ARTICLE AD BOX
ଭୁବନେଶ୍ବର: ରାଜ୍ୟ ସରକାର ଆଜି ଯାତ୍ରୀବାହୀ ବସ୍ ଭଡ଼ା ବଢ଼ାଇଛନ୍ତି। ଚଳିତବର୍ଷ ମେ’ ୧୫, ଜୁନ୍ ୨ରେ ବସ୍ ଭଡ଼ା ବଢ଼ିଥିବାବେଳେ ତୃତୀୟ ଥର ପାଇଁ ପୁଣି ବସ୍ ଭଡ଼ା ବଢ଼ିଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଅର୍ଡିନାରି ବସ୍ (ସାଧାରଣ ଯାତ୍ରୀବାହୀ ବସ୍) ଭଡ଼ା କିଲୋମିଟର ପିଛା ୧ ଟଙ୍କା ୧୮ ପଇସା ହୋଇଛି। ପୂର୍ବରୁ ଏହା ୯୨ ପଇସା ଥିଲା। ଅର୍ଥାତ୍ ଏକ କିମି ପିଛା ଏକସଙ୍ଗେ ୨୬ ପଇସା ଭଡ଼ା ବଢ଼ିଛି। ସାଧାରଣ ବସ୍ ଭଡ଼ା ପୂର୍ବରୁ ଥରକେ ୨ରୁ ୫ ପଇସା ପର୍ଯ୍ୟନ୍ତ ବଢ଼ୁଥିବାବେଳେ ଆଜି ୨୬ ପଇସା ବଢ଼ିଛି। ଯାହା ସାଧାରଣ ଲୋକଙ୍କ ବସ୍ଯାତ୍ରା ମହଙ୍ଗା କରିଦେବ। ଜୁନ୍ ୨ରେ କିମି ପିଛା ୨ ପଇସା ବଢ଼ିଥିଲା।
ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ଏକ କିମି ପିଛା ୯୬ ପଇସା ଥିବାବେଳେ ଏହା ୧ ଟଙ୍କା ୨୪ ପଇସା ହୋଇଛି। ଏହା ବି ୨୮ ପଇସା ବଢ଼ିଛି। ସେମି ଡିଲକ୍ସ ବସ୍ ଭଡ଼ା କିମି ପିଛା ୧ ଟଙ୍କା ୩୦ ପଇସା ହୋଇଛି। ଏହି ବର୍ଗର ବସ୍ ଭଡ଼ା ପ୍ରଥମଥର ପାଇଁ ଧାର୍ଯ୍ୟ ହୋଇଛି। ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୩୫ରୁ ବଢ଼ିକି ୧ ଟଙ୍କା ୪୧ ପଇସା ହୋଇଛି। ଜୁନ୍ ୨ରେ ଏହା ୪ ପଇସା ବଢ଼ିଥିଲା। ଏସି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୬୩ ପଇସାରୁ ବଢ଼ି ୧ ଟଙ୍କା ୯୯ ପଇସା ହୋଇଛି। ଏହା କିମି ପିଛା ୩୬ ପଇସା ବଢ଼ିଛି। ଜୁନ୍ ୨ରେ ୪ ପଇସା ବଢ଼ିଥିଲା।
ଏବେ ସୁପର୍ ଡିଲକ୍ସ ବସ୍ ଜାଗାରେ ସୁପର୍ ପ୍ରିମିୟମ ବସ୍ ଭଡ଼ା ଧାର୍ଯ୍ୟ ହୋଇଛି। ପୂର୍ବରୁ ଏହା ୨ ଟଙ୍କା ୫୩ ପଇସା ଥିବାବେଳେ ଏବେ ୩ ଟଙ୍କା ୨୧ ପଇସା ହୋଇଛି। ଏକସଙ୍ଗେ ୬୮ ପଇସା ବଢ଼ିଛି। ଜୁନ୍ ୨ରେ କିମି ପିଛା ୪ ପଇସା ବଢ଼ିଥିଲା। ସେହିପରି ସୁପର୍ ପ୍ରିମିୟମ ଫୁଲି ସ୍ଲିପର୍ ଏସି କୋଚ୍ ବସ୍ ଭଡ଼ା କିମି ପିଛା ୪ ଟଙ୍କା ୬୧ ପଇସା ହୋଇଛି। ଜୁଲାଇ ୯ରେ ରାଜ୍ୟ ସରକାର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରି ଏହି ବର୍ଗର ବସ୍ ଭଡ଼ା ନୂଆ କରି ଧାର୍ଯ୍ୟ କରିଥିଲେ। ସେତେବେଳେ ବସ୍ ଭଡ଼ା କିମି ପିଛା ୩ ଟଙ୍କା ୫୦ ପଇସା ଧାର୍ଯ୍ୟ ହୋଇଥିବାବେଳେ ଆଜି ଏକସଙ୍ଗେ ୧ ଟଙ୍କା ୧୧ ପଇସା ବଢ଼ିଛି।
ସୂଚନାଯୋଗ୍ୟ, ମେ’୧୫ରେ ବସ୍ ଭଡ଼ା କିମି ପିଛା ୨ରୁ ୬ ପଇସା ପର୍ଯ୍ୟନ୍ତ ବଢ଼ିଥିବାବେଳେ ଏବେ ୨୬ ପଇସାରୁ ୧ ଟଙ୍କା ୧୧ ପଇସା ପର୍ଯ୍ୟନ୍ତ ବଢ଼ିଛି। ତେବେ ଟାଉନ୍ ବସ୍ ଭଡ଼ା ବଢ଼ି ନାହିଁ।ସେହିପରି ଏଚ୍ଆଇଭି/ଏଡ୍ସ, ଦୃଷ୍ଟିହୀନ, ମାନସିକ ଅନଗ୍ରସର, ୫୦%ରୁ ଶତପ୍ରତିଶତ ଶାରୀରିକ ଅକ୍ଷମ, ଅଦୌ ଶୁଣାଯାଉନଥିବା କି କଥା କହିପାରୁନଥିବା ବ୍ୟକ୍ତିଙ୍କ ପାଇଁ ବସ୍ ଭଡ଼ା ସଂପୂର୍ଣ୍ଣ ଛାଡ଼ କରିବାକୁ କୁହାଯାଇଛି। ୪୦%ରୁ ୪୯% ପର୍ଯ୍ୟନ୍ତ ଶାରୀରିକ ଅକ୍ଷମଙ୍କ ପାଇଁ ବସ୍ ଭଡ଼ା ମୋଟ ଭଡ଼ାର ଅଧା ହେବ। ଦୃଷ୍ଟିହୀନ, ମାନସିକ ବିକୃତ, ୫୦%ରୁ ଶତପ୍ରତିଶତ ଶାରୀରିକ ଅକ୍ଷମଙ୍କ ସହ ଯିଏ ଯାତ୍ରା କରିବେ ତାଙ୍କୁ ଅଧା ଭଡ଼ା ଦେବାକୁ ହେବ। ଏହାସହ କୁହାଯାଇଛି ଯେ ଯାତ୍ରୀ ପିଛା ୧୫ କେଜି ପର୍ଯ୍ୟନ୍ତ ଲଗେଜ୍ ପାଇଁ କିଛି ଭଡ଼ା ଦେବାକୁ ପଡ଼ିବନି। ଏହାପରେ ପ୍ରତି ୨୦ କେଜି ପର୍ଯ୍ୟନ୍ତ ଲଗେଜ୍ ପାଇଁ କିମି ପିଛା ୭ ପଇସା ଦେବାକୁ ହେବ।

1 hour ago
2


