ARTICLE AD BOX
ନୂଆଦିଲ୍ଲୀ: ବାରମ୍ବାର ସ୍କୁଲ ବଦଳିବା କିମ୍ବା ପାଠପଢ଼ା ପରିବେଶ ପରିବର୍ତ୍ତନ ହେବା ଦ୍ୱାରା ଲକ୍ଷ୍ୟପଥରୁ ହଟିଯିବା ସାଧାରଣ କଥା। ମାତ୍ର ଦୃଢ଼ ଇଚ୍ଛାଶକ୍ତି ଓ ନିଷ୍ଠା ଆଗରେ ସବୁ ସମସ୍ୟା ହାର ମାନିଥାଏ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଭାରତୀୟ ସେନା ଅଫିସରଙ୍କ ଝିଅ କଶିଶ ବକ୍ସି। ୭ଟି ରାଜ୍ୟର ୧୦ଟି ଭିନ୍ନ ଭିନ୍ନ ସ୍କୁଲରେ ପାଠପଢ଼ିବା ସତ୍ତ୍ୱେ କୌଣସି କୋଚିଂ ନନେଇ ସେଲ୍ଫ ଷ୍ଟଡି ମାଧ୍ୟମରେ ସେ ୟୁପିଏସସି (UPSC) ପରୀକ୍ଷାରେ ସମଗ୍ର ଭାରତରେ ୫୪ତମ ରାଙ୍କ ହାସଲ କରି ଆଇଏଏସ (IAS) ହୋଇପାରିଛନ୍ତି।
୭ ବର୍ଷ ବୟସରୁ ଦେଖିଥିଲେ ସ୍ୱପ୍ନ
ହରିୟାଣାର ଅମ୍ବାଲାର ମୂଳ ବାସିନ୍ଦା କଶିଶଙ୍କ ପିତା ଭାରତୀୟ ସେନାରେ ମେଜର ଜେନେରାଲ ପଦବୀରୁ ଅବସର ନେଇଛନ୍ତି। ପିତାଙ୍କ ବଦଳି ଚାକିରି ହେତୁ କଶିଶଙ୍କୁ ଦେଶର ବିଭିନ୍ନ ପ୍ରାନ୍ତରେ ରହି ସ୍କୁଲ ପାଠପଢ଼ା ଶେଷ କରିବାକୁ ପଡ଼ିଥିଲା। ମାତ୍ର ୭ ବର୍ଷ ବୟସରେ ତାଙ୍କ ଜେଜେବାପା (ଯିଏ ହରିୟାଣା ସିଭିଲ ସର୍ଭିସରେ ଥିଲେ) ତାଙ୍କୁ ଆଇଏଏସ ଅଫିସର ହେବା ପାଇଁ ପ୍ରେରଣା ଦେଇଥିଲେ। ସ୍କୁଲ ବଦଳିବା ସତ୍ତ୍ୱେ କଶିଶଙ୍କ ପାଠପଢ଼ାରେ କୌଣସି ପ୍ରଭାବ ପଡ଼ିନଥିଲା। ଭୋପାଳର ଦିଲ୍ଲୀ ପବ୍ଲିକ ସ୍କୁଲରୁ ସେ ଦଶମ ଶ୍ରେଣୀରେ ୧୦ CGPA ଏବଂ ଦ୍ୱାଦଶ ଶ୍ରେଣୀରେ ୯୫% ନମ୍ବର ରଖି ପାସ୍ କରିଥିଲେ। ଏହାପରେ ୨୦୨୧ରେ ଭୋପାଳର 'ନ୍ୟାସନାଲ ଲ' ଇନଷ୍ଟିଚ୍ୟୁଟ୍ ୟୁନିଭରସିଟି'ରୁ ଆଇନ (Law) ଶିକ୍ଷା ସମାପ୍ତ କରିଥିଲେ।
ଆହୁରି ପଢନ୍ତୁ: Delhi Man: ପୂର୍ବତନ ସହକର୍ମୀଙ୍କୁ ଭେଟିବାକୁ ଯାଇ ନିଖୋଜ, ନାଳରୁ ମିଳିଲା ଯୁବକଙ୍କ ମୃତଦେହ
ତୃତୀୟ ପ୍ରଚେଷ୍ଟାରେ ମିଳିଲା ସଫଳତା
୨୦୨୦ରୁ ସେ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ପ୍ରଥମ ପ୍ରଚେଷ୍ଟା (୨୦୨୧)ରେ ମାତ୍ର ୩ ନମ୍ବର ପାଇଁ ପ୍ରିଲିମ୍ସରେ ରହିଯାଇଥିଲେ। ଦ୍ୱିତୀୟ ପ୍ରଚେଷ୍ଟା (୨୦୨୨)ରେ ପ୍ରିଲିମ୍ସ ପାସ୍ କରି ମେନ୍ସ ପରୀକ୍ଷା ଦେଇଥିଲେ ବି ୧୦ ନମ୍ବର ପାଇଁ ଇଣ୍ଟରଭ୍ୟୁରୁ ବଞ୍ଚିତ ହୋଇଥିଲେ। ତୃତୀୟ ପ୍ରଚେଷ୍ଟା (୨୦୨୩)ରେ କଠୋର ପରିଶ୍ରମ ବଳରେ ସମଗ୍ର ଦେଶରେ ୫୪ତମ ରାଙ୍କ ହାସଲ କରି ସେ ଆଇଏଏସ ହେବାର ସ୍ୱପ୍ନ ପୂରଣ କରିଥିଲେ। ସେ ବିକଳ୍ପ ବିଷୟ ଭାବେ 'ଦର୍ଶନଶାସ୍ତ୍ର' ରଖିଥିଲେ।
କିପରି ହେଲେ ବିହାରର ବୋହୂ?
ସଫଳତା ପରେ କଶିଶଙ୍କୁ ପ୍ରଥମେ ଓଡ଼ିଶା କ୍ୟାଡର ମିଳିଥିଲା। ମାତ୍ର ବିବାହ କାରଣରୁ ତାଙ୍କ କ୍ୟାଡର ବିହାରକୁ ସ୍ଥାନାନ୍ତରିତ ହୋଇଥିଲା। କଶିଶ, ବିହାରର ଔରଙ୍ଗାବାଦ ଜିଲ୍ଲାର ବାସିନ୍ଦା ତଥା ୨୦୨୪ ବ୍ୟାଚ୍ର ବିହାର କ୍ୟାଡର ଆଇଏଏସ ଅଫିସର ବିରୁପାକ୍ଷ ବିକ୍ରମ ସିଂହଙ୍କୁ ବିବାହ କରିଛନ୍ତି। ବର୍ତ୍ତମାନ କଶିଶ ପାଟଣା ସିଟିର ଏସଡିଓ (SDO) ଭାବେ କାର୍ଯ୍ୟରତ ଅଛନ୍ତି।

17 minutes ago
1


