ARTICLE AD BOX
ବୈଶିଙ୍ଗା (ଦୀପକ କୁମାର ସିଂହ): ଜଗା ଦର୍ଶନ ପାଇଁ ପରିବାର ସହ ପୁରୀ ଯାଇଥିଲେ ଘର ମାଲିକ। ଏପଟେ ଖାଲି ଘରର ସୁଯୋଗ ନେଇ ତାଲା ଭାଙ୍ଗି କଳାକନା ବୁଲାଇଲେ ଦୁର୍ବୃତ୍ତ। ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଛନ୍ତି ଚୋର। ଏଭଳି ଏକ ଚୋରି ଘଟଣାକୁ ନେଇ ବୈଶିଙ୍ଗା ଥାନା ଅଞ୍ଚଳର ବଙ୍ଗାଳଡାହି ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ବଙ୍ଗାଳଡାହି ଗ୍ରାମର ମହେନ୍ଦ୍ର ନାଥ ମହାନ୍ତ ଜଣେ LIC ଏଜେଣ୍ଟ ଭାବେ କାର୍ଯ୍ୟ କରନ୍ତି। ଶୁକ୍ରବାର ଦିନ ସେ ନିଜ ସ୍ତ୍ରୀ ଓ ଦୁଇ ପୁଅଝିଅଙ୍କ ସହ ଜଗା ଦର୍ଶନ ପାଇଁ ପୁରୀ ଯାଇଥିଲେ। ଏହି ସମୟରେ ତାଙ୍କ ପଡ଼ୋଶୀ ଘରର ଲୋକ ଫୋନ୍ କରି ଘରର ତାଲା ଭାଙ୍ଗି ଦିଆଯାଇଥିବା ଖବର ଦେଇଥିଲେ।
ଖବର ପାଇ ମହେନ୍ଦ୍ର ଶନିବାର ରାତିରେ ପୁରୀରୁ ଘରକୁ ଫେରିଥିଲେ। ଘରେ ପହଞ୍ଚି ଦେଖିବାକୁ ପାଇଥିଲେ ଯେ, ଘର ପଛପଟ ଗ୍ରିଲ୍ରେ ଲାଗିଥିବା ତାଲା ଭାଙ୍ଗିବା ସହ ଭିତର କବାଟ ମଧ୍ୟ ଭାଙ୍ଗି ଦିଆଯାଇଛି। ଘର ଭିତରକୁ ପଶି ଦେଖିବା ବେଳକୁ ଦୁଇଟି ଶୋଇବା ଘରର ଆସବାବପତ୍ର ଖିନ୍ଭିନ୍ ହୋଇ ପଡ଼ିଥିଲା। ଦୁର୍ବୃତ୍ତମାନେ ଗଡ଼ରେଜ୍ର ତାଲା ଭାଙ୍ଗି ଭିତରେ ଥିବା ସମସ୍ତ ମୂଲ୍ୟବାନ ଅଳଙ୍କାର ଲୁଟି ନେଇଥିଲେ।
ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ଦୁଇଟି ସୁନା ଚେନ୍, ଦୁଇଟି ମଙ୍ଗଳସୂତ୍ର, ଚାରିଟି ସୁନା ମୁଦି, ଏକ ହଳ ସୁନା ପଲା ଓ ଦୁଇଟି ସୁନା ଲକେଟ୍ ରହିଛି। ଏହା ସହ ନଗଦ ୯ ହଜାର ୩୦୦ ଟଙ୍କା ମଧ୍ୟ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଦୀର୍ଘଦିନ ଧରି LIC ଏଜେଣ୍ଟ ଭାବେ କାର୍ଯ୍ୟ କରି ମହେନ୍ଦ୍ର ଯାହା ସଞ୍ଚୟ କରିଥିଲେ, ତାହା ଏକାଥରେ ଲୁଟ୍ ହୋଇଯିବାରୁ ପରିବାର ଚିନ୍ତାରେ ପଡ଼ିଛି।
Gujarat Police: ଗୁଜରାଟରେ ଧରାପଡ଼ିଲେ ୟୁପିର ୩ ଲୁଟେରା, ୭୪.୭୫ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ
ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ପରେ ଆଜି ଅପରାହ୍ନରେ ବୈଶିଙ୍ଗା ଥାନା ଅଧିକାରୀ ବାବା ଶଙ୍କର ସରାଫଙ୍କ ନେତୃତ୍ୱରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ର ସହାୟତାରେ ଘଟଣାସ୍ଥଳରେ ଛାନଭିନ୍ କରାଯାଇଛି। ତେବେ ଏହି ଚୋରି ଘଟଣାରେ ଏଯାଏଁ କାହାରି ସମ୍ପୃକ୍ତି ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଜାରି ରହିଛି।
ଅନ୍ୟପକ୍ଷରେ, ନିକଟରେ ବୈଶିଙ୍ଗା ପୁଲିସ ଦୁଇଟି ଚୋର ଗ୍ୟାଙ୍ଗକୁ ଧରିଥିବା ସତ୍ତ୍ୱେ ଅଞ୍ଚଳରେ ଚୋରି ଘଟଣା ଥମିବାର ନାଁ ନେଉନାହିଁ। ଏହା ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଅଞ୍ଚଳବାସୀଙ୍କ ମଧ୍ୟରେ ମଧ୍ୟ ଅସୁରକ୍ଷାର ଭାବନା ବଢ଼ିବାରେ ଲାଗିଛି। ଏହି ଚୋରି ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଶୀଘ୍ର ଧରିବା ସହ ଚୋରି ରୋକିବା ଦିଗରେ ପୁଲିସ କି ପଦକ୍ଷେପ ନେଉଛି, ତାହା ଏବେ ଦେଖିବାକୁ ବାକି ରହିଲା।

1 hour ago
3

