ARTICLE AD BOX
ଅନୁଗୋଳ: ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ମହାଦୁର୍ନୀତି ଉପରୁ ଧୀରେ ଧୀରେ ପରଦା ଉଠୁଛି। ମୃତ ବନ କର୍ମଚାରୀଙ୍କୁ ବି ଛାଡ଼ିନାହାନ୍ତି। ମୃତ କର୍ମଚାରୀଙ୍କ ନାଁରେ ଏରିଅର୍ ଓ ଅବ୍ୟବହୃତ ଛୁଟି ବାବଦ ଟଙ୍କା ଚଳୁ କରିଦେଇଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ିବା ପରେ ଅନୁଗୋଳ ବନମଣ୍ଡଳର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ସଞ୍ଜୟ କୁମାର ସ୍ବାଇଁ ସ୍ବତନ୍ତ୍ର କମିଟି ଗଠନ କରି ଦୁର୍ନୀତିର ତଦନ୍ତ ଆରମ୍ଭ କରିଛନ୍ତି।
Volunteers: ଗଞାମ ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ଏକାଠି ହେଲେ ଗୁଣପୁରିଆ
୨୦୧୯ରୁ ୨୦୨୫ ମସିହା ମଧ୍ୟରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ୧୭ ଜଣ ଅବସରପ୍ରାପ୍ତ ବନ କର୍ମଚାରୀଙ୍କ ନାମରେ ଏରିଅର୍ ଓ ‘ଅନ୍ୟୁଟିଲାଇଜ୍ଡ ଲିଭ୍’ ବାବଦରେ ଡବଲ୍ ବିଲ୍ ହୋଇଥିବା ସନ୍ଦେହ କରି ଜିଲ୍ଲା କୋଷାଗାର ଅଧିକାରୀ ଏ ସଂପର୍କରେ ସାତକୋଶିଆ ଡିଏଫ୍ଓ ଓ ଅନୁଗୋଳ ଆର୍ସିସିଏଫ୍ଙ୍କୁ ଚିଠି ଲେଖି ଅବଗତ କରାଇଥିଲେ। ଏହା ପରେ ଡିଏଫ୍ଓ ଘଟଣାର ବିଭାଗୀୟ ଯାଞ୍ଚ ଆରମ୍ଭ କରାଇଥିଲେ, ଯେଉଁଥିରୁ ବହୁ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ସାତକୋଶିଆ ଡିଏଫ୍ଓ ଗଦାଧର ପାତ୍ର କହିଛନ୍ତି, ବହୁ ଅବସରପ୍ରାପ୍ତ କର୍ମଚାରୀଙ୍କ ଅବ୍ୟବହୃତ ଛୁଟି ବାବଦ ଅର୍ଥ ଏବଂ ଏରିଅର ବିଲ୍ ଦୁଇ ଦୁଇ ଥର ଉଠାଣ ହୋଇଥିବା ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି। କିଛି ବିଲ୍ର ଅର୍ଥ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଥିବା ବେଳେ ଅନ୍ୟ କିଛି ବିଲ୍ ଅଜଣା ଆକାଉଣ୍ଟକୁ ଯାଇଛି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏହି ଅବଧିରେ ୪ ଜଣ ମୃତ ବନ କର୍ମଚାରୀଙ୍କ ନାମରେ ବି ଏରିଅର୍ ଓ ଅବ୍ୟବହୃତ ଛୁଟି ବାବଦରେ ଟଙ୍କା ଉଠାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅନୁମାନ କରାଯାଉଥିବା ଶ୍ରୀ ପାତ୍ର କହିଛନ୍ତି।
୨୦୧୯ରୁ ୨୦୨୫ ମଧ୍ୟରେ ୧୭ ଜଣଙ୍କ ନାଁରେ ଜାଲିଆତି
୪ ମୃତ କର୍ମଚାରୀଙ୍କ ନାଁରେ ଉଠିଛି ଟଙ୍କା
ସ୍ବତନ୍ତ୍ର କମିଟି ଦ୍ବାରା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଆର୍ସିସିଏଫ୍
ଡିଏଫ୍ଓଙ୍କ ଅଜାଣତରେ କିଭଳି ଉଠିଲା ଟଙ୍କା?
ସେ କହିଛନ୍ତି, ପ୍ରାଥମିକ ଯାଞ୍ଚ ପରେ ଏ ଦୁର୍ନୀତି ସମ୍ପର୍କରେ ଅନୁଗୋଳ ଆର୍ସିସିଏଫ୍ଙ୍କୁ ଅବଗତ କରାଯାଇଛି। ଏହା ପରେ ଆର୍ସିସିଏଫ୍ଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର କମିଟି ଯାଞ୍ଚ ଆରମ୍ଭ କରିଛି। ମୋଟ କେତେ ପରିମାଣର ଅର୍ଥ ତୋଷରପାତ ହୋଇଛି, ତାହା ସବିଶେଷ ରେକର୍ଡ ଯାଞ୍ଚ ପରେ ସ୍ପଷ୍ଟ ହେବ। ସାତକୋଶିଆ ଡିଏଫ୍ଓ କହିଛନ୍ତି, ବିଲ୍ ସେକ୍ସନରେ ଥିବା କର୍ମଚାରୀ ବହୁବର୍ଷ ହେଲା ଗୋଟିଏ ଦାୟିତ୍ବରେ ଥିବାରୁ ୪ ମାସ ପୂର୍ବେ ତାଙ୍କୁ ବଦଳି କରାଯାଇଛି। କିନ୍ତୁ,ଏହା ପରଠାରୁ ଉକ୍ତ କର୍ମଚାରୀ ମେଡିକାଲ ଲିଭ୍ରେ ଅଛନ୍ତି। ତେବେ, କିଏ ଏ ଦୁର୍ନୀତିରେ ସମ୍ପୃକ୍ତ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଅନୁଗୋଳର ଜଣେ ବୁଦ୍ଧିଜୀବୀ ଅନିଲ କୁମାର ପ୍ରଧାନ କହିଛନ୍ତି, ଗୋଟିଏ ପଦରେ ଜଣେ ଅଧିକାରୀ ଲମ୍ବା ସମୟ ଧରି ରହୁଥିବାରୁ ଏଭଳି ଦୁର୍ନୀତି ହେଉଛି। ଡିଏଫ୍ଓଙ୍କ ବିନା ଦସ୍ତଖତରେ ବନଖଣ୍ଡର କୌଣସି ବିଲ୍ ପାସ୍ ହେବା ଅସମ୍ଭବ। ମୃତ କର୍ମଚାରୀଙ୍କ ନାମରେ ବିଲ୍ ପାସ୍ ହେବା ନେଇ ଡିଏଫ୍ଓ କିଭଳି ଜାଣିପାରିଲେନି, ଏହା ସନ୍ଦେହ ସୃଷ୍ଟି କରୁଛି। ସମସ୍ତ ଦିଗ ଉପରେ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ଶ୍ରୀ ପ୍ରଧାନ ଦାବି କରିଛନ୍ତି।

46 minutes ago
2


