ARTICLE AD BOX
ନୂଆଦିଲ୍ଲୀ: ଦୀର୍ଘ ୩୫ ବର୍ଷ ପରେ ଭାରତ ପୁଣି ଥରେ ‘ଏ’ ରେଟିଂ କ୍ଲବ୍ରେ ସାମିଲ ହୋଇଛି। ଜାପାନ କ୍ରେଡିଟ୍ ରେଟିଂ ଏଜେନ୍ସି ଜେସିଆର୍ଏ ଭାରତର ସାର୍ବଭୌମ କ୍ରେଡିଟ୍ ରେଟିଂକୁ ‘ବିବିବି ପ୍ଲସ୍’ରୁ ଗୋଟିଏ ସ୍ତର ବଢ଼ାଇ ‘ଏ ମାଇନସ୍’ କରିଛି। ଏହା ସହ ଭାରତର ରେଟିଂ ଆଉ ଥରେ ‘ଏ’ ଶ୍ରେଣୀକୁ ଫେରିଛି। ଜେସିଆର୍ଏ ଭାରତର ରେଟିଂ ଆଉଟଲୁକ୍କୁ ‘ସ୍ଥିର’ ରଖିଛି। ୧୯୮୮ରେ ଭାରତକୁ ମୁଡିଜ୍ ‘ଏ୨’ ରେଟିଂ ଦେଇଥିଲା। କିନ୍ତୁ ୧୯୯୦-୯୧ର ବୈଦେଶିକ ମୁଦ୍ରା ସଙ୍କଟ ଓ ପେମେଣ୍ଟ୍ସ ବାଲାନ୍ସ ସମସ୍ୟା ପରେ ଦେଶ ଏହି ‘ଏ’ ରେଟିଂ ହରାଇଥିଲା। ଏବେ ୩୫ ବର୍ଷରୁ ଅଧିକ ସମୟ ପରେ ଜେସିଆର୍ଏର ନିଷ୍ପତ୍ତି ଭାରତୀୟ ଅର୍ଥନୀତିର ମଜବୁତ ହେଉଥିବା ଭିତ୍ତିକୁ ଆନ୍ତର୍ଜାତୀୟ ସ୍ୱୀକୃତି ବୋଲି ବିବେଚନା କରାଯାଉଛି।
ଆର୍ଥିକ ବ୍ୟବସ୍ଥାରେ ସୁଧାର ରେଟିଂ ବୃଦ୍ଧିର କାରଣ
ଜେସିଆର୍ଏ କହିଛି ଯେ ଭାରତୀୟ ଅର୍ଥନୀତିର ନିରନ୍ତର ଉଚ୍ଚ ଅଭିବୃଦ୍ଧି, ଦୃଢ଼ ଘରୋଇ ଉପଭୋଗ, ସରକାରୀ ପୁଞ୍ଜିନିବେଶ ଓ ଆର୍ଥିକ ବ୍ୟବସ୍ଥାରେ ସୁଧାର ରେଟିଂ ବୃଦ୍ଧିର ପ୍ରମୁଖ କାରଣ। ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିର ବିକାଶ ଓ ଜିଏସ୍ଟି କାର୍ଯ୍ୟକାରୀ ହେବା ମଧ୍ୟ ଅର୍ଥନୀତିର ମୁଳଦୁଆକୁ ମଜବୁତ କରିଛି ବୋଲି ଏଜେନ୍ସି ମତ ଦେଇଛି। ଭାରତର ଅର୍ଥନୈତିକ ଅଭିବୃଦ୍ଧିର ଗତି ମଧ୍ୟ ଏହି ରେଟିଂ ବୃଦ୍ଧିର ଏକ ବଡ଼ କାରଣ। ୨୦୨୬-୨୭ ଆର୍ଥିକବର୍ଷର ଏପ୍ରିଲ୍-ଜୁନ୍ ପ୍ରଥମ ତ୍ରୈମାସରେ ଦେଶର ପ୍ରକୃତ ଜିଡିପି ୭.୮% ବଢ଼ିଛି। ଏହା ଆଶାଠାରୁ ଭଲ ପ୍ରଦର୍ଶନ। ୨୦୨୫-୨୬ରେ ମଧ୍ୟ ଭାରତୀୟ ଅର୍ଥନୀତି ପ୍ରାୟ ୭.୭% ହାରରେ ବଢ଼ିଥିଲା। ଜେସିଆର୍ଏ ଆଶା କରୁଛି ଯେ ୨୦୨୬-୨୭ରେ ମଧ୍ୟ ଅଭିବୃଦ୍ଧି ୬%ରୁ ଅଧିକ ରହିବ।
Air India: ଫୁକେଟ୍-ଦିଲ୍ଲୀ ବିମାନ ଦୁର୍ଘଟଣା: ପାଇଲଟ୍ ଡ୍ରଗ୍ ପରୀକ୍ଷାରେ ପଜିଟିଭ
ଆର୍ଥିକ ବ୍ୟବସ୍ଥାର ସୁଧାର ମଧ୍ୟ ଭାରତର ରେଟିଂ ବୃଦ୍ଧିରେ ବଡ଼ ଭୂମିକା ନେଇଛି। ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ମୋଟ୍ ଏନ୍ପିଏ ଅନୁପାତ ୨%ରୁ ତଳକୁ ଖସିଛି। ଆଇବିସି, ବ୍ୟାଙ୍କଗୁଡ଼ିକରେ ସରକାରୀ ନିବେଶ ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ଉନ୍ନତ ନିରୀକ୍ଷଣ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିଛି। ଗତ କିଛି ସମୟରେ ଅନ୍ୟ ଅନ୍ତର୍ଜାତୀୟ ରେଟିଂ ଏଜେନ୍ସିଗୁଡ଼ିକ ମଧ୍ୟ ଭାରତର ରେଟିଂ ବଢ଼ାଇଛନ୍ତି। ୨୦୨୫ରେ ମର୍ଣ୍ଣିଂଷ୍ଟାର୍ ଡିବିଆର୍ଏସ୍, ଏସ୍ଆଣ୍ଡ୍ପି ଗ୍ଲୋବାଲ୍ ରେଟିଂସ୍ ଓଜାପାନର ଆର୍ଆଣ୍ଡ୍ଆଇ ଭାରତର ରେଟିଂରେ ସୁଧାର କରିଥିଲେ। ଏସ୍ଆଣ୍ଡ୍ପି ୨୦୦୭ ପରେ ପ୍ରଥମ ଥର ପାଇଁ ୨୦୨୫ରେ ଭାରତର ରେଟିଂ ବଢ଼ାଇଥିଲା। ତେବେ ମୁଡିଜ୍ ଓ ଫିଚ୍ ଭଳି ପ୍ରମୁଖ ରେଟିଂ ଏଜେନ୍ସିଙ୍କ ନିକଟରେ ଭାରତ ଏପର୍ଯ୍ୟନ୍ତ ସର୍ବନିମ୍ନ ଇନ୍ଭେଷ୍ଟମେଣ୍ଟ୍-ଗ୍ରେଡ୍ ଶ୍ରେଣୀରେ ରହିଛି। ଫିଚ୍ର ରେଟିଂ ‘ବିବିବି-’ ଏବଂ ମୁଡିଜ୍ର ରେଟିଂ ‘ବିଏଏ୩’ ରହିଛି। ଏହା ଫଳରେ ବିଶ୍ୱର ପ୍ରମୁଖ ‘ବିଗ୍ ଥ୍ରି’ ରେଟିଂ ଏଜେନ୍ସି ମଧ୍ୟରେ ଭାରତର ‘ଏ’ ଶ୍ରେଣୀକୁ ପ୍ରବେଶ ଏବେ ବି ଏକ ଆହ୍ବାନ ହୋଇରହିଛି।

1 week ago
7


