ARTICLE AD BOX
ଭୁବନେଶ୍ବର: ଗ୍ରାହକଙ୍କୁ ଅଧିକ ସୁବିଧା ଓ ଉନ୍ନତମାନର ସେବା ଯୋଗାଇଦେବା ଲକ୍ଷ୍ୟରେ ଦେଶର ଅଗ୍ରଣୀ ଶକ୍ତି କମ୍ପାନି ‘ଇଣ୍ଡିଆନ୍ ଅଏଲ୍’ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି। କମ୍ପାନି ପକ୍ଷରୁ 'ଇଣ୍ଡେନ୍ ଏକ୍ସଟ୍ରାଲାଇଟ୍ ନାଓ' ନାମକ ଏକ ନୂତନ ୧୦ କିଲୋଗ୍ରାମ ବିଶିଷ୍ଟ କମ୍ପୋଜିଟ୍ ଏଲପିଜି ସିଲିଣ୍ଡର ସହିତ ଏକ୍ସପ୍ରେସ୍ ଡେଲିଭରି ସେବାର ଶୁଭାରମ୍ଭ କରାଯାଇଛି। ମହାରାଷ୍ଟ୍ରର ପୁଣେଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ଅଏଲ୍ ଚେୟାରମ୍ୟାନ୍ ଏ. ଏସ୍. ସାହନେ ଏହି ସେବାକୁ ଲଞ୍ଚ୍ କରିଥିବା ବେଳେ ଏହି ଅବସରରେ କମ୍ପାନିର ମାର୍କେଟିଂ ନିର୍ଦ୍ଦେଶକ ସୌମିତ୍ର ପି. ଶ୍ରୀବାସ୍ତବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ନୂତନ ‘ଇଣ୍ଡେନ୍ ଏକ୍ସଟ୍ରାଲାଇଟ୍ ନାଓ’ ସିଲିଣ୍ଡରକୁ ଆଧୁନିକ ପରିବାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଏହା ଅତ୍ୟନ୍ତ ହାଲୁକା ଓ କଳଙ୍କିମୁକ୍ତ ହୋଇଥିବା ବେଳେ ଏହାର ଶରୀର ସ୍ୱଚ୍ଛ ବା ଟ୍ରାନ୍ସଲୁସେଣ୍ଟ ହୋଇଥିବାରୁ ଗ୍ରାହକମାନେ ସହଜରେ ଗ୍ୟାସର ସ୍ତର ଯାଞ୍ଚ କରିପାରିବେ। ଏହି ସେବା ଅଧୀନରେ ଗ୍ରାହକମାନେ ଗ୍ୟାସ୍ ବୁକିଂ କରିବାର ମାତ୍ର ୪ ଘଣ୍ଟା ମଧ୍ୟରେ ସିଲିଣ୍ଡର ଡେଲିଭରି ପାଇପାରିବେ। ଏହା ସହିତ ଗ୍ରାହକ ନିଜ ପସନ୍ଦର ସମୟରେ ମଧ୍ୟ ଡେଲିଭରି ନେଇପାରିବେ। ଖାଲି ସେତିକି ନୁହେଁ, କମ୍ପାନି ପକ୍ଷରୁ ୫ କିଲୋଗ୍ରାମ ବିଶିଷ୍ଟ ଛୋଟ ସିଲିଣ୍ଡର ପାଇଁ ମଧ୍ୟ ଏହି ୪ ଘଣ୍ଟିଆ ଏକ୍ସପ୍ରେସ୍ ହୋମ ଡେଲିଭରି ସେବା ଆରମ୍ଭ କରାଯାଇଛି।
ଶୁକ୍ଳା ମିସ୍ତ୍ରୀ ଇଣ୍ଡିଆନ୍ ଅଏଲ୍ର ପ୍ରଥମ ମହିଳା ନିର୍ଦେଶିକା
ଏହି ଅବସରରେ ଇଣ୍ଡିଆନ୍ ଅଏଲ୍ ଚେୟାରମ୍ୟାନ୍ ଏ. ଏସ୍. ସାହନେ କହିଛନ୍ତି ଯେ ଇନୋଭେସନ ବା ନବସୃଜନ ସେତେବେଳେ ସାର୍ଥକ ହୁଏ ଯେତେବେଳେ ଏହା ଗ୍ରାହକଙ୍କ ଜୀବନକୁ ସହଜ କରିଥାଏ। ‘ଇଣ୍ଡେନ୍ ଏକ୍ସଟ୍ରାଲାଇଟ୍ ନାଓ’ ଆଧୁନିକ ଟେକ୍ନୋଲୋଜି ଓ ତ୍ୱରିତ ସେବାର ଏକ ସମନ୍ୱୟ, ଯାହା ଗ୍ରାହକଙ୍କୁ ଏକ ସ୍ମାର୍ଟ ଓ ସୁରକ୍ଷିତ ଅନୁଭୂତି ପ୍ରଦାନ କରିବ। ସେହିପରି ମାର୍କେଟିଂ ନିର୍ଦ୍ଦେଶକ ସୌମିତ୍ର ପି. ଶ୍ରୀବାସ୍ତବ କହିଛନ୍ତି ଯେ ଆଜିର ସମୟରେ ଗ୍ରାହକମାନେ କ୍ଷିପ୍ର ସେବା ଓ ସୁବିଧାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଏବଂ ଏହି ନୂତନ ସେବା ସେହି ଆବଶ୍ୟକତାକୁ ପୂରଣ କରିବା ଦିଗରେ ଏକ ବଡ଼ ପଦକ୍ଷେପ।
ପ୍ରାରମ୍ଭିକ ଭାବରେ ଏହି ସେବା ପୁଣେ, ଗୁରୁଗ୍ରାମ, ଇନ୍ଦୋର ଏବଂ କୋଏମ୍ବାଟୁରରେ ଉପଲବ୍ଧ ହେବ। କିନ୍ତୁ ଆସନ୍ତା ଅଗଷ୍ଟ ମଧ୍ୟଭାଗ ସୁଦ୍ଧା ଅନ୍ୟ ୨୫ଟି ସହର ଏବଂ ଅକ୍ଟୋବର ଶେଷ ସୁଦ୍ଧା ଦେଶର ସମସ୍ତ ପ୍ରମୁଖ ସହରକୁ ଏହି ସୁବିଧା ସମ୍ପ୍ରସାରିତ କରାଯିବ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରାହକମାନେ ଇଣ୍ଡିଆନ୍ ଅଏଲ୍ ୱାନ (IndianOil ONE) ଆପ୍ ଏବଂ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ନୂଆ କନେକ୍ସନ ପାଇଁ ପଞ୍ଜୀକରଣ କରିବା ସହ ରିଫିଲ୍ ବୁକିଂ କରିପାରିବେ। ଖୁବଶୀଘ୍ର ହ୍ୱାଟସଆପ୍ ମାଧ୍ୟମରେ ମଧ୍ୟ ବୁକିଂ ସୁବିଧା ଉପଲବ୍ଧ ହେବ। ଏହି ସେବା ଇଣ୍ଡେନ୍ ବିତରକ ଓ ନିର୍ଦ୍ଧାରିତ ଇଣ୍ଡିଆନ୍ ଅଏଲ୍ ରିଟେଲ୍ ଆଉଟଲେଟ୍ରେ ମିଳିବ, ଯାହାଦ୍ୱାରା ସହରାଞ୍ଚଳର ପରିବାର ଓ ବୃତ୍ତିଧାରୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ।

4 days ago
3


