ARTICLE AD BOX
ଭୁବନେଶ୍ୱର: ବିଏମ୍ସି ଆମକୁ ଆବାସିକ ଘରେ ବ୍ୟବସାୟ କରିବାର ସୁଯୋଗ ଦେଲା। ଏଥିପାଇଁ ଲାଇସେନ୍ସ ଦେଲା ଓ ବ୍ୟାବସାୟିକ ଶୁଳ୍କ ବି ନେଲା। ଏବେ ଏହାକୁ ବେଆଇନ ଦେଖାଇ ସିଲ୍ ଓ ଭାଙ୍ଗିବାକୁ ନୋଟିସ୍ କରିଛି। ଅନେକ କୋଠାକୁ ସିଲ୍ କରି ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ଆଳ ଦେଖାଇ ବିଏମ୍ସି ଭୁବନେଶ୍ବରବାସୀଙ୍କ ଉପରେ ଜୁଲମ ଆରମ୍ଭ କରିଦେଇଛି। ଏହି ଜୁଲମ ବନ୍ଦ ହେଉ। ତୁରନ୍ତ ନୋଟିସ୍ ପ୍ରତ୍ୟାହାର କରାଯାଉ। ନଚେତ୍ ମରିବୁ ପଛେ, ଛାଡ଼ିବୁ ନାହିଁ। ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି, ସେ ପର୍ଯ୍ୟନ୍ତ ବିଏମ୍ସି ଅଫିସ ଆଗରେ ବସିବୁ। ଏଭଳି ଚରଣବାଣୀ ଶୁଣାଇ ବିଏମ୍ସି କାର୍ଯ୍ୟାଳୟ ଆଗରେ ‘ଆମେ ଭୁବନେଶ୍ବରିଆ’ ସଂଗଠନ ପକ୍ଷରୁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନ ଆରମ୍ଭ କରିଛନ୍ତି। ସଂଗଠନ ଆବାହକ ବାସୁଦେବ ଭଟ୍ଟ, ଅନିଲ ମହାଲ୍ଲିକ ଆଜିଠୁ ଆମରଣ ଅନଶନରେ ବସିଛନ୍ତି।
ବିଏମ୍ସି ପକ୍ଷରୁ ଆବାସିକ ଘରେ ବ୍ୟବସାୟ ଚାଲିଥିବା ଦର୍ଶାଇ ବହୁ କୋଠାକୁ ସିଲ୍ ଓ ଭାଙ୍ଗିବାକୁ ନୋଟିସ୍ ଜାରି କରିବା ପ୍ରତିବାଦରେ ଆଜିଠାରୁ ‘ଆମେ ଭୁବନେଶ୍ବରିଆ’ ସଂଗଠନ ନେତୃତ୍ବରେ ଭୁବନେଶ୍ବରର ମୂଳବାସିନ୍ଦାମାନେ ବିଏମ୍ସି ମୁଖ୍ୟାଳୟ ଆଗରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସଂଗଠନ ଅଭିଯୋଗ କରିଛି, ବିଏମ୍ସି ଜୋର ଜବରଦସ୍ତ ସେମାନଙ୍କ ପାଣି ସଂଯୋଗ କାଟି ଦେଉଛି। କର୍ମଚାରୀମାନେ ବାସିନ୍ଦାଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ଗତ ଅକ୍ଟୋବରରେ ଏହି ପ୍ରସଙ୍ଗକୁ ନେଇ ସତ୍ୟାଗ୍ରହ ହୋଇଥିଲା। କମିସନର ନୋଟିସ୍ ପ୍ରତ୍ୟାହାର କରିନେବାର ପ୍ରତିଶ୍ରୁତି ଦେଇଥିଲେ ବି ଅଦ୍ୟାବଧି କୌଣସି ପଦକ୍ଷେପ ନେଇନାହାନ୍ତି। ଏଣୁ ନୋଟିସ୍ ତୁରନ୍ତ ପ୍ରତ୍ୟାହାର ଓ ସିଲ୍ ବନ୍ଦ ଦାବିରେ ଆନ୍ଦୋଳନ ଆରମ୍ଭ ହୋଇଛି।
ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ ତଥା ଭୁବନେଶ୍ବର ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ବିଜେଡି ନେତା ମନ୍ମଥ ରାଉତରାୟ ଏହି ଆନ୍ଦୋଳନରେ ଯୋଗଦେବା ସହ ସମର୍ଥନ ଜଣାଇଛନ୍ତି। ଆନ୍ଦୋଳନରେ ସନ୍ଦୀପ୍ତ ଦାସ, ଅଲତାଫ ଅଲ୍ଲୀ, ବିଶ୍ୱଜିତ ଘୋଷ, ସଂଜୀବ ମହାନ୍ତି, ଅଶୋକ ପାଇକରାୟ, ଦୁର୍ଗା ରାଉତରାୟ, ପ୍ରଦୀପ ସାହୁ, ପ୍ରଣବ ସ୍ୱାଇଁ, ସୁବ୍ରତ ଆଚାର୍ଯ୍ୟ, ବନୋଜ ପ୍ରଧାନ, ହରେକୃଷ୍ଣ ପତି, ମଧୁସୂଦନ ପଣ୍ଡା, ଆଶିଷ ପଟ୍ଟନାୟକ, ରାମକୃଷ୍ଣ ଦାଶ, ରାଜେଶ ସାହୁ, ନିରୁପମା ସାହୁ, ପିନାକିନୀ ସାହୁ, ସବିତା ସାହୁ, ସତ୍ୟଜିତ ଦାଶ, ଇତିଶ୍ରୀ ସେନାପତି, ସଞ୍ଜୟ ଦାସ, ମହମ୍ମଦ ସୌଧ, ପ୍ରଶାନ୍ତ ମାର୍ଥା, ଗୁରୁପ୍ରସାଦ ପଟ୍ଟନାୟକ, ମୁରଲୀ କ୍ରିଷ୍ଣା ପ୍ରମୁଖ ସାମିଲ ଥିଲେ।

1 hour ago
1


