ARTICLE AD BOX
ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁର ମାନ ଦିନକୁ ଦିନ ଅତି ଖରାପ ହେଉଥିବାରୁ ସୁପ୍ରିମ୍କୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ବିଶେଷକରି ଯାନବାହନରୁ ନିର୍ଗତ ଧୂଆଁ ଯୋଗୁଁ ବଢ଼ୁଥିବା ପ୍ରଦୂଷଣ ରୋକିବାକୁ ତୁରନ୍ତ ପ୍ରଭାବୀ ପଦକ୍ଷେପ ନେବା ଉପରେ କୋର୍ଟ ଗୁରୁତ୍ୱ ଦେଇଛନ୍ତି। ଏଥିସହ ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଓ ଉତ୍ତରପ୍ରଦେଶ ସରକାରଙ୍କୁ ଯାନବାହନ ପ୍ରଦୂଷଣ ରୋକିବା ପାଇଁ ବିସ୍ତୃତ କାର୍ଯ୍ୟଯୋଜନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀ ସରକାର, ଦିଲ୍ଲୀ ନଗର ନିଗମ (ଏମ୍ସିଡି), ଦିଲ୍ଲୀ ପୁଲିସର ଟ୍ରାଫିକ୍ ବିଭାଗ ଏବଂ ତିନି ପଡ଼ୋଶୀ ରାଜ୍ୟର ସରକାରଙ୍କଠାରୁ ଏ ସମ୍ପର୍କିତ ସବିଶେଷ ତଥ୍ୟ ମାଗିଛନ୍ତି।
ଦିଲ୍ଲୀ ଓ ଏନ୍ସିଆର୍ରେ ଚଳାଚଳ କରୁଥିବା ବାଣିଜ୍ୟିକ ଓ ଅଣବାଣିଜ୍ୟିକ ଯାନ ନିୟନ୍ତ୍ରଣ ପାଇଁ କି ପ୍ରକାର ବ୍ୟବସ୍ଥା ରହିଛି, ତାହା ଜାଣିବାକୁ କୋର୍ଟ ଚାହିଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସି) ଯାଞ୍ଚ, ନିର୍ଦ୍ଧାରିତ ନିର୍ଗମନ ମାନଦଣ୍ଡର ପାଳନ ଏବଂ ନିୟମ ଉଲ୍ଲଂଘନକାରୀ ଗାଡ଼ି ବିରୋଧରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ବିଶେଷକରି ନିର୍ଦ୍ଧାରିତ ବୟସସୀମା ଅତିକ୍ରମ କରିଥିବା, ବ୍ୟବହାର ଅନୁପଯୋଗୀ ହୋଇପଡ଼ିଥିବା ଏବଂ ପ୍ରଦୂଷଣ ନିୟମ ପାଳନ କରୁନଥିବା ଗାଡ଼ିଗୁଡ଼ିକୁ ରାସ୍ତାକୁ ଓହ୍ଲାଇବାରୁ ରୋକିବା ପାଇଁ ଥିବା ବ୍ୟବସ୍ଥାର ବିବରଣୀ ମଧ୍ୟ ମାଗିଛନ୍ତି। ସେହିପରି କେତେ ଗାଡ଼ି ଯାଞ୍ଚ ହୋଇଛି, କେତେ ଗାଡ଼ିର ଚାଲାଣ କଟାଯାଇଛି, କେତେ ଗାଡ଼ିକୁ ଦିଲ୍ଲୀରେ ପ୍ରବେଶ ଅନୁମତି ମିଳିନାହିଁ ଏବଂ ନିୟମ ଉଲ୍ଲଂଘନ ପାଇଁ କେତେ ଗାଡ଼ି ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି, ସେ ସମ୍ପର୍କରେ ମଧ୍ୟ ହିସାବ ମାଗିଛନ୍ତି।
କମିସନ ଫର୍ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ୍) ପକ୍ଷରୁ ଚଳିତ ବର୍ଷ ଆରମ୍ଭରେ କୋର୍ଟରେ ଦାଖଲ ରିପୋର୍ଟ ଅନୁସାରେ, ଦିଲ୍ଲୀ-ଏନ୍ସିଆର୍ରେ ବାୟୁ ପ୍ରଦୂଷଣର ସବୁଠାରୁ ବଡ଼ ଉତ୍ସ ହେଉଛି ଯାନବାହନରୁ ନିର୍ଗତ ଧୂଆଁ। ଶୀତଦିନେ ମୋଟ ପ୍ରଦୂଷଣର ୨୩ ପ୍ରତିଶତ ଏବଂ ଗ୍ରୀଷ୍ମଦିନେ ୧୯ ପ୍ରତିଶତ ପ୍ରଦୂଷଣ ପାଇଁ ଯାନବାହନ ଦାୟୀ ବୋଲି ଏଥିରେ ଉଲ୍ଲେଖ ରହିଛି। ଏହି ତଥ୍ୟକୁ ଆଧାର କରି ଯାନବାହନ ପ୍ରଦୂଷଣ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି।
Judgement: ଜାମିନ ପାଇଁ ସୁପ୍ରିମ୍କୋର୍ଟ ଗଲେ ଉମର ଖାଲିଦ, ଶରଜିଲ ଇମାମ୍
ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଗ୍ରାପ୍)ର କାର୍ଯ୍ୟକାରିତା ସମ୍ପର୍କରେ ଆମିକସ୍ କ୍ୟୁରି ତଥା ବରିଷ୍ଠ ଆଇନଜୀବୀ ଅପରାଜିତା ସିଂହ ଏବଂ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟି କୋର୍ଟରେ ତଥ୍ୟ ଉପସ୍ଥାପନ କରିଥିଲେ। ଅକ୍ଟୋବର ୨୧ରୁ ନଭେମ୍ବର ୩ ମଧ୍ୟରେ ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ନଡ଼ା ଜଳାଇବା ଘଟଣା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବା ବେଳେ ଯାନବାହନ ପ୍ରଦୂଷଣ ସମସ୍ୟା ବଢ଼ିଥିବା ତଥ୍ୟରୁ ଜଣାପଡ଼ିଥିଲା। ନଡ଼ା ଜଳାଇବା ଘଟଣା ହ୍ରାସ ପାଇବା ସ୍ୱାଗତଯୋଗ୍ୟ, କିନ୍ତୁ ଯାନବାହନ ପ୍ରଦୂଷଣରେ ବୃଦ୍ଧି ମଧ୍ୟ ସମାନ ଭାବେ ଚିନ୍ତାଜନକ ବୋଲି ଖଣ୍ଡପୀଠ କହିଥିଲେ। ଦିଲ୍ଲୀ ଓ ଏନ୍ସିଆର୍ର ଭୌଗୋଳିକ ଏବଂ ଆର୍ଥିକ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ହୋଇଥିବାରୁ କେବଳ ଦିଲ୍ଲୀର ଗାଡ଼ି ନୁହେଁ, ପଡ଼ୋଶୀ ରାଜ୍ୟରୁ ଆସୁଥିବା ଯାନବାହନ ମଧ୍ୟ ପ୍ରଦୂଷଣ ବୃଦ୍ଧି ପାଇଁ ଦାୟୀ ବୋଲି କୋର୍ଟ ମତ ଦେଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୩ରେ ହେବ।

1 hour ago
3

