ARTICLE AD BOX
ଭୁବନେଶ୍ବର: ଭୂକମ୍ପର ପ୍ରଭାବରୁ ଓଡ଼ିଶା ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ। ଏହା ମଧ୍ୟମଧରଣର ଭୂକମ୍ପପ୍ରବଣ ଅଞ୍ଚଳ ହୋଇଥିବାରୁ ଅଧିକ ଜନବସତି ଓ ଦୁର୍ବଳ ନିର୍ମାଣ ଥିବା ସହରାଞ୍ଚଳରେ ଭୂକମ୍ପ ଘଟିଲେ ବ୍ୟାପକ କ୍ଷୟକ୍ଷତି ହୋଇପାରେ। ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍)ର ଜାତୀୟ ଭୂକମ୍ପ ଜୋନିଂ ମାନଚିତ୍ର ଅନୁଯାୟୀ ଓଡ଼ିଶା ଜୋନ୍-୨ ଓ ଜୋନ୍-୩ରେ ଆସୁଛି। ତେବେ ଜୋନ୍-୩ରେ ଆସୁଥିବା ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୋଳ, କଟକ, ଭୁବନେଶ୍ୱର, ପାରାଦୀପ, ପୁରୀ ପର୍ଯ୍ୟନ୍ତ ମହାନଦୀ ଉପତ୍ୟକା ଅଞ୍ଚଳ ମଧ୍ୟମ ଭୂକମ୍ପ ବିପଦପ୍ରବଣ ଅଞ୍ଚଳ ପାଲଟିଛି। ତେଣୁ ଉଚ୍ଚ ଅଟ୍ଟାଳିକା, ସେତୁ ଓ ଅନ୍ୟାନ୍ୟ ବଡ଼ ଭିତ୍ତିଭୂମି ନିର୍ମାଣ ସମୟରେ ଅଧିକ ଯତ୍ନ ସହ ସତର୍କତା ଅବଲମ୍ବନ କରିବାକୁ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନ୍ସିଏସ୍) ନିର୍ଦ୍ଦେଶକ ଜି. ସୁରେଶ ପରାମର୍ଶ ଦେଇଛନ୍ତି।
Crime: ଡକାୟତଙ୍କ ଟାର୍ଗେଟ୍ରେ ଭଦ୍ରକ ସହର! ଅନ୍ଧାରରେ ଚାଲିଥିଲା ଲୁଟ୍ର ମସୁଧା, ୭ ଗିରଫ
ଭୁବନେଶ୍ବର ଉପରେ କରାଯାଇଥିବା ସର୍ଭେ ଅଧିକ ଚିନ୍ତାଜନକ ପାଲଟିଛି। ସହରର ପୂର୍ବାଞ୍ଚଳ ଯଥା ଚକେଇସିଆଣି, ହଂସପାଳ, ପଳାଶୁଣି, ପାହାଳ, ପୁରୁଣା ଭୁବନେଶ୍ୱର, ଉତ୍ତରା ସମେତ କୁଆଖାଇ ଓ ଦୟା ନଦୀ କୂଳବର୍ତ୍ତୀ ଅଞ୍ଚଳରେ ନିର୍ମାଣ ସମୟରେ ସ୍ୱତନ୍ତ୍ର ସତର୍କତା ଆବଶ୍ୟକତା ରହିଥିବା ଏନ୍ସିଏସ୍ ପକ୍ଷରୁ କରାଯାଇଥିବା ଭୂକମ୍ପୀୟ ସୂକ୍ଷ୍ମ ଅଞ୍ଚଳ ବିଭାଜନ (ସିସ୍ମିକ୍ ମାଇକ୍ରୋଜୋନେସନ୍) ଅଧ୍ୟୟନରେ ଦର୍ଶାଯାଇଛି। ଭୁବନେଶ୍ୱର ଡେଭଲପ୍ମେଣ୍ଟ ପ୍ଲାନ୍ ଅନ୍ତର୍ଗତ ୪୨୦ ବର୍ଗ କିମି ଅଞ୍ଚଳର ଅଧ୍ୟୟନ ସମୟରେ ୧,୬୫୦ଟି ସ୍ଥାନରେ ଭୂମିର ପ୍ରାକୃତିକ କମ୍ପନ ମାପ କରାଯାଇଥିଲା। ୩୦ ମିଟର ଗଭୀରତା ପର୍ଯ୍ୟନ୍ତ ବୋରୱେଲ୍ ଖନନ ଓ ୧୦୦ ମିଟର ଗଭୀରତା ପର୍ଯ୍ୟନ୍ତ ବିଭିନ୍ନ ପରୀକ୍ଷା ହୋଇଥିଲା। ଏହାବ୍ୟତୀତ ୧,୨୦୦ରୁ ଅଧିକ ମାଟି ନମୁନା ପରୀକ୍ଷାଗାରରେ ଯାଞ୍ଚ ହୋଇଥିଲା। ୬ଟି ମାନଦଣ୍ଡକୁ ବିଚାରକୁ ନେଇ କରାଯାଇଥିବା ସର୍ଭେରେ ଜଣାପଡ଼ିଥିଲା ଯେ ଭୂପୃଷ୍ଠର ୩୦ ମିଟର ତଳ ପର୍ଯ୍ୟନ୍ତ ମାଟିର ତରଙ୍ଗ ବେଗ ସହରର ଅଧିକାଂଶ ଅଞ୍ଚଳରେ ପ୍ରତି ସେକେଣ୍ଡରେ ୩୬୦ରୁ ୭୬୦ ମିଟର ଥିଲା।
ଅଟ୍ଟାଳିକା, ସେତୁ ନିର୍ମାଣ ବେଳେ ଯତ୍ନବାନ ହେବାକୁ ପରାମର୍ଶ
ଝାରସୁଗୁଡ଼ା, ସମ୍ବଲପୁର, କଟକ, ପାରାଦୀପ, ପୁରୀକୁ ବିପଦ
ଭୁବନେଶ୍ବରର ପୂର୍ବାଞ୍ଚଳ ଅଧିକ ସମ୍ବେଦନଶୀଳ
ସତର୍କ କରାଇଲେ ଭୂକମ୍ପ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ
ଏହା ଦୃଢ଼ ଭୂମିକୁ ସୂଚାଉଥିବାରୁ ନିର୍ମାଣ କାର୍ଯ୍ୟ ପାଇଁ ଅନୁକୂଳ। ମାତ୍ର ସହରର ପୂର୍ବାଞ୍ଚଳରେ ଏହି ବେଗ ପ୍ରତି ସେକେଣ୍ଡରେ ୧୮୪ରୁ ୩୬୦ ମିଟରକୁ ହ୍ରାସ ପାଇଥିବାରୁ ସେଠାକାର ମାଟି ଅପେକ୍ଷାକୃତ ନରମ ରହିଛି। ସେହିପରି ସହରର ପଶ୍ଚିମ ଓ କେନ୍ଦ୍ରୀୟ ଅଞ୍ଚଳରେ ଇଞ୍ଜିନିୟରିଂ ଶିଳାସ୍ତରର ଗଭୀରତା ମାତ୍ର ୨ରୁ ୨୦ ମିଟର ମଧ୍ୟରେ ଥିବା ବେଳେ ପୂର୍ବାଞ୍ଚଳରେ ଏହା ୮୬ ମିଟର ପର୍ଯ୍ୟନ୍ତ ରହିଛି। ଏହି ଅଞ୍ଚଳରେ ଶକ୍ତ ଶିଳାସ୍ତର ଉପରେ ମୋଟା ପଟୁମାଟିର ସ୍ତର ରହିଛି। ଭୂମିର କମ୍ପନ ଆବୃତି (ପିକ୍ ଫ୍ରିକ୍ୱେନ୍ସି) ସହରର ବିଭିନ୍ନ ଅଞ୍ଚଳରେ ୧ ହଜାରରୁ କମ୍ଠାରୁ ୧୦ ହଜାରରୁ ଅଧିକ ରହିଥିବା ଜଣାପଡ଼ିଛି। ସହରର କେନ୍ଦ୍ରୀୟ ଅଞ୍ଚଳର ଦୃଢ଼ ଭୂମିରେ ଏହା ୧୦ ହଜାରରୁ ଅଧିକ ଥିବା ବେଳେ ପୂର୍ବାଞ୍ଚଳର ନରମ ଓ ମୋଟା ମାଟି ଥିବା ଅଞ୍ଚଳରେ ୪ ହଜାରରୁ କମ୍ ରହିଛି। ଉଚ୍ଚ ଅଟ୍ଟାଳିକାଗୁଡ଼ିକ ସାଧାରଣତଃ କମ୍ ଆବୃତିରେ କମ୍ପନ କରିଥାଏ। ଯଦି ଭୂମି ଓ ଅଟ୍ଟାଳିକାର କମ୍ପନ ଆବୃତି ସମାନ ହୁଏ ତେବେ କମ୍ପନର ତୀବ୍ରତା ବଢ଼ିଯାଏ।
Foundation Day: ୟୁନିୟନ ବ୍ୟାଙ୍କର ୧୦୮ତମ ପ୍ରତିଷ୍ଠା ଦିବସ
ଭୂମିର ସର୍ବାଧିକ ତ୍ୱରଣ (ପିକ୍ ଗ୍ରାଉଣ୍ଡ ଆକ୍ସିଲିରେସନ୍) ସମ୍ପର୍କରେ ଡ. ସୁରେଶ କହିଛନ୍ତି ଯେ ଭୁବନେଶ୍ୱର ସହର ତଳେ ଥିବା ପଥର ସ୍ତରରେ ମାତ୍ର ୦.୦୫ ଜି (ଏଠାରେ ଜି ଅର୍ଥ ମାଧ୍ୟାକର୍ଷଣଜନିତ ତ୍ୱରଣ) ଥିବା ବେଳେ ଭୂପୃଷ୍ଠରେ ୦.୦୮ରୁ ୦.୧୭ ଜି ପର୍ଯ୍ୟନ୍ତ ବୃଦ୍ଧି ପାଉଛି। ଜାଗମରା ଅଞ୍ଚଳରେ ଅଳ୍ପ ଦୂରତା ମଧ୍ୟରେ ଭୂକମ୍ପୀୟ କମ୍ପନର ସର୍ବାଧିକ ଆବୃତି (ପିକ୍ ଫ୍ରିକ୍ୱେନ୍ସି) ୧ରୁ ୬ ହର୍ଜ ଥିବା ବେଳେ ଏହି ଅଞ୍ଚଳରେ କମ୍ପନର ବର୍ଦ୍ଧିତ ମାତ୍ରା ୨ରୁ ୫ ଗୁଣ ରହିଛି। ଏହାର ଅର୍ଥ ହେଉଛି, ୧୦ ମହଲା ବିଶିଷ୍ଟ କୋଠା ପ୍ରାୟ ୧ ହର୍ଜ ଆବୃତିରେ, ୫ ମହଲା କୋଠା ୨ ହର୍ଜରେ ଏବଂ ୨ ମହଲା କୋଠା ୫ ହର୍ଜ ଆବୃତିରେ କମ୍ପିତ ହୋଇଥାଏ। ଭୁବନେଶ୍ୱର ସହର ଭୂକମ୍ପ ପ୍ରବଣତାର ଜୋନ୍ ୩ରେ ଆସୁଥିବାରୁ ଜାତୀୟ ନିର୍ମାଣ ସଂହିତାରେ ୦.୦୮ ଜି କମ୍ପନକୁ ଆଧାର କରି କୋଠା ନିର୍ମାଣର ନକ୍ସା ପ୍ରସ୍ତୁତ ହେବା କଥା। କିନ୍ତୁ ଭୂକମ୍ପୀୟ ସୂକ୍ଷ୍ମ ଅଞ୍ଚଳ ବିଭାଜନ ମାନଚିତ୍ର (ମାଇକ୍ରୋଜୋନେସନ୍ ମ୍ୟାପ୍) ଅନୁଯାୟୀ ଭୁବନେଶ୍ବରରେ କମ୍ପନର ମାତ୍ରା ୦.୧୪ରୁ ୦.୧୭ ଜି ମଧ୍ୟରେ ରହିଛି, ଯାହା ଜାତୀୟ ନିର୍ମାଣ ସଂହିତାର ନିର୍ଦ୍ଧାରିତ ମାନଠାରୁ ପ୍ରାୟ ଦୁଇଗୁଣ ଅଧିକ। ଅତି ବିରଳ ଓ ସର୍ବାଧିକ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ପାଇଁ ଜାତୀୟ ନିର୍ମାଣ ସଂହିତାରେ ୦.୧୬ ଜି କମ୍ପନକୁ ଆଧାର ଭାବେ ନିଆଯାଇଥିବା ବେଳେ ଅଧ୍ୟୟନ ମାନଚିତ୍ରରେ ଏହା ୦.୨୦ରୁ ୦.୨୭ ଜି ମଧ୍ୟରେ ରହିଛି। ଅଧ୍ୟୟନ ପରେ ପ୍ରସ୍ତୁତ ବିପଦ ସୂଚକାଙ୍କ (ହାଜାର୍ଡ ଇଣ୍ଡେକ୍ସ) ଅନୁଯାୟୀ ଭୁବନେଶ୍ୱରର ଅଧିକାଂଶ ଅଞ୍ଚଳରେ ଭୂକମ୍ପଜନିତ ବିପଦର ମାତ୍ରା କମ୍ ରହିଥିବା ଜଣାପଡ଼ିଛି। ତେବେ ଏହି ତଥ୍ୟ ଭୟଭୀତ ହେବାର କାରଣ ନୁହେଁ, ବରଂ ଉପଯୁକ୍ତ ଯାନ୍ତ୍ରିକ ଯୋଜନା ଓ ନିର୍ମାଣ ପାଇଁ ଏକ ସତର୍କ ସୂଚନା ବୋଲି ‘ସୋଆ’ ପକ୍ଷରୁ ଆୟୋଜିତ ‘ପରିବେଶଗତ ବିପଦ ଓ ବିପର୍ଯ୍ୟୟ ପରିଚାଳନା’ ଶୀର୍ଷକ ଜାତୀୟ କର୍ମଶାଳାକୁ ଉଦ୍ଘାଟନ କରି ଡ.ସୁରେଶ ଏହି ପରାମର୍ଶ ଦେଇଛନ୍ତି। ‘ସୋଆ’ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଟିଇଆର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, କର୍ମଶାଳାର ଆବାହକ ଅବନ୍ତୀ ପ୍ରଧାନ, ପ୍ରଫେସର ବିଭୁପ୍ରସାଦ ପଣ୍ଡା, ସିଇସି ନିର୍ଦ୍ଦେଶକ ପ୍ରଫେସର ଶରତ ଚନ୍ଦ୍ର ସାହୁ ଏବଂ ଆଇଟିଇଆରର ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ସୁଜାତା ମିଶ୍ର ଉଦ୍ବୋଧନ ଦେଇଥିଲେ।

1 hour ago
2


