ARTICLE AD BOX
ଏ ସମସ୍ୟାର ସ୍ଥାୟୀ ସମାଧାନ ସରକାରୀ କ୍ଷେତ୍ରରେ ଡାକ୍ତରୀ ଶିକ୍ଷାର ସଂପ୍ରସାରଣ ମାଧ୍ୟମରେ ଦେଶରେ ଡାକ୍ତର ଯୋଗାଣରେ ବୃଦ୍ଧି ଦ୍ବାରା ହିଁ ସମ୍ଭବ ହେବ। କିନ୍ତୁ ସେଥିପୂର୍ବରୁ ଯୁବ ଡାକ୍ତରମାନଙ୍କୁ ଦୁର୍ବିଷହ କାର୍ଯ୍ୟବୋଝରୁ ରକ୍ଷା କରିବା ପାଇଁ ସେମାନେ ଏବେ ଦାବି କରୁଥିବା ଭଳି ‘ରେସିଡେନ୍ସି ସ୍କିମ୍, ୧୯୯୨’ ଅନୁସାରେ ତୁରନ୍ତ ଏକ ୪୮ଘଣ୍ଟିଆ କାର୍ଯ୍ୟସପ୍ତାହ ଓ ସାପ୍ତାହିକ କାର୍ଯ୍ୟ ବିରତି ନିୟମ ଲାଗୁ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ହେବ।
ଚିକିତ୍ସା ସେବା କ୍ଷେତ୍ରରେ ଦିଗ୍ଦର୍ଶନ ପ୍ରଦାନ ନିମିତ୍ତ ବ୍ୟବହୃତ ଏକ ସୁପରିଚିତ ଲାଟିନ୍ ଉପଦେଶବାଣୀ ହେଉଛି: ‘ସାଲସ୍ ଇଗ୍ରୋଟି ସୁପ୍ରିମା ଲେକ୍ସ’, ଯାହାର ଅର୍ଥ ହେଉଛି- ‘ରୋଗୀର ମଙ୍ଗଳସାଧନ ହେଉଛି ସର୍ବୋଚ୍ଚ ନିୟମ’। ଜଣେ ରୋଗୀର ମଙ୍ଗଳ ବିଭିନ୍ନ କାରଣ ଉପରେ ନିର୍ଭର କରିଥାଏ; କିନ୍ତୁ ଏଥିରେ ଯିଏ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି, ସିଏ ହେଉଛନ୍ତି ତା’ର ଚିକିତ୍ସକ ବା ଡାକ୍ତର। ଏହା ସ୍ବାଭାବିକ ଭାବରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନକୁ ଜନ୍ମ ଦେଇଥାଏ: ଚିକିତ୍ସକଙ୍କ ମଙ୍ଗଳ ବିନା ରୋଗୀର ମଙ୍ଗଳସାଧନ ସମ୍ଭବ କି? ନିର୍ଦ୍ଦିଷ୍ଟ ଭାବରେ କହିଲେ, ଜଣେ ଅସୁସ୍ଥ କିମ୍ବା ମାନସିକ ଚାପଗ୍ରସ୍ତ ଚିକିତ୍ସକ ରୋଗୀକୁ ସର୍ବୋତ୍ତମ ଚିକିତ୍ସା ପ୍ରଦାନ କରି ତା’ର ସର୍ବାଧିକ ସମ୍ଭବ ମଙ୍ଗଳସାଧନ କରିପାରିବେ କି? ଏହାର ଏକମାତ୍ର ଉତ୍ତର ସମ୍ବନ୍ଧରେ କେହିହେଲେ ଦ୍ବିମତ ହେବାର ଅବକାଶ ନାହିଁ: ନା।
ଜଣେ ଡାକ୍ତରଙ୍କର ଦକ୍ଷତାକୁ ପ୍ରଭାବିତ କରୁଥିବା ତାଙ୍କର ଏଭଳି ଅବସ୍ଥାର ବିଭିନ୍ନ କାରଣ ଥାଇପାରେ। ଏବେ ସୁପ୍ରିମ୍ କୋର୍ଟରେ ‘ନେସନାଲ୍ ମେଡିକାଲ କମିସନ୍’ (‘ଏନ୍ଏମ୍ସି’) ଦାଖଲ କରିଥିବା ଏକ ସତ୍ୟପାଠ ପ୍ରକାଶ ପାଇବା ପରେ ଏଥିମଧ୍ୟରୁ ଯେଉଁ ଏକ କାରଣ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି, ତାହାକୁ ଏଥିମଧ୍ୟରୁ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ବୋଲି କହିଲେ ଅତିରଞ୍ଜନ ହେବ ନାହିଁ। ଏହା ହେଉଛି- ଡାକ୍ତରମାନଙ୍କର କାର୍ଯ୍ୟ ସମୟର ଦୀର୍ଘତା ଓ ବିଶ୍ରାମ ନେବାର ସୁଯୋଗ। ଏକ ସୁସ୍ଥ କାର୍ଯ୍ୟ ପରିବେଶ ପାଇଁ ପ୍ରାର୍ଥନା କରି କେତେଜଣ ଡାକ୍ତର ସଂଘବଦ୍ଧ ଭାବରେ ଆଗତ କରିଥିବା ଏକ ଜନସ୍ବାର୍ଥ ମାମଲା (‘ପିଆଇଏଲ୍’)ର ପ୍ରତ୍ୟୁତ୍ତରରେ ଦାଖଲ କରିଥିବା ତା’ର ଏଇ ସତ୍ୟପାଠରେ ‘ଏନ୍ଏମ୍ସି’ ଏହି ଉଦ୍ଦେଶ୍ୟରେ ଗଠିତ ଏକ ଟାସ୍କଫୋର୍ସ ଦ୍ବାରା ସଂଗୃହୀତ ତଥ୍ୟ ଉପସ୍ଥାପିତ କରିଥିଲା, ଯେଉଁଥିରେ ଡାକ୍ତରମାନଙ୍କୁ ସହନ କରିବାକୁ ପଡୁଥିବା ଅସହନୀୟ ପରିସ୍ଥିତିର ଏକ ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଥିଲା।
ଏହା ଅନୁସାରେ ଅଧିକାଂଶ ପୋଷ୍ଟଗ୍ରାଜୁଏଟ୍ ଡାକ୍ତରମାନଙ୍କୁ ଅନେକ ସମୟରେ କେବଳ ଯେ ୨୪ଘଣ୍ଟିଆ ଡ୍ୟୁଟି କରିବାକୁ ପଡ଼ିଥାଏ, ତାହା ନୁହେଁ, ବେଳେବେଳେ ସେମାନଙ୍କୁ ମଧ୍ୟ ନିରବଚ୍ଛିନ୍ନ ଭାବରେ ଏଇଭଳି ତିନିରୁ ପାଞ୍ଚଟି ପର୍ଯ୍ୟନ୍ତ ଲଗାତାର ଡ୍ୟୁଟି କରିବାକୁ ପଡ଼ିଥାଏ। ‘ପିଆଇଏଲ୍’ ଆଗତ କରିଥିବା ‘ୟୁନାଇଟେଡ୍ ଡକ୍ଟର୍ସ ଫ୍ରଣ୍ଟ’ ନାମକ ଡାକ୍ତରମାନଙ୍କର ଏକ ସଂଗଠନର ଦାବି ଅନୁସାରେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୧୫୦ ଜଣ ସରିକି ଡାକ୍ତର ଆତ୍ମହତ୍ୟା କରିବା ଦେଖାଯାଇଛି ଏବଂ ଏଭଳି କଠିନ କାର୍ଯ୍ୟ ପରିବେଶ ହେଉଛି ତାହାର ଏକ ମୁଖ୍ୟ କାରଣ। ସୂଚାଇବା ଅନାବଶ୍ୟକ ଯେ ଏଭଳି କର୍ମ ପରିବେଶରେ କାର୍ଯ୍ୟ କରୁଥିବା ଡାକ୍ତରମାନେ ରୋଗୀକୁ ସଂପୂର୍ଣ୍ଣ ଦକ୍ଷତାର ସହିତ ଚିକିତ୍ସା ଯୋଗାଇବା ସମ୍ଭବ ନୁହେଁ।
ଏଥିରେ ସନ୍ଦେହ ନାହିଁ ଯେ ଅାଧୁନିକ ଔଷଧପତ୍ର ଚମକପ୍ରଦ ଫଳ ପ୍ରଦାନ କରିଥାଏ; କିନ୍ତୁ ଏହାର ସଫଳ ପ୍ରୟୋଗ ଶେଷରେ ଚିକିତ୍ସକଙ୍କର ସୂକ୍ଷ୍ମ ବିଚାର ଶକ୍ତି ଉପରେ ନିର୍ଭର କରିଥାଏ। ପ୍ରତ୍ୟେକ ରୋଗ ନିରୂପଣ, ପ୍ରେସ୍କ୍ରିପ୍ସନ ଓ ଅସ୍ତ୍ରୋପଚାର ନିଷ୍ପତ୍ତି ଡାକ୍ତରଙ୍କର ଏକାଗ୍ରତା, ସ୍ମୃତିଶକ୍ତି ଓ ଆବେଗିକ ସନ୍ତୁଳନ ଉପରେ ସଂପୂର୍ଣ୍ଣ ଭାବେ ନିର୍ଭର କରିଥାଏ। ଅବିଶ୍ରାନ୍ତ କାର୍ଯ୍ୟ ଓ ତଜ୍ଜନିତ ନିଦ୍ରାହୀନତା ସଂପୃକ୍ତ ଚିକିତ୍ସକଙ୍କର ଏଇ ସମସ୍ତ ମାନସିକ କ୍ଷମତାକୁ ଗୁରୁତର ଭାବରେ ବ୍ୟାହତ କରିଥାଏ। ଗବେଷଣା ଦ୍ବାରା ଏହା ବାରମ୍ବାର ସାବ୍ୟସ୍ତ ହୋଇଛି ଯେ ଦୀର୍ଘକାଳୀନ ନିଦ୍ରାଭାବ ବ୍ୟକ୍ତିର ବୌଦ୍ଧିକ କ୍ରିୟାକୁ ବ୍ୟାହତ କରିବା ସଙ୍ଗେ ସଙ୍ଗେ ତା’ର ପ୍ରତିକ୍ରିୟା ସମୟକୁ ମନ୍ଥର କରିଦେଇଥାଏ, ଏକାଗ୍ରତାରେ ହ୍ରାସ ଘଟାଇଥାଏ, ବିରକ୍ତିପ୍ରବଣତାରେ ବୃଦ୍ଧି ଘଟାଇଥାଏ ଏବଂ ନିଷ୍ପତ୍ତି ଗ୍ରହଣ କ୍ଷମତାକୁ ଦୁର୍ବଳ କରିଥାଏ। ଏହାକୁ ଅନେକ ସମୟରେ ମଦ୍ୟପାନଜନିତ ନିଶାଗ୍ରସ୍ତ ଅବସ୍ଥା ସହିତ ତୁଳନା କରାଯାଇଥାଏ।
ଏଠାରେ ସୂଚନାଯୋଗ୍ୟ, ଯାତ୍ରୀମାନଙ୍କର ଜୀବନମରଣ ବିମାନର ପାଇଲଟ୍ଙ୍କ ଉପରେ ନିର୍ଭର କରୁଥିବାରୁ ବିମାନଯାତ୍ରା ବ୍ୟବସାୟରେ ସର୍ବଦା ପାଇଲଟ୍ଙ୍କୁ ଯଥେଷ୍ଟ ବିଶ୍ରାମ ଉପଲବ୍ଧ ହେବା ଭଳି କାର୍ଯ୍ୟଖସଡ଼ା କଡ଼ାକଡ଼ି ଭାବରେ ଅନୁସୃତ ହୋଇଥାଏ। କୌଣସି ବିମାନ କଂପାନି ତା’ର କୌଣସି ପାଇଲଟ୍ଙ୍କୁ ନିରବଚ୍ଛିନ୍ନ ଭାବରେ ୩୬ ଘଣ୍ଟା ବିମାନ ଚାଳନା କରିବାକୁ ଦେଇ ନ ଥାଏ। ପାଇଲଟ୍ଙ୍କ ଉପରେ ଯାତ୍ରୀଙ୍କର ଜୀବନମରଣ ନିର୍ଭର କରୁଥିବା ଭଳି ଡାକ୍ତରଙ୍କ ଉପରେ ରୋଗୀଙ୍କର ଜୀବନମରଣ ନିର୍ଭର କରିଥାଏ। ଏଥିସତ୍ତ୍ବେ ଡାକ୍ତରମାନଙ୍କୁ ଥରକେ ୨୪ ଘଣ୍ଟାରୁ ୩୬ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରିବା ରୋଗୀଙ୍କର ଜୀବନ ସହିତ ଖେଳିବା ଭଳି ନୁହେଁ କି?
ଭାରତର ହସ୍ପିଟାଲମାନଙ୍କରେ ଏବଂ ବିଶେଷ କରି ସରକାରୀ ହସ୍ପିଟାଲ ଓ ମେଡିକାଲ କଲେଜମାନଙ୍କରେ କିନ୍ତୁ ନିର୍ବିକାର ଭାବରେ ଏଇ ବିପଜ୍ଜନକ ବ୍ୟବସ୍ଥା ଅନୁସୃତ ହେବା ଦେଖାଯାଇଥାଏ। ଏଠାରେ ସାଧାରଣତଃ ଯେଉଁମାନଙ୍କ ଉପରେ ନିୟମିତ ଭାବରେ ଏଇ ଅସହନୀୟ କାର୍ଯ୍ୟବୋଝ ଲଦି ଦିଆଯାଇଥାଏ, ସେମାନେ ହେଲେ ଜୁନିଅର ରେସିଡେଣ୍ଟ ଡାକ୍ତରମାନେ। ଏଇ ଯୁବ ଡାକ୍ତରମାନେ ହିଁ ଆଉଟ୍ ପେସେଣ୍ଟ ଡିପାର୍ଟମେଣ୍ଟର ଜନସମୁଦ୍ରର ମୁକାବିଲା କରିଥାନ୍ତି, ଏମର୍ଜେନ୍ସି ରୁମ୍ରେ ଜରୁରୀକାଳୀନ ସେବା ଯୋଗାଇଥାନ୍ତି, ଏକ ସମୟରେ ‘ଆଇସିୟୁ’ରୁ ୱାର୍ଡ ପର୍ଯ୍ୟନ୍ତରେ ରୋଗୀମାନଙ୍କ ପାଖରେ ଉପସ୍ଥିତ ରହିବାର ଯାଦୁକରୀ କୌଶଳ ପ୍ରଦର୍ଶନ କରିଥାନ୍ତି ଏବଂ ଏଭଳି ଅତିମାନବୀୟ କାର୍ଯ୍ୟ ସଂପାଦନର ଅଂଶସ୍ବରୂପ ଅକୁଣ୍ଠ ଭାବରେ ବିନିଦ୍ର ରଜନୀମାନ ମଧ୍ୟ ବିତାଇ ଚାଲିଥାନ୍ତି।
ପୃଥିବୀର ସର୍ବାଧିକ ଜନବହୁଳ ଦେଶରେ ସ୍ବାଭାବିକ ଭାବରେ ରୋଗୀ ସଂଖ୍ୟା ଓ ଡାକ୍ତର ସଂଖ୍ୟା ମଧ୍ୟରେ ଯେଉଁ ଘୋର ଅସମତୁଲ ଅବସ୍ଥା ପରିଲକ୍ଷିତ ହୋଇଥାଏ, ସେଥିଯୋଗୁଁ ସୃଷ୍ଟି ହେଉଥିବା ଚିକିତ୍ସା ସେବା ଯୋଗାଣର ବିଶାଳ ବୋଝ ବହନ କରିବାକୁ ପଡ଼ିଥାଏ ମୁଖ୍ୟତଃ ତାଲିମ ପ୍ରକ୍ରିୟା ଦେଇ ଗତି କରୁଥିବା ଏଇ ଯୁବ ଡାକ୍ତରମାନଙ୍କୁ। ସେମାନଙ୍କର ଏଇ କଷ୍ଟକର ଅବସ୍ଥାକୁ ଯାହା ଆହୁରି ଅଧିକ ଦୁର୍ବିଷହ କରିଥାଏ, ତାହା ହେଲା ସହାୟକ କର୍ମଚାରୀମାନଙ୍କର ଅଭାବ, ପ୍ରଶାସନିକ କାର୍ଯ୍ୟଭାର, ଜନ ଆକ୍ରୋଶ, ଉପଯୁକ୍ତ ହଷ୍ଟେଲ ସୁବିଧାର ଅନୁପସ୍ଥିତି ଇତ୍ୟାଦି। ଏସବୁ ଏକାଠି ହୋଇ ଏଇ ଯୁବ ଚିକିତ୍ସକମାନଙ୍କ ପାଇଁ ଯେଉଁ ବିଷାକ୍ତ ମନସ୍ତାତ୍ତ୍ବିକ ପରିବେଶ ସୃଷ୍ଟି କରିଥାନ୍ତି, ତାହା ସେମାନଙ୍କ ମଧ୍ୟରୁ କେତେକଙ୍କୁ ଏକ ଅନ୍ତିମ ସମାଧାନର ଉପାୟ ସ୍ବରୂପ ଆତ୍ମହତ୍ୟା ଦିଗରେ ଠେଲିଥାଏ। ସେଇ ଚିକିତ୍ସକମାନେ ହିଁ ଏପରି ଅବସ୍ଥାକୁ ମନସ୍ତାତ୍ତ୍ବିକ ଦହନ ବା ‘ବର୍ନଅାଉଟ୍’ ରୂପେ ନାମିତ କରିଥାନ୍ତି; ସେମାନେ କିନ୍ତୁ ନିଜକୁ ଏଇ ଅଗ୍ନିପରୀକ୍ଷାରୁ ଉଦ୍ଧାର କରି ନ ପାରି ଦଗ୍ଧୀଭୂତ ହୋଇଥାନ୍ତି।
ଘରୋଇ ହସ୍ପିଟାଲମାନଙ୍କରେ ଅନୁସୃତ ସର୍ବାଧିକ ସମ୍ଭବ ଆୟ ଅର୍ଜନକାରୀ ନୀତି ମଧ୍ୟ ସେଠାରେ କାର୍ଯ୍ୟରତ ଡାକ୍ତରମାନଙ୍କ ସମ୍ମୁଖରେ ଯେଉଁ ଲକ୍ଷ୍ୟ ବା ଟାର୍ଗେଟ୍ ସ୍ଥାପନ କରିଥାଏ, ସେଥିପାଇଁ ସେମାନଙ୍କ ଉପରେ ସୃଷ୍ଟ ଚାପର ତୀବ୍ରତା ମଧ୍ୟ କିଛି କମ୍ ହୋଇ ନ ଥାଏ।
ଏ ସମସ୍ୟାର ସ୍ଥାୟୀ ସମାଧାନ ସରକାରୀ କ୍ଷେତ୍ରରେ ଡାକ୍ତରୀ ଶିକ୍ଷାର ସଂପ୍ରସାରଣ ମାଧ୍ୟମରେ ଦେଶରେ ଡାକ୍ତର ଯୋଗାଣରେ ବୃଦ୍ଧି ଦ୍ବାରା ହିଁ ସମ୍ଭବ ହେବ। କିନ୍ତୁ ସେଥିପୂର୍ବରୁ ଯୁବ ଡାକ୍ତରମାନଙ୍କୁ ଦୁର୍ବିଷହ କାର୍ଯ୍ୟବୋଝରୁ ରକ୍ଷା କରିବା ପାଇଁ ସେମାନେ ଏବେ ଦାବି କରୁଥିବା ଭଳି ‘ରେସିଡେନ୍ସି ସ୍କିମ୍, ୧୯୯୨’ ଅନୁସାରେ ତୁରନ୍ତ ଏକ ୪୮ଘଣ୍ଟିଆ କାର୍ଯ୍ୟସପ୍ତାହ ଓ ସାପ୍ତାହିକ କାର୍ଯ୍ୟ ବିରତି ନିୟମ ଲାଗୁ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ହେବ। ଏହାଦ୍ବାରା ସେମାନେ ପ୍ରଦାନ କରୁଥିବା ଚିକିତ୍ସାର ମାନରେ ଉନ୍ନତି ଘଟି ରୋଗୀମାନଙ୍କର ମଧ୍ୟ ମଙ୍ଗଳସାଧିତ ହେବ।

1 hour ago
1


