ARTICLE AD BOX
ଛତ୍ରପୁର: ‘ଅର୍ଣ୍ଣବ’ ବାତ୍ୟା ପ୍ରଭାବରେ ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲ୍ଲାକୁ ଛାରଖାର୍ କରିଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତୁରନ୍ତ କ୍ଷୟକ୍ଷତିର ଆକଳନ ପାଇଁ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ (ଆରଡିସି) ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାରରେ ଅବହେଳାକୁ ଆଦୌ ବରଦାସ୍ତ କରାଯିବନି। ଏଥିପାଇଁ ତୁରନ୍ତ କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଆରମ୍ଭ କରି ଯଥାଶୀଘ୍ର ରିପୋର୍ଟ ଦାଖଲ କରିବାକୁ ସମସ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷୟକ୍ଷତି ଆକଳନ ବେଳେ ଉପଯୁକ୍ତ ଦସ୍ତାବିଜ, ଫଟୋଗ୍ରାଫି ଓ ତଥ୍ୟ ସଂଗ୍ରହ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଶ୍ରୀ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏହି ବୈଠକ ବସିଥିଲା। ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ କ୍ଷୟକ୍ଷତି ଆକଳନ ସମୟରେ ଅଧିକାରୀମାନେ ଉଦାର ଓ ମାନବିକ ଦୃଷ୍ଟିକୋଣ ଆପଣାଇ ପ୍ରକୃତ କ୍ଷତିଗ୍ରସ୍ତ ଯେଭଳି କୌଣସି ସରକାରୀ ସହାୟତାରୁ ବଞ୍ଚିତ ନ ରହିବେ, ସେଥିପ୍ରତି ସମ୍ପୂର୍ଣ୍ଣ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ। କ୍ଷତିଗ୍ରସ୍ତ ଜନସାଧାରଣ ନିଜର ବ୍ୟାଙ୍କ୍ ଖାତା ବିବରଣୀ ଓ ଆବଶ୍ୟକ ଦସ୍ତାବିଜ ସମ୍ପୃକ୍ତ ତହସିଲ କାର୍ଯ୍ୟାଳୟରେ ଦାଖଲ କରିବେ।
ଯଥାଶୀଘ୍ର କ୍ଷୟକ୍ଷତି ରିପୋର୍ଟ ଦାଖଲ ନିର୍ଦ୍ଦେଶ
୨୨ ବ୍ଲକରେ ୧୦ଜଣିଆ ଟିମ୍
ଆଜି ଆସିବେ କେନ୍ଦ୍ରୀୟ ଟିମ୍
ଅନ୍ୟପକ୍ଷରେ କ୍ଷୟକ୍ଷତି ଆକଳନ ପାଇଁ ସମସ୍ତ ୨୨ ବ୍ଲକ୍ରେ ୧୦ଜଣିଆ ଦଳ ଗଠନ କରାଯିବ। ଅନ୍ୟ ଜିଲ୍ଲାରୁ ଆସିଥିବା ୧୪୦ କୃଷି ଅଧିକାରୀ ଓ କର୍ମଚାରୀ ସହଯୋଗ କରିବେ। ଆସନ୍ତାକାଲି ଠାରୁ କେନ୍ଦ୍ରୀୟ ଦଳ ମଧ୍ୟ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲା ଗସ୍ତ କରିବେ। ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ସେମାନଙ୍କ ସହିତ ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ। ଆସିକା, ହିଞ୍ଜିଳି, ଦିଗପହଣ୍ଡି ଓ ପୁରୁଷୋତ୍ତମପୁରର ବ୍ୟାପକ କ୍ଷତିଗ୍ରସ୍ତ ଅଞ୍ଚଳର ବାସ୍ତବ ସ୍ଥିତି ଅନୁଧ୍ୟାନ କରାଯିବ। ବୈଠକରେ ବିଦ୍ୟୁତ୍ ଓ ଫୋନ ସେବା ସ୍ବାଭାବିକ କରିବା ଉପରେ ସମୀକ୍ଷା ହୋଇଥିଲା। ଜିଲ୍ଲାର ୫ରୁ ୬ଟି ସ୍ଥାନକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଅଞ୍ଚଳରେ ମୋବାଇଲ୍ ନେଟୱର୍କ ସେବା ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି। ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା, ବିଏମ୍ସି କମିସନର ଏ.ସସ୍ୟା ରେଡ୍ଡୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବିଭିନ୍ନ ଜିଲ୍ଲାରୁ ଆସିଥିବା ବରିଷ୍ଠ ଅଧିକାରୀ, ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।
Asia Cup: ରାଇଜିଂ ଷ୍ଟାର୍ସ ଏସିଆ କପ୍ ପାଇଁ ଭାରତ ‘ଏ’ ଦଳରେ ଅଭିଷେକ, ସୂର୍ଯ୍ୟବଂଶୀ

1 hour ago
1


