ARTICLE AD BOX
ଛତ୍ରପୁର: ଗଞ୍ଜାମ ଜିଲ୍ଲାର ନଗର ପରିବହନ ବ୍ୟବସ୍ଥାକୁ ଆଧୁନିକ ଓ ପରିବେଶ ଅନୁକୂଳ କରିବା ସହ ବିଭିନ୍ନ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଉତ୍ତମ ଗମନାଗମନ ସୁବିଧା ଯୋଗାଇବା ଲକ୍ଷ୍ୟରେ ୮ଟି ପ୍ରମୁଖ ରୁଟ୍ରେ ଇଲେକ୍ଟ୍ରିକ୍ ବସ୍ ସେବାର ଶୁଭାରମ୍ଭ ହୋଇଛି। ଆଜି ଛତ୍ରପୁରଠାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ବସ୍ ସେବାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୩ଟି ବସ୍ ଚଳାଚଳ କରିବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ଆଉ ୨ଟି ବସ୍ ନିୟୋଜିତ ହେବ। ଫଳରେ ମୋଟ ୨୫ଟି ଇଲେକ୍ଟ୍ରିକ୍ ବସ୍ ଏହି ରୁଟ୍ଗୁଡ଼ିକରେ ଯାତ୍ରୀ ସେବା ଯୋଗାଇବ। ଏହାଦ୍ୱାରା ଜିଲ୍ଲାବାସୀଙ୍କ ସହ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ବିଶେଷ ଉପକୃତ ହେବେ ବୋଲି ମନ୍ତ୍ରୀ କହିଛନ୍ତି।
ଏହି ୮ଟି ରୁଟ୍ ମଧ୍ୟରେ ଛତ୍ରପୁରରୁ ହିଞ୍ଜିଳିର ମା’ ଶ୍ୟାମଳାଇ ମନ୍ଦିରକୁ ୫ଟି, ରମ୍ଭାକୁ ୪ଟି ଏବଂ ବ୍ରହ୍ମପୁରର ଡୁଡୁମା କଲୋନୀକୁ ୪ଟି ବସ୍ ଚଳାଚଳ କରିବ। ସେହିପରି ଗୋପାଳପୁରକୁ ଦୁଇଟି ଭିନ୍ନ ରୁଟ୍ରେ ୨ଟି ଲେଖାଏଁ ମୋଟ ୪ଟି ବସ୍, ସୋନାପୁର ବେଳାଭୂମିକୁ ୨ଟି, ମା’ ତାରାତାରିଣୀ ମନ୍ଦିରକୁ ୨ଟି ଏବଂ ରେଗିଡ଼ିସ୍ଥିତ ସମ୍ ହସ୍ପିଟାଲ୍ ରୁଟ୍ରେ ୨ଟି ବସ୍ ଯାତାୟତ କରିବ। ଏହି ରୁଟ୍ଗୁଡ଼ିକ ସୁନ୍ଦରପୁର, ଟାଙ୍ଗଣାପଲ୍ଲୀ, ତାରାତାରିଣୀ ଛକ, ଚମାଖଣ୍ଡି, ମାଣ୍ଡିଆପଲ୍ଲୀ, ଗୋପାଳପୁର ଜଙ୍କସନ୍, ବ୍ରହ୍ମପୁର ରେଳ ଷ୍ଟେସନ୍, ରଣ୍ଡା ଓ ନିଷ୍ଟ ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ପ୍ରମୁଖ ସ୍ଥାନକୁ ସଂଯୋଗ କରିବ।
ଆରାମଦାୟକ ଗଣପରିବହନ ସେବା ପାଇପାରିବେ
ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ, ପରିବେଶ ଅନୁକୂଳ ଇଲେକ୍ଟ୍ରିକ୍ ବସ୍ ଚଳାଚଳ ଗଞ୍ଜାମ ଜିଲ୍ଲାର ନଗର ପରିବହନ ବ୍ୟବସ୍ଥାକୁ ଏକ ନୂତନ ଦିଗ ଦେବ। ଛାତ୍ରଛାତ୍ରୀ, କର୍ମଜୀବୀ, ବ୍ୟବସାୟୀ, ମହିଳା, ବରିଷ୍ଠ ନାଗରିକ ଓ ସାଧାରଣ ଯାତ୍ରୀମାନେ ସୁରକ୍ଷିତ, ସୁଲଭ, ସମୟାନୁବର୍ତ୍ତୀ ଏବଂ ଆରାମଦାୟକ ଗଣପରିବହନ ସେବା ପାଇପାରିବେ। ଏହା କେବଳ ଯାତାୟତକୁ ସୁଗମ କରିବ ନାହିଁ, ବରଂ ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶକୁ ମଧ୍ୟ ଗତିଶୀଳ କରିବ। ଗୋପାଳପୁର ଓ ସୋନାପୁର ବେଳାଭୂମି, ମା’ ଶ୍ୟାମଳାଇ ମନ୍ଦିର ଏବଂ ମା’ ତାରାତାରିଣୀ ପୀଠକୁ ଉନ୍ନତ ଗମନାଗମନ ସୁବିଧା ମିଳିବା ଫଳରେ ପର୍ଯ୍ୟଟନ ସହ ସ୍ଥାନୀୟ ବାଣିଜ୍ୟ ଓ ଆର୍ଥିକ କାର୍ଯ୍ୟକଳାପକୁ ମଧ୍ୟ ନୂତନ ଗତି ମିଳିବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଛତ୍ରପୁର ପୌରପରିଷଦ ଅଧ୍ୟକ୍ଷ ଜି. ପାପା ରାଓ, ବରିଷ୍ଠ ସମାଜସେବୀ ସରୋଜ ସାବତ, ଗଞ୍ଜାମ ଆରଟିଓ ଦେବାଶିଷ ସ୍ୱାଇଁ, ଛତ୍ରପୁର ପୌରପରିଷଦର ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, କାଉନସିଲରମାନଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଓ ଅଧିକାରୀମାନେ ଉପସ୍ଥିତ ଥିଲେ। ଛତ୍ରପୁର କ୍ରୁଟ୍ ମ୍ୟାନେଜର ଶିବ ପ୍ରସାଦ ରାଓ ଏବଂ ବ୍ରହ୍ମପୁର କ୍ରୁଟ୍ ମ୍ୟାନେଜର ଅକ୍ଷୟ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Celebrate Diwali: ବନ୍ୟା ବିପନ୍ନଙ୍କ ସହ ଦୀପାବଳି ପାଳିବ ଗଞ୍ଜାମ ପ୍ରଶାସନ, ବଣ୍ଟନ ହେବ ସ୍ୱତନ୍ତ୍ର କିଟ୍

5 days ago
2


