India all out for 89: ରୋହିତ, କୋହଲି, ଶ୍ରେୟସ ‘ଡକ୍‌’; ଭାରତ ୮୯ରେ ଅଲ୍‌ଆଉଟ୍‌

1 hour ago 1
ARTICLE AD BOX

ମାଉଣ୍ଟ ମୌଙ୍ଗନୁଇ: ସ୍ଥାନୀୟ ବେ ଓଭାଲରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ଭାରତ ଶୋଚନୀୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପରାଜୟ ବରଣ କରିଛି। ୩୩୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭ୍ରମଣକାରୀ ଭାରତ ୨୬.୪ ଓଭରରେ ମାତ୍ର ୮୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ଅଷ୍ଟମ ଥର ଲାଗି ୧୦୦ ରନ୍‌ ଭିତରେ ଅଟକିବାରେ ଅଲୋଡ଼ା ରେକର୍ଡ କରିଛି। ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍‌କୁ ୨୪୪ ରନ୍‌ରେ ଜିତି ଦ୍ବିତୀୟ ବୃହତ୍‌ ବିଜୟ ପାଇଛି। ୨୯୦ ରନ୍‌ (ଆୟର୍ଲାଣ୍ଡ, ୨୦୦୮) ନ୍ୟୁଜିଲାଣ୍ଡର ବଡ଼ ବିଜୟ ରେକର୍ଡ ରହିଛି। ଭାରତର ମଧ୍ୟ ଏହା ଦିନିକିଆରେ ଦ୍ବିତୀୟ ବଡ଼ ରନ୍‌ ବ୍ୟବଧାନ ପରାଜୟ। ୨୦୦୦ରେ ସାରଜାରେ ଶ୍ରୀଲଙ୍କା ବିପକ୍ଷ ୨୪୫ ରନ୍‌ ବ୍ୟବଧାନର ପରାଜୟ ଅତୁଟ ରହିଛି। ପରାଜୟ ସତ୍ତ୍ବେ ଭାରତ ୫ ମ୍ୟାଚ୍‌ ବିଶି‌ଷ୍ଟ ଦିନିକିଆ ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଛି। ଶେଷ ଦିନିକିଆ ଏଠାରେ ରବିବାର ଖେଳାଯିବ।

Russia-Ukraine war: ଆମେରିକାର ଶାନ୍ତି ଉଦ୍ୟମ ସତ୍ତ୍ୱେ ରୁଷ୍‌-ୟୁକ୍ରେନ୍‌ରେ ରାତିସାରା ଆକ୍ରମଣ

ସଚିନଙ୍କ ଅଲୋଡ଼ା ରେକର୍ଡର ସମକକ୍ଷ ହେଲେ ବିରାଟ
ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ଶୂନ ରନ୍‌ରେ ଆଉଟ ହୋଇ ବିରାଟ କୋହଲି କ୍ରିକେଟ୍‌ କିଂବଦନ୍ତି ସଚିନ ତେନ୍ଦୁଲକରଙ୍କ ଏକ ଅଲୋଡ଼ା ରେକର୍ଡର ସମକକ୍ଷ ହୋଇଛନ୍ତି। ଉଭୟ ନିଜ ଦିନିକିଆ କ୍ୟାରିୟରରେ ୨୦ ଥର ଶୂନରେ ଆଉଟ ହୋଇଛନ୍ତି। ତେବେ ସଚିନ୍‌ ୪୬୩ଟି ଦିନିକିଆ ମ୍ୟାଚ୍‌ ଖେଳି ୨୦ ଥର ଶୂନରେ ଆଉଟ୍‌ ହୋଇଥିବା ବେଳେ କୋହଲି ମାତ୍ର ୩୨୧ଟି ମ୍ୟାଚ୍‌ରେ ଏହି ଅଲୋଡ଼ା ରେକର୍ଡରେ ପହଞ୍ଚିଛନ୍ତି। ଏହି ତାଲିକାର ତୃତୀୟ ସ୍ଥାନରେ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜଭାଗଲ ଶ୍ରୀନାଥ ରହିଛନ୍ତି। ସେ ୧୯ ଥର ଶୂନରେ ଆଉଟ ହୋଇଛନ୍ତି। ପୂର୍ବତନ ଲେଗ୍‌ ସ୍ପିନର ଅନିଲ କୁମ୍ବଲେ ଓ ରୋହିତ ଶର୍ମା ୧୮ ଲେଖାଏଁ ଡକ୍‌ ସହ ଯୁଗ୍ମ ଚତୁର୍ଥ ସ୍ଥାନରେ ଅଛନ୍ତି।

ପ୍ରଥମ ଥର ଦିନିକିଆରେ ଭାରତୀୟ ଦଳର ନେତୃତ୍ବ ନେଉଥିବା ଶ୍ରେୟସ ଆୟର ଟସ୍‌ ଜିତି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ଟିମ୍‌ ସେଫର୍ଟ ୩୯ ବଲ୍‌ରେ ଅର୍ଦ୍ଧଶତକ ଅର୍ଜନ କରି ଘରୋଇ ଦଳକୁ ଦ୍ରୁତ ଆରମ୍ଭ ଦେଇଥିଲେ। ସେ ୫୮ ରନ୍‌ କରି ଗୁରନୂର ବ୍ରାରଙ୍କ ବଲ୍‌ରେ ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଥିଲେ। ତେବେ ମ୍ୟାଚ୍‌ର ଦ୍ବିତୀୟ ଓଭରରେ ୱିଲ୍‌ ୟଙ୍ଗଙ୍କ ଦୁଇଟି କ୍ୟାଚ୍‌ ଛାଡ଼ିବା ଭାରତକୁ ମହଙ୍ଗା ପଡ଼ିଥିଲା। ୟଙ୍ଗ (୧୦୮ ବଲ୍‌ରୁ ୧୨୫) ଶତକୀୟ ପାଳି ଖେଳି ଦଳକୁ ବଡ଼ ସ୍କୋର୍‌ ଦିଗରେ ନେଇଥିଲେ। ସେ ସେଫର୍ଟଙ୍କ ସହ ପ୍ରଥମ ୱିକେଟ୍‌ରେ ୟଙ୍ଗ ୮୫ ରନ୍‌ ଭାଗୀଦାର ଗଢ଼ିବା ପରେ ଫିନ୍‌ ଆଲେନ୍‌ (୩୦ ବଲ୍‌ରୁ ୪୧)ଙ୍କ ସହ ୯୦ ରନ୍‌ ଯୋଡ଼ିବା ନ୍ୟୁଜିଲାଣ୍ଡକୁ ମଜବୁତ ସ୍ଥିତିରେ ରଖିଥିଲା। ଶେଷରେ ଭାରତୀୟ ବୋଲର ଭଲ କରିବାରୁ ଦଳ ୩୩୩ ରନ୍‌ରେ ଅଟକି ଯାଇଥିଲା। 

ନ୍ୟୁଜିଲାଣ୍ଡ ୨୪୪ ରନ୍‌ରେ ଜିତିଲା

ଜବାବରେ ପ୍ରଥମ ଓଭରରେ ଦୁଇ ତାରକା ବ୍ୟାଟର୍‌ ରୋହିତ ଶର୍ମା, ବିରାଟ କୋହଲିଙ୍କ ସହ ଅଧିନାୟକ ଶ୍ରେୟସ ଆୟର ‘ଡକ୍‌’ରେ ଆଉଟ୍‌ ହେବା ଭାରତକୁ ଭାରି ପଡ଼ିଥିଲା। ମ୍ୟାଟ୍‌ ହେନରି ପ୍ରଥମ ଓଭରରେ କୌଣସି ରନ୍‌ ନ ଦେଇ ଏହି ୩ ଜଣଙ୍କୁ ପ୍ୟାଭିଲିୟନ୍‌ ପଠାଇଥିଲେ। ଏପରିକି ଦୁଇ ଭେଟେରାନ ରୋହିତ ଓ ‌କୋହଲି ଦ୍ବିତୀୟ ଥର ଲାଗି ଏକାଠି ଶୂନରେ ଆଉଟ୍‌ ହୋଇଥିଲେ। ପୂର୍ବରୁ ୨୦୧୦ରେ ଶ୍ରୀଲଙ୍କା ବିପକ୍ଷ ଡମ୍ବୁଲାରେ ଉଭୟ ଖାତା ଖୋଲିପାରି ନଥିଲେ। ଏହି ୩ ଜଣ ଆଉଟ୍‌ ପରେ ଋତୁରାଜ ଗାଏକ୍ବାଡ (୫)ଙ୍କୁ କାଇଲ ଜାମିସନ୍‌ ଆଉଟ୍‌ କରିଦେବାରୁ ଭାରତ ୫.୩ ଓଭରରେ ୯/୪ରେ ସଂଘର୍ଷ କରିଥିଲା। ତେବେ ଈଶାନ କିଶନ ଓ ଅକ୍ଷର ପଟେଲ ପଞ୍ଚମ ୱିକେଟ୍‌ରେ ୪୪ ରନ୍‌ କରି କିଛିଟା ଲଢ଼ିଥିଲେ। ଅକ୍ଷର (୨୧) ଏବଂ ଈଶାନ (୨୭) ଆଗ ପଛ ହୋଇ ମାଥ୍ୟୁ ଫିସର ଓ ହେନରିଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ଫିସରଙ୍କ ଗୋଟିଏ ଓଭରରେ ଲଗାତାର ଦୁଇଟି ଛକା ମାରି ନମନ ଧୀର (୨୧) ଆଶା ଦେଖାଇଥିଲେ। ହେଲେ ହେନରିଙ୍କ ପଞ୍ଚମ ଶିକାର ହୋଇ ସେ ପ୍ୟାଭିଲିୟନ୍‌ ଫେରିଥିଲେ। ଶେଷରେ ବ୍ରାରଙ୍କୁ ହେନରି ଆଉଟ୍‌ କରି ୯.୪-୨-୨୭-୬ ବୋଲିଂ ସଫଳତା ପାଇବା ସହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ।

Horoscope 2026 November 14: ଜାଣନ୍ତୁ ଆଜିର ରାଶିଫଳ...

‌ଚିନ୍ତାରେ ଗମ୍ଭୀର
ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ଭାରତୀୟ ଦଳର ଶୋଚନୀୟ ବ୍ୟାଟିଂ ବିପର୍ଯ୍ୟୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର। ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ବିଶ୍ୱକପ୍‌ର ପରିସ୍ଥିତି ସହ ନ୍ୟୁଜିଲାଣ୍ଡର ପରିବେଶ ସମାନ ହୋଇପାରେ ବୋଲି ସେ ଚେତାଇଛନ୍ତି। ଏହି ମ୍ୟାଚ୍‌ରେ ଭାରତ ୨୪୪ ରନ୍‌ରେ ପରାସ୍ତ ହେବା ପରେ ଗମ୍ଭୀର କହିଛନ୍ତି, ୯୦ ରନ୍‌ ଆଖପାଖରେ ଅଲ୍‌ଆଉଟ୍ ହେବା ନିଶ୍ଚିତ ଭାବେ ଚିନ୍ତାଜନକ। ତା’ଠାରୁ ଅଧିକ ଚିନ୍ତାର ବିଷୟ ହେଉଛି ଦଳ ମାତ୍ର ୨୬-୨୭ ଓଭରରେ ଅଲ୍‌ଆଉଟ୍ ହେବା। ସେ କହିଛନ୍ତି ଯେ ଭାରତରେ ପ୍ରଥମ ୧୦ ଓଭର ଖେଳିବା ସହଜ ହୋଇଥାଏ, କିନ୍ତୁ ନ୍ୟୁଜିଲାଣ୍ଡରେ ପ୍ରଥମ ୧୦ ଓଭର ସବୁଠାରୁ କଷ୍ଟକର ହୋଇଥାଏ। ଏହି ୧୦ ଓଭରରେ ଆପଣ ଯଦି କୌଣସି ୱିକେଟ୍‌ ନ ହରାଇ ୩୫-୪୦ ରନ୍‌ କଲେ ତେବେ ତାହା ଏକ ଭଲ ଆରମ୍ଭ ବୋଲି କୁହାଯିବ। ନ୍ୟୁଜିଲାଣ୍ଡ ବୋଲରଙ୍କ ଲେଙ୍ଗ୍‌ଥକୁ ନେଇ ଭାରତୀୟ ବ୍ୟାଟର ଦ୍ବିଧାଗ୍ରସ୍ତ ନ ହୋଇ ଠିକ୍‌ ନିଷ୍ପତ୍ତି ନେଇ ଖେଳିବା ଉଚିତ ବୋଲି ଗମ୍ଭୀର କହିଛନ୍ତି।

ସଂକ୍ଷିପ୍ତ ସ୍କୋର୍‌: ନ୍ୟୁଜିଲାଣ୍ଡ ୫୦ ଓଭରରେ ୩୩୩ (ୱିଲ୍‌ ୟଙ୍ଗ-୧୨୫, ଟିମ୍‌ ସେଫର୍ଟ-୫୮, ଫିନ୍‌ ଆଲେନ୍‌- ୪୧, ଅକ୍ଷର ପଟେଲ-୨/୩୯, ଆକ୍ବିବ ନବି-୨/୫୯, ଗୁରନୂର ବ୍ରାର-୨/୬୯)। ଭାରତ ୨୬.୪ ଓଭରରେ ୮୯ (ଈଶାନ କିଶନ-୨୭, ଅକ୍ଷର ପଟେଲ-୨୧, ନମନ ଧୀର-୨୧, ମ୍ୟାଟ୍‌ ହେନରି-୬/୨୭, ମାଥ୍ୟୁ ଫିସର-୩/୩୧, କାଇଲ ଜାମିସନ-୧/୧୨)।

Read Entire Article
LEFT SIDEBAR AD

Hidden in mobile, Best for skyscrapers.