ARTICLE AD BOX
ନୂଆଦିଲ୍ଲୀ: ପଶ୍ଚିମ ଏସିଆ ସଂଘର୍ଷ ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଆକାଶଛୁଆଁ ହୋଇଥିବା ସତ୍ତ୍ୱେ ଦେଶର ଚାଷୀ ଓ ସାଧାରଣ ଉପଭୋକ୍ତାଙ୍କୁ ସୁରକ୍ଷା ଦେବା ପାଇଁ ସରକାର ଡିଜେଲ୍ ଦରରେ ଲିଟର ପିଛା ୪୩ ଟଙ୍କାର ବୋଝ ନିଜେ ବହନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କହିଛନ୍ତି। ଜନସାଧାରଣଙ୍କ ଉପରେ ସମ୍ପୂର୍ଣ୍ଣ ଆର୍ଥିକ ବୋଝ ନଲଦି ସରକାର କେବଳ ୭ ଟଙ୍କା ବୃଦ୍ଧିରେ ଏହାକୁ ସୀମିତ ରଖିଥିଲେ ବୋଲି ସେ ସ୍ପଷ୍ଟ କରିଛନ୍ତି।
ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ''କିଷାନ୍ ତକ୍ ଭାରତ କୃଷି ସମ୍ମିଳନୀ ୨୦୨୬''କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯୁଦ୍ଧ ପରିସ୍ଥିତି ଯୋଗୁଁ କିଛି ସପ୍ତାହ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୭୦ ଡଲାରରୁ ବୃଦ୍ଧି ପାଇ ୧୨୨ ଡଲାରରେ ପହଞ୍ଚିଥିଲା। ଏଭଳି ସ୍ଥିତିରେ ଭାରତରେ ଡିଜେଲ୍ ଦର ଅତି କମରେ ଲିଟର ପିଛା ୫୦ ଟଙ୍କା ବୃଦ୍ଧି କରିବାର ବାଧ୍ୟବାଧକତା ସୃଷ୍ଟି ହୋଇଥିଲା। ମାତ୍ର ସରକାର କୃଷକମାନଙ୍କ ହିତକୁ ପ୍ରାଥମିକତା ଦେଇ ଲିଟର ପିଛା ମାତ୍ର ୭ ଟଙ୍କା ବଢ଼ାଇଥିଲେ ଏବଂ ଅବଶିଷ୍ଟ ୪୩ ଟଙ୍କାର ବୋଝ ନିଜେ ଉଠାଇଥିଲେ। ଉପଭୋକ୍ତା ଏବଂ ଚାଷୀଙ୍କୁ ମହଙ୍ଗା ଇନ୍ଧନ ଦରରୁ ରକ୍ଷା କରିବା ପାଇଁ ସରକାର ପ୍ରତି ମାସରେ ୧୪,୦୦୦ କୋଟି ଟଙ୍କାର ଆର୍ଥିକ ବୋଝ ବହନ କରୁଥିବା ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି।
ଭାରତ ନିୟନ୍ତ୍ରଣରେ ରଖିବାକୁ ସକ୍ଷମ
ଏହି ସମୟ ମଧ୍ୟରେ ପଡ଼ୋଶୀ ଦେଶଗୁଡ଼ିକରେ ଡିଜେଲ୍ ଦର ୪୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ଭାରତ ଏହାକୁ ନିୟନ୍ତ୍ରଣରେ ରଖିବାକୁ ସକ୍ଷମ ହୋଇଛି। ଏଥିସହିତ ଗତ ୧୨ ବର୍ଷ ମଧ୍ୟରେ ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ସାର ଯୋଗାଇ ଦେବା ପାଇଁ ସରକାର ୧୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିବା ମୋଦୀ ସୂଚନା ଦେଇଛନ୍ତି। ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୫,୦୦୦ ଟଙ୍କାରେ ବିକ୍ରି ହେଉଥିବା ଏକ ବସ୍ତା ଡିଏପି ସାର ଭାରତୀୟ ଚାଷୀଙ୍କୁ ୧,୩୦୦ ଟଙ୍କାରେ ଏବଂ ୩,୦୦୦ ଟଙ୍କାର ୟୁରିଆ ସାର ୩୦୦ ଟଙ୍କାରୁ କମ୍ ମୂଲ୍ୟରେ ଉପଲବ୍ଧ କରାଯାଉଛି। କୃଷି ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖିବା ଏବଂ ବିଶ୍ୱ ବଜାରର ଅସ୍ଥିରତାରୁ ଚାଷୀଙ୍କୁ ସୁରକ୍ଷିତ ରଖିବା ସରକାରଙ୍କ ପ୍ରମୁଖ ପ୍ରାଥମିକତା ହୋଇ ରହିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।
Air Pollution: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଭୟଙ୍କର! ୪୯୪ରେ ପହଞ୍ଚିଲା ଏକ୍ୟୁଆଇ

51 minutes ago
1


