Loan Default: ଭିଡିଓକନ୍‌ର ପୂର୍ବତନ ମାଲିକ ଧୂତଙ୍କୁ ଦେବାଳିଆ ଘୋଷଣା କରିଛନ୍ତି ଏନ୍‌ସିଏଲ୍‌ଟି

37 minutes ago 1
ARTICLE AD BOX

ନୂଆଦିଲ୍ଲୀ:ଭିଡିଓକନ୍‌ ଗ୍ରୁପ୍‌ର ପୂର୍ବତନ ମାଲିକ ତଥା ପ୍ରତିଷ୍ଠାତା ବେଣୁଗୋପାଳ ନନ୍ଦଲାଲ ଧୂତଙ୍କୁ ଦେବାଳିଆ ଘୋଷଣା କରିଛନ୍ତି ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି)। ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ୧୨,୬୬୮ କୋଟି ଟଙ୍କାର ବକେୟା ଋଣ ମାମଲାରେ ଏନ୍‌ସିଏଲ୍‌ଟିର ମୁମ୍ବାଇ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର, ନଭେମ୍ବର ୫ରେ ଏହି ରାୟ ପ୍ରକାଶ ପାଇଛି।

ଭିଡିଓକନ୍‌ ଇଣ୍ଡଷ୍ଟ୍ରିଜ୍‌ ଓ ଏହାର ଟେଲିକମ୍‌ ବ୍ୟବସାୟ ସହ ଜଡ଼ିତ ଋଣ ପାଇଁ ଧୂତ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଇଥିଲେ। କମ୍ପାନି ଋଣ ପରିଶୋଧ କରିବାରେ ବିଫଳ ହେବା ପରେ ୨୦୧୮ ଫେବ୍ରୁଆରିରେ ବ୍ୟାଙ୍କଗୁଡ଼ିକ ତାଙ୍କ ଗ୍ୟାରେଣ୍ଟି ଆଧାରରେ ଅର୍ଥ ଆଦାୟ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହାପରେ ୨୦୧୮ ଜୁନ୍‌ରେ ଭିଡିଓକନ୍‌ ଇଣ୍ଡଷ୍ଟ୍ରିଜ୍‌ ବିରୋଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ ହୋଇଥିଲା। 

ପ୍ରସ୍ତାବକୁ ଋଣଦାତାମାନେ ଗ୍ରହଣ କରିନଥିଲେ
ଏହି ମାମଲାରେ ଧୂତ ଋଣଦାତାମାନଙ୍କୁ ୬୦୦ କୋଟି ଟଙ୍କା ପରିଶୋଧ କରିବାକୁ ପ୍ରସ୍ତାବ ଦେଇଥିଲେ। ୩୬ ମାସ ମଧ୍ୟରେ ଏହି ଅର୍ଥ ଦେବାକୁ ସେ ଯୋଜନା କରିଥିଲେ। ସିଲିଗୁଡ଼ିରେ ଏକ ରିଅଲ୍‌ ଇଷ୍ଟେଟ୍‌ ପ୍ରକଳ୍ପ ନିର୍ମାଣ କରି ସେଥିରୁ ମିଳିବାକୁ ଥିବା ଅର୍ଥରେ ଋଣ ପରିଶୋଧ କରିବେ ବୋଲି କହିଥିଲେ। ତେବେ ଏହି ପ୍ରସ୍ତାବକୁ ଋଣଦାତାମାନେ ଗ୍ରହଣ କରିନଥିଲେ। ପ୍ରକଳ୍ପ ପାଇଁ ଆବଶ୍ୟକ ଅନୁମତି ଓ ଭବିଷ୍ୟତର ଆୟ ନେଇ ସ୍ପଷ୍ଟତା ନଥିବା ସହ ତୁରନ୍ତ କୌଣସି ଅର୍ଥ ପରିଶୋଧର ବ୍ୟବସ୍ଥା ନଥିବାରୁ ଏହି ଯୋଜନାକୁ ଖାରଜ କରାଯାଇଥିଲା। ଚଳିତବର୍ଷ ଜୁଲାଇ ୧୭ରେ ଏନ୍‌ସିଏଲ୍‌ଟି ଧୂତଙ୍କ ୬୦୦ କୋଟି ଟଙ୍କାର ପରିଶୋଧ ଯୋଜନାକୁ ଖାରଜ କରିଥିଲେ। 

VAML Coal Mines: ଭିଏଏମ୍ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ

ଏହାପରେ ଏସ୍‌ବିଆଇ ପୁଣି ଦେବାଳିଆ ପ୍ରକ୍ରିୟା ଆରମ୍ଭ ପାଇଁ ଟ୍ରିବ୍ୟୁନାଲ୍‌ଙ୍କ ନିକଟରେ ଆବେଦନ କରିଥିଲା। ବ୍ୟାଙ୍କର ଦାବି ଅନୁଯାୟୀ, ୨୦୨୬ ସେପ୍ଟେମ୍ବର ୩୦ ସୁଦ୍ଧା ସୁଧ ଓ ଅନ୍ୟାନ୍ୟ ଦେୟ ସହ ମୋଟ ବକେୟା ପରିମାଣ ୧୨,୬୬୮.୦୬ କୋଟି ଟଙ୍କା ରହିଥିଲା। ଏନ୍‌ସିଏଲ୍‌ଟି ଧୂତଙ୍କ ସମ୍ପତ୍ତିର ପରିଚାଳନା ଓ ଋଣଦାତାଙ୍କ ମଧ୍ୟରେ ଅର୍ଥ ବଣ୍ଟନ ପାଇଁ ଆଶିଷ ନାରାୟଣଙ୍କୁ ଦେବାଳିଆ ଟ୍ରଷ୍ଟି ନିଯୁକ୍ତ କରିଛନ୍ତି। ଧୂତଙ୍କୁ ନିଜର ଆର୍ଥିକ ସ୍ଥିତି ସମ୍ପର୍କିତ ତଥ୍ୟ ୭ ଦିନ ମଧ୍ୟରେ ଟ୍ରଷ୍ଟିଙ୍କୁ ଦେବାକୁ ପଡ଼ିବ। ଟ୍ରଷ୍ଟି ୯୦ ଦିନ ମଧ୍ୟରେ ପ୍ରାଥମିକ ରିପୋର୍ଟ ଦାଖଲ କରିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.