ARTICLE AD BOX
ଭୁବନେଶ୍ୱର: ଗଭୀର ସମୁଦ୍ରରେ ମାଛଧରାର ଦୀର୍ଘସ୍ଥାୟୀ ଉପଯୋଗିତା ନିମନ୍ତେ ପ୍ରାଧିକରଣପତ୍ର ଜାରି ପାଇଁ ଜାତୀୟ କାର୍ଯ୍ୟକ୍ରମକୁ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଆଜି ଭୁବନେଶ୍ୱରଠାରେ ଶୁଭାରମ୍ଭ କରିଛନ୍ତି। ଓଡ଼ିଶା ଉପକୂଳ ଗଭୀର ସମୁଦ୍ର ମାଛଧରା ମିଶନ ଦସ୍ତାବିଜ ମଧ୍ୟ ଉନ୍ମୋଚନ ହୋଇଛି। ଦେଶର ଦଶଟି ମତ୍ସ୍ୟ ଚାଷୀ ଉତ୍ପାଦକ ସଂଗଠନ (ଏଫପିପିଓ) ଏବଂ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ମାଛ ଧରା ପାଇଁ ଉପରାଷ୍ଟ୍ରପତି ପ୍ରାଧିକରଣପତ୍ର (ଏଲଓଏ) ପ୍ରଦାନ କରିଛନ୍ତି।
ଉତ୍ସବରେ ଉପରାଷ୍ଟ୍ରପତି କହିଲେ ଭାରତରେ ୧୧,୦୦୦ କିଲୋମିଟରରୁ ଅଧିକ ଉପକୂଳ ଏବଂ ପ୍ରାୟ ୨୪ ଲକ୍ଷ ବର୍ଗ କିଲୋମିଟରର ଏକ ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ରହିଛି ଏବଂ ଏହା ପ୍ରାୟତଃ ଅବ୍ୟବହୃତ ରହିଛି। ମାଛ ଧରା କାର୍ଯ୍ୟକଳାପ ପାରମ୍ପରିକ ଭାବରେ ଉପକୂଳ ନିକଟରେ ରହିଆସିଛି। ନୂତନ ବ୍ୟବସ୍ଥା ଭାରତୀୟ ମତ୍ସ୍ୟଜୀବୀମାନଙ୍କୁ ଟୁନା ଭଳି ଉଚ୍ଚ-ମୂଲ୍ୟବାନ ପ୍ରଜାତି ମାଛର ଦୀର୍ଘସ୍ଥାୟୀ ଉତ୍ପାଦନ ପାଇଁ ଆତ୍ମବିଶ୍ୱାସର ସହିତ ଗଭୀର ସମୁଦ୍ରରେ ପ୍ରବେଶ କରିବାକୁ ସକ୍ଷମ କରିବ।
ଭାରତ ଆଜି ବିଶ୍ୱର ଦ୍ୱିତୀୟ ବୃହତ୍ତମ ମାଛ ଉତ୍ପାଦନକାରୀ ଦେଶ। ଏହା ବିଶ୍ୱ ମାଛ ଉତ୍ପାଦନରେ ପ୍ରାୟ ଆଠ ପ୍ରତିଶତ ଯୋଗଦାନ ଦେଉଛି। ଏହି କ୍ଷେତ୍ର ପ୍ରାୟ ତିନି କୋଟି ମତ୍ସ୍ୟଜୀବୀ ଏବଂ ମାଛ ଚାଷୀଙ୍କ ଜୀବିକାକୁ ସମର୍ଥନ କରେ। ଗତ ଆର୍ଥିକ ବର୍ଷରେ ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ରପ୍ତାନି ୭୩,୦୦୦ କୋଟି ଟଙ୍କା ଅତିକ୍ରମ କରିଛି। ଗଭୀର ସମୁଦ୍ର ପଦକ୍ଷେପ ଭାରତର ରପ୍ତାନି ସମ୍ଭାବନାକୁ ଆହୁରି ମଜବୁତ କରିବ ଏବଂ ଅମଳ, ପ୍ରକ୍ରିୟାକରଣ, ଶୀତଳ ଶୃଙ୍ଖଳା, ପରିବହନ, ପ୍ୟାକେଜିଂ, ଲଜିଷ୍ଟିକ୍ସ ଓ ରପ୍ତାନି ସେବାରେ ନିଯୁକ୍ତି ସୃଷ୍ଟି କରିବ ବୋଲି ଉପରାଷ୍ଟ୍ରପତି ବିଶ୍ୱାସ ପ୍ରକଟ କରିଥିଲେ। ନୂତନ ଢାଞ୍ଚାରେ ମତ୍ସ୍ୟଚାଷ ସମବାୟ ସମିତି, ମତ୍ସ୍ୟ ଚାଷୀ ଉତ୍ପାଦକ ସଂଗଠନ ଏବଂ ଭାରତୀୟ ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣପତ୍ର ଜାରି କରିବା ପାଇଁ ପ୍ରାଥମିକତା ଦିଆଯାଇଛି। ସେ ଏହି ପଦକ୍ଷେପକୁ ଉପକୂଳ ସମ୍ପ୍ରଦାୟକୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ବର୍ଣ୍ଣନା କରିଥିଲେ।
ସାମୁଦ୍ରିକ ସମ୍ପଦ ସଂରକ୍ଷଣ ସହିତ ଆର୍ଥିକ ପ୍ରଗତି ହେବା ଉଚିତ। ଡିଜିଟାଲ୍ ପ୍ରାଧିକରଣ ବ୍ୟବସ୍ଥା, ଜାହାଜ ଟ୍ରାକିଂ, ଅନ୍ତର୍ଜାତୀୟ ପ୍ରମାଣପତ୍ର ଏବଂ ବେଆଇନ ତଥା ରିପୋର୍ଟ ନହୋଇଥିବା ଏବଂ ଅନିୟନ୍ତ୍ରିତ ମାଛ ଧରା ବିରୋଧୀ ପଦକ୍ଷେପଗୁଡ଼ିକର କଠୋର ଅନୁପାଳନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ବିଶ୍ୱସ୍ତରୀୟ ସୁଯୋଗ ଦ୍ୱାରା ପରିଚାଳିତ ଏକ ଆଧୁନିକ ବୃତ୍ତି ଭାବରେ ମତ୍ସ୍ୟଚାଷକୁ ଗୁରୁତ୍ବଦେବା ପାଇଁ ଉପରାଷ୍ଟ୍ରପତି ଯୁବପିଢ଼ିଙ୍କୁ ଆହ୍ବାନ କରିଥିଲେ। ବିକଶିତ ଭାରତ ୨୦୪୭ର ସ୍ୱପ୍ନକୁ ସାକାର କରିବା ପାଇଁ ସେ ମତ୍ସ୍ୟଜୀବୀ ସମ୍ପ୍ରଦାୟକୁ ଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ଆର୍ଥିକ ସହଯୋଗ ଜାରି ରଖିବାକୁ ଆହ୍ୱାନ କରିଥିଲେ।
ଗଭୀର ସମୁଦ୍ର ତଳେ ଥିଲା ବାରିପଦା! ୮.୩ ନିୟୁତ ବର୍ଷ ପୂର୍ବେ ଖେଳୁଥିଲେ ସାର୍କ
ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ରାଜ୍ୟପାଳ ହରିବାବୁ କମ୍ଭମପଟି ଭାରତର ବ୍ୟାପକ ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ଏବଂ ଅପାର ସାମୁଦ୍ରିକ ସମ୍ପଦ ଉପରେ ଆଲୋକପାତ କରିଥିଲେ। ବିଶ୍ୱ ବାଣିଜ୍ୟ ଆହ୍ୱାନ ସତ୍ତ୍ୱେ ରେକର୍ଡ ସାମୁଦ୍ରିକ ଖାଦ୍ୟ ରପ୍ତାନି ହାସଲ କରିବା ପାଇଁ ସେ ମତ୍ସ୍ୟ ବିଭାଗକୁ ମଧ୍ୟ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ କହିଥିଲେ ଓଡ଼ିଶା ସ୍ଥିର ଭାବରେ ଏକ ଦୃଢ଼ ମତ୍ସ୍ୟ ଉତ୍ପାଦନ ପରିବେଶ ତିଆରି କରୁଛି । ମୂଲ୍ୟ ବୃଦ୍ଧି ଓ ସାମୁଦ୍ରିକ ମାଛ ରପ୍ତାନିକୁ ସମର୍ଥନ କରିବା ପାଇଁ ପାଇକାରୀ ମାଛ ବଜାର ଏବଂ ଆକ୍ୱାପାର୍କ ସମେତ ଆଧୁନିକ ମତ୍ସ୍ୟ ଭିତ୍ତିଭୂମିରେ ନିବେଶ କରାଯାଉଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଭାରତର ନୀଳ ଅର୍ଥବ୍ୟବସ୍ଥା ଲାଗି ଅପାର ସମ୍ଭବନା ରହିଛି।
ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଐତିହ୍ୟ ଏବଂ ପ୍ରଚୁର ମତ୍ସ୍ୟ ସମ୍ପଦ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ଅତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି। କେନ୍ଦ୍ର ମତ୍ସ୍ୟ, ପ୍ରାଣୀ ସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କହିଥିଲେ କେନ୍ଦ୍ର ବଜେଟ୍ ୨୦୨୫-୨୬ରେ ଭାରତର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର (ଇଇଜେଡ) ଏବଂ ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ଦୀର୍ଘସ୍ଥାୟୀ ଉପଯୋଗ ପାଇଁ ଏକ ସକ୍ଷମ ଢାଞ୍ଚା ସୃଷ୍ଟି ଘୋଷଣା କରାଯାଇଥିଲା। ଏହାକୁ ପ୍ରବେଶ ଅନୁମତି ଏବଂ ପ୍ରାଧିକରଣପତ୍ର (ଏଲଓଏ)ର ଜାତୀୟ ପ୍ରଚଳନ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଛି।
ଏଲଓଏ ଭାରତର ସାମୁଦ୍ରିକ ମତ୍ସ୍ୟ କ୍ଷେତ୍ର ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ। କେନ୍ଦ୍ର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ଏବଂ ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି. ସିଂହ ବାଘେଲ ଓଡ଼ିଶାର ମତ୍ସ୍ୟ ଏବଂ ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ; କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ବିଭିନ୍ନ ମତ୍ସ୍ୟ ପ୍ରତିଷ୍ଠାନ, ମତ୍ସ୍ୟଜୀବୀ ସଂଗଠନର ପ୍ରତିନିଧି ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ଉପସ୍ଥିତ ଥିଲେ। କେନ୍ଦ୍ର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ସଚିବ ଡକ୍ଟର ଅଭିଲକ୍ଷ ଲିଖି ସ୍ୱାଗତ ଭାଷଣ ଦେଇଥିଲେ।

3 weeks ago
11


