Commonwealth Games: ରାଜ୍ୟଗୋଷ୍ଠୀ କ୍ରୀଡ଼ା: କମୁଛି ଗୁରୁତ୍ବ, ଭାରତ ଦେବ ବଳ

46 minutes ago 1
ARTICLE AD BOX

ଅହମଦାବାଦ: ରାଜ୍ୟଗୋଷ୍ଠୀ କ୍ରୀଡ଼ା କ୍ରମଶଃ ଏହାର ପ୍ରାସଙ୍ଗିକତା ଓ ଗୁରୁତ୍ବ ହରାଉଛି। ଅନ୍ତତଃ ଗ୍ଲାସ୍‌ଗୋରେ ଆୟୋଜିତ ୨୦୨୬ ସଂସ୍କରଣରୁ ଏହା ପ୍ରମାଣିତ ହୋଇଛି। ମାତ୍ର ୧୦ଟି ଖେଳ ମଧ୍ୟରେ ସୀମିତ ରହିବା ଏବଂ ଗତ ସଂସ୍କରଣର ଏକ ତୃତୀୟାଂଶ ବ୍ୟୟ ବରାଦ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୬କୁ ନିରସ ଓ ଚମକହୀନ କରିଛି। ଏହା ଛଡ଼ା ଏହି ବହୁରାଷ୍ଟ୍ରୀୟ ଖେଳକୁ ଆୟୋଜକ କରିବା ନେଇ ସଦସ୍ୟ ରାଷ୍ଟ୍ରଙ୍କ ଆଗ୍ରହ ମଧ୍ୟ ଦିନକୁ ଦିନ କମିବାକୁ ଲାଗିଛି। ଯାହାର ସବୁଠୁ ବଡ଼ ଉଦାହରଣ ହେଉଛି ୨୦୨୬ ସଂସ୍କରଣର ଆୟୋଜନ ଅଧିକାର ପାଇଥିବା ଅଷ୍ଟ୍ରେଲିଆର ଭିକ୍ଟୋରିଆ ପ୍ରଦେଶ ଏଥିରୁ ୨୦୨୩ରେ ଓହରିଯିବା। ଫଳରେ ରାଜ୍ୟଗୋଷ୍ଠୀ ମହାସଂଘ ବାଧ୍ୟହୋଇ ଭିକ୍ଟୋରିଆଠାରୁ ମିଳିଥିବା କ୍ଷତିପୂରଣ ସହ ଅନ୍ୟ କିଛି ସୂତ୍ରରୁ ଅର୍ଥ ଯୋଗାଡ଼ କରି ଗ୍ଲାସ୍‌ଗୋରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଏକ ସଂକ୍ଷିପ୍ତ ଆକାର ଆୟୋଜନ କରିଥିଲା। ପୂର୍ବ ୬ଟି ସଂସ୍କରଣରେ ୧୭ରୁ ୨୦ଟି ଖେଳ ସାମିଲ ରହିଥିଲା ବେଳେ ଅର୍ଥାଭାବରୁ ଗ୍ଲାସ୍‌ଗୋରେ ୭ରୁ ୧୦ ଲୋକପ୍ରିୟ ଖେଳକୁ ବାଦ୍‌ ଦିଆଯାଇଥିଲା। ଏପରିକି ଅର୍ଥାଭାବରୁ ସଦସ୍ୟ ରାଷ୍ଟ୍ରଗୁଡ଼ିକରେ ପାରମ୍ପରିକ ଭାବେ ଆୟୋଜିତ ହୋଇ ଆସୁଥିବା ମଶାଲ ଶୋଭାଯାତ୍ରାକୁ ମଧ୍ୟ ବାତିଲ କରି ଦିଆଯାଇଥିଲା। ଏଭଳି ଏକ ସଙ୍କଟଜନକ ସ୍ଥିତିରେ ରାଜ୍ୟଗୋଷ୍ଠୀ ମହାସଂଘର ନଜର ଏବେ ଭାରତ ଉପରେ ରହିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୂର୍ବ ଗୌରବ ଓ ସମ୍ମାନ ଭାରତରେ ୨୦୩୦ ମସିହାରେ ହେବାକୁ ଥିବା ଶତବାର୍ଷିକୀ ସଂସ୍କରଣର ଆଡ଼ମ୍ବରପୂର୍ଣ୍ଣ ଆୟୋଜନରୁ ଫେରି ଆସିବ ବୋଲି ମହାସଂଘ ଆଶା ରଖିଛି। ସେହିଭଳି ଅହମଦାବାଦାରେ ବିସ୍ତାରିତ ରୂପ ଏବଂ ବର୍ଦ୍ଧିତ କାୟା ଚମକ ହରାଇ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ନୂଆ ଶକ୍ତି ଓ ବଳ ଯୋଗାଇବ ବୋଲି କ୍ରୀଡ଼ାପ୍ରେମୀ ମଧ୍ୟ ଆଶା ରଖିଛନ୍ତି।

ସ୍ମରଣୀୟ ହେବ ଶତବାର୍ଷିକୀ ସଂସ୍କରଣ
ଏଭଳି ସ୍ଥିତିରେ ଭାରତ ଏହି ବହୁଦେଶୀୟ କ୍ରୀଡ଼ା ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସଦସ୍ୟ ପାଲଟି ଯାଇଛି। ୨୦୩୬ ଅଲିମ୍ପିକ୍ସ ଆୟୋଜନ ଆଶାରେ ଭାରତ ମଧ୍ୟ ଅହମଦାବାଦରେ ଏକ ଅଭୁଲା ଓ ଅବିସ୍ମରଣୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବାକୁ ଜୋରଦାର୍‌ ପ୍ରସ୍ତୁତି କରିଛି। ଗ୍ଲାସ୍‌ଗୋରେ ଯେତିକି ଅର୍ଥ ଖର୍ଚ୍ଚ ହୋଇଥିଲା ଅହମଦାଦାବରେ ତା’ର ୧୦ଗୁଣରୁ ଅଧିକ ଅର୍ଥ ବ୍ୟୟ ହେବ ବୋଲି ମଧ୍ୟ ଗୁଜରାଟ ସରକାର ସଙ୍କେତ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘର ମୁଖ୍ୟ କାର୍ଯ୍ୟନିର୍ବାହୀ କେଟି ସାଡଲେୟର ଅହମଦାବାଦ ଗେମ୍ସକୁ ରୋମାଞ୍ଚକର ଓ ଗତିଶୀଳ ସଂସ୍କରଣର ଆଖ୍ୟ ଦେଇଛନ୍ତି। ଗୁଜରାଟର ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭୀ କହିଛନ୍ତି, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‌ଖୁଣ୍ଟ। ଭାରତ ନିଜକୁ ବିଶ୍ୱସ୍ତରୀୟ କ୍ରୀଡ଼ା କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବାକୁ ପ୍ରତିବଦ୍ଧ। ଅବଶ୍ୟ ୨୦୩୬ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ଆୟୋଜନ କରିବା ହେଉଛି ଆମର ଚୂଡ଼ାନ୍ତ ଲକ୍ଷ୍ୟ। ତେଣୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରତକୁ ବିଶ୍ୱସ୍ତରୀୟ କ୍ରୀଡ଼ା ଆୟୋଜନ କରିବାରେ ନିଜର ପ୍ରସ୍ତୁତି ଓ କ୍ଷମତା ପ୍ରଦର୍ଶନ କରିବାର ସୁଯୋଗ ଦେବ।

ଏଥର ଅହମଦାବାଦ ମଡେଲ୍‌
ଦୁଇ ବର୍ଷରୁ କମ୍ ସମୟର ପ୍ରସ୍ତୁତି ସହିତ ଗ୍ଲାସ୍‌ଗୋ ୧୧ ଦିନ ଧରି ପ୍ରତିଯୋଗିତା ଆୟୋଜନ କରିଥିଲା। ଏଥିରେ ପ୍ରାୟ ୩ ହଜାର କ୍ରୀଡ଼ାବିତ୍ ଏବଂ ୪ ଲକ୍ଷ ୩୪ ହଜାର ଦର୍ଶକ ଅଂଶ ନେଇଥିଲେ। ପୂର୍ବରୁ ୨୦୧୪ରେ ଗ୍ଲାସ୍‌ଗୋରେ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ତୁଳନାରେ ଏଥର ଏହି କ୍ରୀଡ଼ା କୁମ୍ଭ ପ୍ରାୟ ଏକତୃତୀୟାଂଶ ଖର୍ଚ୍ଚରେ ଆୟୋଜନ କରାଯାଇଥିଲା। କମ୍‌ ଖର୍ଚ୍ଚରେ ବଡ଼ ପ୍ରତିଯୋଗିତା ଆୟୋଜନ ଥିଲା ଗ୍ଲାସ୍‌ଗୋ ଆୟୋଜନ ସମିତିର ମୁଖ୍ୟ ଲକ୍ଷ୍ୟ। କିନ୍ତୁ ଏହା ସଦସ୍ୟଙ୍କ ସହ କ୍ରୀଡ଼ାପ୍ରେମୀଙ୍କୁ ପସନ୍ଦ ଆସି ନଥିଲା। ତଥାପି ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ର ମୁଖ୍ୟ କାର୍ଯ୍ୟନିର୍ବାହୀ ଫିଲ୍ ବାଟି କହିଛନ୍ତି, ଏହି ମଡେଲ୍ ପ୍ରମାଣ କରିଛି ଯେ ପ୍ରତ୍ୟେକ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଏକାଭଳି ଆୟୋଜନ କରିବାର ଆବଶ୍ୟକତା ନାହିଁ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଯେଉଁ ଦେଶରେ ହେବ, ସେହି ଦେଶର ପରିଚୟ, ସଂସ୍କୃତି, ଭିତ୍ତିଭୂମି, ସମୁଦାୟ ଏବଂ ଲୋକଙ୍କୁ ପ୍ରତିଫଳିତ କରିବା ଦରକାର। ଏକ ନୂଆ, ଅଧିକ ନମନୀୟ, ସ୍ଥାୟୀ, ବୁଦ୍ଧିମାନ ଓ ସମାବେଶୀ ଆୟୋଜନ ପ୍ରଣାଳୀ ମାଧ୍ୟମରେ ଆଗାମୀ ଦଶନ୍ଧିଗୁଡ଼ିକରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରତ୍ୟେକ ସଂସ୍କରଣ ଭିନ୍ନ ରୂପ, ଭିନ୍ନ ଗତିଶୀଳତା ଏବଂ ଭିନ୍ନ ପରିଚୟ ନେଇ ଆସିବ। ତେବେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ସହ ଜଡ଼ିତ ଥିବା ଜଣେ ଭାରତୀୟ ଅଧିକାରୀ କହିଛନ୍ତି ଆଗାମୀ ସମୟରେ ଅହମଦାବାଦ ସଂସ୍କରଣ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନର ରୋଲ୍‌ ମଡେଲ ହେବ। ଯାହା ଅନ୍ୟ କେହି କରି ନାହାନ୍ତି, ତାହା ଭାରତ କରିବ। ଆଉ ବିଶ୍ବ ଦେଖିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.