ARTICLE AD BOX
ଚୀନର ବିଶାଳ ମାନବ ସମ୍ବଳ ସହିତ ସ୍ବୟଂଚାଳିତ ପ୍ରଯୁକ୍ତି (ଅଟୋମେସନ)ର ମିଶ୍ରଣ ଘଟି ବିପୁଳ ଓ ଅପେକ୍ଷାକୃତ ଶସ୍ତା ଉତ୍ପାଦନ ଲାଗି କ୍ଷେତ୍ର ମଧ୍ୟ ପ୍ରସ୍ତୁତ ହୋଇଗଲା। ଏଭଳି ସ୍ଥିତିରେ ନକଲି ଓ ଅସଲିର ତାରତମ୍ୟ ନେଇ ଗ୍ରାହକମାନେ ଆଉ ବିଶେଷ ଆଗ୍ରହୀ ନୁହନ୍ତି! ବଜାର ଅର୍ଥନୀତି ଓ ଉଦାରୀକରଣର ବାତାବରଣରେ, ସଂପ୍ରତି, ଚୀନା ବ୍ରାଣ୍ଡଗୁଡ଼ିକ ପୃଥିବୀ ସାରା ଏଭଳି ସର୍ବ-ବିଦ୍ୟମାନ ଯେ ପରଂପରାଗତ ଭାବେ ସୁପ୍ରସିଦ୍ଧ ବ୍ରାଣ୍ଡମାନ ଆଧିପତ୍ୟ ହରାଇବାର ଭୟରେ ବିଚଳିତ ହୋଇଉଠିବା ସ୍ବାଭାବିକ!
ପୃଥିବୀର ସର୍ବାଧିକ ଖ୍ୟାତିସଂପନ୍ନ ଚିପ୍ କଂପାନି ‘ଏନଭିଡିଆ’ର ସୂକ୍ଷ୍ମ, ଜଟିଳ ଓ ଦୁର୍ଭେଦ୍ୟ ପ୍ରବିଧି ହାତେଇବା ଲାଗି ତା’ର ପ୍ରତିଷ୍ଠାତା ମାଲିକ ଜେନସେନ ହୁଆଙ୍ଗଙ୍କୁ ଜନୈକା ଚୀନା ସୁନ୍ଦରୀଙ୍କ ଦ୍ବାରା ସଫଳତା ପୂର୍ବକ ପ୍ରଭାବିତ କରାଯାଇଥିବା ବିଷୟଟି ସଂପ୍ରତି ସର୍ବତ୍ର ତୁମୂଳ ଆଲୋଡ଼ନ ସୃଷ୍ଟି କରିବା ସହିତ ଏ.ଆଇ. ପ୍ରତିଦ୍ବନ୍ଦ୍ବିତାରେ ଯୁକ୍ତରାଷ୍ଟ୍ର ଆମେରିକାକୁ ଅତିକ୍ରମ କରିବା ଲକ୍ଷ୍ୟରେ ଚୀନ ପ୍ରୟୋଗ କରିଥିବା ଅପକୌଶଳ ନିନ୍ଦାର ପାତ୍ର ମଧ୍ୟ ହୋଇଛି; ଯଦିଓ, ସ୍ବାଭାବିକ ଭାବେ ଚୀନ ଏହାକୁ ଅସ୍ବୀକାର କରିଛି। ଏଣେ, ଇତିମଧ୍ୟରେ, ଆଉ ଏକ ସ୍ବଳ୍ପ ଜ୍ଞାତ ଘଟଣାରେ ଟାଟା ମୋଟର୍ସ ଦ୍ବାରା ଅଧିକୃତ ଇଂଲାଣ୍ଡର ସୁପ୍ରସିଦ୍ଧ ମୋଟରଗାଡ଼ି କଂପାନି ‘ଜାଗୁଆର ଲ୍ୟାଣ୍ଡ ରୋଭର’ ବା ‘ଜେଏଲଆର’ ପକ୍ଷରୁ ଚୀନା ମୋଟରଗାଡ଼ି କଂପାନି ‘ବିୱାଇଡି’ ବିରୋଧରେ, ନେଦରଲାଣ୍ଡ୍ସର ରାଜଧାନୀ ‘ଦ ହେଗ୍’ର ଏକ ଅଦାଲତରେ ଏଥି ଲାଗି ନାଲିସ କରାଯାଇଛି ଯେ ‘ବିୱାଇଡି’ ପକ୍ଷରୁ କୁଆଡ଼େ ‘ଜେଏଲଆର’ର ସୁପରିଚିତ ଏସୟୁଭି ମଡେଲ ‘ଡିଫେଣ୍ଡର’ର ଅବିକଳ ନକଲ କରାଯାଇ ‘ଟି.ଆଇ.୭’ ନାମକ ଏକ ମଡେଲ ଖୁବ୍ ଶୀଘ୍ର ବଜାରକୁ ଛଡ଼ାଯିବାର ବ୍ୟବସ୍ଥା କରାଯାଉଛି; ଏବଂ ‘ଟି.ଆଇ.୭’ର ଦର ଆମେରିକୀ ବଜାରରେ ‘ଡିଫେଣ୍ଡର’ ତୁଳନାରେ କୋଡ଼ିଏ ହଜାର ଡଲାର ଏବଂ ଇଂଲାଣ୍ଡର ବଜାରରେ ପଚିଶ ହଜାର ପାଉଣ୍ଡ କମ୍ ରହିବ ବୋଲି ଘୋଷଣା କରାଯାଇଛି। କହିବା ଅନାବଶ୍ୟକ ଯେ ‘କପିରାଇଟ’ ମର୍ଯ୍ୟାଦା ଉଲ୍ଲଂଘନ କରି ‘ଡିଫେଣ୍ଡର’ର ଚାହିଦା କ୍ଷୁଣ୍ଣ କରିବା ଦିଗରେ ‘ବିୱାଇଡି’ର ଏଭଳି ଉଦ୍ୟମ। ଏଭଳି ସ୍ଥିତିରେ ଚୀନ ସହିତ ‘ନକଲଖୋର’ ଭଳି ଏକ ବିଶେଷଣ ଯୋଡ଼ି ହୋଇ ଉଚ୍ଚାଟିତ କଟାକ୍ଷ ଶୁଣିବାକୁ ମିଳୁଛି। କିନ୍ତୁ, ସାଂପ୍ରତିକ ଚୀନ ପରିପ୍ରେକ୍ଷୀରେ ଏଭଳି ଉପହାସର ଯୌକ୍ତିକତା ଅଛି କି? ଏହା ମଧ୍ୟ ଏକ ପ୍ରଣିଧାନର ବିଷୟ।
ଉଲ୍ଲେଖଯୋଗ୍ୟ ଯେ ଗଲା ଅଷ୍ଟମ ଦଶକରେ, ଦ୍ରବ୍ୟ ଉତ୍ପାଦନ କ୍ଷେତ୍ରରେ, ଉପସ୍ଥିତି ଜାହିର କରିବାକୁ ଉଦ୍ଗ୍ରୀବ ହୋଇ ଚୀନ, ସେହି ସମୟେର ଶସ୍ତା ଓ ଗୁଣବତ୍ତାଶୂନ୍ୟ ଦ୍ରବ୍ୟର ଉତ୍ପାଦନର ପେଣ୍ଠ ରୂପେ ଦୁର୍ନାମ ଅର୍ଜନ କରିଥିଲା। କେବଳ ସେତିକି ନୁହେଁ, ପୃଥିବୀ ପ୍ରସିଦ୍ଧ ବ୍ରାଣ୍ଡଗୁଡ଼ିକର ‘କପି-କ୍ୟାଟ’ (ଅବିକଳ ନକଲ) ଉତ୍ପାଦନର କେନ୍ଦ୍ର ରୂପେ କୁଖ୍ୟାତି ମଧ୍ୟ ମୁଣ୍ଡାଇଥିଲା। ସେହି ସବୁ ବିଖ୍ୟାତ ବ୍ରାଣ୍ଡଗୁଡ଼ିକର ନାମରେ, କେଉଁଠି ଗୋଟିଏ ଅକ୍ଷର ଯୋଡ଼ି ଦେଇ ବା ତହିଁରୁ କାଟି ଦେଇ ଚଞ୍ଚକତାପୂର୍ଣ୍ଣ ଭାବେ ଗ୍ରାହକ ଆକର୍ଷଣର ଉଦ୍ୟମ ମଧ୍ୟ କରିଥିଲା, ଯେମିତି ସେ ସମୟରେ ସର୍ବାଧିକ ବିକ୍ରି ହେଉଥିବା ମୋବାଇଲ ଫୋନ ‘ନୋକିଆ’ ସ୍ଥାନରେ ଦେଖିବାକୁ ମିଳୁଥିଲା ଶସ୍ତା ‘କପି କ୍ୟାଟ’ ଚୀନା ନିର୍ମିତ ‘ନୋକିର’ ଫୋନମାନ। ଚୀନର ଏଭଳି ଉପଦ୍ରବକୁ ଅର୍ବାଚୀନସୁଲଭ ଚାପଲ୍ୟ ବୋଲି ଧରି ନେଇ ସୁପ୍ରତିଷ୍ଠିତ ଓ ସ୍ବନାମଧନ୍ୟ ବ୍ରାଣ୍ଡଗୁଡ଼ିକ ଏ ନେଇ ଚିନ୍ତିତ ମଧ୍ୟ ନ ଥିଲେ। କିନ୍ତୁ, ତା’ର ତିନିରୁ ଚାରି ଦଶନ୍ଧି ପରେ, ସଂପ୍ରତି ଦେଖିବାକୁ ମିଳୁଛି ଯେ ଏକ ଉଦ୍ବିଗ୍ନ ‘ଜେଏଲଆର’ ନକଲଖୋରି ଆରୋପରେ ‘ବିୱାଡି’କୁ ଅଦାଲତକୁ ଭିଡ଼ି ନେଲାଣି! ଏହାର କାରଣ କ’ଣ? କାରଣଟି ହେଲା ଏବର ଦୃଶ୍ୟପଟ ସଂପୂର୍ଣ୍ଣ ବଦଳି ଯାଇଛି; ମୋବାଇଲ ଫୋନ ଓ ଲାପଟପରୁ ନେଇ ମୋଟର କାର କଂପାନି ପର୍ଯ୍ୟନ୍ତ ସୁପ୍ରସିଦ୍ଧ ବ୍ରାଣ୍ଡଗୁଡ଼ିକ ଏବେ ଚିନ୍ତିତ; ଯେମିତି ‘ବିଏମଡବ୍ଲ୍ୟୁ’ର ମୁଣ୍ଡବ୍ୟଥା ରୂପେ ସେହି ବ୍ରାଣ୍ଡର ‘ମିନି କୁପର୍’ ମଡେଲ ଭଳି ଦିଶୁଥିବା ଚୀନା ନିର୍ମିତ ‘ଲିଫାନ ୩୨୦’ ଅପେକ୍ଷାକୃତ କମ୍ ମୂଲ୍ୟରେ ଅଥଚ ଉତ୍କୃଷ୍ଟ ଗୁଣବତ୍ତା ସହିତ ବଜାରରେ ଉପଲବ୍ଧ।
ଉଲ୍ଲେଖଯୋଗ୍ୟ ଯେ ନକଲି ଓ ଚାଲୁ ଦ୍ରବ୍ୟର ଉତ୍ପାଦନ କେନ୍ଦ୍ର ରୂପେ, ସେହି ସମୟରେ ମୁଣ୍ଡ ଟେକିଥିବା ଚୀନର ଏକ ସ୍ବଳ୍ପଜ୍ଞାତ ମାଛଧରା ସହର ସେନଝେନ, ସଂପ୍ରତି, ପୃଥିବୀକୁ ଚମତ୍କୃତ କରି ଦେଉଥିବା ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ଇଭି, ମୋଟର ଗାଡ଼ି, ସେ ସବୁର ଯନ୍ତ୍ରାଂଶ ଓ ଉପକରଣ ଆଦିର ନିର୍ମାଣରେ ସର୍ବାଗ୍ରେ। ଏହି ଯାତ୍ରା କ୍ରମରେ ଚୀନା କାରିଗର ଓ ଇଂଜିନିଅରମାନେ ଯେଉଁ ଅଭିନବ ତିକ୍ତ-ମଧୁର ଅନୁଭୂତି ହାସଲ କରିଛନ୍ତି, ତହିଁରୁ ସୃଷ୍ଟ ଦୁଇଟି ଅଭିବ୍ୟକ୍ତି ଏବେ ଖୁବ୍ ଲୋକପ୍ରିୟ; ଯେଉଁଗୁଡ଼ିକ ହେଲେ ‘ରିଭର୍ସ ଇଂଜିନିଅରିଂ’ ବା ‘ଓଲଟ ଜ୍ଞାନ କୌଶଳ’ ଏବଂ ‘ଇନୋଭେସନ’ ବା ନବ ସୃଜନ ଅଥବା ନବ ସଂସ୍କରଣ। ପ୍ରକାଶ ଥାଉ କି ଅଷ୍ଟମ ଦଶକ ବେଳକୁ କମ୍ୟୁନିଷ୍ଟ ଶାସନାଧୀନ ଚୀନ ଥିଲା କ୍ୟାପିଟାଲିଷ୍ଟ ବା ପୁଞ୍ଜିବାଦୀ ପାଶ୍ଚାତ୍ୟ ପୃଥିବୀ ସକାଶେ ପ୍ରାୟ ଅସ୍ପୃଶ୍ୟ, ଯାହା ଫଳରେ ସେ ପଟରୁ ଚୀନ ଲାଗି ଉନ୍ନତ ପ୍ରଯୁକ୍ତି ଜ୍ଞାନର ପ୍ରବାହ କେବଳ ଅସମ୍ଭବ ନ ଥିଲା, ଥିଲା ଏକ ନିତାନ୍ତ ଅବାନ୍ତର ପ୍ରସ୍ତାବ! ସୁତରାଂ, ଚୀନର ବିଚକ୍ଷଣ ଇଂଜିନିଅରମାନେ ‘ରିଭର୍ସ ଇଂଜିନିଅରିଂ’ର ସୂତ୍ରପାତ ଘଟାଇଥିଲେ, ଯହିଁରେ ଆମେରିକା ବା ୟୁରୋପରେ ନିର୍ମିତ ବିଭିନ୍ନ ଇଲେକ୍ଟ୍ରୋନିକ ଦ୍ରବ୍ୟ କ୍ରୟ କରି ସେ ସବୁକୁ ଧ୍ୟାନ-ପୂର୍ବକ ଓ ସୁବ୍ୟବସ୍ଥିତ ଢଙ୍ଗରେ ଖୋଲି, ପ୍ରତ୍ୟେକ ଯନ୍ତ୍ରାଂଶର ଅନୁଶୀଳନ କରିବା ପରେ ପୁଣି ସେ ସବୁକୁ ଖଞ୍ଜି, ସେହି କ୍ରମରେ ଜ୍ଞାନ ଆହରଣର ପଥ ଉନ୍ମୋଚିତ ହୋଇଥିଲା। କହିବା ନିଷ୍ପ୍ରୟୋଜନ ଯେ ଏହି ଖୋଲିବା ଓ ଯୋଡ଼ିବା ପ୍ରକରଣରେ ନୂତନ ବ୍ୟାବହାରିକ ବୁଦ୍ଧିର ପ୍ରୟୋଗ କରାଯାଇ ପୁନଃ-ନବୀକରଣ ଏବଂ ମାନ ଉନ୍ନତୀକରଣର ନିରନ୍ତର ଧାରା ସୃଷ୍ଟି କରାଯାଇଥିଲା, ଯାହା ହେଉଛି ‘ଇନୋଭେସନ’। କହିବା ବାହୁଲ୍ୟ ଯେ ଜନବହୁଳ ଚୀନ ସକାଶେ ଏଭଳି ଦ୍ରବ୍ୟର ପ୍ରଥମ ବଜାର ନିଜ ଦେଶରେ ହିଁ ପ୍ରାପ୍ତ ହୋଇଥିଲା ଏବଂ ଚାହିଦା ସୃଷ୍ଟି ଲାଗି ଚୀନୀୟ ବ୍ରାଣ୍ଡଗୁଡ଼ିକ ପରସ୍ପର ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ନିମଗ୍ନ ରହି ଦ୍ରବ୍ୟର ଉତ୍କର୍ଷ ଓ ଉନ୍ନତି ସାଧନ ସକାଶେ ନିୟମିତ ଉଦ୍ୟମ ଜାରି ରଖିଲେ। କେବଳ ସେତିକି ନୁହେଁ, ଚୀନର ବିଶାଳ ମାନବ ସମ୍ବଳ ସହିତ ସ୍ବୟଂଚାଳିତ ପ୍ରଯୁକ୍ତି (ଅଟୋମେସନ)ର ମିଶ୍ରଣ ଘଟି ବିପୁଳ ଓ ଅପେକ୍ଷାକୃତ ଶସ୍ତା ଉତ୍ପାଦନ ଲାଗି କ୍ଷେତ୍ର ମଧ୍ୟ ପ୍ରସ୍ତୁତ ହୋଇଗଲା। ଏଭଳି ସ୍ଥିତିରେ ନକଲି ଓ ଅସଲିର ତାରତମ୍ୟ ନେଇ ଗ୍ରାହକମାନେ ଆଉ ବିଶେଷ ଆଗ୍ରହୀ ନୁହନ୍ତି! ବଜାର ଅର୍ଥନୀତି ଓ ଉଦାରୀକରଣର ବାତାବରଣରେ, ସଂପ୍ରତି, ଚୀନା ବ୍ରାଣ୍ଡଗୁଡ଼ିକ ପୃଥିବୀ ସାରା ଏଭଳି ସର୍ବ-ବିଦ୍ୟମାନ ଯେ ପରଂପରାଗତ ଭାବେ ସୁପ୍ରସିଦ୍ଧ ବ୍ରାଣ୍ଡମାନ ଆଧିପତ୍ୟ ହରାଇବାର ଭୟରେ ବିଚଳିତ ହୋଇଉଠିବା ସ୍ବାଭାବିକ!
‘କାଲିଗ୍ରାଫି’ ହେଉ ବା ‘ମାର୍ସଆଲ ଆର୍ଟସ’; କଳେ ବଳେ କୌଶଳେ କୌଣସି କଷ୍ଟସାଧ୍ୟ ବିଦ୍ୟା ହାସଲ କରିବା, ଦକ୍ଷତା ପାଇବା ସକାଶେ ଅବିରତ ଓ ନିଘଞ୍ଚ ଅଭ୍ୟାସ କରିବା ଭଳି ଚରିତ୍ର ଚୀନର ଡି.ଏନ.ଏ. ଅନ୍ତର୍ଭୁକ୍ତ! ପୁଣି, ଚୀନାମାନେ କେବଳ ବୋଧଶୂନ୍ୟ ନକଲ କରି ନ ଥାଆନ୍ତି, ନକଲିକୁ ‘ଅସଲି’ଠାରୁ ମଧ୍ୟ ଅଧିକ ‘ଅସଲି’ ଭଳି ଗଢ଼ି ତୋଳିବା ସକାଶେ ଗୂଢ଼ ଅକଲର ମଧ୍ୟ ଉପଯୋଗ କରିଥାଆନ୍ତି, ଯେମିତି ‘ରିଭର୍ସ ଇଂଜିନିଅରିଂ’। ଚାର୍ଲି ଚାପଲିନଙ୍କ ନକଲକାରଙ୍କ ମଧ୍ୟରେ ଚାଲିଥିବା ପ୍ରତିଯୋଗିତାରେ, ସମସ୍ତଙ୍କ ଅଲକ୍ଷ୍ୟରେ ନିଜେ ଚାର୍ଲି ଚାପଲିନ ଯୋଗ ଦେଇ ତହିଁରେ ତୃତୀୟ ସ୍ଥାନ ଅଧିକାର କଲା ଭଳି କଥା ୟେ! ନକଲରେ ଅକଲ ମିଶାଇବାର ଏଭଳି ଚୀନୀୟ ବୈଶିଷ୍ଟ୍ୟ ହେତୁ ବୋଧହୁଏ ଚୀନ ସରକାର ମଧ୍ୟ ‘କପିରାଇଟ୍’ ଭଳି ବିଷୟକୁ ବିଶେଷ ଗୁରୁତ୍ବ ଦିଅନ୍ତି ନାହିଁ।

48 minutes ago
2


