ARTICLE AD BOX
ନୂଆଦିଲ୍ଲୀ: ବିବାଦୀୟ ଇସଲାମିକ୍ ପ୍ରଚାରକ ଜାକିର ନାଏକଙ୍କ ସଂଗଠନ ''ଇସଲାମିକ୍ ରିସର୍ଚ୍ଚ ଫାଉଣ୍ଡେସନ୍'' (ଆଇଆରଏଫ୍) ଉପରେ ଲାଗିଥିବା ପ୍ରତିବନ୍ଧକକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶୁକ୍ରବାର ଆଉ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ, ସଂଗଠନଟି ଏବେ ବି ଜାତୀୟ ନିରାପତ୍ତା ଏବଂ ସାମ୍ପ୍ରଦାୟିକ ସଦଭାବ ପ୍ରତି ବିପଦ ସୃଷ୍ଟିକାରୀ କାର୍ଯ୍ୟକଳାପରେ ଲିପ୍ତ ରହିଥିବା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପୂର୍ବରୁ ଲାଗୁ ହୋଇଥିବା କଟକଣାର ଅବଧି ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ସରକାର ଏହି ନୂତନ ବିଜ୍ଞପ୍ତି ଜାରି କରିଛନ୍ତି।
ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରାକେଶ ରାଠୀଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଆଇଆରଏଫ୍ ଏବଂ ଏହାର ପ୍ରତିଷ୍ଠାତା-ଅଧ୍ୟକ୍ଷ ଜାକିର ଅବଦୁଲ କରିମ୍ ନାଏକ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା, ଘୃଣା ଏବଂ ବିଦ୍ୱେଷ ସୃଷ୍ଟି କରିବା ପାଇଁ ନିଜ ଅନୁଗାମୀମାନଙ୍କୁ ନିରନ୍ତର ପ୍ରୋତ୍ସାହିତ କରିଆସୁଛନ୍ତି। ଜାକିର ନାଏକଙ୍କ ଭାଷଣ ଓ ବୟାନ ଅତ୍ୟନ୍ତ ଆପତ୍ତିଜନକ ଏବଂ ଦେଶବିରୋଧୀ ହୋଇଥିବା ବେଳେ ଏହା ଭାରତ ତଥା ବିଦେଶରେ ଥିବା ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଉସକାଉଛି। ଯଦି ଏହି ବେଆଇନ କାର୍ଯ୍ୟକଳାପକୁ ତୁରନ୍ତ ନିୟନ୍ତ୍ରଣ କରାନଯାଏ, ତେବେ ଆଇଆରଏଫ୍ ଏହାର ଫେରାର ଥିବା କର୍ମୀମାନଙ୍କୁ ପୁନଃ ସଂଗଠିତ କରି ଦେଶର ଧର୍ମନିରପେକ୍ଷ ଢାଞ୍ଚାକୁ ନଷ୍ଟ କରିବା ସହ ଉଗ୍ରବାଦକୁ ସମର୍ଥନ କରି ବିଚ୍ଛିନ୍ନତାବାଦକୁ ବଢ଼ାଇବ ବୋଲି ମନ୍ତ୍ରଣାଳୟ ଚେତାବନୀ ଦେଇଛି।
ପ୍ରତ୍ୟର୍ପଣ ପାଇଁ ବାରମ୍ବାର ଦାବି
ସୂଚନାଯୋଗ୍ୟ ଯେ, ୨୦୧୬ ମସିହାରେ ବାଂଲାଦେଶର ଢାକା ସ୍ଥିତ ଏକ କାଫେରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଆକ୍ରମଣକାରୀମାନେ ଜାକିର ନାଏକଙ୍କ ଭାଷଣରୁ ପ୍ରେରଣା ପାଇଥିବା ସ୍ୱୀକାର କରିବା ପରେ ନାଏକ ଭାରତ ଛାଡ଼ି ପଳାଇଥିଲେ। ଏହାପରେ ୨୦୧୬ ନଭେମ୍ବରରେ ଭାରତ ସରକାର ପ୍ରଥମ ଥର ପାଇଁ ଆଇଆରଏଫକୁ ୫ ବର୍ଷ ପାଇଁ ନିଷିଦ୍ଧ କରିଥିଲେ ଏବଂ ୨୦୨୧ରେ ଏହାର ଅବଧି ବଢ଼ାଇଥିଲେ। ବର୍ତ୍ତମାନ ମାଲେସିଆରେ ସ୍ଥାୟୀ ନାଗରିକତା ପାଇ ରହୁଥିବା ଜାକିର ନାଏକଙ୍କ ବିରୋଧରେ ଭାରତରେ ଅର୍ଥ ହେରଫେର ଏବଂ ଉଗ୍ରବାଦକୁ ପ୍ରୋତ୍ସାହନ ଦେବା ଭଳି ସଙ୍ଗୀନ ମାମଲା ରହିଛି। ଭାରତ ସରକାର ତାଙ୍କର ପ୍ରତ୍ୟର୍ପଣ ପାଇଁ ବାରମ୍ବାର ଦାବି କରିଆସୁଥିବା ବେଳେ ସେ ଗତ ୨୦୨୪ ଅକ୍ଟୋବର ଏବଂ ୨୦୨୫ ଫେବୃଆରୀରେ ପାକିସ୍ତାନ ଗସ୍ତ କରି ସେଠାକାର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଭେଟିଥିଲେ।
High Court: ଅଭିଷେକଙ୍କ ଓକିଲଙ୍କୁ କୋଲକାତା ହାଇକୋର୍ଟଙ୍କ କଡ଼ା ପ୍ରଶ୍ନ: କେଉଁ ବିଚାରପତି ବିଜେପିର, କିଏ ତୃଣମୂଳର?

41 minutes ago
1


