ARTICLE AD BOX
ବୈଶିଙ୍ଗା : ବନ୍ୟାଜଳର ସ୍ରୋତରେ ଭାସିଯାଇ ନିଖୋଜ ଥିବା ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୟୂରଭଞ୍ଜଜିଲ୍ଲା ସୀମାନ୍ତ ପାଳପାଟଣା ପୋଲ ନିକଟରେ ଘଟିଥିବା ଏହି ଅଘଟଣକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଧୀନ ଶ୍ରୀରାମପୁର ଗ୍ରାମର ଚୌଧୁରୀ ବେହେରା (୬୦)। ସୂଚନା ଅନୁଯାୟୀ, ସେ ବଡ଼ସାହି ବ୍ଲକ ଅଞ୍ଚଳରେ ଥିବା ନିଜ ଝିଅ ଘରକୁ ଆସିଥିଲେ। ବୁଧବାର ସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ପାଳପାଟଣା ପୋଲ ପାର ହେଉଥିବାବେଳେ ପ୍ରବଳ ବନ୍ୟାସ୍ରୋତରେ ଭାସିଯାଇଥିବା ଜଣାପଡ଼ିଛି। ଘଟଣା ପରଠାରୁ ତାଙ୍କର କୌଣସି ପତ୍ତା ମିଳିନଥିଲା।
ଆହୁରି ପଢନ୍ତୁ: Salman Rushdie Attack: ସଲମାନ ରୁଶଦିଙ୍କୁ ଆକ୍ରମଣ ମାମଲା: ଦୋଷୀ ସାବ୍ୟସ୍ତ ହାଦି
ଖବର ପାଇ ଆଜି ଓଡ୍ରାଫ ଟିମ୍ ପହଞ୍ଚି ନଦୀ ଓ ଏହାର ଆଖପାଖ ଅଞ୍ଚଳରେ ଖୋଜାଖୋଜି ଆରମ୍ଭ କରିଥିଲା। ଦୀର୍ଘ ସମୟର ଅନୁସନ୍ଧାନ ପରେ ଶେଷରେ ଚୌଧୁରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ ଘଟଣାସ୍ଥଳରେ ବୈଶିଙ୍ଗା ଥାନା ଅଧିକାରୀ ବାରିଣୀ ଦାସ ସଦଳବଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି | ଅନ୍ୟପଟେ ବନ୍ୟାଜଳରେ ପାଣିଘେରରେ ରହିଥିବା ପାଳପାଟଣା ଗ୍ରାମବାସୀଙ୍କ ଦୁର୍ଦ୍ଦଶାକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି। ପ୍ରଭାବିତ ପରିବାରଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଦାବି ହୋଇଛି।
ପାଳପାଟଣା ପୋଲ ନେଉଛି ଜୀବନ, ଉଠିଲା ସ୍ଥାୟୀ ସମାଧାନ ଦାବି
ପାଳପାଟଣା ପୋଲରେ ଏଭଳି ଅଘଟଣ ଏହା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ଏହି ପୋଲ ଦେଇ ଯିବା ସମୟରେ ବନ୍ୟାଜଳରେ ଭାସି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ରହିଛି। ଏବେ ପୁଣି ଜଣେ ବୃଦ୍ଧଙ୍କ ଜୀବନ ଯିବା ପରେ ପୋଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ବର୍ଷା ହେଲେ ଗଙ୍ଗାହାର ନଦୀର ଜଳସ୍ତର ବଢ଼ିବା ସହ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ୁଛି। ତେଣୁ ଆଗାମୀ ଦିନରେ ଏଭଳି ଅଘଟଣ ରୋକିବା ପାଇଁ ପାଳପାଟଣାଠାରେ ଏକ ଉଚ୍ଚ ଓ ସୁରକ୍ଷିତ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି।

4 days ago
4


