦିନ ଧରି ମାଟି ତଳେ ଫସି ରହିବା ପରେ ମଧ୍ୟ ଜୀବିତ ଉଦ୍ଧାର ହେବାକୁ ଉଦ୍ଧାରକାରୀ ଦଳ ଏକ ଅସାଧାରଣ ଘଟଣା ବୋଲି କହିଛନ୍ତି।
ଭୟଙ୍କର ବନ୍ୟାରେ ବ୍ୟାପକ କ୍ଷୟକ୍ଷତି
କିଛି ଦିନ ପୂର୍ବରୁ ତ୍ରିଶୂଳୀ ନଦୀ ଅଞ୍ଚଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ହୋଇଥିଲା। ବେତ୍ରାବତୀ ସମେତ ଆଖପାଖ ଅଞ୍ଚଳରେ ଅନେକ ଘର ଓ ଅନ୍ୟାନ୍ୟ ନିର୍ମାଣ ପ୍ରଭାବିତ ହୋଇଥିଲା। ବହୁ ଲୋକ ନିଖୋଜ ଥିବାରୁ ଉଦ୍ଧାରକାରୀ ଦଳ ଏବେ ମଧ୍ୟ ମାଟି ଓ ମଲବା ତଳେ ଲୋକଙ୍କ ସନ୍ଧାନ ଜାରି ରଖିଛି।

1 week ago
5


