ARTICLE AD BOX
ଭୁବନେଶ୍ବର: ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା, ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଓ ଛତିଶଗଡ଼ ଉପରେ ଥିବା ଗଭୀର ଅବପାତ ପଶ୍ଚିମ ଦିଗକୁ ଗତି କରୁଛି। ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରୁଥିବା ଏହି ଗଭୀର ଅବପାତ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ପ୍ରଭାବରେ ୩୦ ତାରିଖ ପୂର୍ବାହ୍ଣ ସୁଦ୍ଧା ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ମାଲକାନଗିରି, ରାୟଗଡ଼ା, ବଲାଙ୍ଗୀର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏଥିସହ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଜୁଲାଇ ମାସରେ (ଏ ପର୍ଯ୍ୟନ୍ତ) ସ୍ବାଭାବିକଠାରୁ ପ୍ରାୟ ଦୁଇ ଗୁଣ ବର୍ଷା ହୋଇଛି। ଜୁଲାଇ ୧ରୁ ୨୯ ତାରିଖ ମଧ୍ୟରେ ଓଡ଼ିଶାର ସ୍ବାଭାବିକ ମୌସୁମୀ ବର୍ଷା ପରିମାଣ ୩୧୬.୫ ମିମି ହୋଇଥାଏ। ମାତ୍ର ଏହି ସମୟ ମଧ୍ୟରେ ୬୨୩.୭ ମିମି ବର୍ଷା ହୋଇଛି, ଯାହାକି ଏକ ରେକର୍ଡ। ମାସର ସ୍ବାଭାବିକଠାରୁ ୯୭.୧% ଅଧିକ ବର୍ଷା ହୋଇଛି। ଆଜିର ଦିନରେ ଗୋଟିଏ ବ୍ଲକ୍ରେ ୩୦୦ ମିମିରୁ ଅଧିକ ବର୍ଷା ହୋଇଥିବା ବେଳେ ୯ଟି ବ୍ଲକ୍ରେ ୨୦୦ ମିମିରୁ ଅଧିକ, ୪୬ଟି ବ୍ଲକ୍ ଓ ଗୋଟିଏ ସହରାଞ୍ଚଳରେ ୧୦୦ ମିମିରୁ ୨୦୦ ମିମି ମଧ୍ୟରେ ବର୍ଷା ହୋଇଛି। ବୁଧବାର ରାଜ୍ୟର ହାରାହାରି ବର୍ଷା ପରିମାଣ ୫୮.୯ ମିମି ରହିଥିଲା, ଯେତେବେଳେ କି ବରଗଡ଼ (୧୯୭.୨ ମିମି), ସୁବର୍ଣ୍ଣପୁର (୧୫୮.୭ ମିମି), ବୌଦ୍ଧ (୧୫୨.୭ ମିମି), ବଲାଙ୍ଗୀର (୧୪୨.୫ ମିମି), ଅନୁଗୋଳ (୧୨୪.୫ ମିମି), ନୂଆପଡ଼ା (୧୧୯.୪ ମିମି), ସମ୍ବଲପୁର (୧୦୭.୨ ମିମି) ଜିଲ୍ଲାରେ ଅଧିକ ପରିମାଣରେ ବର୍ଷା ରେକର୍ଡ କରାଯାଇଛି। ଜୁନ୍ ମାସରେ ୪୭% ନିଅଣ୍ଟିଆ ବର୍ଷା ସତ୍ତ୍ବେ ମୌସୁମୀ ବର୍ଷା ପରିମାଣ ୭୦୦ ମିମି ଅତିକ୍ରମ କରିଥିବା ଆଇଏମ୍ଡି ବୈଜ୍ଞାନିକ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।
୨୯ ଦିନରେ ବର୍ଷିଲାଣି ୬୨୩.୭ ମିମି
୨୪ ଘଣ୍ଟାରେ ବିଜେପୁରଠାରେ ଢାଳିଲା ୩୧୫ ମିମି
ଆଜି ୪ ଜିଲ୍ଲାକୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଗତକାଲି ସକାଳଠାରୁ ଆଜି ସକାଳ ସାଢ଼େ ୮ଟା ମଧ୍ୟରେ ରାଜ୍ୟର ୧୧ଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା, ୩୪ଟି ସ୍ଥାନରେ ଅତିପ୍ରବଳ ଓ ୩୮ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ବରଗଡ଼ ଜିଲ୍ଲାର ବିଜେପୁରଠାରେ ସର୍ବାଧିକ ୩୧୫ ମିମି, ବରପାଲିରେ ୨୫୨, ଗାଇସିଲଟରେ ୨୫୧, ଭଟଲିରେ ୨୨୮.୪, ଅତାବିରାରେ ୨୦୦, ବଲାଙ୍ଗୀର ଜିଲ୍ଲାର ଆଗଲପୁରରେ ୨୬୪, ସାଲେଭଟାରେ ୨୫୬.୮, ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲିରେ ୨୪୩, ତରଭାରେ ୨୪୧.୪, କେନ୍ଦୁଝର ଜିଲ୍ଲାର ତେଲକୋଇରେ ୨୨୧, ବୌଦ୍ଧର କଣ୍ଟାମାଳରେ ୨୨୧ ଓ ଅନୁଗୋଳର ଛେଣ୍ଡିପଦାରେ ୨୦୬.୨ ମିମି ବର୍ଷା ହୋଇଛି। ଆଜି ପଶ୍ଚିିମ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ଗଭୀର ଅବପାତ ପ୍ରଭାବରେ ଲାଗିରହିଥିବା ପ୍ରବଳରୁ ଅତିପ୍ରବଳ ବର୍ଷା ଦ୍ବାରା ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ସୂଚନା ଦିଆଯିବା ସହ ମାର୍ଗଦର୍ଶିକା ଜାରି ହୋଇଛି। ଅନୁଗୋଳ, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ଦେବଗଡ଼, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ବରଗଡ଼, ସୁବର୍ଣ୍ଣପୁର, ଢେଙ୍କାନାଳ, କୋରାପୁଟ, ନୟାଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ଅଚାନକ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଥିବାରୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

5 days ago
3


